Unknown

 

 

 

 

 

 

 

 

 

 

 

ନାୟିକାର ଶେଷଅଶ୍ରୁ

ବିଷ୍ଣୁ ଚରଣ ଚୌଧୁରୀ

 

ଉତ୍ସର୍ଗ

 

ବୋଉ !

 

ତୋର ଏଇ ଅବୁଝା ଅମାନିଆଁ ପୁଅଟିକୁ କୋଳେଇ କାଖେଇ, କେତେବେଳେ ପୁଣି ନାଲି ଆଖି ଦେଖାଇ ଆଜି ମଣିଷ କରିପାରିଛୁ । ଜୀବନରାସ୍ତାର ଏକ ମୋଡ଼ ଦେଇ ମୁଁ ଅଗ୍ରସର ହେବା ସମୟରେ ତୋ ପ୍ରଦର୍ଶିତ ପଥରେ ନ ଯାଇ ମୁଁ ଅନ୍ୟ ଏକ ପଥରେ ପାଦ ବଢ଼ାଉଥିବା ବେଳେ ତୋର ସେହି ସ୍ନେହ, ମମତା ଯାହାକୁ ତୁ ତିଳ ତିଳ କରି ମୋ ପାଇଁ ଆଜିଯାଏ ନିଃଶେଷ କରି ଆସିଛୁ ସେଇ ପୁଣି ମୋତେ ତୋରି ନିକଟକୁ ଟାଣି ଆଣିଛି ଏବଂ ମୁଁ ହୋଇଛି ନିହାତି ଛୋଟ-। ଆଖିରୁ ଲୁହ ଗଡ଼ାଇ ମୋ ଭୁଲର ପ୍ରାୟଶ୍ଚିତ କରିବା ସମୟରେ ତୋ ଆଖିରୁ ବି ଝରି ଝରି ଆସିଥିଲା ଶ୍ରାବଣର ଅଶ୍ରୁ । ଆଉ ସେଇ ଆଶୀର୍ବାଦର ଅଶ୍ରୁ ସୃଷ୍ଟି କରିପାରିଲା ଆଜିର ଏଇ ‘‘ନାୟିକାର ଶେଷଅଶ୍ରୁ’’ । ମୋର କେବଳ ଏଇ ଏକମାତ୍ର ନିଜସ୍ଵ ବସ୍ତୁଟିକୁ ତୋରି ହାତରେ ଟେକି ଦେଇ ତୋର ଆଶୀର୍ବାଦ ଭିକ୍ଷା କରୁଛି ।

 

ତୋର ଆଦରର

ବିଷ୍ଣୁ

 

ପଦେ ଅଧେ

 

କିଛି ସତ.....କିଛି......ମିଛ......କିଛି ସ୍ଵପ୍ନ.....କିଛି ବାସ୍ତବ.....ଅନେକ ଯନ୍ତ୍ରଣା.....କିଛିଟା ଅବସାଦ.....ହଜାଇ ପାଇବାର ଆନନ୍ଦ ପୁଣି ପାଇ ନ ପାଇବାର ଆତ୍ମଗ୍ଳାନି, ଆତ୍ମଦହନ......ଆତ୍ମସଚେତନତା ପାଇଁ ଦୃଢ଼ ଗମ୍ଭୀର ସ୍ଵରରେ ଡାକରା ଦେଉଥିବା ଭିତର ମଣିଷର ଠକ୍‌ ଠକ୍‌ ଆୱାଜ୍‌କୁ ଶୁଣି ନ ଶୁଣିଲା ଭଳି ଅଦମ୍ୟ ପରିକଳ୍ପନା ଆଜିର ମଣିଷ ଜୀବନରେ ପ୍ରତି ଛତ୍ରେ ଛତ୍ରେ ଦୃଷ୍ଟ । ଏ ମଣିଷ ତା’ ଭିତରର ଅନ୍ୟ ଏକ ମଣିଷର ଛାଇ ଦେଖି ଭୟ କରେ । ବାସ୍ତବତାର କଷଟି ପଥର ନିକଟରେ ନିଜକୁ ପରୀକ୍ଷା ଦେବାକୁ ଯାଇ ପୁଣି ଦିପାହୁଣ୍ଡ ପଛେଇ ଆସେ । କାରଣ ସେ ମଣିଷ । ସେ ମଣିଷ ଭଳି ଏ ସମାଜରେ ରହିବାକୁ ଚାହେଁ । ତା’ର ସ୍ଥିତି ଦରକାର । ଏ ସମାଜରେ ଦୃଢ଼ ସ୍ଥିତି ହିଁ ତା’ର ନିହାତି ଆବଶ୍ୟକ ।

 

ବି. ଏ. ପରୀକ୍ଷା ପରେ ଏଇଭଳି ଏକ ବାସ୍ତବ ପରିକଳ୍ପନାକୁ ଆଖି ଆଗରେ ରଖି ମୁଁ ଏଇ ଉପନ୍ୟାସଟିକୁ ସମ୍ପୂର୍ଣ୍ଣ କରିଥିଲି । ପାଣ୍ଡୁଲିପିଟି ସମ୍ପୂର୍ଣ୍ଣ ହେବାର ଏହା ଭିତରେ ଦୀର୍ଘ ତିନି ବର୍ଷ ହୋଇଯାଇଥିଲେ ବି ନାନା ଘାତ ପ୍ରତିଘାତ ଭିତରେ ଆଜି ପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରି ନ ଥିଲା । ଯେଉଁ ମହାନ୍‌ବ୍ୟକ୍ତିଙ୍କର ଉତ୍ସାହ ଓ ପ୍ରେରଣା ଫଳରେ ଆଜି ଏହି ଉପନ୍ୟାସଟି ଲୋକଲୋଚନକୁ ଆସିବା ସମ୍ଭବ ହୋଇପାରିଛି ସେ ହେଉଛନ୍ତି ମୋର ପୁଜ୍ୟ ଗୁରୁଦେବ ଅଧ୍ୟାପକ ଫକୀର ଚରଣ ସିଂହ । ପାଣ୍ଡୁଲିପିଟି ଲେଖିବା ଦିନଠାରୁ ଆଜି ପର୍ଯ୍ୟନ୍ତ ସେ ମୋତେ ଉତ୍ସାହ ଦେଇ ଆସିଛନ୍ତି, ପ୍ରେରଣା ଦେଇଛନ୍ତି ଓ ଉପନ୍ୟାସଟିର ପ୍ରସ୍ତୁତି ପଥେ ନାନା ଭାବେ ସାହାଯ୍ୟ ସହାନୁଭୂତି ଦେଖାଇ ଆସିଛନ୍ତି । ଏଥିପାଇଁ ମୁଁ ତାଙ୍କ ନିକଟରେ ଚିରଦିନ ଋଣୀ ହୋଇ ରହିବି ଏବଂ ମୋର ଭବିଷ୍ୟତ ଜୀବନରେ ସେହି ହିଁ ପଥପ୍ରଦର୍ଶକ ରୁପେ ରହିଥିବେ ।

 

ଶେଷରେ ପୁସ୍ତକଟିରେ ମୁଦ୍ରଣଗତ କେତେକ ପ୍ରମାଦ ରହିଥିବାରୁ ପାଠକମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି ।

 

ଲେଖକ

ତା ୧ । ୩ । ୮୦ ରିଖ

 

‘‘ନାୟିକାର ଶେଷଅଶ୍ରୁ’’

 

ପଦ୍ମପୁର ଗାଁର ସବୁରି ତୁଣ୍ଡରେ ଆଜି ସେଇ ଗୋଟିଏ କଥା । ଦାଣ୍ଡ ଗଡ଼ିଆ ତୁଠରେ ବସି କାଚ ମାଜୁ ମାଜୁ ବୁଲେଇ ମା’ କହୁଥିଲା–‘‘ଶୁଣିଲଣି ଲୋ ମାଇପେ ଗୋଟିଏ କଥା’’....... ।

 

ଆଉ ଦୁଇ ତିନି ଜଣ ମାଇପେ ତୁଠରେ ବସି ଦାନ୍ତ ଘଷୁଥାନ୍ତି । ଅଣ୍ଟାଏ ପାଣିରୁ ଉଠି ଆସି ରାଧି ପଚାରିଲା–କଅଣ ହେଇଚି କିଲୋ ବୁଲେଇ ମା’ ?

 

ଇଲୋ ତୁ ଶୁଣିନୁ, କାଲିପରା କପିଳେଶ୍ଵର ମହାପ୍ରୁ ସପନେଇଛନ୍ତି କୁଷେଇ ପଧାନକୁ । ଆଜି ସକାଳୁ ସକାଳୁ କୁଷେଇ ପଧାନ କଉଥିଲା କାଳି ରାତି ଅଧରେ କୁଆଡ଼େ କପିଳେଶ୍ଵର ତା’ ଘରକୁ ଆସି ତା’କୁ ବେତରେ ଦି’ପାହାର ପକାଇଲେ । ଆଉ କଇଲେ ବିନୟ ପଟ୍ଟନାୟକ ତ ସବୁ କରୁଛି । ଗାଁର ଭଲ ମନ୍ଦ ସବୁ ବୁଝୁଚି । ମତେ କ’ଣ ଏଠାରେ ରଖେଇ ଦବନି । ଦିନ ରାତି ସବୁବେଳେ କଳଟା ଢୁଢୁ ହଉଚି ଯେ..... । ମୁଁ ଆଉ ଏଠାରେ ରହିପାରିବି ନାହିଁ ।

 

ସତେ ନା କ’ଣ ?

 

ମଲା ମୁଁ ମିଛରେ କଉଚି ନା କ’ଣ ବା । ଗାଁ ଯାକ ପରା ସମସ୍ତେ କୁହାକୁହି ହେଉଚନ୍ତି । ମୁଁ ପରା ସିଠଉଁ ଶୁଣିକରି ଆଇଲି ।

 

ହଁ ସେଇଥିପାଇଁ ପରା ତା’ ପୁଅ ଦିହ ବରଷେ ହେଲା ଭଲ ହେଉନି । ଖାଲି ଜର ଜର-। ମଲା ଜର କ’ଣ ଆଉ କାହାକୁ ହଉନି । ପୁଣି ଯାଉଚି ନା ଏମିତି ବରଷେକୁ ଧକ୍‌କା ଖାଇବ ଲାଗି ରହିଚି । ସେ କ’ଣ ଆଉ କିଏ ହେଇଚନ୍ତି । ପାତାଳଫୁଟା ମହାଦେବେଟି । ଡାକିଲେ ଓ କରିବ ।

 

ହଁ ସେଇଆ ନୁହଁ ଆଉ କ’ଣ । ଏଇଟା ଆମ ଆଖି ଆଗରେ ଦେଖିଲୁ କେଉଁ ଗାଁରୁ ଆଇଥିଲା ଗୋଟାପ କମାର । ରାତାରାତି ତା’କୁ ମହାଦେବେ ସପନେଇଲେ ଯେ ତା’ ପରଦିନ ସେ ରକତ ଝାଡ଼ା ହେଇ ଗାଁ ଛାଡ଼ି ପଳେଇଗଲା । ପୁଣି ଥରେ ଗୋଟିଏ ବୁଢ଼ା କମାର ତା’ର ପିଲାଛୁଆ ଆଣି ଗୁଡ଼ିଆ ବାରିତଳେ ଚାଳିଟିଏ କରି ରହିଥିଲା । ସିଠଉଁ ବି କପିଳେଶ୍ୱରଙ୍କୁ ଠକ୍‍ ଠକ୍‍ ଶବଦ ଶୁଭିଲା । ସିଏ ବି ଦୁଇ ଚାରି ଦିନ ରହିଛି କି ନାଇଁ ତା’ ପିଲାଛୁଆଙ୍କୁ ଧରି ଛୁ ।

 

ହଁ ଏ କ’ଣ କୋଉ କାଳର କଥା ହେଇଚି । ତିସିଲାସନ ପରା ମଧୁପାଟଣା ଗାଁର ବୀର ବାବୁ ତାଙ୍କ ଗାଁରୁ ଧାନ କଳ ଉଠାଇ ଆଣି ଅଇଚ୍ଛା ଯୋଉଠି କଳ ପଡ଼ିଚି ସେଇଠି ପକାଇଥିଲେ ମାସେ ହେଇଚି କି ନାଇଁ କଳ ଖାଲି ଖରାପ ଖରାପ । ସେ ପୁଣି ଇଠଉଁ ଉଠାଇ ନେଇଗଲେ ।

 

ବିନୟ ବାବୁ କଅଣ ଏକଥା ଜାଣି ନାହାନ୍ତି । ମାସକୁ ହଜାର ହଜାର ଟଙ୍କା କମାଉଚନ୍ତି ବୋଲି ସେ କଳ ପକାଇ ରଖିଚନ୍ତି ନା, କଅଣ ମିଛଟାରେ ସେ କଳ ଆଣି ପକାଇଥାନ୍ତେ ।

 

ଶାନ୍ତିଦେବୀ ଗାଧୋଇ ଆସୁଥିଲେ । ପଛରେ ଥାଇ ସବୁ କଥା ଶୁଣି ଚୁପ୍‌ହୋଇ ଫେରି ପଡ଼ିଲେ ଘରକୁ ସେ । କେତେଆଡ଼ୁ କେତେକଥା ମନ ଭିତରେ ଘାଣ୍ଟି ଚକଟି ହେବାରେ ଲାଗିଲା । ମନ ତାଙ୍କର ପାପ ଛୁଇଁଲା । ସେ ଦୁଆପାଣିଆ ହୋଇ ଏଠାକୁ ଆସିଥାନ୍ତି । ରାତିରେ ଖାଇସାରି ସବୁଦିନେ ସେ ଶାଶୁଙ୍କୁ ମୋଡ଼ି ଦେବାକୁ ଯାଆନ୍ତି । ଶାଶୁ ତାଙ୍କର କେତେଆଡ଼ୁ କେତେକଥା କହିଥାନ୍ତି । ଗୋଟିଏ ରାତିରେ କ’ଣ କହୁ କହୁ ସେ ଏଇ ମହାଦେବଙ୍କ କଥା କହିଥିଲେ । ଏ ହେଉଛନ୍ତି ପାଞ୍ଚଭାଇ । କପିଳେଶ୍ୱର ବଡ଼ ଭାଇ ଓ ବିଶ୍ଵନାଥ ସାନ ଭାଇ । କପିଳେଶ୍ୱର ରହିଲେ ଏଇ ଗାଁରେ ଓ ଅନ୍ୟ ଚାରି ଭାଇ ପ୍ରତ୍ୟେକ ଗୋଟିଏ ଗୋଟିଏ ଗାଁ ଆବୁରି ବସିଲେ ।

 

ସେ ଥିଲା ଗୋଟିଏ ବଣୁଆ ଜାଗା । ବେତ ବଣ । ଏହି ଗାଁରେ ଥିଲା ଗୋଟିଏ ଗୋପାଳ । ଅନେକ ଗାଈ ରଖିଥିଲା ସେ । ଗାଈମାନଙ୍କୁ ଛାଡ଼ିଦିଏ ସେଇ ବେତ ବଣରେ ଚରିବା ପାଇଁ । ସନ୍ଧ୍ୟାହେଲେ ଗାଈମାନେ ଫେରି ଆସନ୍ତି ଘରକୁ । ତା’ର ଦୁହାଁଳିଆ ଗାଈମାନଙ୍କ ଭିତରୁ ଗୋଟିଏ ଗାଈ ରାତିରେ କ୍ଷୀର ଦିଏନା । ଏହାର କାରଣ ବୁଝି ପାରେନା ସେ । ଇମିତି କିଛି ଦିନ ଗଲା । ଥରେ ଗୋପାଳ ଗାଈ ଫିଟାଇ ଦେଇ ସେଇ ବଣର ଗୋଟିଏ ଉଢ଼ାଳିଆ ଜାଗାରେ ଲୁଚି ରହିଲା ସୂରୁଜ ଦେବତା କ୍ରମଶଃ ଲୁଚିଗଲେ ଆକାଶର ସେ ପାରିରେ । ପାତଳ ଅନ୍ଧକାର ଗାଢ଼ରୁ ଗାଢ଼ତ୍ତର ହେଲା । ସେଇ ବଣୁଆ ପରିବେଶଟି ଆହୁରି ବଣୁଆ ହୋଇ ଉଠିଲା । କିନ୍ତୁ କାହିଁ, କାହାରିକୁ ତ ସେ ଦେଖିବାକୁ ପାଇଲାନି ସେ ଦିନ । ବିରକ୍ତରେ ଗାଈ ଅଡ଼ାଇ ଆଣୁ ଆଣୁ ଦେଖେତ ସେଇ ଗାଈର ସ୍ତନରୁ ଧାର ଧାର ହେଇ କ୍ଷୀର ବହି ଚାଲିଛି ଗୋଟିଏ କଳା ମଚ ମଚ ପଥର ଉପରେ । କ୍ରୋଧରେ ଜଳି ଉଠିଲା ସେ । ଆଖି ପିଛୁଡ଼ାକେ ସେ ଧରିଥିବା ଠେଙ୍ଗାରେ ଏକ ମସ୍ତ ପାହାର ଦେଲା ଦେଖିବାକୁ ସେଇ କଳା ମଚ ମଚ ପଥର ଉପରେ । କିନ୍ତୁ ଏ କ’ଣ ? ପଥରଟି ଫାଟିଗଲା ଏବଂ ତା’ ଦେହରୁ ଧାର ଧାର ହୋଇ ରକ୍ତ ଛୁଟି ଚାଲିଲା ।

 

ଏ ଘଟଣା ଘଟିବାର ଦୁଇ ଚାରି ଦିନ ହୋଇଛି କି ନାହିଁ ଗୋପାଳର ଝାଡ଼ା ବାନ୍ତି ହେବାରେ ଲାଗିଲା । ଏ କିନ୍ତୁ, ଭଲ ହେବାର ନୁହେଁ । ପାଞ୍ଚହାତିଆ ହୁରୁମା ହୁମାପିଟିଆ ଶକ୍ତ ମର୍ଦ୍ଦଟା ଅକାଳର ଝଡ଼ି ପଡ଼ିଲା ସିନା । ସତରେ ଏ ମଣିଷ କେତେ ଦୁର୍ବଳ କେତେ ନିରୀହ ପୃଥିବୀର ସବୁଠୁ ବୁଦ୍ଧିମାନ ଶକ୍ତିଶାଳୀ ଏ ମଣିଷ ଜାତିଟା କାଳର ସେଇ କୁଟିଳ ହସ ନିକଟରେ । କାଲି ଯେ ନିଜ ବାହୁର ଶକ୍ତି ପରୀକ୍ଷା କରିବା ଲାଗି ଗୋଟିଏ ପ୍ରହାରରେ ପଥର ଫଟାଇ ଦେଇ ପାରୁଥିଲା ଆଜି ଗୋଟାଏ ଦୁଇଟା ଝାଡ଼ାରେ ସେ ଅଚଳ ଅବଶ । ଚାଲିବାକୁ ତା’ର ଶକ୍ତି ନାହିଁ । ଶେଷରେ ବିଷ୍ଟାରେ ଗୋଳେଇ ଘାଣ୍ଟି ହୋଇ ଶେଷ ନିଶ୍ଵାସ ଛାଡ଼ିଲା ସେ ।

 

ଏଇ ହେଉଛନ୍ତି ସେଇ ପରମାରାଧ୍ୟ ପାତାଳ ଫୁଟା ଫଟାମୁଣ୍ଡିଆ କପିଳେଶ୍ୱର ମହାଦେବ । ଆଜି ଆଉ ସେ ବଣ ନାହିଁ କିମ୍ବା ତା’ର କୌଣସି ଚିହ୍ନବର୍ଣ୍ଣ ବି ସୁଦ୍ଧା ନାହିଁ । ଖାଲି ଗୋଟିଏ କୁଦ ରହିଛି ଯାହା । ଏବେ ସେଇଠି ମନ୍ଦିରଟି ଅଧାତୋଳା ହୋଇ ପଡ଼ି ରହିଛି । ବୋଧେ ସେଇ ଦିନଠୁ ଏ ଗାଁରେ ବଢ଼େଇ, କେଉଟ, ଗଉଡ଼, କମାର ପ୍ରଭୃତିଙ୍କୁ ରହିବାକୁ ମନା ।

 

ଶାନ୍ତି ଦେବୀଙ୍କର ମନ ବିଷେଇ ଉଠିଲା । ସନ୍ଦେହରେ ସେ ଆଟୁପାଟୁ ହେବାକୁ ଲାଗିଲେ ଆଜକୁ ବରଷେ ହେବ ବୀରବାବୁ କଳ ଉଠାଇ ନେବାରୁ ଗଡ଼ିଆ ଉପର ତାଙ୍କର ସେଇ ଲମ୍ବା ଘରଟି ଖାଲି ପଡ଼ି ରହିଲା । ତେଣୁ ସ୍ଵାମୀ ତାଙ୍କର ଧାନ କଳଟିଏ କିଣି ସେଇଠି ପକାଇଛନ୍ତି-

 

ଶାନ୍ତି ଦେବୀଙ୍କର ଆଗର ସେ ଓସାରିଆ ଚଉପାଟିଆ ଦେହ ଆଉ ନାହିଁ । ପୁଅ ଚିନ୍ତାରେ ସେ ଦିନକୁ ଦିନ ଶୁଖି ଯାଉଛନ୍ତି । ବରିଷେକୁ ଧକ୍‌କା ଖାଇବ ତାଙ୍କର ଖାଇବା ପିଇବା ଠିକ୍‌ ନାହିଁ । ଯେଉଁଠି ବସୁଛନ୍ତି ସେଇଠି । ସମୟେ ସମୟେ ଆଖିରୁ ତାଙ୍କର ଲୁହ ଗଡ଼ିପଡ଼େ । ଲୁହ ପୋଛି ପୁଣି ସେ ତାଙ୍କ ଧନ୍ଦାରେ ଲାଗିପଡ଼ନ୍ତି । ହେଲେ ତାଙ୍କର କେଉଁଠାରେ ମନ ନଥାଏ । ସବୁବେଳେ ସେଇ ପୁଅ ଚିନ୍ତା । କେତେ ନାହାକ ପଣ୍ଡିତଙ୍କୁ ଘରକୁ ଡାକି ପୁଅର କୋଷ୍ଠୀ ଦେଖାନ୍ତି । ହେଲେ ସମସ୍ତଙ୍କ ଠାରୁ ସେଇ ଗୋଟିଏ ଉତ୍ତର ପୁଅକୁ ଅଠର ବରଷ ହୋଇଥିବାରୁ ତା’ର ଦଶା ଖରାପ । ଏ ବର୍ଷଟା ଟପିଲେ ପୁଣି ଭଲ ପଡ଼ିଯିବ । ଆଉ କେହି କୁହନ୍ତି ଗ୍ରହ ପୂଜା କର ପୁଣି ବା କିଏ କୁହେ ଦୁଃଖୀ ରଙ୍କୀ ଦେଖି ଖାଇବାକୁ ଦିଅ । ହେଲେ ଶାନ୍ତି ଦେବୀ ସବୁଥିରୁ ନିରାଶ ହେଲେଣି । କେତେ ଦୁଃଖୀ ରଙ୍କୀ ଦେଖି ଭୋଜନ ଦେଲେ, ଦାନଧର୍ମ ବି କଲେ । କେତେ ଦିଅଁ ଦେବତାଙ୍କ ନିକଟରେ ମାନସିକ ରଖିଲେ । ହେଲେ କିଛି ଫଳ ହେଲାନି ।

 

ତାଙ୍କର ମନ ଆଜି ସନ୍ଦେଦରେ ନାଚି ଉଠୁଥିଲା । ନା, ସେ ଯିମିତି ହେଲେ କଳକୁ ଏଠାରୁ ଉଠାଇ ଦେବେ । ଆଜି ସେ ଘରକୁ ଆସନ୍ତୁ ତାଙ୍କୁ କହି ଏ ଗାଁରୁ ଧାନକଳ ଉଠାଇବାର ବ୍ୟବସ୍ଥା କରିବି । ଶେଷରେ ଏହି ନିଷ୍ପତ୍ତିରେ ପହଞ୍ଚିଲେ ଶାନ୍ତି ଦେବୀ ।

 

ବଉଦପୁର ଗାଁ । ହରି ସାମଲ ଏଇ ଗାଁର ଜଣେ ମଧ୍ୟବିତ୍ତ ଶ୍ରେଣୀର କୃଷକ । ଗୋଟିଏ ପୁଅ ଏବଂ ଗୋଟାଏ ଝିଅ । ପୁଅ ମାଟ୍ରିକ୍‌ ଫେଲ୍‌ ହୋଇ ଘରେ ଚାଷ ଦାୟିତ୍ଵ ବୁଝାବୁଝି କରେ । ଗତ ବର୍ଷ ତା’ର ବିବାହ ସରି ଯାଇଛି । ଆଉ ଝିଅ ଗାଁ ମାଇନର ସ୍କୁଲରେ ପଢ଼ିସାରି ଘରେ ତିନି ଚାରି ବର୍ଷ ହେଲା ରହିଛି । ବେଶ୍‌ ସୁଖ ଶାନ୍ତିରେ ଦିନ କଟିଯାଏ ତାଙ୍କର । ସ୍ତ୍ରୀ ଚମ୍ପା ଦେବୀ ଅନେକଥର କହିଲେଣି ଝିଅର ବାହାଘର କେଉଁଠାରେ ବୁଝିବା ପାଇଁ । କିନ୍ତୁ ହରି ସାମଲା ସେ କଥା କାନରେ ପୁରାଏନି । ସେ କହେ ଗୋଟିଏ ବୋଲି ଝିଅ କୋଉ ବେଶିଗୁଡ଼ା ବୟସ ହେଇଗଲାଣି ଯେ ଏତେ ଚଞ୍ଚଳ ବିଭା କରିଦେବା ।

 

ଶୀତ ଦିନ । କଅଁଳିଆ ଖରାଟା ପିଢ଼ାରୁ ପିଢ଼ା ଡେଇଁ ଚାଲିଥିଲା । କୁକୁର ଛୁଆ ଗୁଡ଼ିକ ତାଙ୍କର ମା’ ସହିତ ଖେଳୁଥିଲେ । ବାରି ଖଳାରେ ଖରା ପଡ଼ି ଯାଇଥିଲା । ଖଳାର ପଶ୍ଚିମ ପଟକୁ ମଡ଼ା ହୋଇଥିବା ଧାନଗଦା ପାଖକୁ ଲାଗି ମସିଣା ପକାଇ ଅନୁ ଗୋଟିଏ ବହି ପଢ଼ୁଥିଲା । ଶ୍ୟାମଳ ବର୍ଣ୍ଣ । ସୁନ୍ଦର ସ୍ୱାସ୍ଥ୍ୟ । ମାଂସଳ ଜଙ୍ଘ ଯାଏ ଲମ୍ବି ଆସିଥିବା କଳା କଳା ଘଞ୍ଚ ବାଳ କେରିକ ତା’କୁ ଖୁବ୍‌ ମାନୁଥିଲା । ସାଇରେ ଚମ୍ପା ଦେବୀ ଗୋଟିଏ ପିଢ଼ା ଉପରେ ବସି ବିରି ବାଟୁଥାନ୍ତି । ପିତେଇ ବୁଢ଼ୀ ଦାଣ୍ଡକବାଟଟା ମେଲା କରି ସାଇକୁ ପସି ଆସିଲା ।

 

ଇଲୋ ଚମ୍ପା କ’ଣ କରୁଚୁ କିଲୋ । ଟିକେ ଚୂନ ପତର ଦେଇଥାନ୍ତୁ । ସକାଳ ଗାଁରୁ ଖାଲି ପାଟିଟା କରିବି ଯେ ପାଟି ପିତା ଲାଗିଲାଣି । ତିନି ଜାଗାରୁ ବୁଲି ଅଇଲିଣି କାହାରି ହେଲେ ଚୂନ ପତର ନାହିଁ । କେଇସେରେ ବିରି ବାଟିଚୁ, କିଲୋ । କ’ଣ ସେଗୁଡ଼ା ସବୁ ବଡ଼ି ପାରିବୁ ।

 

ହଁ ମାଉସୀ, ବାରିରେ ତ ଏସନ କିଛି ଫସଲ ହେଲାନି । ଏଇ ଦିପା ବିରି ବାଟି ଦେଉଚି-। ବଡ଼ି ପାରିଦେଲେ ହେଲେ କିଛି ଦିନ ଯିବ ।

 

ହଲୋ ଝୁଅ ଏସନ ତ କାହା ବାରିରେ କିଛି ନା । ଦୁବଟିଏ ବି କଅଁଳିଲାନି । ମଣିଷ ଯେଉଁ ଦହଗଞ୍ଜ ହଉଚି କ’ଣ ଆଉ ସେ କଥା କହିବି । ଟିକେ ଚୂନ ପତର ଦେଇଗଲୁ ଝିଅ ।

 

ଅନୁ । ଅନୁ ! ସାଇରେ ଥାଇ ଡାକ ପକାଇଲେ ଚମ୍ପା ଦେବୀ । ଅନୁ ବାରିରୁ ଝପଟି ଆସିଲା ।

 

କ’ଣ କିଲୋ ବୋଉ ! କାହିଁକି ଡାକୁଛୁ

 

ମାଉସୀକୁ ବାଡ଼େ ପାନ ଦେଲୁ ।

 

ଅନୁ ଘର ଭିତରକୁ ଝପଟି ଯାଇ ବାଡ଼େ ପାନ ଆଣି ପିତେଇ ହାତରେ ଦେଇ ଚାଲି ଯାଉଥିଲା । ପଛରୁ ପିତେଇ ଡାକି ଦେଇ କହିଲା–

 

କେମିତିକା ଝିଅ କିଲୋ, ଏମିତି ନଣ୍ଡମଣ୍ଡ ହେଉଛୁ କଣବା ଏଥିରେ ଟିକେ ଚୂନ ମାରି ଦେ ଆଉ ଦିଠା ଗୁଣ୍ଡି ଆଣେ । କିଲୋ ସେ ବହିରୁ କ’ଣ ମିଳିବ । ଏଠି କାମ ଧନ୍ଦା ଶିଖିଥିଲେ ଶାଶୁ ଘରେ ସବୁ କରିବୁ ନା ସେଠି ଯାଇଁ ଖାଲି ବହି ପଢ଼ିବୁ । କିଲୋ ଚମ୍ପା ! ଝିଅକୁ ରନ୍ଧା ବଢ଼ା କାମଧନ୍ଦା ସବୁ ଶିଖାଉନୁ । ଆଉ କୋଉକାଳେ ଶିଖାଇବୁ ମ, ବଅସ କ’ଣ କୋଉଠି ବଇଚି । ଆମ ବେଳେ ପରା ଆମେ ବାର ବରଷରେ ଘରକୁ ବୋହୂ ହେଇ ଆଇଥିଲୁ । ଆଜିକାଲିକା କଥା କାଇଁ କହୁଚୁ ଲୋ ମା । କି ଯଉତୁକ ହେଲା ବାପ ମା ଝୁଅ ଗୁରାଙ୍କୁ ଦରବୁଢ଼ୀ କରି ଘରେ ରଖି ବଉଚନ୍ତି-। ଯୁଗ ତ ସେଇଆ ହେଇଚି ଆଉ କାହାକୁ କହିବି ଲୋ ମା ।

 

ଅନୁର ମୁହଁ ଫିକା ପଡ଼ିଗଲା । ସେ ଘରେ ଥାଇ ସବୁ ଶୁଣୁଥିଲା । କାନଦି’ଟା ବୁଜିଦେବା ଲାଗି ତା’ର ଇଚ୍ଛା ହେଉଥିଲା । ଚୁପ୍‌ ଚାପ ପାନ ଭାଙ୍ଗି ପିତେବ ହାତକୁ ବଢ଼ାଇ ଦେଇ ତଳମୁହାଁ ହୋଇ ସେ ଚାଲିଗଲା ବାରିଆଡ଼କୁ । ଆଉ ପିତେଇ ମନରେ ସଫଳତାର ଗର୍ବ ନେଇ ଦାଣ୍ଡ ପାହାଚ ଢେଇଁ ଚାଲି ଯାଉଥିଲା । ଚମ୍ପା ଦେବୀ ଏକ ଧ୍ୟାନରେ ଚାହିଁ ରହିଥିଲେ ସେଇଆଡ଼େ-। ସତେ ଯେପରି ତାଙ୍କର କଲିଜାଟା କାଟି ହୋଇଗଲା ଏଇ କେଇ ପଦ କଥାର ତୀକ୍ଷ୍ଣତାରେ-। ରାଗରେ ଜଳି ଯାଉଥିଲେ ସେ । ଝିଅଟାର ଆଗରେ କ’ଣ ସବୁ କିହିଗଲା ସେ । ଝିଅଟା ମୋର କ’ଣ ଭାବିଥିବ । ବିଚାରା ଏକୁଟିଆ କାନ୍ଦିବ ସିନା । ସତରେ କ’ଣ ଝିଅକୁ ମୋର ବୟସ ବଳେଇ ଗଲାଣି । ଏଇ ମାଘ ଚତୁର୍ଥୀକୁ ଝିଅକୁ ମୋର ସତର ଟପି ଅଠର ପଶିବ । ଏଇ ଗାଁରେ ପୁଣି ଏକୋଇଶ ବାଇଶ ବରଷର ଝିଅମାନେ ବାହା ନ ହେଇ ରହିଛନ୍ତି । ମୋ ଝିଅର କୋଉ ବାହା ବୟସ ବଳେଇ ଗଲାଣି ଯେ....ମନେ ନନେ ଭାବୁଥାନ୍ତି ଚମ୍ପା ଦେବୀ ।

 

ଉପରେ ପଡ଼ି କଳି କରିବାରେ ଧୁରନ୍ଧର ପିତେଇ ବୁଢ଼ୀ । କଥା କଥାକେ ଅଣ୍ଟାରେ କାନି ଭିଡ଼ି ପାଟି ଆରମ୍ଭ କରିଦିଏ । ସେ କଳି କଲାବେଳେ କେତେକ ଭାବଭଙ୍ଗୀ ଦୃଶ୍ୟମାନ ହୋଇଥାଏ । ସର୍ପ ଫଣା ତୋଳିଲା ଭଳି କଟିଠାରୁ ମସ୍ତକ ଯାଏ ତା’ର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଉଠପଡ଼ ହୁଏ ।

 

ଆଉ ସର୍ପର ବିଷଭଳି ତା’ ପାଟିରୁ ଯେତେବେଳେ ଅଶ୍ରାବ୍ୟ ଭାଷା ବାହାରି ଥାଏ । ସେତେବେଳେ ଦର୍ଶକ ଭୟରେ ନହେଲେ ବି ଲଜ୍ଜାରେ ନିଜ ସ୍ଥାନ ଛାଡ଼ି ଚାଲିଯାଏ । ସେଥିପାଇଁ ଗାଁରେ ସମସ୍ତେ ତା’କୁ ଭୟ କରନ୍ତି । ତା’ ପାଇଁ ରାଜାପ୍ରଜା ଛାଡ଼ । ତା’ରି ଯୋଗୁ ହିଁ ତା’ର ସ୍ଵାମୀ ମଲା ମରିଲା କାଳେ କାଳିମାଟିରେ ମେହନତି କରି ନିଜର ପେଟ ପୋଷେ । ଘରକୁ ଆଦୌ ଆସେନି । କେତେବେଳେ କେମିତି ବର୍ଷେ ଦୁଇ ବର୍ଷରେ ଥରେ ଆସିଲେ ତା’ ସଙ୍ଗରେ ଦିନ ରାତି ସବୁବେଳେ ବକର ବକର ହୋଇ ଲାଗିଥାଏ ପିତେଇ । ତେଣୁ ଦିନ ଚାରି ଛଅଟା ଘରେ ନ ରହଣୁ ସେ ଚାଲିଯାଏ ପୁଣି ସେଇ କାଳିମାଟିକୁ । ତା’ର ସଂସାର ଭିତରେ ଗୋଟିଏ ବୋଲି ଝିଅ । ତେଣୁ ଗୋଟିଏ ଗଜା ଟୋକା ଦେଖି ଘରଜୋଇଁଆ କରି ଆଣିଥିଲା ପିତେଇ । ତା’ର ଆଠ ନଅ ବର୍ଷର ଗୋଟିଏ ନାତି ଏବଂ ତିନି ବର୍ଷର ଗୋଟିଏ ନାତୁଣୀ । କିଛି ବର୍ଷ ଗଲା । ହେଲେ ଝିଅ ଜ୍ଵାଇଁ ବି ରହି ପାରିଲେନି ତା’ ଜ୍ଵାଳାରେ । ଘରୁ ଧାନ ଚାଉଳ ଲୁଚାଇ ଚୋରାଇ ନେଇ ବିକି ଦିଏ । ଘର ଦରବ ପର ଘରେ ପୁରାଏ । ଘରେ ଖାଇବାକୁ କିଛି ନଥିଲେ ଝିଅ ଜ୍ଵାଇଁ ସଙ୍ଗରେ ପାଟି କରେ । ଅଶ୍ରାବ୍ୟ ଗାଳି ବର୍ଷଣ କରେ । ସେମାନେ ଉପାସରେ ଛଟପଟ ହୁଅନ୍ତି ହେଲେ ପିତେଇର ପେଟ କେବେ ଉଣା ହୁଏନି । ଗାଁରେ ବୁଲି ପଡ଼ି ଯେଉଁଠି ଇଚ୍ଛା ସେଠି ଖାଇଦେଇ ଆସେ । କାହାରି ଇଚ୍ଛା ନଥିଲେ ବି ମୁହଁରେ ତା’ର କେହିହେଲେ ମନା କରିପାରନ୍ତି ନାହିଁ । ଶେଷରେ ଜ୍ଵାଇଁକୁ ଦିନେ ଏଭଳି ଗାଳି ଦେଲା ଯେ ସେ ତା’ର ନିଜ ଘରକୁ ଚାଲିଗଲା । ମାସେ ଗଲା, ଦୁଇ ମାସ ଗଲା, ଛଅ ମାସକୁ ଆସି ଧକ୍‌କା ଖାଇଲା ହେଲେ ଜ୍ଵାଇଁ ଆଉ ଫେରିଲାନି । ଯେତେ ଖବର ଦେଲେ ବି ସେ ଆସିଲାନି । ତା’ପରେ ପିତେଇର କୋପ ଦୃଷ୍ଟି ପଡ଼ିଲା ଝିଅ ଉପରେ । ଗାଳିଗୁଲଚ ଠାରୁ ଆରମ୍ଭ କରି ବିଧା ଗୋଇଠା ବି ବାକି ରହିଲାନି । ହେଲେ ସବୁ କିଛି ସହି ଯାଉଥିଲା ସେ । ଏମିତି କିଛି ଦିନ ଗଲା । ଘରେ ଆଉ ଖାଇବାକୁ କିଛି ନଥାଏ । ଯାହା ଯେଉଁଠି ଥିଲା ତା’କୁ ସବୁ ବିକି ଭାଙ୍ଗି ଏହା ଭିତରେ ଖାଇ ଦେଇ ସାରିଲେଣି ସେମାନେ । ଶେଷରେ ତିନି ଦିନ ଉପାସ ରହିଲା ପରେ କନ୍ଦାକଟା କରି ଗୋଟିଏ ବିଷର୍ଣ୍ଣ ଗୋଧୂଳିରେ ଦୁଇଟି ନିରୀହ ଛୁଆଙ୍କୁ ଧରି ପିତେଇର ଝିଅ ଚାଲି ଯାଇଥିଲା ତା’ର ସ୍ଵାମୀ ଘରକୁ । ସବୁ କିଛି ଦେଖି ବି ପିତେଇ ଚୁପ୍‍ ହୋଇ ରହିଥିଲା ସେଦିନ ।

 

ସେମାନେ ଯିବାର ଆଜକୁ ଛଅ ବରଷ ହୋଇଗଲାଣି । ହେଲେ ସେଇ ଦିନଠୁ କେହି ତା’ର ଦୁଆର ମାଡ଼ି ନାହନ୍ତି । ପିତେଇ ବି କେବେ ତା’ର ଝିଅ ଘରନୁ ଯିବାକୁ ଇଚ୍ଛା କରିନି । କେବେ କାହାଠାରୁ ଶୁଣିଥିଲା ତା’ର ପୁଣି ଗୋଟିଏ ନାତୁଣୀ ହୋଇଛି । ତା’ର ସ୍ଵାମୀ, ସିଏ ବି ସେଇଦିନଠୁ ଘରକୁ ଆସିନି । ତିସିଲାସନ କୁଆଡ଼େ କାଳିମାଟିରେ ବଙ୍ଗାଳୀ ଓଡ଼ିଆମାନଙ୍କ ଭିତରେ ଖୁବ୍‍ ହଣାକଟା ଚାଲିଥିଲା । ଯିଏ ଯେଉଁଠି ଥିଲେ ପଡ଼ି ଉଠି ଘରକୁ ପଳାଇ ଆସିଲେ । ବଉଦପୁର ଗାଁର ଯେଉଁମାନେ କାଳିମାଟିରେ ଥିଲେ ସେମାନେ ବି ଆସିଲେ । ହେଲେ ତାଙ୍କ ଘର ଠାରୁ ତା’ ସ୍ଵାମୀର ଖବର କିଛି ପାଇ ନଥିଲା ପିତେଇ । ତା’ପରେ କାଳେ ଉଭୟ ଦେଶର ସରକାରଙ୍କ ମଧ୍ୟରେ ବୁଝାମଣା ହେଲା ହଣାକଟା ବନ୍ଦ ହେଲା । ପୁଣି ଯିଏ ଯେଉଁଠାରେ ଥିଲେ ସେଠାକୁ ଚାଲିଗଲେ । ହେଲେ ସେ ତା’ର ସ୍ଵାମୀର ଖବର ଆଜି ଯାଏ ଜାଣିବାକୁ ପାଇଲାନି ।

 

ତିନି ଚାରିମାଣ ଜମି ତା’ର । ଗାଁ ଲୋକଙ୍କୁ ସେ ଭାଗ ଲଗାଇ ଦିଏ । ବର୍ଷ ସରିକି ଧାନ ଦୁଇଟା ଯାହା ପାଏ । ସେତିକି ସମ୍ବଳରୁ ଆଶ୍ରା କରି ସେ ବର୍ଷଟା କଟାଇଦିଏ । ସେଇ ଧାନରୁ କିଛି ବିକ୍ରି କରି ଲୁଗାପଟା, ତେଲଲୁଣ ଓ ପୁନେଇଁ ପରବ ଚଳେଇ ନିଏ । ଆଉ ଘର ଚାଳ ଆସି ମାଟି ଛୁଇଁବା ଉପରେ । ଘର ଛପର ବେଳକୁ ପାଖରେ ପଇସା ଥିଲେ ମଜୁରିଆ ଲଗାଇ ଛପରଟା କୌଣସିମତେ କରାଇନିଏ ସେ । ବର୍ଷେ ବର୍ଷେ ପୁଣି ଏଇ ଚାଳିଆ ଖଣ୍ଡିକରେ ଅଛପର ରହିଯାଏ ପଇସା ଅଭାବରୁ । ଏଇଭଳି ନିତିଦିନିଆ ଶାଗ ପଖାଠ ଦୁନିଆଁରେ ସେ କେବେ ଏକାଟିଆ ଅନୁଭବ କରିନି । ଆତ୍ମଗ୍ଳାନିରେ କେବେ ଭାଙ୍ଗି ପଡ଼ିନି । ନିର୍ବୋଧ ଅବୁଝା ଶିଶୁ ମନରେ ଆଘାତ ଦଉଥିବା ସେଇ ‘ଏକାଟିଆ ବାଆଁରା’ର ତିକ୍ତତା ପିତେଇ ଅନ୍ତରରେ କେବେ ପିତାର ସ୍ଵାଦ ଆଣିନି-। ପୂର୍ବର ପିତେଇ ଆଜି ବି ସେଇଭଳି ଅଖଣ୍ଡ ଅପରିବର୍ତ୍ତନୀୟ । ପରିବର୍ତ୍ତନ ଭିତରେ ତା’ର ଏଇ ରକ୍ତ ମାଂସର ବାହ୍ୟ ଆବରଣଟା ଯାହା ଦୁର୍ବଳ ଶିଥିଳ ହୋଇଯାଇଛି । ଚର୍ମ ଲୋଚା କୋଚା ହୋଇଯାଇଛି । ଏବେବି ଗାଁରୁ ଅପସରି ଯାଇନି । ଅନ୍ୟର ମନରେ ଦୁଃଖ ଦେଇ ଏବେ ବି ପିତେଇ ବେଶ୍‌ ଖୁସି ହୁଏ । ନିଜ ପାରିଦର୍ଶିତାର ବାଃ ବାଃ କରେ ।

 

ଖରାବେଳ । ବିଲରୁ ବୋଝ ମୁଣ୍ଡାଇ ଗାଁର ଲୋକେ ଫେରୁଥାନ୍ତି । ହରି ସାମଲ ବିଲରୁ ଫେରି ଗାଧୋଇ ଯାଉଥିଲା । ଚମ୍ପା ଦେବୀ ରନ୍ଧା ବଢ଼ା ସାରି ଦାଣ୍ଡବାଟ ଘରେ ଥକ୍‌କା ହୋଇ ବସିଥାନ୍ତି । ଆଜି ତାଙ୍କର ମନଟା ଭଲ ନାହିଁ । ସକାଳ ସକାଳଟାରୁ ପିତେଇର ସେ ସାଆଣଦିଆ କଥା କେଇପଦ ତାଙ୍କୁ ଅନେକ ଆଘାତ ଦେଇଛି । ତାଙ୍କ କାନ ଭିତରେ ଥରକୁ ଥର ପଶି ଯାଉଥିଲା ପିତେଇର ସେଇ ଟାଆଁସିୟା କଥାଗୁଡ଼ାକ । ହରି ସାମଲ ଗାଧୋଇ ଆସିଲା । ଅନୁ ଘର ପହଁରି, ପିଢ଼ା ପକାଇ ବଢ଼ାବଢ଼ି କରି ଖଟ ଘରେ ତା’ର ବାପାକୁ ଖାଇବାକୁ ଦେଇ ଆସିଲା । ଚମ୍ପା ଦେବୀ ବସିଥିବା ସ୍ଥାନରୁ ଉଠିଆସି ଏଇ ଘର କବାଟକୁ ଆଉଜି ଲଥ ହୋଇ ବସି ପଡ଼ିଲେ ।

 

କଅଣ ହୋଇଛି ତୁମର ଅନୁ ବୋଉ । ତମ ମୁହଁ ଏପରି ଶୁଖିଯାଇଛି କାହିଁକି ?

 

ସେ କଥା କ’ଣ ତମେ ଶୁଣିବ ନା ବୁଝିବ । ମୁଁ ଯାହା ଜଳିପୋଡ଼ି ମରୁଛି ସିନା ।

 

ଆରେ କ’ଣ ହୋଇଛି କହିଲ ଦେଖି, କି ସୃଷ୍ଟି ଏବେ ପ୍ରଳୟ ହୋଇଗଲା ଯେ ତମେ ଖାଲି ଜଳିପୋଡ଼ି ମରି ଯାଉଛ ଆଉ ମୁଁ ସବୁ ଦେଖି ଚୁପ୍‌ ହୋଇ ବସି ରହିଛି ।

 

ହେଇ ତେବେ ଶୁଣ, ତେମେ ଖାଇପିଇ ବିଲକୁ ବାହାରି ଗଲ । ଅନୁ ଆଉ ମୁଁ ଘରେ ଥାଉ । ସେଇ ଅଲକ୍ଷଣୀ ପିତେଇ ବୁଢ଼ୀ ମୋ ଘରକୁ ଆସିଲା ପାନ ଖାଇବାକୁ । ଆଉ ମୋତେ ଖୁଣ୍ଟା ଦେଇ କହିଗଲା ମୋ ଝିଅ କୁଆଡ଼େ ଦରବୁଢ଼ୀ ହେଲାଣି ଆଉ ଆମେ ଯଉତୁକ ଡରେ ବାହା ନ କରି ଘରେ ରଖି ବସିଛେ ।

 

ଏଇଥିପାଇଁ ତମେ ଏତେ ମନ ଦୁଃଖ କରୁଛ । ପିତେଇର କଥା ତମେ ଶୁଣୁଥିଲ କାହିଁକି କହିଲେ । ସେ କାହାକୁ ଖୁଣ୍ଟା ନଦିଏ ଭଲା । ତାଛଡ଼ା ଅନୁ ମୋର ଛୁଆଟାଏ । ଏଇ ସତର ପୁ ଅଠର ପଶିଲା । ଲୁଗା ତା’କୁ ପିନ୍ଧି ଆସି ନଥିବ, ସେ ପୁଣି ଶାଶୁଘରକୁ ଯିବ । ତମେ କାହିଁକି ସେ ବିଷୟତେ ଏତେ ମୁଣ୍ଡ ଖେଳାଇ ହେଉଛ କହିଲ । କହିଦେବା କଥା ବୋହିଗଲା ପାଣି । କାହା ପାଟିରେ କ’ଣ କିଏ ବାଡ଼ ବତା ଦେବ । କିଏ କ’ଣ କହୁଛି ସେ କଥା କାହିଁକି ଆମେ ଶୁଣିବାକୁ ଯିବା କହିଲ ।

 

ତମେ ଯଦି ଯାହା କୁହ ପଛେ ମୋର ମନ କିନ୍ତୁ ଆଦୌ ବୁଝୁନି । ଝିଅ ତ ଯେଉଁ ଦିନ ହେଲେ ପର ଘରକୁ ଯିବ । ଏଇଆ କାଲି ଯାଇଥାନ୍ତି ଆଜି ଯିବ । ତେବେ ଡେରି କରି ଲାଭ କ’ଣ-। ଝିଅକୁ ମୋର ଭଲ ଘର ଦେଖି ଉଠାଇ ଦେଲେ ମା ଚିନ୍ତା ଯିବ । ତମେ ହେଲ ମରଦ ପୁଅ-। ଘରେ ଗଣ୍ଡା ଖାଇ ଦେଇ ବେଶ୍‍ ବାହାରକୁ ଚାଲିଗଲ । ଆଉ ମୁଁ ମା ହୋଇ ମୋର ମୁଣ୍ଡ ଖେଳିବନି ତ ଆଉ କାହା ମୁଣ୍ଡ ଖେଳିବ ?

 

ତମେ ଏତେ ବ୍ୟସ୍ତ ହେଲେ ଚଳିବ ଅନୁ ବୋଉ । ତମେ କ’ଣ ଭାବୁଛ ତମେ ମା ବୋଲି ତମ ମୁଣ୍ଡ ଖେଳୁଛି ଆଉ ମୁଁ ବାପ ହୋଇ ମୋ ଝିଅ ବିଷୟରେ କିଛି ଚିନ୍ତା କରୁନି । ହେଇ ଶୁଣ ପଦ୍ମପୁର ଗାଁ ଜାଣିଛ ।

 

ହଁ ବା ମୁଁ ପଦ୍ମପୁର କଅଣ ଜାଣିନି; ଜମିଦାର ହାଡ଼ିବନ୍ଧୁ ପଟ୍ଟନାୟକ ଘର ପରା ସେଇ ଗାଁରେ । ତା’ର କୁଆଡ଼େ ଭାରି ପ୍ରତାପ ଥିଲା ।

 

ହଁ ସେଇ ଜମିଦାର ହାଡ଼ିବନ୍ଧୁ ପଟ୍ଟନାୟକ । ତା’ର ଜମିଦାରୀ ଚାଲିଗଲା । ସେ ବି ଆଉ ବଞ୍ଚି ରହିନି । ତା’ର ଗୋଟିଏ ବୋଲି ପୁଅ ବିନୟ ପଟ୍ଟନାୟକ ।

 

ଜମିଦାରୀ ଚାଲିଗଲେ ବି ପୂର୍ବଭଳି ତା’ର ଖାନଦାନୀ ରହିଛି । ଧନ ରତ୍ନରେ ଘର ତା’ର ଭରପୁର । ତା’ର ଗୋଟିଏ ବୋଲି ପୁଅ କଟକରେ ପଢ଼ୁଛି । ଆଉ ଛୋଟ ଝିଅଟିଏ । ଜାଣିଲ ଅନୁ, ବୋଉ, ବିନୟ ପଟ୍ଟନାୟକ ଘରେ ମୋ ଝିଅର ବାହା ଦେବାକୁ ମୁଁ ମନେ ମନେ ସ୍ଥିର କରିଛି-। ଭଗବାନଙ୍କ ଇଚ୍ଛାରୁ ମୋ ଝିଅର ଯଦି ସେଇଠି ବାହାଘର ହୁଅନ୍ତା ତେବେ ଭାରି ଭଲ ହୁଅନ୍ତା-

 

ଏଁ ତମେ କ’ଣ କହୁଛ ମ । ତୁମ ମୁଣ୍ଡ ଖରାପ ହୋଇନି ତ । ମୋତେ କାହିଁକି ସେଠାରେ ହେଲା ଭଳି ଲାଗୁନି ତ । ସେ ହେଲେ ବଡ଼ ଲୋକ । ଜମିଦାରୀ ଘର । ତାଙ୍କୁ କୋଉ ଝିଅ ଅଭାବ ହେବ ଯେ ସେ ଆସିବେ ଏଇ ଗରିବ ଘରକୁ ବୋହୂ କରି ନେବାପାଇଁ ।

 

କାହିଁକି ଝିଅ ତ ମୋର ଗୋଟିଏ ଚାଉଳରେ ଗଢ଼ା । ମାଇନର୍‌ ପାସ୍‌ କରିଛି । କାମଧନ୍ଦାରେ ତ କେହି ବଳେଇ ଯିବନି । ଘଡ଼ିକରେ ନଅ ଭଜା ଛଅଠା କରି ଥୋଇଦେବ । ହାତ କାମରେ ତ ଧୁରନ୍ଧର । କୋଉ କଥାରେ କିଏ ବାରି ଦେବ ଯେ ବିନୟ ବାବୁ ରାଜି ହେବନି । ମୋ ଝିଅ ଯେବେ ତା’ରି ହାଣ୍ଡିରେ ଚାଉଳ ପକାଇ ଥିବ ନା, ତେବେ ନିଶ୍ଚୟ ହେବ ।

 

ରୋଷେଇ ଘରେ ଥାଇ କାନ ପରି ସବୁ ଶୁଣୁଥିଲା ଅନୁ । କେମିତି ଏକ ଅଜଣା ଭୟରେ ଥରି ଉଠିଲା ସେ । ଏଇ ଘରେ ସେ ବଢ଼ି ଆସିଥିଲା ଆଜି ପର୍ଯ୍ୟନ୍ତ । ଏ ଘର ଛାଡ଼ି ଦିନେ ପୁଣି ତା’କୁ ପର ଘରକୁ ଯିବାକୁ ପଡ଼ିବ ମୁଣ୍ଡରେ ଓଢ଼ଣା ଟାଣି ବୋହୂଟିଏ ହୋଇ । ପିଲାଦିନର ସାଙ୍ଗସାଥୀ ମାନଙ୍କୁ ଛାଡ଼ି ଏ ଘରର ମୋହମାୟା ଭୁଲି । ବାପା ମା’ଙ୍କ ଠାରୁ ସବୁଦିନ ପାଇଁ ବିଦାୟ ନେଇ ସେ ଚାଲିଯିବ କେଉଁ ଏକ ଅଜଣା ରାଇଜକୁ । ସେ ମାଟିରେ ନୂଆ ହୋଇ ପାଦଦେବ ସେ । କେତେ ନୂଆ ନୂଆ ମଣିଷଙ୍କ ଗହଳି ଭିତରେ ସେ ସମ୍ପୂର୍ଣ୍ଣ ରୂପେ ହଜାଇ ଦେବ ନିଜକୁ । ନୂଆ ମଣିଷଙ୍କୁ ନିଜର କରିବାକୁ ପଡ଼ିବ । ସେମାନଙ୍କ ମନ ନେଇ କାମ କରିବାକୁ ପଡ଼ିବ ଥିରି ଥିରି ଚାଲି, କାନକୁ ନ ଶୁଭିଲା ଭଳି ଚୁପି ଚୁପି କଥା, ମୁଣ୍ଡରେ ହାତେ ଲମ୍ବ ଓଢ଼ଣା, ଏମିତି ଅନେକ ଧରାବନ୍ଧା ନୀତିନିୟମ ଭିତର ଦେଇ ଗତି କରିବାକୁ ପଡ଼ିବ ତା’କୁ ସତରେ କେତେ କଷ୍ଟ । ଝିଅ ଜନମ ସିନା ଏଇଆ । ଏସବୁ ସେ କେବେ ଚିନ୍ତା କରି ନଥିଲା ଆଜି ପର୍ଯ୍ୟନ୍ତ ।

 

ଅନୁର ଆଖି ଆଗରେ ଭାସି ଉଠୁଥିଲା ସେ ଦିନର ସେଇ ସ୍ଵପ୍ନର ମଣିଷ । ମୁଣ୍ଡରେ ବୋଝେ ବାଳ । ନାକ ତଳେ କଳା କଳା ନିଶର ଗହଳ । ଓସାରିଆ ଛାତିରେ ଅପର୍ଯ୍ୟାପ୍ତ ଲୋମର ସମାବେଶ । ଚେହେରାରେ ଉଦ୍ଦାମତାର ଅନେକ ସଂଘର୍ଷ । ହଁ ତା’ର ସ୍ପଷ୍ଟ ମନେ ପଡ଼ୁଛି ପଦ୍ମପୁର ଗାଁର ସେଇ ସୁନ୍ଦର ଯୁବକଟିକୁ ହିଁ ସେ ସ୍ୱପ୍ନରେ ଦେଖିଥିଲା । ସେ ଅନେକ ଚେଷ୍ଟା କରିଥିଲା ବାନ୍ଧି ରଖିବାକୁ ସେଇ ଯୁବକଟିକୁ ତା’ର ବକ୍ଷ ଦେଶରେ । କିନ୍ତୁ ସ୍ଵପ୍ନ ହଠାତ୍‍ ଭାଙ୍ଗିଗଲା । ସ୍ଵପ୍ନର ମଣିଷ ତା’ର ଉଭେଇ ଗଲେ । ନିଦ ଭାଙ୍ଗିଗଲେ ବି ଆଖିବୁଜି ସେଦିନ ସେ ଅନେକ ଚେଷ୍ଟା କରିଛି କୋଳରେ ଭିଡ଼ି ଧରିବାକୁ ତା’ର ସେଇ ସ୍ଵପ୍ନର ମଣିଷଟିକୁ । ଅନୁ ଆଜି ଟାଣି ଓଟାରି ମନେ ମନେ ସ୍ଥିର କରି ନେଇଥିଲା ଯେ ଏଇ ହେଉଛନ୍ତି ସେଇ ବିନୟ ବାବୁଙ୍କର ଏକ ମାତ୍ର ପୁତ୍ର । ହେ ଭଗବାନ୍‌ ସତେ କ’ଣ ମୁଁ ବାମନ ହୋଇ ଚନ୍ଦ୍ରକୁ ଧରିପାରିବି । ଅନୁ ଆଖି ବୁଜି ପକାଇଲା । ପୁଣି ଥରେ ମନେ ମନେ ସେଇ ସ୍ଵପ୍ନର ମଣିଷଟିକୁ ମାନସ ପଟରେ ଆଙ୍କିବାକୁ ଚେଷ୍ଟା କରୁଥିଲା ସେ ।

 

ଫାଲଗୁନ ମାସ । ପୃଥିବୀ ଉପରେ ବିଛାଡ଼ି ହୋଇ ପଡ଼ିଥାଏ ସୋରିଷ ଫୁଲିଆ ଖରାର ଆସ୍ତରଣ । ଗାଁ ଦାଣ୍ଡର ଏଇ ଝଙ୍କାଳିଆ ଅଶ୍ଵତ୍‌ଥ ଗଛ । ଅନେକ ପୁରୁଣା କେଉଁ ପିଢ଼ିର କେଜାଣି ସେ ଗଛ ତା’ର ଜାତକ ନାହିଁ । ତା’ରି ତଳେ ଆଜି ଧାନ ଉଡ଼ାଉଥିଲା ନିରୀହ ଏକ କୃଷକ । ଘରକୁ ତା’ର ପାଛୁଡ଼ା ଧାନ ବୋହି ନେଉଥିଲେ ଛୁଆ ଦୁଇଟି ଏବଂ ତାଙ୍କର ମା’ ।

 

ଚରଣି ଦାସ ଗାଁ ଗୋହିରି ପାରି ହୋଇ ଏଇ ଗଛ ମୂଳେ ଅଟକିଗଲା । ବିନୟ ବାବୁଙ୍କ ଘର ପଚାରି ସେ ପୁଣି ପଶ୍ଚିମ ଦିଗକୁ ଚାଲିଲା । ଏଇ ହେଉଛି ବିନୟ ବାବୁଙ୍କ ଘର । କେଉଁ ପିଢ଼ିର ଦୁଇ ଖଞ୍ଜା ଉଚ୍ଚା ଉଚ୍ଚା କାଠ ଘର ପୁରୁଣା ଜମିଦାରୀର ସଂଭ୍ରମ ଧରି ମୁଣ୍ଡ ଟେକି ଠିଆ ହୋଇ ରହିଛି । ଉଚ୍ଚା ପକ୍‌କା ପିଣ୍ଡା । ସେଥିରୁ ଠାଏ ଠାଏ ପ୍ଳାଷ୍ଟର ଛାଡ଼ିଗଲାଣି । ଏଇ କାଠ ଘରର ପଶ୍ଚିମ ପଟକୁ ଲାଗି ନୂଆ ଡିଜାଇନ୍‌ରେ ସୁନ୍ଦର ଖଞ୍ଜାଏ କୋଠାଘର ତିଆରି ହୋଇଛି ଏଇ କେତେ ବର୍ଷ ତଳେ । ମୋଜାଇକ୍‌ କରା ଚଟାଣ ଓ ଘରର ଅନ୍ୟାନ୍ୟ ସାଜସଜାରେ ଆଧୁନିକତାର ସ୍ପଷ୍ଟ ଚିତ୍ର ଫୁଟି ଉଠୁଥାଏ । ଘର ସାମନା ଦାଣ୍ଡପଟକୁ ଲାଗି ତିନି ଚାରି ହଳ ବଳଦ ଓ ଗାଈ କେତୋଟି ବନ୍ଧା ହୋଇଥାନ୍ତି ।

 

ଦାଣ୍ଡ ବାରଣ୍ଡାର ଗୋଟିଏ ପାଖକୁ ବସି ବିନୟ ବାବୁ ଗୀତା ପାଠ କରୁଥାନ୍ତି । ଚରଣି ଦାସ ମୁଣ୍ଡ ନୁଆଁଇ ନମସ୍କାର ହେବାରୁ ବିନୟ ବାବୁ ଗୀତାରୁ ଆଖି ଫେରାଇ ପ୍ରତିନମସ୍କାର ଜଣାଇଲେ ।

 

କୁଆଡ଼େ ଆସିଥିଲ ବାପ ! ତୁମ ନାଁ କ’ଣ ?

 

ଆଜ୍ଞା ମୋ ନାଁ ଚରଣି ଦାସ । ମୋ ଘର ବଉଦପୁର । ଆସିଥିଲି ଆପଣଙ୍କ ପାଖକୁ ଗୋଟିଏ ପ୍ରସ୍ତାବ ନେଇ ।

 

ହଉ ତେବେ ଘରକୁ ଆସ । ଆଗରେ ବିନୟ ବାବୁ ଏବଂ ପଛେ ପଛେ ଚରଣି ଦାସ ଘର ଭିତରକୁ ଚାଲିଗଲେ ।

 

ଘରେ ଚା’ କରି ଆଣିବାକୁ ବରାଦ ଦେଇ ବିନୟ ବାବୁ ଚରଣି ଦାସ ସହ କଥା ଭାଷା ହେଉଥାନ୍ତି ।

 

ହଁ କେଉଁଠାରୁ ପ୍ରସ୍ତାବ ଆଣିଛ କହିଲ ।

 

ଆଜ୍ଞା ଆମରି ଗାଁ ହରି ସାମଲ ଘର । ଭଲ ଘରୁଆ ଏକା ସେ ଜମିବାଡ଼ି ଅନେକ ଅଛି-। ତା’ର ଗୋଟିଏ ପୁଅ ଏବଂ ଗୋଟିଏ ବୋଲି ଝିଅ । ଝିଅଟି ଦେଖିବାକୁ ଖୁବ୍‌ ସୁନ୍ଦର । ଗୋଟିଏ ଚାଉଳରେ ଗଢ଼ା । ଘର କାମକୁ ଧୁରନ୍ଧର । ବେଶ୍‌ଶାନ୍ତ ଶିଷ୍ଟ ପିଲା । କେଉଁ କଥାରେ ବାରିଦେବାକୁ କେହି ପୁଅ ନାହାନ୍ତି । ଏଇଆ ବେଶି ପାଠ ପଢ଼ିନି । ମାଇନର ପାଶ୍‌ କରିଛି । ଗାଁ ପାଖରେ ହାଇସ୍କୁଲ ନ ଥିବାରୁ ଦୂରରେ ରହି ପଢ଼ିବାକୁ ତା’ର ମା’ ରାଜି ହେଲେନି । ତେଣୁ ମାଇନର ଯାଏ ପଢ଼ି ଘରେ ରହି ଘରକାମ ସବୁ ଶିଖୁଛି । ଆପଣଙ୍କ ଘରକୁ ସେ ବୋହୂ ହୋଇ ଆସିଲେ ସବୁ କାମ ଘଡ଼ିକେ କରି ଥୋଇଦେବ । ତେବେ ଭଗବାନଙ୍କ ବରାଦରେ ଯାହା ଥିବ ।

 

ଦେଖ ଦାସେ ମୋର ପୁଅ ବର୍ତ୍ତମାନ କଲେଜରେ ପଢ଼ୁଛି । ପଢ଼ା ସରି ନାହିଁ । ତା’ର ସଅଳ ବିଭାଘର କରି ଦେବାପାଇଁ ମୋର ଅବଶ୍ୟ ଇଚ୍ଛା । ହେଲେ ତା’ର ପଢ଼ା ନ ସରିବା ଯାଏ ମୁଁ କୌଣସିମତେ ବିଭାଘର କରିପାରୁନି । ଏ ବର୍ଷ ମୁଁ ଆଦୌ ବିଭାଘର କରିବିନି ।

 

ଏଇଭଳି ଅନେକ କଥା ଭାଷା ପରେ ଚା’ ଖାଇ ଚରଣି ଦାସ ନମସ୍କାରଟିଏ ପକାଇ ନିଜ ଘରକୁ ଫେରିଗଲେ ।

 

ଏ ଭଦ୍ରଲୋକ କେଉଁଠୁ ଆସିଥିଲେ କି.....ପାନ ଭାଙ୍ଗୁ ଭାଙ୍ଗୁ ପଚାରିଥିଲେ ଶାନ୍ତି ଦେବୀ-

 

ଆଙ୍କ ଘର ବଉଦପୁର । ସେଇ ଗାଁରୁ ସେ ଗୋଟାଏ ପ୍ରସ୍ତାବ ନେଇ ଆସିଥିଲେ ଆମ ଅମର ବିଷୟରେ । ମୁଁ ଏ ବର୍ଷ ବାହାଘର କରିବି ନାହିଁ ବୋଲି ମନା କରିଦେଲି । ତୁମର ଇଚ୍ଛା କ’ଣ ?

 

ମୋର ବା ଆଉ କ’ଣ ଇଚ୍ଛା । ଗୋଟିଏ ବୋଲି ତ ପୁଅ । ପୁଅ ବାହାଘର କରି ବୋହୂଟିଏ ଘରକୁ ଆଣିଲେ ମୋର ଚିନ୍ତା ଯାଆନ୍ତା । ଘରର ଭଲ ମନ୍ଦ ସବୁ ତା’ରି ହାତରେ ଦେଇ ମୁଁ ଟିକେ ଶାନ୍ତିରେ ବସନ୍ତି । ଏ ଘରକୁ ବୋହୂ ହୋଇ ଆସିଲା ଦିନଠୁ ତ କେତେବେଳେ ହେଲେ କାମର ଛୁଟଣ ନାହିଁ । ସବୁବେଳେ ଖାଲି କାମ କାମ । ମଣିଷ ଏଠି ଅଶ୍ଵନିଶ୍ଵାସୀ ହୋଇଗଲାଣି । ସେ ଯାହାହେଉ ମୋର ବଳ ବୟସ ଥିଲା ସବୁ କାମକୁ ଏକା ଏକା କରିନେଉଥିଲି । ହେଲେ ଏଣିକି ଆଉ ମୁଁ ପାରୁନି । ବୋହୂଟିଏ ଆସିଲେ ଭଲା ମୋ ହାତରୁ କାମ ଯାଆନ୍ତା । ହେଲେ ତା’ର ଏଇନେ ତ ପଢ଼ା ସରିନି । ସେ କ’ଣ ସହଜରେ ରାଜି ହେବ । ତମ ଇଚ୍ଛା ଯାହା କରୁଛ କର ।

 

ଏ ବର୍ଷ ଅମରକୁ କୋଡ଼ିଏ ବର୍ଷ ଚାଲୁଛି । ଗତ ବର୍ଷ ଏକୋଇଶି ପଶିବ । ତମେ ତ ଜାଣ ମୋର ବାଉନ ବର୍ଷରେ ଗୋଟିଏ ଘାଟି ଅଛି । ତେଣୁ ମୁଁ ମନେ ମନେ ସ୍ଥିର କରିଛି ଅମରର ଆରବର୍ଷ ବିଭାଘର କରିଦେବା ପା । ତା’ପରେ ଆର ବର୍ଷ ନ ହେଲେ ତହିଁଆର ବର୍ଷକୁ ଅମରକୁ ବାଇଶ ପଶିବ । ବାଇଶରେ ତ ତା’ର ବିଭାଘର ହୋଇପାରିବ ନାହଁ । ତେଣୁ ଯେମିତି ହେଲେ ଆସନ୍ତା ବର୍ଷକୁ ଅମରର ବିଭାଘର କରିବାକୁ ପଡ଼ିବ ।

 

କଅଁଳ ଗାଧୁଆ ବେଳ । ପାଖ ଗାଁର ସ୍ତ୍ରୀ ଲୋକମାନେ ନଈକୁ ଗାଧୋଇ ଆସୁଥାନ୍ତି । କୂଳରେ ବସି ପାଉଁଶ ଚୋବାଇ କେତେ ଆଡ଼ୁ କେତେ କଥା ପକାଇ ଦୁଃଖ ସୁଖ ହେଉଥାନ୍ତି ପିତେଇ, କୋକିଳ ମା ଏବଂ ସେଇ ଗାଁର କେତେ ଜଣ ସ୍ତ୍ରୀଲୋକ । ଆଉ କେତେ ଜଣ ପାଣି ଭିତରେ ପଶି ଦେହ ହାତ ଘଷିମାଜି ହେଉଥାନ୍ତି । ସକାଳର ପାଇଟି ସାରି ଅନୁ ନଈ କୂଳରେ ପିତେଇ ପ୍ରଭୃତିଙ୍କୁ ଦେଖି ସେ ଟିକେ ଦବିଗଲା । ଅନ୍ୟ ଦିନ ପରି ସେ ଆଜି ତା’ର ସାଙ୍ଗସାଥୀ ପିଲାଙ୍କ ସହିତ କିମ୍ବା ତା’ର ସମ୍ପକୀୟ ନେତି ଖୁଡ଼ି ସହିତ ନଈକୁ ଗାଧୋଇ ଆସି ନ ଥିଲା । ଆଜି ଟିକେ ଡେରି ହୋଇଯିବାରୁ ପାଖ ଘର ନେତି ଖୁଡ଼ିକୁ ଡାକଟିଏ ଦେଇ ସେ ବାହାର ଆସିଲା ଏକା ଏକା । ନେତି ଖୁଡ଼ି କ’ଣ କାମ କରୁଥିବାରୁ ଯାଉଛି କହି କିଛି ସମସ୍ତ ରହିଗଲେ ଘର ଭିତରେ । ତେଣୁ ସେ ଅପେକ୍ଷା ନ କରି ଚାଲି ଆସିଲା ଏକା ଏକା ଆଜି । ମନରେ ଶଙ୍କା ରଖି ତରବରିଆ ହୋଇ ନଈରେ ବୁଡ଼ି ପଡ଼ି ଉଠି ଆସିଲା ଅନୁ ।

ଚରଣି ଦାସ କାଲି ପ୍ରସ୍ତାବ ନେଇ ଯାଇଥିଲା କ’ଣ ହେଲା କିଲୋ । କ’ଣ ଏ ଝୁଅଟାକୁ ପଚାରିଲେ ହବ । ଯେତେ ପଚାରି ହେଲେ ବି ତା’ଠୁ କେଇ କଥା ଆଣିଛି ନା ଆଣିବ ।

ତମେ ସେମିତି ନୁହଁ ପିତେଇ ଅପା । ଅନୁକୁ ପଚାରିଲେ ସେ କ’ଣ କେବେ କହିବ ।

କ’ଣ ମାଉସୀ, କେଉଁ ବିଷୟରେ ମୋତେ ପଚାରୁଛ ମୁଁ ତ କିଛି ବୁଝିପାରୁନି ।

ତୁ କ’ଣ ବୁଝିପାରିବୁ । ଆଉ କାହା କଥା ହେଇଥିଲେ ସିନା ବୁଝି ପାରିଥାନ୍ତୁ । ତୁ କ’ଣ ସେମିତି ସେମିତି ଝୁଅ ଖଣ୍ଡେ । ହଉ ଯା.....ଯା.....ଭାରି ତରବର ହଉଚୁ ତେଣେ ଡେରି ହୋଇଯିବଣି । ଯା.....ଯା..... ।

ପଦ୍ମପୁର ବିନୟ ବାବୁର ଗରଜ ନ ଥିଲା ସେ ଆସି ବୋହୂ କରି ନବ ଏଇଆକୁ । ତା’ ଭଳି ବଡ଼ ଲୋକକୁ ଦୁନିଆଁରେ ଝୁଅ ଅଭାବ ହେଇଚନ୍ତି ଯେ.....ସେ ଆସି ବୋହୂ କରି ନବ ଏଇ ସୁନା ପ୍ରତିମାକୁ ।

ଏତେବେଳେ ଯାଏ କଥାର ଟେର ପାଇ ନ ଥିଲା ଅନୁ । ହଠାତ୍‍ ତା’ର ମୁହଁଟା କଳାକାଠ ପଡ଼ିଗଲା । ମୁଣ୍ଡଟା ତା’ର ବୁଲାଇ ଦେଲା । ସଙ୍ଗେ ସଙ୍ଗେ ଗାଧୋଇ ଆସିଥିଲେ ବି ମୁଣ୍ଡରୁ ଝାଳ ବୋହିଗଲା । ମନେ ମନେ ସେ ଯେଉଁ ଆଶଙ୍କା କରୁଥିଲା ତାହା ହିଁ ଘଟିଗଲା ସଙ୍ଗେ ସଙ୍ଗେ । ସେ କାନ୍ଦ କାନ୍ଦ ହୋଇ ଆସିଲା । ଆଗକୁ ଚାହିଁ ନେତି ଖୁଡ଼ି ଆସୁଥିବାର ଦେଖି ସେ ଭେଁ କରି କାନ୍ଦି ଉଠିଲା ।

ପ୍ରଥମେ କଥାଟା କିଛି ବୁଝି ପାରିଲାନି ନେତା ଖୁଡ଼ି । ପରେ ନଈ କୂଳରେ କୋକିଳ ମା ଏବଂ ପିତେଇକୁ ଦେଖି ସବୁ ବୁଝି ପାରିଲା ସେ ।

କଅଣ କହିଲା କିଲୋ ସେ ସତିଆନାଶି ବୁଢ଼ୀ.... ।

ଲୁଗାକାନିରେ ଅନୁର ଲୁହ ପୋଛି ଆଣୁ ଚିତ୍କାର କରି ଉଠିଲା ନେତି । ନାଇଁ ଖୁଡ଼ି ସେ କିଛି ନୁହେଁ.....ତମେ ସେମାନଙ୍କ ସଙ୍ଗରେ ଆଦୌ ପାଟି କରନି ।

କିଛି ନ ବୁଝି ନଶୁଝି ଚହଳ କରିଦେଉଚି କଅଣ ଏଇଟା ଆର କ’ଣ କିଏ ଧାରିଛି ନା ପୁଳାଏ ଅଧେ କିଏ ଖାଇଯାଇଛି ବା । ଇଲୋ ଆମର ଆମେ କୁହାକୁହି ହେଲୁ ତା’ ଦିହରେ କ’ଣ ଏମିତି ପଶିଗଲା । ସୁନା ନୁହଗୁରା ଝରି ପକାଉଛି ।

ଆଜିକାଲି ଯୁଗ ତ ସେଇଆ ହେଇଚି ଲୋ ପିତେଇ ଅପା....ମଣିଷ ଆଉ କଥା ବାରତା ହେଇପାରିବନି ଏ ଯୋଉ କାଳ ହେଲାଣି ।

 

ରଖିଦେଇ ଥାଅ ମ ସେ ନାକ ଫୁଲେଇ କଥା । ତେମେ ମାଇପେଗୁରା ଛୁଆଟାକୁ କନ୍ଦେଇ ଦେଇ ସାରିଲଣି । ଝୁଅଟା ମୋର ଖେଣ୍ଟା ହୋଇଗଲାଣି । ଖାଇଗଲେ ଲୋ ଏ ରାକ୍ଷାସୁଣୀ ଡାଆଣୀଯାକ ମୋ ଛୁଆଟାକୁ ।

 

ତୁ ରାଣ୍ଡି ଡାଆଣୀ ହେଉନୁ, ଆଣ୍ଠୁକୁଡ଼ି ହେଉନୁ । ତୁ କ’ଣ ଏଠି କଦଳି ପତରିଆ ଭଲଲୋକି ଦେଖେଇ ହଉଚୁ । ସାଡ଼େ ଯା କେଉଁଠି ଦେଖେଇ ହବୁ । ଏଇଟା କିଏ ବା....ଉପରେ ପଡ଼ି କଖାରୁ ବଡ଼ି.... । ଏଠି ଆସି ଆମ ଆଗରେ ଦେଖେଇ ହେଲା । ଦେବି ଯେ ଏଇ ଖଡ଼ୁମୁସାରେ ପାହାରେ ଏକାଥରେ ବାଟେ ବାଟେ ଯାଇଥିବୁ ।

 

କୋକିଳ ମା ପରେ ପରେ କମ୍ପି ଉଠିଲା ପିତେଇ ।

 

ତୋର ତ ଭାରି ବହପ ହୋଇଗଲାଣି ଲୋ ବୁଢ଼ୀ । ରାଣ୍ଡି ସରବ ଖାଇ ଆଇଲୁ ଏଠିକି ଦେଖିବୁ କିଏ କାହାକୁ ବାଟ ଦେଖଉଚି ।

 

ପିତେଇ ଏବଂ ନେତି ଦୁଇ ଜଣ ଅଣ୍ଟାରେ ଲୁଗା ଭିଡ଼ାଭିଡ଼ି ହୋଇଗଲେ । ବେଶ୍‌ ତା’ର କିଛି ସମୟ ପରେ ଆରମ୍ଭ ହୋଇଗଲା ଟଣା ଓଟରା ଏବଂ ଚୁଟି ଧରାଧରି । ଶେଷରେ ପିତେଇ ଅଣ୍ଟାରେ ଖୁବ୍‌ ଜୋରରେ ବାଇଶପଳିଆ ଏକ ବିଧା ବସାଇଦେଲା ନେତି ଖୁଡ଼ି । ପିତେଇ ନେତିର ଚୁଟି ଛାଡ଼ି ନଈ ବାଲିରେ ଗଡ଼ିଗଲା ମଲି ମଲି ଚିତ୍କାର କରି । ଏକ ଲକ୍ଷ୍ୟରେ ସେଇ ଆଡ଼କୁ ଚାହିଁ ରହିଥିବା କୋକିଳ ମ ଏବଂ ପାଣି ଭିତରେ ପଶିଥିବା ଆଉ କେତେକ ସ୍ତ୍ରୀ ଲୋକ ଧାଇଁ ଆସିଲେ ସେଇଆଡ଼େ । ସମସ୍ତେ ପିତେଇକୁ ଉଠାଇବାରେ ଲାଗିଥାନ୍ତି । ଏତେବେଳଯାଏ ବୋକାଙ୍କ ଭଳି ସବୁକିଛି ଦେଖୁଥିଲା ଅନୁ । ହଠାତ୍‍ ସେ ଦଉଡ଼ିଗଲା ପିତେଇ ପାଖକୁ । ନେତି କିନ୍ତୁ ଅନୁକୁ ଟାଣି ଆଣି ଘରକୁ ଚାଲିଗଲା । ପିତେଇ ସେଇଭଳି ବାଲିରେ ଗଡ଼ି ଚିତ୍କାର କରୁଥିଲା...

 

ମୋତେ ମାରିଦେଲେ ଲୋ ମୁଁ ମରିଗଲି । ଏ ରାଣ୍ଡି ଗୁରାକ ଖାଲି ଠିଆ ହେଇ ଦେଖିଲେ କେଇ କିଛି କଇଲେନି । ସେଇଆ ପାଞ୍ଚିଥିଲେ ଲୋ ଏଗୁରା ମୋତେ ମାଡ଼ ଖୁଆଇ ମଲେ । ମୁଁ ମରିଗଲି ଲୋ... ମରିଗଲି.... !

 

ଜହ୍ନ ରାତି । ଫାଳିକିଆ ଜହ୍ନଟା ଭାସି ଭାସି ପଶ୍ଚିମ ଦିଗ୍‍ବଳୟର ଧାର ସ୍ପର୍ଶ କଲାଣି । ଆଉ ଟିକକ ପରେ ସେ କେଉଁ ଆଡ଼େ ଅଦୃଶ୍ୟ ହୋଇଯିବ । ସେ ଭାସି ଭାସି ଚାଲିଯିବ ଅନେକ ଦୂର । ଏଇ ସୀମାହୀନ ଆକାଶର ଅନ୍ୟ କେଉଁଆଡ଼େ । ତା’ପରେ ଅନ୍ଧାର । ରାତ୍ରିର ଜମାଟ ଅନ୍ଧକାର ଏବଂ ତା’ର ଭୀଷଣତା ଲୁଚିଛପି ଯିବ ଗଛପତ୍ର ଏବଂ ଏଇ ପୃଥିବୀର ମାଟି ଗୋଡ଼ି ଭିତରେ ।

 

ଅନେକ ରାତି ହେଲାଣି । ପୃଥିବୀଟା ଶୋଇ ପଡ଼ିଲାଣି ଅନେକବେଳୁ । ଘୁଙ୍ଗୁଡ଼ି ମାରୁଛି ନିଘୋଡ଼ ନିଦରେ । ଗାଁ ସେମୁଣ୍ଡ ଗଦିଆ ବାଉରୀ ବି ଶୋଇ ପଡ଼ିବଣି । ତା’ର ସେଇ ସୀତା ବିଳପିତ ଉଚ୍ଚାଙ୍ଗ ଲହରୀ ଆଉ ଶୁଭୁନି । ଦିନଟା ଯାକର ହାଡ଼ଭଙ୍ଗା ମେହନତି, ସମସ୍ତ ଦୁଃଖ ଯନ୍ତ୍ରଣାକୁ ସେ ଭୁଲିଯାଏ ତା’ର ସେଇ କରୁଣ ଲହରୀ ଭିତରେ । ଏଇ ଗଦିଆ ବାଉରୀ ବିଚରା ଭାରି ଗରିବ । ବର୍ଷ ଚାରି ପାଞ୍ଚଟା ହୋଇଥାଏ କି ନାହିଁ ତା’ର ବାପ ତା’କୁ ଛାଡ଼ି ଚାଲିଗଲେ ଆରପୁରକୁ ଏକାକୀ ଦୁଃଖିନୀ ମା’ ହାତରେ ଟେକି ଦେଇ । ଏଇ ଗଦିଆ ବାଉରୀ ଏସନ ବାହା ହୋଇ ଘରକୁ ବୋହୂଟିଏ ଆଣିଛି । ଗାଁଟା ଯାକର ସମସ୍ତେ ଶୋଇଗଲେ ଚାରିଆଡ଼ ନିଝୁମ ହେଲେ ଗଦିଆ ବାଉରୀର ଆଖିପତା ଆପେ ଆପେ ବନ୍ଦ ହୋଇ ଆସେ ଅନେକ ଡେରିରେ ।

 

ଅନୁ ଆଖିରେ ଆଜି ନିଦ ନ ଥିଲା । ଆଖିବୁଜି ଅନେକ ଚେଷ୍ଟା କଲେ ବି ସେ ଆଜି ଶୋଇ ପାରୁନି । କି କାଣ୍ଡ ଆଜି ଘଟିଗଲା ନଈ କୂଳରେ । ପିତେଇ ବୁଢ଼ୀ । ବିଚରା ଅନେକ କଷ୍ଟ ପାଇଥିବ l ତା’ରି ନେଇ କେବଳ ଆଜି ପିତେଇ ଏବଂ ନେତି ଖୁଡ଼ି ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଗଲା । ଗାଁ ସାରା ଏ କଥା ଚହଳ ପଡ଼ିଗଲା । ଛୁଆଠାରୁ ଅଣ୍ଡାଯାଏ ସମସ୍ତେ ଭିତର କଥା ଜାଣିଗଲେ । ଅନୁ ଆଜି ଲାଜରେ କାହାକୁ ମୁହଁ ଦେଖାଇ ପାରିନି । ନେତି ଖୁଡ଼ି ତା’ର ସବୁଦିନେ ସେଇଭଳି । କଥା କଥାକେ ରାଗି ନାଲି ପଡ଼ି ଯାଆନ୍ତି । ରୋକ୍‌ଠୋକ୍ ଜବାବ ଦେଇ ଦିଅନ୍ତି । ନ୍ୟାୟରେ ସେ କାହାକୁ ଛାଡ଼ିବାର ଲୋକ ନୁହଁନ୍ତି । କାହାରି ନାଲି ଆଖି ଦେଖି ସେ ଡରି ଯାଆନ୍ତିନି । ନେତି ଖୁଡ଼ି କିନ୍ତୁ ତା’କୁ ଭାରି ଭଲପାଆନ୍ତି । ତା’ ସଙ୍ଗରେ ଅନେକ ଦୁଃଖ ସୁଖ ହୁଅନ୍ତି ସେ । ଆଜି ଖରାବେଳ ଏକୁଟିଆ ଘରେ ବସି ବସି ଭଲ ଲାଗି ଲାନି ଅନୁକୁ । ବାରି ବାଟେ ଲୁଚି କରି ସେ ଯାଇଥିଲା ନେତି ଖୁଡ଼ି ଘରକୁ । ନେତି ଖୁଡ଼ି ଖିଆପିଆ ସାରି ବସି ରହିଥିଲେ ଏକା ଏକା-। ଅନୁକୁ ଆସିବାର ଦେଖି ପାଖକୁ ଡାକି ନେଇଗଲେ । ନଈ କୂଳର ସେଇ ଘଟଣା ବିଷୟରେ ଅନେକ ଗପି ଯାଇଥିଲେ । ତା’ପରେ ପ୍ରସଙ୍ଗ କ୍ରମେ ଗତ କାଲିର ଘଟଣା କହିଥିଲେ । ଚରଣି ଦାସ ପ୍ରସ୍ତାବ ନେଇ ଯାଇଥିଲା ପଦ୍ମପୁର ବିନୟ ବାବୁଙ୍କ ଘରକୁ ସେ କିନ୍ତୁ ଏ ବର୍ଷ ପୁଅର ବିବାହ କରିବେ ନାହିଁ ବୋଲି ମନା କରି ଦେଇଥିଲେ । ବାପାର କିନ୍ତୁ ଭାରି ଇଚ୍ଛା ତା’କୁ ସେଇଠି ବିବାହ ଦେବା ପାଇଁ । ସେଥିପାଇଁ ସେ ଚୁପ୍‍ ହୋଇ ରହିଲେ ଆସନ୍ତା ବର୍ଷକୁ ସେଇଠି ପ୍ରସ୍ତାବ ପକାଇବାକୁ-

 

ଅନୁର ମୁହଁଟା ନାଲି ପଡ଼ି ଯାଇଥିଲା ଲୋକରେ । କୌଣସି ଏକ କାମର ବାହାନା ଦେଖାଇ ନେତି ଖୁଡ଼ି ପାଖରୁ ଉଠି ଆସିଥିଲା ସେ । ନେତି ଖୁଡ଼ିଟା ନିହାତି ଅଲାଜୁକି । ତା’ର ଟିକେ ଲାଜ ସରମ ନାହିଁ । ଏଇଭଳି ଅନେକ କଥା ସେ ଅନୁ ଆଗରେ ଖୋଲାଖୋଲି କହିଦିଏ ।

 

ଅନୁ ଏପଟ ସେପଟ ହୋଇ ଭାବି ଚାଲିଥାଏ । ଆଖିରେ ତା’ର ଆଦୌ ନିଦ ନାହିଁ । ସତରେ କ’ଣ ସେଦିନର ସ୍ଵପ୍ନ ତା’ର ସାର୍ଥକ ହେବ । କେଡ଼େ ସୁନ୍ଦର ମଣିଷ ସେ । ସେ କ’ଣ ତାଙ୍କୁ ପାଇ ପାରିବ ଏ ଜୀବନରେ । ନା ଖାଲି କଳ୍ପନା ଗୁଡ଼ାଏ ଆତ୍ମ ପ୍ରବଞ୍ଚନା ଭିତର ମଣିଷଟାକୁ ଆଶ୍ଵାସନା ଦେବାର ଥାପୁଡ଼ାଇ ଦେବାର ଏ ଗୋଟାଏ ରକ୍ତଗତ ଗଡ଼ତାଲିକା ପ୍ରବାହ ନୁହେଁ ତ ଆଉ କଅଣ । ସବୁକୁ ଖାଲି ଧରି ନିଆଯାଇପାରେ । କିନ୍ତୁ ବାସ୍ତବତାର କଷଟି ପଥରରେ ଏସବୁ ଫିକା ପଡ଼ିଯାଏ । ସବୁ ଧୁଆଁଳିଆ....ସବୁ ଖାଲି ଧୁଆଁ ବାଣ.... । ସବୁର ସମ୍ମିଳିତ ବିସ୍ଫୋରଣ ହିଁ ଫୋଟକା ବାଣର ଆୱାଜ । ତା’ପରେ ଶୁନ୍‌ଶାନ...ଖାଲି ଖାଲି.... । ଶେଷରେ ନ ପାଇବାର ପ୍ରଚଣ୍ଡ ଭୂମିକମ୍ପ ।

 

ସେ ସହରରେ ପଢ଼ନ୍ତି । କଲେଜରେ ପଢ଼ନ୍ତି । ସେ ଆଧୁନିକ ମଣିଷ । ଆଧୁନିକ ରୂଚିପୂର୍ଣ୍ଣ ଏକ ବଳିଷ୍ଠ ବ୍ୟକ୍ତିତ୍ଵ ରହିଛି ତାଙ୍କର । ସେଇ ବ୍ୟକ୍ତିତ୍ଵର ବୀଣା କ’ଣ ବାଜି ଉଠିବ ଏକ ନିରୀହା ଅପାଠୋଇ ମଫସଲି ମାଟି କଣ୍ଢେଇର ଛନ୍ଦହୀନ ନୃତ୍ୟ ଗୀତରେ ? ଅସମ୍ଭବ । ବାସ୍ତବତାହୀନ ମନପବନ ଘୋଡ଼ାର ଖାଲି ଝପଟ....ଅସମ୍ଭବ ଭାବେ କ୍ଷୀପ୍ର ତା’ର ଗତି । ବାପା ତା’ର କାହିଁକି ତା’ହେଲେ ଏତେ ବଡ଼ ଆଶା କରିଛନ୍ତି । ବାପାଙ୍କ ଉପରେ ମନେ ମନେ ରାଗି ଉଠୁଣିଲା ଅନୁ । ସେ ଆଜି ଅପାଠୋଇ । ମାଇନର ପାସ କରିବା ପରେ ସେ ଜିଦ୍‍ କରିଥିଲା ପଢ଼ିବା ପାଇଁ ସେଦିନ । ପାଞ୍ଚ ଛଅ କିଲୋମିଟର ଦୂରରେ ନୂଆ ହୋଇ ଗୋଟିଏ ହାଇସ୍କୁଲ ଖୋଲୁଥିଲା ସେତେବେଳେ । ସେଠାକୁ ପଢ଼ିବାକୁ ଯିବାକୁ ସେ ଅନେକ ଇଚ୍ଛା କରିଥିଲେ । ହେଲେ ଏତେ ବାଟ ପଢ଼ିବାକୁ ଯିବାକୁ ବୋଉ ତା’ର ମନା କରିଦେଲା । ବାପା ବି ନୀରବ ରହିଲେ । ସେଇଠୁ ପଢ଼ାରେ ତା’ର ପୂର୍ଣ୍ଣଚ୍ଛେଦ ପଡ଼ିଲା । ଦୁଃଖରେ ସେ ଭାଙ୍ଗି ପଡ଼ୁଥିଲା । ଅନେକ ଯନ୍ତ୍ରଣାରେ ହୃଦୟତନ୍ତ୍ରୀ ତା’ର ବିଳାପ କରି ଉଠୁଥିଲା । ଏଇଭଳି ଭାବି ଭାବି ସେ ଶୋଇଯାଇଥିଲା ଅନେକ ରାତିରେ ।

 

ରାତ୍ର ଖାଇଲା ପ୍ରହର । ବିଜୟବାବୁ, ଅମର ଏବଂ ତା’ର ଛୋଟ ଭଉଣୀ ମିଲି ଖାଇ ବସିଥାନ୍ତି । ଶାନ୍ତିଦେବୀ ସେମାନଙ୍କୁ ଖାଇବାକୁ ଦେଇ ପାଖରେ ବସିଥାନ୍ତି । କଲେଜ ଛୁଟି ହୋଇଥିବାରୁ ଅମର ଆଜି ସନ୍ଧ୍ୟାରେ ଘରକୁ ଫେରିଥାଏ । ବେଶ୍‍ ଖୁସିଥାଏ ସମସ୍ତଙ୍କ ମନ ! ମିଲି ଆଜି ଅନେକ ଖୁସି । ସଞ୍ଜ ବେଳଠାରୁ ରୋଷେଇ ଘରେ ପଶି ତା’ର ବୋଉ ପାଖରେ ଚବର ଚବର ହେଉଥାଏ । କେତେଆଡ଼ୁ କେତେ କଥା ଗପି ଗଲାଣି ସେ । ସେ ଆଜି ତା’ର ଭାଇ ସଙ୍ଗରେ ଖାଇବ ବୋଲି ଏହା ଭିତରେ ଅନେକ ଥର କହି ସରିଲାଣି । ଆଜି ତା’ର ଭାଇ ଘରକୁ ଆସିବାର ଜାଣି ଗାଁ ସେପଟ ରାସ୍ତାକୁ ସେ ଅନେକ ଥର ଯାଇ ଚାହିଁ ଆସିଛି । ସଞ୍ଜବେଳେ ତା’ର ଭାଇକୁ ଦୂରକୁ ଚିହ୍ନି ଗାଁ ଛୁଆଙ୍କ ସହିତ ସେ ଦଉଡ଼ି ଯାଇଥିଲା ଅନେକ ବାଟ । ଭାଇ ପାଖରେ ନାଚି ନାଚି ସେ ହାତ ଟେକି ଦେଇଥିଲା ଏବଂ ଅମର କାଖେଇ ନେଇ ଆସିଥିଲା ମିଲିକୁ କିଛିବାଟ-। ଘରେ ପହଞ୍ଚୁ ପହଞ୍ଚୁ ଅମରର ବ୍ୟାଗ ଖୋଲି ସବୁଥର ଭଳି ଆଜି ମଧ୍ୟ ସେ ବାହାର କରି ଆଣିଥିଲା ସ୍ଲେଟ କମଳା, ବିସ୍କୁଟ, ଚକୋଲେଟ ଇତ୍ୟାଦି । ତା’ର ସାଙ୍ଗ ଛୁଆ ମାନଙ୍କ ମଧ୍ୟରେ କିଛିଟା ବାଣ୍ଟି ଦେଇ ଅନ୍ୟ ସବୁତକ ନିଜ ଅକ୍ତିଆର କରି ନେଇଥିଲା ସେ ।

 

ମିଲିଟା ଭାରି ଗପୁଡ଼ି । ଅମର ସହିତ ଖାଇ ବସି ମନକୁ ମନ ଗପି ଚାଲିଛି । ତା’ପରେ କେଜାଣି କାହିଁକି.....ଭାଇର ଆମର ବାହାଘର ହେବ......କହି ହସି ଉଠିଲା । ବିନୟ ବାବୁ ଏବଂ ଶାନ୍ତି ଦେବୀ ମୁରୁକି ହସିଲେ । ମିଲିର କଥାରେ ଅମରକୁ ହସ ମାଡ଼ୁଥିଲେ ବି ସେ ଜୋର କରି ହସକୁ ଚାପି ରଖି କୃତ୍ରିମ ଭାବେ ଗମ୍ଭୀର ହୋଇ ଉଠିଲା ।

 

ଘରେ ନିଶ୍ଚୟ ବାହାଘର ବିଷୟରେ ଆଲୋଚନା ହୋଇଛି । ଏ କି ଫାର୍ସ ଚାଲିଛି....ଅମର ତା’ର ବୋଉ ଆଡ଼କୁ ଚାହିଁ କହିଲା ।

 

ଆରେ ନା, ମ ତୁ ତା’ କଥା କାହିଁକି ଶୁଣୁଛୁ । ସେ ପାଗଳିଟା କଅଣ କହିଦେଲା......ଚୁପ୍ । ଛୁଆ ବକଟେ ହେବନି ବାଇଶ କାହାଣେ କଥା କହୁଛି ।

 

ଶାନ୍ତିଦେବୀ ମିଲିକୁ ଆକଟ କରି କହିଲେ ।

 

ଏଁ ମୁଁ କଅଣ ମିଛରେ କହୁଚି ନା.....ଭାଇର ପରା ଆମର ବାହାଘର ହବ ।

 

ଚୁପ୍.... । ଛୁଆଟା ଏ କଥା ଜାଣିଲା କେଉଁଠୁ ତୁମଠାରୁ ଶୁଣିଛି ବୋଲି କହିଲା ନା....କିନ୍ତୁ ଏତେ ଶୀଘ୍ର ବିଭାଘର ହୋଇପାରିବ ନାହିଁ । ମୋର ପାଠପଢ଼ା ନସରିବା ଯାଏ କଦାପି ବିଭାଘର ହୋଇ ପାରିବନି ।

 

ଅମର ମିଲି ଉପରେ କୃତ୍ରିମ ରାଗ ଦେଖାଇ କହିଲା ।

 

ଆରେ ବର୍ତ୍ତମାନ କଅଣ ବିଭାଘର ହେଉଛି । ସେ ଛୁଆଟା କେଉଁଠୁ କ’ଣ ଶୁଣି କହିଦେଲା, ତା’ କଥା କାହିଁକି ଶୁଶୁଛୁ ।

 

ବିନୟବାବୁ ସ୍ମିତ ହସି ଉତ୍ତର ଦେଲେ ।

 

ଖିଆପିଆ ସରିଲା । ସମସ୍ତେ ଶୋଇବାକୁ ଗଲେ । ଅମର ତା’ର କ୍ଳାନ୍ତ ଅବଶ ଶରୀର ବିଛେଇ ଦେଲା ଖଟ ଉପରେ ପଡ଼ିଥିବା ନରମ ଶେଯ ଉପରେ । ଆଖିପତା ତା’ର ମୁଦି ହୋଇ ଆସୁଥିଲା ଧୀରେ ଧୀରେ । ଏଇ ମୁଦା ଆଖି ଭିତରେ ସେ ଭାବୁଥିଲା ଖାଇବା ସମୟର ଘଟଣାକୁ କେନ୍ଦ୍ରକରି । ବାପା ବୋଉ ନିଶ୍ଚୟ ତା’ର ବିବାହ କଥା ନେଇ ଆଲୋଚନା କରିଛନ୍ତି । ମିଲି ତା’କୁ ଶୁଣି ପାରିଛି ଏବଂ ସେଇ କଥା ସେ ମୋ ଆଗରେ କହି ଖୁସି ହେଉଥିଲା । ପୁଅର ବିଭାଘର କରି ଘରକୁ ବୋହୂଟିଏ ଆଣିବାକୁ ବାପ ମା’ଙ୍କର ମନ ବ୍ୟଗ୍ର ହେଉଥିବ । କିନ୍ତୁ ମୁଁ କ’ଣ କରିପାରେ । ପାଠପଢ଼ା ସରିନି ମୋର ନିଜ ଗୋଡ଼ରେ ମୁଁ ଠିଆ ହେବାକୁ ସମ୍ପୂର୍ଣ୍ଣ ଅକ୍ଷମ । ନା ନା ମୁଁ କେବେହେଲେ ବିବାହ କରିପାରେନା ଏହା ଅସମ୍ଭବ । ମୁଁ ମନା କରି ଦେଇଛି । ମୁଁ ଠିକ୍‌ କରିଛି । ସେମାନେ ଆଗଭର ହେଲେ ମୁଁ ପୁଣି ଥରେ ମନା କରି ଦେଇପାରେ । ଏଇ ଭଳି ଭାବି ଭାବି ସେ ଶୋଇ ଯାଇଥିଲା ନିଘୋଡ଼ ନିଦରେ ।

 

ଗ୍ରୀଷ୍ମ ଛୁଟି ସରି ଆସିଲା । ଅମର ତା’ର ବାପ ମା’ଙ୍କଠାରୁ ବିଦାୟ ନେଇ ତା’ର କର୍ମଭୂମି କଟକ ଚାଲି ଆସିଲା । ରେଭେନ୍‌ସା କଲେଜରେ ସେ ପଢ଼େ । ତା’ର ଏ ବର୍ଷ ଶେଷ ବର୍ଷ ବି. ଏ. । ଅମାୟିକ ତଥା ବିନୟ ବ୍ୟବହାର ପାଇଁ ସେ କଲେଜରେ ଅନେକଙ୍କ ସହ ପରିଚିତ । ତା’ଛଡ଼ା ତା’ର ଓଜସ୍ଵିନୀ ବକ୍ତୃତା ପାଇଁ ସେ କଲେଜରେ କେତେ ଥର ପୁରସ୍କାର ବି ପାଇଛି । କଲେଜ ୟୁନିୟନର ସଭାପତି ପଦ ପାଇଁ ପ୍ରାର୍ଥୀ ହେବାକୁ ଅନେକ ତା’କୁ ପରାମର୍ଶ ଦେଲେଣି । ତେଣୁ ଏ ବର୍ଷ ସଭାପତି ପଦପାଇଁ ପ୍ରାର୍ଥୀ ହେବାକୁ ସେ ଏକ ରକମ ସ୍ଥିର ନିଶ୍ଚିତ ହୋଇସାରିଛି । ସେଥିନେଇ କଲେଜ ଖୋଲିବା ଦିନଠାରୁ ତା’କୁ ପ୍ରସ୍ତୁତ ହେବାକୁ ପଡ଼ୁଛି । ନାନା ପ୍ରତିଶ୍ରୁତିର ଜବାବ ସୁଆଲ ଭିତରେ ମାରଣା ଦୁର୍ଦ୍ଦାନ୍ତ ଛାତ୍ରମାନଙ୍କର ସମ୍ମୁଖୀନ ହେବା ତଥା ଗ୍ରାମ୍ୟ ପରିବେଶରେ ବଢ଼ି ନୂଆ ହୋଇ ସହରକୁ ଆସିଥିବା ଛାତ୍ରଛାତ୍ରୀମାନଙ୍କର ଅସୁବିଧା ଦୂର କରିବା ପାଇଁ ଆଗେଇ ଆସିଥିଲା ସେଦିନ ସେ । ଏତେ ବଡ଼ କଲେଜଟା ଭିତରେ ନୁଆ ହୋଇ ପ୍ରବେଶ କରିଥିବା ଯେ କୌଣସି ପିଲା ହିଁ ପ୍ରଥମେ ପ୍ରଥମେ ହରବରେଇ ଯିବା ସ୍ଵାଭାବିକ । ନାମ ଲେଖାଠାରୁ ଆରମ୍ଭ କରି ପାଠ ପଢ଼ାର ସମୟ ନିର୍ଦ୍ଧାରଣ ଏବଂ ରୁମ୍‌ ନମ୍ବର ଜାଣି ରୁମ୍‌କୁ ଯିବା ନୂତନ ପିଲାମାନଙ୍କ ପାଇଁ ନିଶ୍ଚିନ୍ତ ଭାବେ ଏକ କଷ୍ଟକର ବ୍ୟାପାର । ଏଇଭଳି ଅସୁବିଧା ସବୁକୁ ଦୂର କରିବାପାଇଁ ଅମର ଏବଂ ତା’ର କେତେ ଜଣ ସାଙ୍ଗ ଆଗଭର ହୋଇ ଉଠିଥିଲେ । ଦୂରଦୂରାନ୍ତ ମଫସଲରୁ ଆସିଥିବା ଅନେକ ପିଲାଙ୍କର ରହିବା ପାଇଁ ସ୍ଵବ୍ୟବସ୍ଥା କରି ସେମାନଙ୍କୁ ନାନା ସାହାଯ୍ୟ ସହାନୁଭୂତି ଦେଖାଇ ଅମର ଅନେକଙ୍କର ପ୍ରିୟପାତ୍ର ହୋଇପାରିଥିଲା । ସମସ୍ତଙ୍କ ମୁହଁରେ ସେଇ ଅମରର ପ୍ରଶଂସା ।

 

ଦିନ ପରେ ଦିନ ଗଡ଼ି ଚାଲିଲା । କଲେଜ ଛାତ୍ର ୟୁନିୟନର ନିର୍ବାଚନ ତାରିଖ ଏବଂ ପ୍ରାର୍ଥୀପତ୍ର ଦାଖଲର ନିର୍ଦ୍ଧାରିତ ଦିନ ନୋଟିସ ବୋର୍ଡରେ ପ୍ରକାଶ ପାଇଲା । ସେଦିନ ପ୍ରତ୍ୟେକ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ନିଜ ନିଜର ପ୍ରସ୍ତାବକ ଏବଂ ସମର୍ଥକମାନଙ୍କ ସହ ଉପସ୍ଥିତ ହୋଇଥିଲେ । ଅମର ମଧ୍ୟ ଉପସ୍ଥିତ ହୋଇଥିଲା ତା’ର କେତେ ଜଣ ସାଙ୍ଗମାନଙ୍କ ସହ ଉକ୍ତ ଦିନ ! ସେଦିନ କଲେଜ ଛୁଟି ହୋଇଥିଲା । ତା’ ପରଦିନ ନୋଟିସ ବୋର୍ଡରେ କ୍ରମାନ୍ଵିତ ଭାବେ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀମାନଙ୍କର ନାମ ତାଲିକା ପ୍ରକାଶ ପାଇଥିଲା । ଛାତ୍ର ୟୁନିୟନର ସଭାପତି ପଦ ପାଇଁ ଅମର ସହ ଅନ୍ୟ ପାଞ୍ଚ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦିତା କରିଥିଲେ ।

 

କ୍ରମେ ନିର୍ବାଚନର ପ୍ରଚାର ସରଗରମ ହୋଇ ଉଠିଲା । କଲେଜର କାନ୍ଥ ବାଡ଼ ନାନାରକମ ପୋଷ୍ଟରଦ୍ଵାରା ଛାପି ହୋଇଗଲା । ପ୍ରତ୍ୟେକ ପ୍ରାର୍ଥୀ ନିଜ ନିଜର ପୁସିଙ୍ଗ କାର୍ଡ ବାଣ୍ଟିବାରେ ଲାଗିପଡ଼ିଲେ । କେହି କେହି ନିଜ ନାମ ତଥା ପ୍ରତିଦ୍ଵନ୍ଦ୍ୱିତା କରୁଥିବା ପଦ ନାଲି ନୀଳ ବଡ଼ ବଡ଼ କନାରେ ଛାପି କଲେଜର ଛକ ସ୍ଥାନ ମାନଙ୍କରେ ଝୁଲାଇ ଦେଲେ । ସାରା କଲେଜଟା ନାନା ରଙ୍ଗର କାଗଜ କନାରେ ଚିତ୍ର ବିଚିତ୍ର ହୋଇ ଉଠିଥିଲା । କଲେଜ ବାରଣ୍ଡା କମନ୍‌ରୁମ୍‌ ଏବଂ କଲେଜ ରାସ୍ତାରେ ଦଳ ଦଳ ପିଲାଙ୍କ ଭିତରେ ସେଇ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା ସମାଲୋଚନା ଜମି ଉଠୁଥିଲା । ସମୟେ ସମୟେ ସେଇ ଆଲୋଚନା ସମାଲୋଚନା ଭିତରେ ଯୁକ୍ତିତର୍କ ବାକ୍‍ବିତଣ୍ଡା ଏପରିକି ଉଭୟ ପକ୍ଷ ମଧ୍ୟରେ କୁସ୍ତାକୁସ୍ତି ପିଟାପିଟି ଆରମ୍ଭ ହୋଇ ଯାଉଥିଲା । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନିଜ ନିଜର ଦକ୍ଷତା ପ୍ରତିପାଦନ କରିବା ପାଇଁ ପ୍ରତି କ୍ଳାସରେ କିଛି କିଛି ସମୟ କହିବାକୁ ସୁଯୋଗ ଦିଆଯାଇଥିଲା । ଅମରର ଭାବ ଗମ୍ଭୀର ଓଜସ୍ଵନୀ ବକ୍ତୃତାରେ ସାରା କଲେଜର ଛାତ୍ରଛାତ୍ରୀ ବିସ୍ମିତ ହୋଇ ଉଠିଥିଲେ । କଲେଜ ଛାତ୍ର ୟୁନିୟନର ଭାବି ନେତା ପାଇଁ ସେଇ ହିଁ ଉପଯୁକ୍ତ ପ୍ରତିଦ୍ଵନ୍ଦ୍ୱୀ ଏହା କାହାକୁ ଅଛପା ରହିଲାନି-। ଅମର ହିଁ ଜିତାପଟ ହେବ ତା’ର ଏକ ଅସ୍ପଷ୍ଟ ଗୁଞ୍ଜରଣ ଶୁଭୁଥିଲା ବୌଦ୍ଧିକତା ପରିପୂର୍ଣ୍ଣ ରେଭେନ୍ସା ମହାବିଦ୍ୟାଳୟର ବାୟୁମଣ୍ଡଳରେ । କିନ୍ତୁ କେତେକ ଅସହିଷ୍ଣୁ ଦୁର୍ଦ୍ଦାନ୍ତ ଶ୍ରେଣୀର ଛାତ୍ର ମାତି ଉଠିଥିଲେ ଅମର ବିରୁଦ୍ଧରେ । ସେମାନେ ଅମରକୁ ଧମକ ଦେଇଥିଲେ । ସଭାପତି ପଦରୁ ଓହରି ଯିବାପାଇଁ ଅମରକୁ ସେମାନେ କଟୁ ମନ୍ତବ୍ୟ ଶୁଣାଇ ଦେଇଥିଲେ । ଅମର କିନ୍ତୁ କାହାରି କଥାରେ ଡ଼ରିଯିବାର ପିଲା ନୁହେଁ । ଜମିଦାର ପଟ୍ଟନାୟକ ବଂଶର ସେ କୁଳପ୍ରଦୀପ । ତା’ର ସାହସ ଅଛି ସାମର୍ଥ୍ୟ ବି ରହିଛି । ପ୍ରାଚୁର୍ଯ୍ୟ ଭିତରେ ସେ ବଢ଼ି ଆସିଛି । ତା’ର ସଂଭ୍ରମ ଅଛି । ଧନୀ ଶ୍ରେଣୀର ସହରୀ ଛୁଆ ଅନେକ ତା’ର ସାଙ୍ଗ । ସେମାନେ ଅନେକ ତା’କୁ ସାହାଯ୍ୟ କରୁଛନ୍ତି ନିର୍ବାଚନରେ ଜୟଯୁକ୍ତ ହେବା ପାଇଁ । ତେଣୁ ଏଇ କେତେ ଜଣ ଅସହିଷ୍ଣୁ ପିଲାଙ୍କର କଟୁ ମନ୍ତବ୍ୟକୁ ସେ ଭ୍ରୁକ୍ଷେପ କରେନା ।

 

ମହାବିଦ୍ୟାଳୟ ନିର୍ବାଚନର ପୂର୍ବଦିନ । ଗୋଧୂଳିର ଛାୟାଲିପିରେ ଆଲୋକର ବର୍ତ୍ତୀକା ଜଳାଇ ଧପ୍‌ ଧପ୍‌ ହୋଇ ଜଳି ଉଠିଲା ବାର୍‌ଲାଇଟ୍‌ ଚାରିଟା ମହାବିଦ୍ୟାଳୟର ସେଇ ବିସ୍ତୀର୍ଣ୍ଣ ମୁକ୍ତ ଗ୍ୟାଲେରୀ ଚାରିପଟେ । ଏତେ ବଡ଼ ଗ୍ୟାଲେରୀଟା ଭରପୂର ହୋଇଉଠିଥିଲା ମହାବିଦ୍ୟାଳୟର ଶିକ୍ଷାର୍ଥୀ ତଥା ଅଧ୍ୟାପକ ଅଧ୍ୟାପିକାମାନଙ୍କଦ୍ଵାରା । ଏତେ ଜନ ସମାବେଶରେ ବି ଉକ୍ତ ପରିବେଶ ବେଶ୍‌ ଶାନ୍ତ ନୀରବ ଥାଏ । ସବୁ ବର୍ଷ ପରି ଆଜି ମଧ୍ୟ ଅନୁଷ୍ଠିତ ହେଉଥିଲା ‘‘ମୁଁ କାହିଁକି ଛିଡ଼ା ହୁଏ’’ ର ବିଶେଷ ଅନୁକ୍ରମ । ମହାବିଦ୍ୟାଳୟ ଛାତ୍ର ୟୁନିୟନର ଦାୟିତ୍ଵପୂର୍ଣ୍ଣ ପଦବୀ ପାଇଁ ଯେଉଁମାନେ ପ୍ରତିଦ୍ଵନ୍ଦ୍ୱୀ ସେମାନେ ଉକ୍ତ ଅବସରରେ ସମ୍ମୁଖୀନ ହୋଇଥାନ୍ତି ମହାବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କ ନିକଟରେ ! ପ୍ରତ୍ୟେକ ନିଜ ନିଜର ସ୍ପଷ୍ଟୀକରଣ ବ୍ୟାଖ୍ୟା କରିଥାନ୍ତି ନିର୍ଦ୍ଦିଷ୍ଟ ସମୟ ଭିତରେ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅମରକୁ ବି ସ୍ପଷ୍ଟୀକରଣ ଦେବାକୁ ପଡ଼ିଥିଲା । ମନ୍ଦ୍ରାଗମ୍ଭୀର କଣ୍ଠରୁ ତା’ର ଭାସି ଆସିଥିଲା–ଶତାବ୍ଦୀର ଏ ମହାବିଦ୍ୟାଳୟର ପ୍ରତ୍ୟେକଟି ଅଣୁ ପରମାଣୁରେ ଭରି ରହିଛି ବୌଦ୍ଧିକତାର ଏକ ମହାନ୍‌ଶକ୍ତି । ଏ ମହାବିଦ୍ୟାଳୟ ଗର୍ବ କରେ ତା’ର ବୌଦ୍ଧିକତା ପରିପୂର୍ଣ୍ଣ ପରିବେଶ ପାଇଁ । ଯେଉଁଥି ନେଇ ଏଠୁ ଜନ୍ମ ନେଇଛନ୍ତି ମହାପୁରୁଷ ଗୋପବନ୍ଧୁ, ମଧୁସୂଦନଙ୍କ ଭଳି ସମାଜସେବୀ ଏବଂ ଆହୁରି ଅନେକ ସାହିତ୍ୟିକ ତଥା ବୈଜ୍ଞାନିକ । ମହାବିଦ୍ୟାଳୟର ପ୍ରାଚୀର ଡେଇଁ ଏ ପ୍ରାଙ୍ଗଣ ଭିତରେ ପ୍ରବେଶ କରିପାରେନା ରାଜନୀତିର କୁଟିଳ ଆବହାୱା । ଏଠି ପ୍ରତ୍ୟେକ ଛାତ୍ର ନିର୍ଭୀକ ତଥା ସ୍ଵଚ୍ଛନ୍ଦ ଭାବେ ଗତି କରିପାରେ । ବର୍ତ୍ତମାନର ପରସ୍ଥିତି କିନ୍ତୁ ଏହାର ସମ୍ପୁର୍ଣ୍ଣ ଓଲଟା । ଏ ମହାବିଦ୍ୟାଳୟର ଛାତ୍ର ଆଜି ନିଜର ସ୍ଵାଧୀନତା ହରାଇ ରାଜନୈତିକ ଦଳର ଶିକାର ହୋଇଛି । କେତେକ ଦୁର୍ଦ୍ଦାନ୍ତ ପିଲାଙ୍କ ଦ୍ଵାରା ମହାବିଦ୍ୟାଳୟର ଶାନ୍ତି ପରିବେଶ କଳୁଷିତ ହୋଇଛି । ଏଇ ପ୍ରାଙ୍ଗଣ ଭିତରେ କେତେକ ଅଶୋଭନୀୟ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାର ଦେଖାଯାଉଛି । ତେଣୁ ଗୋଟିଏ ବର୍ଷ ପାଇଁ ଏ ମହାବିଦ୍ୟାଳୟର ଭାଗ୍ୟ ନିର୍ଣ୍ଣୟ ଆପଣମାନଙ୍କ ଉପରେ ନିର୍ଭର କରେ । ଆପଣମାନଙ୍କ ହାତରେ ହିଁ ସେ ସ୍ଵାଧୀନତା ରହିଛି-। ସେ ସ୍ଵାଧୀନତା ଯଦି ଉପଯୁକ୍ତ ଭାବେ ବ୍ୟବହାର କରା ନ ଯାଏ ତେବେ ପରିସ୍ଥିତି ଯାହା ହେବ ତାହା ଆପଣମାନେ ଅନୁଭବ କରି ପାରୁଥିବେ । ତେଣୁ ଆପଣମାନେ ନିଜ ନିଜ ସ୍ଵାଧୀନତାର ସଦ୍‌ବ୍ୟବହାର କରିବେ ବୋଲି ମୋର ଆଶା । ଜୟହିନ୍ଦ୍ । ’’

 

ଅମର କଣ୍ଠରୁ ଭାଷା ଶେଷ ନ ହେଉଣୁ କରତାଳି ମାଡ଼ରେ ସମଗ୍ର ପ୍ରାଙ୍ଗଣଟା ଉଛୁଳି ଉଠିଥିଲା ।

 

ସନ୍ଧ୍ୟା । ଝଙ୍କାଳିଆ ଦେବଦାରୁ ଗଛମାନଙ୍କରେ ନାନା ଜାତି ଚଢ଼େଇମାନଙ୍କର ଅପର୍ଯ୍ୟାପ୍ତ ଭିଡ଼ । କେଁ କଟର ରାବରେ ସମଗ୍ର ମହାବିଦ୍ୟାଳୟର ଶାନ୍ତ ଶୀତଳ ପରିବେଶଟା ଉଛୁଳି ଉଠୁଥାଏ । ଛାତ୍ରମାନଙ୍କର ଅସମ୍ଭବ ଭିଡ଼ ଜମିଥାଏ ମହାବିଦ୍ୟାଳୟ କାର୍ଯ୍ୟାଳୟର ସାମନାକୁ ଲାଗି । ଅସଂଖ୍ୟ ଉତ୍ସୃକିତ ନୟନ ଅପଲକ ଦୃଷ୍ଟିରେ ଚାହିଁ ରହିଥାଏ ନିର୍ବାଚନର ଫଳାଫଳ ଅପେକ୍ଷାରେ ସେଇ କାର୍ଯ୍ୟାଳୟ ଅଭିମୁଖେ । ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀମାନଙ୍କର ଛାତିଟା ଥପ୍‌ଥପ୍‌ ପଡ଼ିଥାଏ । କ୍ରମେ ଅଧ୍ୟକ୍ଷ ମହାଶୟ ଘୋଷଣାପତ୍ର ସହ ଅପେକ୍ଷାରତ ଛାତ୍ରମାନଙ୍କର ସମ୍ମୁଖୀନ ହେଲେ । ତା’ପରେ ସେ ଘୋଷଣା କଲେ ଜୟଯୁକ୍ତ ପ୍ରାର୍ଥୀମାନଙ୍କ ନାମଗୁଡ଼ିକୁ । ସର୍ବପ୍ରଥମେ ସଭାପତି ପଦପାଇଁ ଜୟଯୁକ୍ତ ପ୍ରାର୍ଥୀ ଚତୁର୍ଥ ବାର୍ଷିକ କଳାଛାତ୍ର ଅମରେନ୍ଦ୍ର ପଟ୍ଟନାୟକର ନାମ ଘୋଷିତ ହେଲା । ତା’ପରେ ଉପସଭାପତି, ସମ୍ପାଦକ, ସହସମ୍ପାଦକ ଓ ଆହୁରି ଅନେକ ଜୟଯୁକ୍ତ ପ୍ରତିଦ୍ଵନ୍ଦ୍ୱୀମାନଙ୍କର ନାମ ପାଠ କରାଗଲା । ସମାବେଶିତ ଛାତ୍ରମାନଙ୍କ ମଧ୍ୟରେ ଖେଳିଗଲା ଜୟ ପରାଜୟର ଆତ୍ମସନ୍ତୋଷ ତଥା ଆତ୍ମଗ୍ଳାନିର ଏକ ଅଭିନବ ଉତ୍ତେଜନା-

 

ଅମର ଏବଂ ତା’ର ସାଙ୍ଗମାନେ ଆନନ୍ଦରେ ମାତି ଉଠିଥିଲେ । ଅଗତ୍ୟା ଅମରକୁ କିଛି ଟଙ୍କା ଅପଚୟ କରିବାକୁ ପଡ଼ିଥିଲା ତା’ର ସାଙ୍ଗମାନଙ୍କ ସହ ରେଷ୍ଟୁରାଣ୍ଟ ଯାଇ । ସେଦିନ ଯେଉଁମାନେ ଅମର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ ଆଜି ସେମାନେ ତିକ୍ତ ମନ ନେଇ ଆଗେଇ ଆସିଥିଲେ ଅମର ସହ କରମର୍ଦ୍ଦନ କରିବାକୁ । ଆଭିଜାତ୍ୟ ପରିବାରର ସନ୍ତାନମାନେ ଧାଇଁ ଆସିଥିଲେ ଅମରକୁ ସମ୍ବର୍ଦ୍ଧନା ଜଣାଇବାକୁ । ତା’ ବାହାଦୂରୀର ପ୍ରଶଂସା କରିବାକୁ ।

 

ମହାବିଦ୍ୟାଳୟ ନିର୍ବାଚନର ସାଫଲ୍ୟ ପରେ ଅମର କିଛି ଦିନ ପାଇଁ ତା’ର ଗାଁକୁ ବୁଲି ଆସିଛି । ସେଦିନ ସେ କ୍ଳବ ଘରେ ଏକାକୀ ବସି ପୁରୁଣା ଗୋଟେ ମାଗାଜିନ ଉପରେ ଆଖି ବୁଲାଉଥାଏ । ଅମର ଏକାକୀ ପଢ଼ୁଥିବାର ଦେଖି ପାଣୁ ମହାନ୍ତି ଘର ଭିତରକୁ ପଶି ଆସିଲା । ତା’ପରେ ଅମର ନିକଟରେ ବସିଯାଇ ଥଟ୍ଟା ତାମସା ଆରମ୍ଭ କରିଦେଲା । ଜଣାଶୁଣାରେ ଅମରର ସେ ଅଜା ହୁଏ । ଅମର ସହିତ ସେ ଅନେକ ଥଟ୍ଟା ହୁଏ । ଆଜିର ଥଟ୍ଟା ଭିତରେ ସେ ଅମର ପାଇଁ ଗୋଟିଏ ବୋହୂ ଯୋଗାଡ଼ କରିଛି ବୋଲି କହିଲା ।

 

ଅମର ପ୍ରଥମେ ପାଣୁ ବୁଢ଼ାର କଥାରେ ଗୁରୁତ୍ଵ ନ ଦେଇ କଥାଟିକୁ ଖାମଖିଆଲି ଭାବେ ହସରେ ହସରେ ଉଡ଼ାଇ ଦେଇଥିଲା । ହେଲେ ପାଣୁ ମହାନ୍ତି ସବୁଦିନ ଭଳି ତା’ର ସେଇ ପାକୁଆ ପାଟିର ପାନଖିଆ କଳା କଳା ଦାନ୍ତ କେତୋଟି ଦେଖାଇ ଖେଁ ଖେଁ ହୋଇ ହସି ଉଠି ନ ଥିଲା । ଏକ ଗୁରୁତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା କଲା ଭଳି ମୁହଁରେ ଏକ ବିଚିତ୍ର ଭଙ୍ଗୀ ନେଇ ଅମର ପାଖକୁ ଲାଗି ଆସିଥିଲା ସେ । ତା’ପରେ ଅମର କାନରେ ଫୁସ୍‌ଫୁସ୍‌ କରି କହିଲା–

 

ବିନୟ ଆମର ତୋର ବାହାଘର ନେଇ ଭାରି ବ୍ୟସ୍ତ । ଅନେକ ଆଡ଼ୁ ପ୍ରସ୍ତାବ ଆସୁଛି । ତୋର ଇଚ୍ଛା କ’ଣ କହିଲୁ । ଏଇ ସାଲେ ବାହାଘର ହବ ତ । ମୁଁ ଗୋଟିଏ ଭଲ ଜାଗାରୁ ପ୍ରସ୍ତାବ ଆଣିଛି । ଝିଅଟି ମାଟିରିଙ୍ଗ ପଢ଼ିଛି । ଦବା ନବା ବି ଭଲ କରିବ । ଭଲ ସଚଳ ଘର ସେ । ଖାଲି ତୋରି ଠେଇଁ କଥା ।

 

ଅମର କିନ୍ତୁ ଏକାବେଳକେ ଗମ୍ଭୀର ହୋଇ ଯାଇଥିଲା ।

 

ଦେଖ ଅଜା ବର୍ତ୍ତମାନ ମୋର ବିଭାଘର ହୋଇ ପାରିବନି ! ମୋର ପାଠପଢ଼ା ନ ସରିବା ଯାଏ, ମୋ ନିଜ ଗୋଡ଼ରେ ମୁଁ ଠିଆ ହୋଇ ନ ପାରିବା ଯାଏ ବିବାହ ଅସମ୍ଭବ । ତା’ଛଡ଼ା ଏ ବର୍ଷ ମୋର ବି. ଏ. ପରୀକ୍ଷା ବିବାହ କଲେ ମୁଁ ପରୀକ୍ଷା ଦେଇ ପାରିବି ତ ?

 

ତା’ପରେ ବସିବା ଜାଗାରୁ ଉଠି ଯାଇଥିଲା ଅମର ।

 

ସେଥର ଅମର ବହୁ ଜାଗାରୁ ଶୁଣିବାକୁ ପାଇଥିଲା ତା’ର ବିଭାଘର ବିଷୟ ନେଇ । ଗାଁର ଅନେକ ଲୋକଙ୍କ ମୁହଁରୁ ବିଭିନ୍ନ ଆଡ଼ୁ ପ୍ରସ୍ତାବ ଆସିଥିବାର ଶୁଣିଲା ସେ । ଆହୁରି ମଧ୍ୟ କାହାରି କାହାରିଠାରୁ ଏଠି ହେଲେ ଭଲ, ସେଠି ଖରାପ, ଏଠାରେ ଭଲ ବନ୍ଧୁ ପାଇବ, ସେଠାରେ ଝିଅ ଭାରି ମୁଖରା ଏଇଭଳି ନାନା ମତ ଅଭିମତ ଭିତରେ ନିଜର ଭାରସାମ୍ୟ ହରାଇ ବସିଥିଲା ସେ ।

 

ସେଦିନ ସଞ୍ଜବେଳେ ଦାଣ୍ଡ ବାରଣ୍ଡାରେ କାନ୍ଥକୁ ଆଉଜି ରେଡିଓ ଶୁଣୁଥିଲା ସେ । କିଛି ଦୂରରେ ପଡ଼ିଶା ଘରର ଜଣେ ସ୍ତ୍ରୀ ଲୋକ ସହିତ କ’ଣ କଥାଭାଷା ପରେ ଅମରକୁ ଶୁଣାଇ ଶୁଣାଇ ଶାନ୍ତିଦେବୀ କହୁଥିଲେ–

 

କଅଣ ସେ ଗୋରା ଚମରୁ ମିଳିବ । ଗଢ଼ଣ ଥିଲେ ହେଲା । ଅସଲ ହେଲା ମଣିଷର ଗୁଣ । ଏଇ ଦେଖୁନା ଆଜିକାଲିର ଛୁଆଙ୍କୁ । ବାହାହେଇ ଆସିବାର ବର୍ଷ ଗୋଟାଏ ନ ପୁରୁଣୁ କେମିତି ଗୁଣମାନ ବିକାଶୁଛନ୍ତି । ମଣିଷର ଗୁଣ ନ ଥିଲେ ତାହା ପୋଡ଼ା କାଠ ସହ ସମାନ ।

 

ଅମର କଥାଟି ସମ୍ପୂର୍ଣ୍ଣ ଭାବେ ଶୁଣି ନ ଥିଲେ ମଧ୍ୟ ଯେତିକି ଶୁଣିଥିଲା ସେଥିରୁ କଥାଟିର ସାରମର୍ମ ବେଶ୍‌ଭଲ ଭାବରେ ବୁଝି ପାରୁଥିଲା ।

 

ସେ ଘରକୁ ଆସିଥିଲା ମନଖୁସିରେ କିଛି ଦିନ ବୁଲିଯିବା ପାଇଁ । ସବୁଥର ଘରକୁ ଆସିଲେ ସେ କଟକ ଫେରି ଯିବାକୁ ଦିନେ ଦୁଇ ଦିନ ଗଡ଼ାଇ ଦିଏ । ଘରଛାଡ଼ି ବାହାରକୁ ଯିବାକୁ ତା’ର ଆଦୌ ଇଚ୍ଛା ହୁଏନି । ସେଥିନେଇ ସେ ଏ ଗାଁର ମାୟା ମମତା ଏଡ଼ାଇ ପାଠପଢ଼ା ପରେ ଦୂରରେ ନ ରହିବାକୁ ଆଗରୁ ଦୃଢ଼ ପତିଜ୍ଞା । ଏଇ ଗାଁରେ ଏଇ ଧୂଳି ମାଟିରେ ତା’ର ଜନ୍ମ । ଏଇଠି ସେ ତା’ର ପିଲାଦିନର ସାଙ୍ଗସାଥିମାନଙ୍କ ସହ ଜୀବନ ଅତିବାହିତ କରିବ ।

 

ଏଥର କିନ୍ତୁ ଏ ଗାଁ ତା’କୁ ଅସହ୍ୟ ବୋଧ ହୋଇଥିଲା । ସବୁଆଡ଼େ ଖାଁ ଖାଁ ଲାଗୁଥିଲା-। ବୋଉ ମନରେ ତା’ର ସରସତା କେଉଁଆଡ଼େ ହଜି ଯାଇଥିଲା । ବାପା ତା’ର କିପରି ଅସ୍ଵାଭାବିକ ଜଣା ପଡ଼ୁଥିଲେ । ଏଇ ଅତି ଆପଣାର ସାଇଟା ତା’କୁ କିପରି ଖାପଛଡ଼ା ଲାଗୁଥିଲା । ସେ ଗାଁ ଛାଡ଼ି କଟକ ଫେରିଯିବାକୁ ବ୍ୟସ୍ତ ହୋଇପଡ଼ିଲା ।

 

ସୁରୁଜ ଦେବତା ମଥାନ ଧରି ଗଲେଣି । ବିନୟବାବୁ ସେଦିନ କୌଣସି ଏକ କାମ ନେଇ ଘରୁ ବାହାରକୁ ବାହାରି ଯାଇଥାନ୍ତି । ଶାନ୍ତିଦେବୀ ରନ୍ଧାବଢ଼ା ସାରି ଅମରକୁ ଖାଇବାକୁ ଦେଉଥାନ୍ତି । ଅମର ଖାଉଥାଏ । ଖାଇବାକୁ ଦେଇସାରି ସେ ଅମର ପାଖରେ ବସିଗଲେ । ମୁହଁଟି ତାଙ୍କର ମଳିନ ଦିଶୁଥାଏ । ଖାଇବାକୁ ଦେଇ ଥକ୍‌କା ହୋଇ ସେଇଠି ସେ ନୀରବରେ ବସିଥାନ୍ତି । ଆଜି ସକାଳୁ ମନରେ ତାଙ୍କର କିଛି ଗୋଟାଏ ବଡ଼ ଧରଣର ଆଘାତ ଲାଗିଥିବାର ଅମର ଅନୁମାନ କରିଥିଲା । ହେଲେ ଏତେବେଳ ଯାଏ ତା’ର କାରଣ ସେ କିଛି ଖୋଜି ପାଇ ପାରି ନ ଥିଲା । ମନରେ ତା’ର ସନ୍ଦେହର ପାହାଡ଼ ଭାଙ୍ଗି ପଡ଼ୁଥିଲା । ସେ ତା’ର ବୋଉକୁ କଅଣ ପଚାରିବ ଭାବି ଭାବି କିଛି ହେଲେ ପଚାରି ପାରି ନ ଥିଲା । ମନେ ମନେ ସେ ନିଜକୁ ଦୋଷୀ ସାବ୍ୟସ୍ତ କରି ନେଇଥିଲା । କିନ୍ତୁ ଏ କ’ଣ ? ବୋଉର ଆଖିରୁ ତା’ର ଦୁଇ ଟୋପା ଲୁହ ଗଡ଼ିପଡ଼ିଲା ଯେ । ବୋଉ କିନ୍ତୁ ତା’ର ମୁହଁଟିକୁ ବୁଲାଇ ନେଇଥିଲା ଅମରକୁ ନ ଜଣାଇବା ଉଦ୍ଦେଶ୍ୟରେ । ଅମର ଆଖିରେ ସେ କିନ୍ତୁ ଧରା ପଡ଼ିଗଲେ । ଅମର ବ୍ୟସ୍ତ ହୋଇ ପଡ଼ିଲା । ତା’ ଛାତି ଭିତର ପିଞ୍ଜରା ହାଡ଼ ଗୁଡ଼ିକ କମ୍ପି ଉଠିଲା । ସେ ନିଜକୁ ସମ୍ଭାଳି ପାରିଲାନି । ସେ ଆଉ ନୀରବଦ୍ରଷ୍ଟା ହୋଇ ରହି ପାରିଲାନି ।

 

କ’ଣ ହୋଇଛି ତୋର ବୋଉ ! ଖୁବ୍‌ ଜୋରରେ ପାଟି କରି ଉଠିଲା ସେ ।

 

ନା ମୋର କିଛି ହୋଇନି ତୁ ଖାଇ ଦେ । ଅମର କିଛି କହି ପାରିଲାନି । କିଛି ନ କହି ସେ ଚୁପ୍‍ ହୋଇ ବସି ରହିଲା ।

 

ଆରେ ବସି ରହିଲୁ କଅଣ ? ମୋର ତ କିଛି ହୋଇନି । ଖାଇ ଦେ...... ।

 

ଅମରକୁ ଭୁଲେଇବାକୁ ଚେଷ୍ଟା କରୁଥିଲେ ଶାନ୍ତିଦେବୀ । ହେଲେ ଅମରକୁ ଠକି ଦେବାର ଚେଷ୍ଟା ତାଙ୍କର ବିଫଳ ହେଲା ।

 

ତୋର କ’ଣ ହୋଇଛି ନ କହିଲେ ମୁଁ ଖାଇବିନି । ଅମର ନ ଖାଇ ଅଡ଼ି ବସିଲା କଥାଟାର ରହସ୍ୟ ବୁଝିବା ଲାଗି ।

 

ଅଗତ୍ୟା ବାଧ୍ୟ ହେଲେ ଶାନ୍ତିଦେବୀ କଥାଟାକୁ ଖୋଲି ପ୍ରକାଶ କରିବା ଲାଗି । ପ୍ରଥମେ ପ୍ରଥମେ ହପିଛପି ହେଉଥିଲେ କଥାଟାକୁ ଫିଟାଇ ଦେବାପାଇଁ । ସେ ଚାହୁଁଥିଲେ କଥାଟାକୁ ଗୋଳିଆମିଶା କରିଦେବାକୁ । ହେଲେ ଅମର ଏକଜିଦିଆ ପିଲା । ଅମର ଆଗରେ କଥାଟା ଲୁଚାଇ ଦେବାକୁ କାଠିକର ପାଠ । ତେଣୁ ସେ ବାଧ୍ୟ ହେଲେ ଘଟିଥିବା ସକାଳର କଥାଟାକୁ କହିବା ପାଇଁ ।

 

ସକାଳୁ ସକାଳୁ ନିତିଦିନିଆ କାମସାରି ଅମରର ବାପା ଗାଧୋଇ ଆସିଲେ । ସକାଳର ଭୋଜନ ପାଇଁ ଶାନ୍ତିଦେବୀ ଜଳଖିଆ ଏବଂ ଚା’ର ଯୋଗାଡ଼ କରିନେଲେ । ବିନୟ ବାବୁ ଜଳଖିଆ ଖାଉଥାନ୍ତି । ହଠାତ୍‍ କିନ୍ତୁ ସେ ଅନ୍ୟମନସ୍କ ହୋଇ ଉଠିଲେ । ହାତ ତାଙ୍କର ସେଇ ଜଳଖିଆ ପାତ୍ରରେ ଥାଏ । ଆଖିରୁ ତାଙ୍କର ଥପ୍‌ଥପ୍‌ ହୋଇ ଲୁହଧାର ଗଡ଼ି ପଡ଼ିଲା । ଥର ଥର କଣ୍ଠରେ ଶାନ୍ତିଦେବୀଙ୍କ ମୁହଁକୁ ଚାହିଁ ସେ କହିଲେ–

 

ସତରେ କ’ଣ ମୁଁ ଅମରର ବିଭାଘର ଦେଖିପାରିବିନି । ସେ ତ ଏ ବର୍ଷ ବିଭା ହେବାକୁ ରାଜି ହେଉନି । ତେପନ ବର୍ଷରେ ମୋର ଘାଟିଥିବାର ତ ପଣ୍ଡିତ କହିଛି । ତେବେ ଯାହା ମୋର ଭାଗ୍ୟରେ ଥିବ । ଗୋଟିଏ ବୋଲି ପୁଅ । ଆଉ କିଛି କହି ପାରିଲେନି ସେ । କଣ୍ଠ ତାଙ୍କର ରୁଦ୍ଧ ହୋଇ ଆସିଲା । ଖାଇବା ସ୍ଥାନରୁ ଉଠିଗଲେ ସେ ।

 

ଶାନ୍ତିଦେବୀଙ୍କ ଆଖିରୁ ଲୋତକର ଧାର ଛୁଟି ଚାଲିଥିଲା । ପାଟି ତାଙ୍କର ଖନି ମାରିଗଲା । ସେ ସେମିତି ଢେବା ଢେବା ଆଖିରେ ପୁଅ ମୁହଁକୁ ଚାହିଁ ରହିଥାନ୍ତି । ଅମର ଆଉ ସହ୍ୟ କରିପାରିଲାନି । ଧୈର୍ଯ୍ୟର ବାଲିବନ୍ଧ ତା’ର ଭୂଷୁଡ଼ି ପଡ଼ିଲା । ସେ ବୋକା ପାଲଟି ଯାଇଥିଲା-। ତା’ର ଅଜାଣତରେ ଆଖିର ଲୁହଧାର ଭାତଥାଳି ଭିଜାଇ ଦେଇଥିଲା । ତା’ପରେ କୋହ । କୋହ ପରେ କୋହ । ସେ ଭେଁ ଭେଁ ହୋଇ ଛୁଆଙ୍କ ଭଳି କାନ୍ଦି ଉଠିଥିଲା । ବୋଉ ତା’ର ବସିବା ସ୍ଥାନରୁ ଉଠି ଆସି ଅନେକ ବୁଝାଇଥିଲା । ପାଖ ପଡ଼ିଶା ଘର ଆଉ କେତେ ମାଇପି ଲୋକ ଧାଇଁ ଆସିଥିଲେ । ସେମାନେ ଅନେକ ବୁଝାଇଥିଲେ । ହେଲେ ତା’ର ଅମାନିଆ ମନ ଏତେ ଶୀଘ୍ର ବୁଝିଲାନି । କୋହ ପରେ କୋହ ତା’ର ସେମିତି ଲାଗି ରହିଥିଲା । ଆଖିରୁ ତା’ର ଶ୍ରାବଣର ଧାରା ଛୁଟି ଚାଲିଥିଲା ।

 

କେହି ଜଣେ ମାଇପି ଲୋକ କଥାଟା ନ ବୁଝିଥିଲେ ହେଁ ଅମର ପାଖକୁ ଲାଗି ଆସି ତା’ର ପିଠି ଆଉଁଷାଇ ଦେଇ କହିଥିଲା–

 

ତମର ଏତେ ଜିଗର କାହିଁକି । ତା’ର ଯେବେ ଇଚ୍ଛା ନାହିଁ ତେବେ ବାହାଘର ଅଇଚ୍ଛା ନ ହଉ । କୋଉ ବାହା ବଅସ ବଳେଇ ଗଲାଇଁ ନା କ’ଣ ବା । ଛୁଆଟାଏ । ତା’ର ପାଠପଢ଼ା ସରୁ ବାହାଘର ହବ । ଏତେ ତରତର କାହିଁକି ।

 

ଅମର କିନ୍ତୁ କାନ୍ଦ କାନ୍ଦ ହୋଇ ପ୍ରତିବାଦ କଲାଭଳି କଣ୍ଠରେ କହିଥିଲା ନାଁ । ....ବିଭାଘର ହେବ । ଏଇ ବର୍ଷ ହବ । ହଁ ଏଇ ବର୍ଷ ମୋର ନିଶ୍ଚୟ ବିଭାଘର ହେବ ।

 

ତା’ପରେ ଆଖିରୁ ଲୁହ ପୋଛି ଖାଇବା ସ୍ଥାନରୁ ସେ ଉଠି ଯାଇଥିଲା ହାତ ଧୋଇବା ପାଇଁ । ପରଦିନ ସକାଳ ସାତଟା ଅମର ତା’ର ଆଟାଚିଟା ଭଲରୂପେ ଦେଖି ନେଇ କଟକ ବାହାରିଲା । ମିଲି ଏବଂ ତା’ର ବୋଉ ବଳେଇ ଦେବାକୁ ଆସିଲେ । ଗାଁ ସେପଟ ରାସ୍ତାର ଅନେକ ବାଟ ସେମାନେ ଅତିକ୍ରମ କରି ଆସିଥିଲେ । ସେଇଠୁ ସେମାନେ ଘରକୁ ଫେରିଯିବା ପାଇଁ ଅମର ବାଧ୍ୟ କରିଥିଲା । ଶାନ୍ତିଦେବୀଙ୍କ ଆଖିରେ ଲୋତକ ଟଳମଳ ହେଉଥିଲା । ସତେ ଯେପରି ସେଇ ଟଣାଟଣା ଆଖି ଦୁଇଟାରେ ଅନେକ ପ୍ରଶ୍ନବାଚୀର ଉଦ୍‍ବେଳନ । ଭୂମିଷ୍ଠ ପ୍ରଣାମ ପରେ କାନ୍ଦିବାକୁ ବାରଣ କରିଥିଲା ସେ ତା’ର ବୋଉକୁ । ତା’ପରେ ସେ ଧୀର ପଦକ୍ଷେପରେ ଆଗେଇ ଯାଇଥିଲା । ଶାନ୍ତିଦେବୀ ଚାହିଁ ରହିଥିଲେ ସେଇଆଡ଼େ ଏକ ଲକ୍ଷ୍ୟରେ ଅମର ପଛକୁ ଚାହିଁ ଚାହିଁ ଭଙ୍ଗା ମନ ନେଇ ଚାଲି ଯାଇଥିଲା ଦୂରକୁ । ଅନେକ ଦୂରକୁ । ତା’ପରେ ଶାନ୍ତଦେବୀଙ୍କ ଆଖିର ଆଢ଼ୁଆଳ ହୋଇଯାଇଥିଲା ସେ । ସେ ଫେରି ଆସିଥିଲେ ଘରକୁ ମିଲିକୁ ସଙ୍ଗରେ ନେଇ ।

 

ଫାଲ୍‌ଗୁନ ମାସ । ଧୋବ ଧାଉଲ ଲୁଗା ପିନ୍ଧି ପଞ୍ଝା ପଞ୍ଝା ହୋଇ ଲୋକେ ଚାଲିଥାନ୍ତି ରାସ୍ତାଘାଟ, ଗାଁକୁ ଗାଁ, ଏ ଗାଁରୁ ସେ ଗାଁ ବିବାହ ଅନୁକୁଳ ନେଇ । କେହି ଘରବର ଦେଖି ଯାଉଥାନ୍ତି ତ ଅନ୍ୟ କେହି ବୋହୂ ଦେଖି ଚାଲିଥାନ୍ତି ପାନକୁଟାରୁ ପାନ କାଢ଼ି ପାକୁଆ ପାଟିକୁ ପକାଇ ପକାଇ । ଏ ମାସରେ ବିବାହର ଆୟୋଜନ ନେଇ ଚାରିଆଡ଼େ ବ୍ୟସ୍ତତା ଦେଖା ଦେଇଛି-। କାରଣ ଏଇ ମାସ ପରେ ଏ ବର୍ଷର ବିବାହ ସରିଯିବ । ଏହା ପରଠାରୁ ଦଶ ମାସ ଯାଏ ପୁଣି ବିବାହ ପାଇଁ ଶୁଭଦିନ ନାହିଁ ବୋଲି ପାଞ୍ଜିକାରଙ୍କର ମତ । ସେଥିନେଇ କି ଗାଁ, କି ସହର ଚାରିଆଡ଼େ ବିବାହର ହଇଚଇ ଲାଗିଛି ।

 

ଚାରିଟା ବାଜିବାରୁ ସ୍କୁଲରେ ଛୁଟି ଘଣ୍ଟା ଟିଙ୍ଗ୍‌ଟିଙ୍ଗ୍‌ ହୋଇ ବାଜି ଉଠିଲା । ପିଲାଏ ମନ ଖୁସିରେ ଝୁଲା ଚଟେଇ ଧରି ନିଜ ନିଜର ଘରିଆଡ଼େ ଦଉଡ଼ୁଥାନ୍ତି । ନିଧି ମାଷ୍ଟ୍ରେ ପଦ୍ମପୁର ଗାଁ ଅଭିମୁଖେ ଆସୁଥିଲେ । ଏଇ ଗାଁ । ଅପର ପ୍ରାଇମେରୀ ସ୍କୁଲର ଶିକ୍ଷକ ସେ । ଦୁଇ ତିନି ମାଇଲ ଦୂର ହେବ ତାଙ୍କ ଗାଁ । ଏଇ ସ୍କୁଲ ହେବା ଦିନଠାରୁ ସେ ଏଇଠି ଚାକିରି କରିଛନ୍ତି । ଜ୍ୟୋତିଷ ବିଦ୍ୟା ମାଲୁମ ତାଙ୍କୁ । ପ୍ରଥମେ ସେ ଏଇ ବେଉସା କରି ଦିନ କାଟୁଥିଲେ । କିନ୍ତୁ ଏଇ ସ୍କୁଲ ହେବା ଦିନଠାରୁ ବହୁ କଷ୍ଟରେ ଚାକିରି ଖଣ୍ଡେ ପାଇଥିଲେ ସେ । କିନ୍ତୁ ତାଙ୍କର ସେଇ ପୁରୁଣା ଅଭ୍ୟାସଟିକୁ ଛାଡ଼ିପାରି ନାହାନ୍ତି ସେ ଆଜିଯାଏ । ଖଡ଼ି ପକାଇବା, ଜାତକ ଦେଖିବା ଓ ଘରତୋଳିବା ପାଇଁ ବାଣି କାଟିବା ପ୍ରଭୃତି କାମରୁ ବେଶ୍ ଉପରୁ ଦୁଇ ପଇସା ରୋଜଗାର କରନ୍ତି ସେ ଏଇ ଆଖପାଖ ଗାଁ କେତେ ଖଣ୍ଡିରୁ ।

 

ଏଇ ବିନୟବାବୁଙ୍କ ଘରକୁ ସେ ଗଲେ । ବୋଧହୁଏ ସେ ଖବର ପଠାଇଥିଲେ ନିଧି ମାଷ୍ଟରଙ୍କ ପାଖକୁ । ତାଙ୍କୁ ଆସିବାର ଦେଖି ମିଲି ମିଲି ଡାକ ପକାଇଲେ ବିନୟବାବୁ । ମିଲି ଖଣ୍ଡେ ଶଉପ ଆଣି ପହଞ୍ଚିଗଲା । ଶଉପଟିକୁ ସାଇ ବାରଣ୍ଡାରେ ଲମ୍ବାଇ ଦେଇ ଦୁହେଁ ବସିଗଲେ । ତା’ପରେ ଜାତକ ଆସିଲା । ମଣିପୁର ଲୋକନାଥ ବାବୁଙ୍କ ଝିଅର ଜାତକ ଆଣିଥିଲା ସେଇ ଗାଁର ଜଣେ ମଧ୍ୟସ୍ଥି । ଗତକାଲି ଜାତକ ଆଣି ଆସିଥିଲା ସେ । ଜାତକଟିକୁ ରଖିଥିଲେ ଏମାନେ । ଆଖିରେ ଚଷମା ଲଗାଇ ଦୁଇ କାନରେ ବାଣି ଗୁଡ଼ାଇ ଦୁଇଟାଯାକ ଜାତକକୁ ନିରେଖି ଚାହିଁ ମନେ ମନେ କ’ଣ ଗୁଡ଼ାଏ ଗୁଣୁଗୁଣୁ ହେଉଥିଲେ ନିଧି ମାଷ୍ଟ୍ରେ । ତା’ପରେ ଆଙ୍ଗୁଳି ଗଣି ନାକ ଟେକି ମୁଣ୍ଡ ହଲାଇବାରେ ଲାଗିଲେ ସେ । ଶେଷରେ ଆଖିରୁ ଚଷମା କାଢ଼ି ବିନୟବାବୁଙ୍କ ଆଡ଼କୁ ଚାହିଁ ରବିଶୁଦ୍ଧି ଗୁରୁଶୁଦ୍ଧି ପଡ଼ୁନି ବୋଲି ମନ୍ତବ୍ୟ ଦେଲେ ସେ । ବିନୟବାବୁଙ୍କ ମନଟା ନିରସ ହୋଇଗଲା ସଙ୍ଗେ ସଙ୍ଗେ । ତା’ପରେ ନିଧି ମାଷ୍ଟରଙ୍କୁ ବିଦାୟ ଦେବା ପରେ ଥକ୍‌କା ହୋଇ ବସିଗଲେ ସେ ।

 

ଶାନ୍ତିଦେବୀ ଅନେକ ପ୍ରତ୍ୟାଶା ନେଇ ସେପଟ ଘରୁ ଧାଇଁ ଆସିଥିଲେ ସ୍ଵାମୀଙ୍କ ପାଖକୁ-। ସ୍ଵାମୀଙ୍କ ମୁହଁ ଦେଖି ସେ କିନ୍ତୁ ତାଙ୍କ ପ୍ରଶ୍ନର ଉତ୍ତର ପାଇ ପାରିଥିଲେ ଆପେ ଆପେ । ଉପରକୁ ମୁହଁ ଟେକି ଦୀର୍ଘଶ୍ଵାସ ଛାଡ଼ିଲେ ବିନୟବାବୁ ।

 

କିଛି ହୋଇପାରିବନି ମିଲି ବୋଉ । କେଉଁଠି ଝିଅ ଦେଖି ମନ ମାନୁନି ତ ଆଉ କେଉଁଠି ଜାତକ ପଡ଼ୁନି । ଏଇଭଳି ଅନେକ ପ୍ରସ୍ତାବ ତ ଭାଙ୍ଗି ଗଲାଣି । ଭାବିଥିଲି ଏଇଠାରେ ଜାତକଟା ପଡ଼ିଥିଲେ ଭଲ ହୋଇଥାନ୍ତା । ଝିଅଟି ମାଟ୍ରିକ ପାଶ କରିଛି । ଦେଖିବାକୁ ବି ସୁନ୍ଦର ପିଲାଟି । ମୋତେ ଆଉ କିଛି ବୁଦ୍ଧି ଦିଶୁନି । ଶେଷରେ ଚୁପ୍‌ ହୋଇ ବସିବା ବ୍ୟତୀତ ଆଉ କିଛି ଉପାୟ ନାହିଁ ।

 

ଆମେ ଆଉ କ’ଣ କରିବା । ତା’ର ଯୋଉଠି ହବାର ଥିବ ସେଇଠି ଯେମିତି ହେଲେ ହେବ । ବାହା ଜାତରା ଫିଟିଲେ ବଳେ ବଳେ ହେଇଯିବ । ବଉଦପୁରେ ତ ତେମେ ରାଜି ହେଉନ-। ସେଠୁ ଜାତକ ମଗେଇ ପଠେଇଥିଲେ ଦେଖିଥାନ୍ତେ ।

 

ଅମର ଆମର ବି.ଏ ପାସ କରିବ । ତା’ପରେ ପୁଣି ସେ ଏମ. ଏ. ପଢ଼ିବ । ତେଣୁ ତା’ ଯୋଗ୍ୟତା ନେଇ ପୁଣି ତ ସେଇଭଳି ଗୋଟିଏ ବୋହୂ ଆଣିବା ଦରକାର । ବଉଦପୁର ପ୍ରସ୍ତାବଟି ମନ୍ଦ ନୁହେଁ । ହେଲେ ଝିଅଟି ମାତ୍ର ମାଇନର ପଢ଼ିଛି । ସେଇଥିନେଇ ମୋର ମନ ଚାଲୁନି । ଅମର କ’ଣ ଏ ପ୍ରସ୍ତାବରେ କେବେ ରାଜି ହେବ ।

 

ମୋର କିନ୍ତୁ ପାଠପଢ଼ା ବୋହୂ ଘରକୁ ଆଣିବାକୁ ଆଦୌ ଇଚ୍ଛା ନୁହଁ । ଏଇ ଗାଁରେ ଦେଖୁଛ ପରା ପାଠପଢ଼ା ବୋହୂ କ’ଣ ସବୁ ଆଣି ନାହାଁନ୍ତି । ହେଲେ କାମଧନ୍ଦାରେ ନାଁ ଗନ୍ଧ ନାହିଁ । ରୋଷେଇବାସେଇ ତ ଛାଡ଼ । କିଏ ଦିନ ତମାମ ଖାଲି ଶୋଉଚି ତ ଆଉ କାହାର ବେଶ ପୋଷାକ ହୋଇ ଛଇଛଟକ ହେବାରେ ଦିନ ଯାଉଚି । ଏଇ ସେଇ ମୁଦୁଲି ଘର ବୋହୂ । ପଢ଼ା ବୋହୂ, ଦେଖି ଘରକୁ ଆଣିଥିଲେ । ହେଲେ ସେ ଘରକୁ ଆସିବାର ମାସ ଗୋଟାଏ ହେଇଚି କି ନାଇଁ ଗେରସ୍ତ ଭାର୍ଯ୍ୟା ଦୁହେଁ ସହରକୁ ଛୁ । ଏଣେ ବୁଢ଼ୀଟା ରୋଷେଇବାସେଇ କରୁଚି ଏ ବଅସରେ ।

 

ଛାଡ଼ ଯାହାକୁ ଯାହା ଭୋଗିବାକୁ ଥିବ ତାହା ହିଁ ଭୋଗିବାକୁ ପଡ଼ିବ । ତୁମେ ତା’ହେଲେ କ’ଣ କହୁଛ ବଉଦପୁରରୁ ଜାତକଟା ମଗେଇ ପଠାଇବା ।

 

ହଁ ମୋର ଇଚ୍ଛା ସେଇଆ । ଏଇ ମୂଷେଇ ପଧାନ ଭାରିଯା ନବଣୀ । ତା’ ବୋପାଘର ସେଇ ଗାଁରେ । ସେ ପରା ମୋତେ କଉଥିଲା ଆମର ବାହାଘର–ସେଇଠି ହେଲେ ଭଲ ହୁଅନ୍ତା । ଝିଅଟି ଗୋଟିଏ ଚାଉଳରେ ଗଢ଼ା । ଦେଖିବାକୁ ଟିକେ ଶ୍ୟାମଳ ବର୍ଣ୍ଣ । ହଉ, ଖରାପ କଅଣ । ତେମେ ବାପ ପୁଅ ଗେଟିଏ କାଟର ଆଉ ଆମେ ମା, ଝିଅ, ବୋହୂ, ଗୋଟିଏ କାଟର ହୁଅନ୍ତୁ । ଘଡ଼ିକରେ ବାଜବୀଣା ପରି ସବୁକାମ କରି ଥୋଇଦେବ ପରା । ଆଉ ମାଇନର ତ ପଢ଼ିଚି । ଚିଠି ଲେଖିପାରିବ, ବହି ତ ପଢ଼ିପାରିବ । ଆଉ ଅମର କାଇଁକି ରାଜି ହେବନି । ଆମବେଳେ ତ ଆମେ ସବୁ ପଢ଼ି ନଥିଲୁ । ଆମେ ଆଉ କଅଣ ଘରକୁ ବୋହୂ ହେଇ ଆସିନୁ ନା ଘର କରିନୁ ।

 

ଆଚ୍ଛା ହେଲା ଜାତକଟା ମଗେଇ ପଠାଇବା । କାଲି ସକାଳୁ ବଉଦପୁରକୁ ମଣିଷ ପଠାଇବା । ଜାତକଟା ପଡ଼ିଲେ ତା’ପରେ ଯାଇଁ ଯେଉଁକଥା ।

 

ଜାତକ ଆସିଲା । ତା’ପରେ ବୋହୂ ଦେଖା ହେଲା । ବିନୟ ବାବୁଙ୍କର ମନକୁ ପାଇଲା-। ତା’ପରେ ଅନ୍ୟ ବନ୍ଧୁବାନ୍ଧବଙ୍କ ସହ ଶାନ୍ତିଦେବୀ ବି ବୋହୂ ଦେଖି ଆସିଲେ । ଅମରର ମାମୁଁ ପ୍ରଭୃତି, କେତେ ଜଣ ଅମଙ୍ଗ ହୋଇଥିଲେ ଝିଅର ବର୍ଣ୍ଣ ନିରସ ହେତୁ । ପୁଅ ସହିତ ବୋହୂ ପଡ଼ିବନି । ଗୋଟିଏ ବୋଲି ପୁଅ । କେତେ ଭଲ ପ୍ରସ୍ତାବ ଆସିବ । ଝିଅ ପୁଣି ମନ ମୁତାବକ ପାଠ ପଢ଼ିନି । ଏତେ ତରବର କାହିଁକି ?

 

ଶାନ୍ତିଦେବୀଙ୍କ ମନ କିନ୍ତୁ ବେଶ ମାନିଥିଲା ଏଇଠାରେ ସବୁଦିନ ପାଇଁ ବନ୍ଧୁ ବାନ୍ଧିବାକୁ ବୋହୂ ଦେଖି ଆସିବା ପରେ । ବେଶ୍‌ ସୁନ୍ଦର ମଣିଷ କେତେଟା । ଶାନ୍ତ ସରଳ ନିରୀହ ସେମାନେ-। ଆଉ ଝିଅ ସେଇମାନଙ୍କ ପରିବେଶରେ ବଢ଼ି ବ୍ୟତିକ୍ରମ ହୁଅନ୍ତା ବା କିପରି । ଶାନ୍ତିଦେବୀ ସେଦିନ ଦୀର୍ଘ ଏକ ଘଣ୍ଟା ଧରି ତା’ ସହିତ କଥାଭାଷା ହେଲେ । କେଡ଼େ ମଧୁର କୋମଳ ତା’ର କଥା ସତେ । ଆନୁଗତ୍ୟରେ ଲାଜେଇ ଲାଜେଇ ଯାଉଥିଲା ସେ । ମାର୍ଜିତ ତା’ର ବେଶଭୂଷା ଏବଂ ଚାଲିଚଳନ । ଅତ୍ୟାଧୁନିକତାର ଅଙ୍ଗାଭରଣରେ ସେ ନିଜକୁ ନାଚବାଲିର ଛଇଛଟକରେ ସଜେଇ ହେଇ ନଥିଲା । ତଥାପି ତା’ର ପ୍ରତି ଅବୟବରେ ଯୁବତୀ ସୁଲଭ ସୌନ୍ଦର୍ଯ୍ୟ ଫୁଟି ଉଠୁଥିଲା । କଳା ମଚମଚ ଘନ କେଶରାଶି ତା’ର ଜାନୁ ସ୍ପର୍ଶ କରୁଥିଲା । ଆଉ ଚାଲି, ଢଳଢଳ ଚାଲିରେ ତା’ର ମନ ପୂରି ଉଠୁଥିଲା । ପୁଣି ସେଇ ଟଣା ଟଣା ଆଖି ଦୁଇଟି । ସତରେ କେଡ଼େ ସୁନ୍ଦର ତା’ର ଅଙ୍ଗସୌଷ୍ଠବ । ସୁନ୍ଦର ଅଙ୍ଗଲତାରେ ତା’ର ମାଦକତା ପୂରି ରହିଥିଲା ।

 

ସେଦିନ ସେ ତା’କୁ ପାଖରେ ବସାଇ କେତେ କଥା ଗପି ଯାଇଥିଲେ । ପୁଅ ତାଙ୍କର ତୁଳସୀ । ଭାରି ଭଲ । କୋଟିକରେ ଗୋଟିଏ ମିଳିବା କଷ୍ଟ । ତା’ପରେ କେତେ ପ୍ରଶ୍ନ ପଚାରିଥିଲେ ସେ ତା’କୁ । କେଉଁଯାଏ ପଢ଼ିଚୁ, ରୋଷେଇ ଆସେ କି ନା ଏଇଭଳି ଅନେକ ପ୍ରଶ୍ନ ଉତ୍ତର ପରେ ତା’ ପିଠିରେ ହାତ ବୁଲାଇ ଘରକୁ ତା’କୁ ବୋହୂ କରି ନେବେ ବୋଲି କଥା ଦେଇ ଆସିଛନ୍ତି । ତେଣୁ ସେ କାହାରି କଥା ଶୁଣିବା ପାଇଁ ନାରାଜ । ତାଙ୍କର ସେଇ ଏକାଜିଦ୍‌ ସେଇଠି ହିଁ ବାହାଘର ହେବ ।

 

ସନ୍ଧ୍ୟା ଅପସରି ଗଲାଣି । ବାରଣ୍ଡାରେ ଗୋଟିଏ ଚେୟାର ଉପରେ ବିନୟବାବୁ ବସିଥାନ୍ତି । ମିଲିକୁ କୋଳରେ ଧରି ଶାନ୍ତିଦେବୀ ତଳେ ବସିଥାନ୍ତି । ଅଳ୍ପ ଦୂରରେ ଠିଆ ହୋଇଥାଏ ଅମର । ଆଜି ସେ କଟକରୁ ଆସିଥିଲା । ବାପାଙ୍କ ଚିଠି ପାଇଁ କ୍ଳାସ ବନ୍ଦ କରି ଶୀଘ୍ର ଘରକୁ ଫେରି ଆସିଲା ସେ । କିଛି ଗୋଟାଏ ଜରୁରୀ କାମ ଭାବି ବସିବା ସ୍ଥାନରୁ ଉଠି ଆସିଥିଲା । ବାପା ସେଦିନ କହିଥିଲେ–

 

ଆରେ ବଉଦପୁରେ ଗୋଟିଏ ପ୍ରସ୍ତାବ ଅଛି । ଆମେ ବୋହୂ ଦେଖି ଆସିଛୁ । ଝିଅ ମାଇନର ପାସ କରିଛି । ତୋର କ’ଣ ଇଚ୍ଛା ?

 

ଅମର କଥାଟି ଶୁଣି ସ୍ତବ୍‌ଧ ହୋଇଗଲା । ସେ ଭାବି ନ ଥିଲା ବାପା ତା’ର ଏଭଳି ଏକ ପ୍ରସ୍ତାବ ତା’କୁ ପଚାରି ବସିବେ ବୋଲି । ସେ ଭାବିଥିଲା ବାପା ତା’ର ନିଶ୍ଚିତ ଗୋଟିଏ ଶିକ୍ଷିତା ଝିଅ ଘରକୁ ବୋହୂ କରି ଆଣିବେ ବୋଲି । ତେଣୁ ହଠାତ୍‌ ବାପାଙ୍କ ସମ୍ମୁଖରେ ଏଭଳି ଏକ ପ୍ରଶ୍ନର ଉତ୍ତର ଦେବାପାଇଁ ପ୍ରଥମେ ସେ ହରବରେଇ ଯାଇଥିଲା । ମାତ୍ର ପରେ ପରେ ନିଜ ଜୀବନ ବିଷୟକ ସମସ୍ୟାର ଖୋଲାଖୋଲି ଆଲୋଚନା ପାଇଁ ସେ ପ୍ରସ୍ତୁତ ହୋଇଗଲା ।

 

ବର୍ତ୍ତମାନ କ’ଣ ଶିକ୍ଷିତା ଝିଅଙ୍କର ଅଭାବ ଅଛି । ତେବେ ଜାଣୁ ଜାଣୁ କିଭଳି ଗୋଟିଏ ଅଶିକ୍ଷିତା ଝିଅ ସହ ମୋର ବିବାହ ହେବ । ନା ଆମର ସେଠି ବିଭାଘର ହୋଇପାରିବନି ।

 

ମୋର କ’ଣ ଇଚ୍ଛା, ନାହିଁ ଗୋଟିଏ ପଢ଼ା ବୋହୂ ଘରକୁ ଆଣିବା ପାଇଁ । ହେଲେ କେଉଁଠି ମୋର ମନ ମାନୁନି ତ ଆଉ କେଉଁଠି ଜାତକ ପଡ଼ୁନି । ତୁ କ’ଣ କହୁଛୁ ଜାତକ ନ ଦେଖି ବିଭାଘର କରିବା ବୋଲି ।

 

ନାଁ, ମୁଁ ସେ କଥା କହୁନି ଯେ ହେଲେ ସେଠାରେ ବିଭାଘର ହେବାପାଇଁ ମୋର ଇଚ୍ଛା ନୁହେଁ । କାରଣ ମୋ ସହିତ ତାଳ ଦେଇ ସେ ଚାଲିପାରିବ ନାହିଁ । ସେଠାରେ ବିଭାଘର ହେଲେ ମୁଁ ସୁଖି ହୋଇପାରିବିନି ।

 

ମାଇନର ପଢ଼ିଲେ କଅଣ ହେଲା, ମୁଁ ଯାହା ଦେଖିଲି ପିଲାଟି ଭାରି ଚାଲାଖ ତା’ର ବ୍ୟବହାର ଖୁବ୍‍ ଭଲ । ପୂରା ଲକ୍ଷ୍ମୀ–ମୁଁ କହୁଛି ତୋ ଜୀବନରେ ତୁ ନିଶ୍ଚୟ ସୁଖୀ ହେବୁ । ତୁ ଶାନ୍ତିରେ ରହିପାରିବୁ ।

 

ମାଇନର ତ ପଢ଼ିଚି ଆଉ ଅଧିକା ପଢ଼ିବା କ’ଣ ଦରକାର । ଆଜିକାଲିକା ଝୁଅ ଯେମିତି ଶାଶୁଘର ଆସି ଚାକିରି କରି ଯାଉଛନ୍ତି ତୁ କ’ଣ କଉଚୁ ବୋହୂ, ଆମର ଚାକିରି କରିଯିବ । ଆମର ଯେ କ’ଣ ଅଭାବ ଅଛି । ତୋ ପାଇଁ ଆମେ କ’ଣ ନ ରଖିଛୁ କହିଲୁ । ଆମେ ବୋହୂ ଦେଖି ଆସିଲୁଣି । ବାହାଘର ହେବ ବୋଲି ଆମେ ଜବାବ ଦେଇଛୁ । ତୋର ଯାହା ଇଚ୍ଛା । ତୁ ଯଦି ମନା କରିବୁ ଆମର ଆଉ ଚାରା କଅଣ ।

 

ତୁ ଜନ୍ମ ଦେଇ ତୁ ତୋର ପୁଅକୁ ଆଜିଯାଏ ଚିହ୍ନି ପାରିଲୁନି । ତୋର ଭୟ ହଉଛି ଘରକୁ ପାଠପଢ଼ା ବୋହୂ ଆଣିଲେ କାଳେ ଘରଛାଡ଼ି ସହରକୁ ପଳାଇଯିବ ନା ବେଶ୍ । ତୁମେ ଯେବେ ଜବାବ ଦେଇ ସାରିଛ ତେବେ ମୋତେ ପୁଣି ପଚାରିବାର ଆବଶ୍ୟକତା କ’ଣ ଥିଲା । ତମେ ଜନ୍ମ ଦେଇଛ । ଗୋଟିଏ ପୁଅ ବୋଲି ଅତି ଯତ୍ନର ସହିତ ବଢ଼ାଇ ଆଣିଛ । ମୁଁ କ’ଣ କେବେ ତୁମ କଥାରୁ ବାହାରି ଯାଇପାରିବି ।

 

ଆରେ ନାଁ ମ । ଜବାବ କିଏ ଦେଇଛି । ବୋହୂ ଦେଖା ହୋଇଗଲା ବୋଲି କ’ଣ ସବୁ ସରିଗଲା । ବେଦିରୁ ବର ଲେଉଟି ଆସୁଛି । ସେଥିରେ କ’ଣ ଅଛି । ତୁ ସିନା ସୁଖୀ ହେଲେ ଆମେ ସୁଖୀ । କାଲି ତେବେ ତାଙ୍କ ଘରକୁ ମନା କରି ପଠାଇବା ଆମର ଏ ବର୍ଷ ବିଭାଘର ହେବନି ବୋଲି ।

 

ଅମର ନୀରବ ରହିଥିଲା । ଗୋଟିଏ ଦୀର୍ଘଶ୍ଵାସ ପକାଇ ସେ ଧୀରେ ଚାଲି ଯାଇଥିଲା ସେଠାରୁ । ଶାନ୍ତିଦେବୀ ଦୁଃଖରେ ମୁଣ୍ଡ ତଳକୁ କରି ବସିଥିଲେ ।

 

ସୁରୁଜ ଦେବତା ମା’ କୋଳରେ ଆଶ୍ରୟ ନେଲେଣି । ଆକାଶରେ ଗୋଟି ଗୋଟି ହୋଇ ତାରା ବିଛାଡ଼ି ହୋଇଗଲାଣି । ଝାପ୍‌ସା ଅନ୍ଧାର ଛାଇ ହୋଇଗଲାଣି ଚାରିଆଡ଼େ । ଲତା, କୋକିଳମା ପିତେଇ ପ୍ରଭୃତି ଝାଡ଼ା ଆସିଥିଲେ ଏଇ ଗାଁ ପାଖ ଦଣ୍ଡାକୁ ।

 

ଇଲୋ କୋକିଳମା ଖୁଡ଼ି । ସେ ଟୋକିର କ’ଣ ସେଇଠି ବାହାଘର ହଉଚି ।

 

କୋଉ ଟୋକିର ବା । ଏଇ ସାମଲ ଘର ଅନୁ କଥା କଉଚୁ ନା ଆଉ କା’ କଥା ।

 

ହଁ ବା ତା’ରି କଥା । ଗେରସ୍ତ ଭାରିଯା ବନ୍ଧୁବାନ୍ଧବ ଯେତକ ସମସ୍ତେ ତ ଦେଖି ଗଲେଇଁ ତିନି ଚାରି ଥରରେ । ଆଉ କିଏ ପୁଣି ବାକି ଥବ କି କ’ଣ ।

 

ଇଲୋ ବାହାଘର ପରା ଭାଙ୍ଗିଗଲା । ତୁ ଗାଁରେ ଥିଲୁ ନା କେଉଁଠିକି ଯାଇଥିଲୁ ବା ସେ ପରା ମନା କରି ପଠାଇଲେ ତାଙ୍କର ଏ ସାଲେ ବାହାଘର ହେବନି ବୋଲି ।

 

ଇଲୋ ଏ କୋଉ ରାଇଜର କଥା । ଅଠର ଥର ଆସି ବୋହୂ ଦେଖି ଗଲେଇଁ, କ’ଣ ନା ଏ ସାଲେ ବାହାଘର କରିବେନି । କି ଲୋକ ସରମି କଥା । ବଡ଼ଲୋକକୁ ସିନା ଉତ୍ତର ନାଇଁ ।

 

ହଁ ଲୋ ମା । ପୁଅ କାଳେ ଆସି ମନା କରି ଦେଇଗଲା । ତା’ର ଏ ସାଲେ କାଳେ ଭାରି ପଢ଼ା । ସେଇଥିପାଇଁ ବାହାଘର ହବନି । ପୁଅଠଉଁ ନ ରୁଝି ବୋହୂ ଦେଖିବାକୁ ଆଉଥିଲେ କେମିତି ?

 

ତେମେ ଯୋଉ ମାଇପେ ଗୁରାନା ସବୁ ଠଉରେଇଛ ଏକା । ପୁଅକୁ ନ ପଚାରି ତାଙ୍କୁ କ’ଣ ଝୁଙ୍କ୍‌ ନାଗିଥିଲା ସେମାନେ ବୋହୂ ଦେଖି ଆଇଥିଲେ । ବୋହୂ ଦେଖି ତାଙ୍କର ପରା ମନ ମାନିଲାନି । ସହଜେ ପୁଅ ପାଠପଢ଼ା ବୋହୂ ଖୋଜୁଛି । ଏତିକି ପଢ଼ା ତା’ର ମନ ମାନୁନି ।

 

ସମସ୍ତଙ୍କ ମୁହଁ ବନ୍ଦକରି ପିତେଇ ବଡ଼ ପାଟିରେ କହିଲା ।

 

କଥାଟା ଟାଇଁ ଟାଇଁ ହୋଇ ଅନୁ କାନରେ ପଶିଗଲା । ଦକ୍ଷିଣା ପବନରେ ଦେହଟା ତା’ର ଶୀତେଇ ଉଠିଲା । ଲୋମ ଟାଙ୍କୁରି ଉଠିଲା । ଲଜ୍ଜା ଏବଂ ଅପମାନରେ ମୁଣ୍ଡଟା ତା’ର ଛିଣ୍ଡି ପଡ଼ୁଥିଲା । ସତେ ଯେପରି ଗୁଡ଼ାଏ ବୋଝ ତା’ର ମୁଣ୍ଡଟାକୁ ଦାବି ଦାବି ଦେଉଥିଲା । ତା’ର ତଣ୍ଟି ଅଠା ଅଠା ହୋଇଗଲା । ତା’ର ନୂଆବୋଉ ସହିତ ସେ ଝାଡ଼ା ଆସୁଥିଲା ଏଇ ଦଣ୍ଡାକୁ । କିନ୍ତୁ ମେଞ୍ଚାଏ ପବନ ତା’ର କର୍ଣ୍ଣ ଗହ୍ଵରରେ ଭରି ଦେଇଗଲା ଆତ୍ମଦହନର ତୀବ୍ର ବାରୁଦ । ସେଇଥିରେ ହଁ ସେ ଜଳିଗଲା । ନୂଆବୋଉ ତା’ର ଭୁଲେଇବାକୁ ଚେଷ୍ଟା କରିଥିଲେ । ତା’କୁ ଅନ୍ୟମନସ୍କ କରିଦେବାପାଇଁ ତାଙ୍କ ବାପଘର କଥା କ’ଣ ଗୋଟେ କହିଥିଲେ । ଅନୁ କିନ୍ତୁ କୌଣସି କଥାର ଉତ୍ତର ଦେଇ ନ ଥିଲା । ଚୁପ୍‌ଚାପ୍‌ ଫେରି ଆସିଥିଲା ସେଦିନ ସେ ନିଜ ଘରକୁ ।

 

ଛାଇ ଲେଉଟିଲାଣି । ବାରିଆଡ଼ ଚାଳିଟାର ଛାଇ ପାଖିକିଆ ହୋଇ ଲମ୍ଭି ଆସିଛି ପୂର୍ବ କଣକୁ । ପଞ୍ଝାଏ ପାରା କେଉଁଆଡ଼ୁ ଉଡ଼ି ଆସି ବସିଗଲେ, ଏଇ କୁଟାଗଦା ଉପରେ । ତା’ପରେ ପୁଣି ଖଳାରୁ ଧାନ ଟୁକି ଯାଉଛନ୍ତି । ନିଜ ନିଜ ଆହାରରେ ସେମାନେ ବ୍ୟସ୍ତ । ଆଉ ଦୁଇଟି ପାରା ବେକର ରୁମ ଫୁଲାଇ ଖୁମ୍ପାଖୁମ୍ପି ହେଉଛନ୍ତି । ଡେଣା ବାଡ଼େଇ ଫଡ଼ର ଫଡ଼ର ହୋଇ ଏଠୁ ସେଠିକି ଉଡ଼ି ଯାଉଛନ୍ତି । ପୁଣି ଫେରି ଆସୁଛନ୍ତି । ଅନ୍ୟମାନଙ୍କ ଆଡ଼କୁ ତାଙ୍କର ଲକ୍ଷ୍ୟ ନାହିଁ । ଏଇ ସେମାନେ ପୁଣି ଉଡ଼ିଗଲେ ଆକାଶକୁ । ପଞ୍ଝାଟିଯାକ ପାରା ବି ଉଡ଼ିଗଲେ ସେଇଆଡ଼େ ଫଡ଼ର ଫଡ଼ର ହୋଇ । ସେମାନେ ଆଉ ଫେରିଲେନି । ସେମାନେ ଚାଲିଗଲେ ଆଉ କେଉଁଆଡ଼େ । ଅନୁ କିନ୍ତୁ ଚାହିଁ ରହିଥିଲା ସେଇଆଡ଼େ । ସେଇ ଆକାଶ ଆଡ଼େ । ଏକ ଲକ୍ଷ୍ୟରେ ବାରି ପିଣ୍ଡାରେ ଏକୁଟିଆ ବସି ରହି ସେ ଅନ୍ୟମନସ୍କ ଭାବେ ସେଇ ଶୂନ୍ୟ ଆକାଶ ଆଡ଼େ ଚାହିଁ ରହିଥିଲା ।

 

ଏଇ କେଇଦିନ ଭିତରେ ଅନୁର ଚେହେରା ପୁରାପୁରି ବଦଳି ଯାଇଛି । ପୂର୍ବର ମୁଖ ଝଟକ ଆଉ ନାହିଁ । ଶ୍ୟାମଳ ବର୍ଣ୍ଣର ପିଲାଟା କଳା ପଡ଼ି ଆସିଲାଣି । ମୁହଁ ପଶିଗଲା ଭଳି ଦିଶୁଛି । ଖୁନ୍ଦିଲା ଖାନ୍ଦିଲା ଦେହଟା ତା’ର ବେଢ଼ଙ୍ଗ ଦିଶୁଛି । ଚଳଚଞ୍ଚଳ ନୀଳ ନୀଳ ମନ ଭୁଲାଣିଆ ଆଖି ଦୁଇଟି ତା’ର ପଶି ଗଲାଭଳି ଦେଖାଯାଉଛି । ଅଭୁତ ରୂପେ ବଦଳି ଯାଇଛି ସେ ଏଇ କେଇଦିନ ଭିତରେ । ନିଜ ପରିଧାନ ଉପରେ ଲକ୍ଷ୍ୟ ନାହିଁ ତା’ର । ଖାଇବା ପିଇବାରେ ବି ଠିକ୍‌ ଠିକଣା ନାହିଁ-। ସବୁବେଳେ ଏକୁଟିଆ ବସି ଭାବି ହେଉଛି । ବାମନ ହୋଇ ସେ ଚନ୍ଦ୍ରକୁ ହାତ ବଢ଼ାଉଥିଲା ମିଛଟାରେ ସିନା । ମିଛଟାରେ ସିନା ! ସେ ସ୍ଵପ୍ନରେ ଭାସି ବୁଲୁଥିଲା । ହେଲେ ତା’ର ବାପା କାହିଁକି ସେଠାରେ ପ୍ରସ୍ତାବ ପକାଉଥିଲେ ? କାହିଁକି ସେ ଏତେ ବଡ଼ ଆଶା କରିଥିଲେ ନିଜର ଝିଅକୁ ତାଙ୍କରି ଘରକୁ ବୋହୂ କରି ପଠାଇବା ପାଇଁ ? ଏସବୁ କ’ଣ ମିଛ ! ସ୍ଵପ୍ନ । ସ୍ଵପ୍ନ କ’ଣ ତା’ହେଲେ ଶାନ୍ତିଦେବୀଙ୍କର ସେଇ କେଇ ପଦ କଥା । ତା’କୁ ପାଖରେ ବସାଇ ପିଠି ଆଉଁସାଇ ଦେଇ ଯାଇଥିବା ପ୍ରତିଶ୍ରୁତି । ସେମାନେ ବଡ଼ଲୋକ ବୋଲି ସିନା ।

 

ବିମଳାଦେବୀ ବାରି ଆଡ଼କୁ ଆସୁଥିଲେ । ଅନୁକୁ ଏପରି ଭାବମଗ୍ନ ଅବସ୍ଥାରେ ଦେଖି କିଛି ସମୟ ଠିଆ ହୋଇ ରହିଲେ ସେ । ଅନୁର କିନ୍ତୁ ସେଆଡ଼କୁ ନଜର ନଥିଲା ।

 

ଅନୁ, କ’ଣ ଏତେ ଭାବୁଛ ତମେ । ଏମିତି ଭାବି ଭାବି ଦିନକୁ ଦିନ ତୁମେ ତ ସୁଖି ଗଲଣି । ଏମିତି ପାଗଳିଙ୍କ ଭଳି ହେଲେ ଚଳିବ ।

 

ନାଁ ନୂଆବୋଉ ମୁଁ କିଛି ଭାବୁନି । ଏମିତି ଏଇଠି ଟିକେ ବସି ଯାଇଥିଲି ।

 

ମୋତେ ଲୁଚାଇଲେ କଅଣ ହେବ ତୁମେ ନିଜେ ଭାବିଲ ଦେଖି ତୁମର ଅବସ୍ଥା କ’ଣ ହେଲାଣି । ଦେହପା ପ୍ରତି ଯତ୍ନ ନେଉନ । ଖାଇବା ପିଇବାରେ ଠିକ୍‌ ଠିକଣା ନାହିଁ ସବୁବେଳେ ଖାଲି ଭାବି ହେଉଛ । ଯାହା ତ ହେବାର ହୋଇଗଲା । ଆଉ ସେ ବିଷୟରେ ଏତେ ଚିନ୍ତା କଲେ କ’ଣ ହେବ ।

 

ନୂଆ ବୋଉ, ତମେ ସେଦିନ ସନ୍ଧ୍ୟାରେ ଶୁଣିଥିଲ ପରା । ମୁଁ କେମିତି ମୁଣ୍ଡଟେକି ଚାଲିବି କହିଲ । ଗାଁଟାଯାକ ମାଇପଙ୍କର ତ ଖାଲି ସେଇ କଥା ।

 

ମଲା ଏ କଅଣ କୋଉ ନୂଆ କଥା ନା କ’ଣ ବା । ଝିଅ ଜନମ ତ ସେଇଆ । ଅଠର ଲୋକ ଆସିବେ । ଅଠର ଥର ଦେଖିବେ । ସିଏ ଯାହା ହାଣ୍ଡିରେ ଚାଉଳ ପକାଇଥିବ ତା’ରି ଘରକୁ ଯିବ ସିନା । ତମେ ସେ ଛତରଖାଇ ଗୁରାଙ୍କ କଥା ଶୁଣୁଛ କାହିଁକି । ଆସିଲ ଉଠି ଆସ ।

 

ଅନୁର ହାତ ଧରି ଉଠାଇ ନେଲେ ବିମଳା ଦେବୀ ।

 

ଖାଇସାରି ଶୋଇବାକୁ ଯାଉଥିଲେ ହରି ସାମଲ ।

 

ଶୁଣିଲଣି ଅନୁ ବୋଉ । ପଦ୍ମପୁର ବିନୟ ପଟ୍ଟନାୟକ ଘରୁ ପ୍ରସ୍ତାବ ଭାଙ୍ଗିଯିବା ପରେ ସେଇ ଗାଁରୁ ଆଉ ଗୋଟିଏ ପ୍ରସ୍ତାବ ଆସିଛି । ପୁଅ ଚାକିରି କରିଛି । ଘର ଚଳିବା ଭଲ । ତାଙ୍କର କିନ୍ତୁ ଭାରି ଇଚ୍ଛା ଆମ ଘରେ ବିଭାଘର କରିବା ପାଇଁ । ଆଉ ଦୁଇଟି ଜାଗାରୁ ମଧ୍ୟ ପ୍ରସ୍ତାବ ଆସିଛି-

 

ତେମେ ଆଉ କଅଣ ଭାବୁଚ । ଦେଖୁଚ ତ ଝୁଅ ମୋର କେମିତି କଣ୍ଟା ହେଇ ରହିଲାଣି-। ସବୁବେଳେ ଖାଲି ଭାବି ହେଉଚି । କେମିତିକା ଲୋକ ସେମାନେ....ତିନି ଚାରିଥର ଆସି ଝୁଅକୁ ମୋର ଦେଖିଗଲେ । କ’ଣ ନା ଆମର ଏସନ ବାହାଘର ହବନି । ତମକୁ କ’ଣ କିଏ ଖୋସାମତ କରୁଥିଳା ବାହାଘର କରିବାକୁ । ତୁଛାଟାରେ ଆସି ମୋ ଝୁଅକୁ ଦେଖିକରି ଯାଇଚନ୍ତି । ଗାଁ ଯାକ ଅଇଛା ଖାଲି ସେଇ କଥା । ଝିଅକୁ ମୋର ଭାତ ରୁଚୁନି । ସେଇ ଚିନ୍ତାରେ ସେ କଣ୍ଟା ହେଇ ରହିଲାଣି । ପ୍ରଭୁଙ୍କ ଇଚ୍ଛାରେ କୋଉଠି ଏଇସନ ତା’ର ବାହାଘର ହୋଇଯାନ୍ତା କି । ତେମେ ଟିକେ ତତ୍‍ପିରି ନ କଲେ କ’ଣ ହବ ।

 

ଏ ବର୍ଷ ବାହାଘର କରିବାକୁ ମୋର ଇଚ୍ଛା ନୁହେଁ । ବିନୟ ପଟ୍ଟନାୟକ ତା’ର ପୁଅକୁ ବାହା କରିସାରିଲେ ମୁଁ ଯାଇଁ ଯେଉଁଠି ବାହାଘର କରିବି । ନ ହେଲେ ଅଇଛା ମୁଁ ଆଉ କେଉଁଠି କରିବିନି ।

 

ତେମେ ଆଉ ସେ କଥା କାଇଁ ତୁଣ୍ଡରେ ଧରୁଚ କହିଲ । ସେ କୋଉ କାଳେ ବାହାଘର କରିବ ତା’ ପାଇଁ କଅଣ ଆମେ ଝୁଅ ଘରେ ରଖି ବସିବା । ତେମେ ଯୋଉ କଥା କହୁଚ ମତେ କାଇଁ ଏଗୁରା କିଛି ଭଲ ଦିଶୁନି ।

 

ଆରେ ତେମେ ଏତେ ବ୍ୟସ୍ତ ହେଉଚ କାଇଁ କହିଲ । ଏ ବର୍ଷ ନ ହେଲେ ଆର ବର୍ଷ କରିବା । କଅଣ ଆମର ଏତେ ବଳେଇ ଯାଉଛି ।

 

ହଉ ହେଲା । ତମ ମନକୁ ତ ଯାହା, ପାଇଥିବ ସେଇଆ । କ’ଣ କରୁଚ କର । ଚମ୍ପାଦେବୀ ଶୋଇବାକୁ ଗଲେ ।

 

ବାରିପଟ ସେଇ ଡେଙ୍ଗା ହୋଇ ବଢ଼ିଯାଇଥିବା ନଡ଼ିଆଗଛ ଉପରେ ପୂରା ଜହ୍ନଟା ଓହଳି ପଡ଼ିଥିଲା । କୋଠା ଛାତ ଉପରେ ମିଲି ଏବଂ ତା’ର ବାପା ଶୋଇଥିଲେ । ମିଲି ତା’ର ବାପାକୁ କ’ଣ ଗୁଡ଼ାଏ ଏଣୁ ତେଣୁ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଯାଉଥିଲା । ହେଲେ ବିନୟ ବାବୁଙ୍କର ସେ ଆଡ଼କୁ ଆଦୌ ନଜର ନ ଥାଏ । ସକାଳୁ ସେ କେଉଁ ଆଡ଼କୁ ଯାଇଥିଲେ । ବୁଲି ବୁଲି ଏଇ ସନ୍ଧ୍ୟାରେ ଘରକୁ ଆସିଲେ ସେ । ନିଜ ଶରୀରର କ୍ଳାନ୍ତିକୁ ଭୁଲିଯିବା ପାଇଁ ଏଇ ଛାତ ଉପରେ ନିରୋଳାରେ ଶରୀରଟାକୁ ଲମ୍ବାଇ ଦେଇଛନ୍ତି । ହେଲେ ମିଲି ତାଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ବ୍ୟସ୍ତ କରି ପକାଉଥାଏ । ମଝିରେ ମଝିରେ ଅନ୍ୟମନସ୍କ ଭାବେ ତା’ କଥାରେ ଉଁ ଟିଏ ମାରି ବିନୟବାବୁ ପୁଣି ନୀରବ ରହୁଥାନ୍ତି । ଆକାଶ ଆଡ଼େ ଚାହିଁ କ’ଣ ଗୁଡ଼ାଏ ଭାବୁଥାନ୍ତି ସେ ।

 

କିଛି ସମୟ ପରେ ଶାନ୍ତିଦେବୀ ଛାତ ଉପରକୁ ଆସି ବିନୟବାବୁଙ୍କର ଗୋଡ଼ ଘଷିବାକୁ ଉପକ୍ରମ କଲେ ।

 

ମିଲି ବୋଉ । ମୋତେ କିଛି ଭଲ ଲାଗୁନି । ଯାହା ଦେଖାଯାଉଛି ଏ ବର୍ଷ ଆଉ ବାହାଘର ହେଲା ଭଳି ନୁହେଁ । ଖୁବ୍‌ କମ୍‌ ଦିନ ଆଉ ବାହା ତିଥି ଅଛି । ମାତ୍ର ବାହାଘର କେଉଁଠି ଠିକ୍‌ ହୋଇ ପାରିଲାନି । ବଉଦପୁର ପ୍ରସ୍ତାବଟାରେ ତ ଅମର ରାଜି ହେଉନି । ଆମର ଆଉ ଉପାୟ କ’ଣ ?

 

ଛିଃ....ଛିଃ....କି ଅପବାଦ ଶୁଣିବାକୁ ପଡ଼ିଲା ମଣିଷକୁ । ଏ ଗାଁରେ ମାଇପେ ଗୁରା ଯାହା କଉଚନ୍ତି....କହିବେନି କେମିତି ସେ ପରଝିଅ ନ ହେଇ ଆମର ହୋଇଥାନ୍ତା । କଅଣ ହୋଇଥାନ୍ତା କହିଲ ଭଲା... ।

 

ଅମରକୁ ନ ପଚାରି ଆମର ଏତେ ବାଟ ଆଗେଇ ଯିବା ଉଚିତ ନ ଥିଲା । ମୁଁ ପ୍ରଥମରୁ ହିଁ ସେଇଆ ଭାବୁଥିଲି । ଛାଡ଼, ଯାହା ହେବାର ହୋଇଗଲା । ବର୍ତ୍ତମାନ କ’ଣ କରାଯିବ ମୋତେ କିଛି ବୁଦ୍ଧି ଦିଶୁନି ।

 

ତେମେ ଆଉ ଥରେ ଅମରକୁ ଏଇ ବିଷୟରେ ପଚାର । ସେ କ’ଣ କହୁଚି ଦେଖାଯାଉ-। ମୋର କାହିଁକି ସେଇଠି ବାହାଘର କରିବାକୁ ଭାରି ଇଚ୍ଛା ।

 

ମୁଁ ସେଇଆ ଭାବୁଥିଲି । କାଲି କାହାକୁ ତା’ ନିକଟକୁ ପଠାଇବା । ଭଗବାନଙ୍କର ଯେବେ ବରାଦ ଥାଏ ।

 

ଅମର ପଢ଼ୁଥାଏ । ହଠାତ୍‌ ଗିରିଧାରୀବାବୁ ତା’ର ରୁମ୍‌କୁ ପଶିଗଲେ । ଅମର ଚେୟାରରୁ ଉଠି ପଡ଼ି ନମସ୍କାରଟିଏ ହେଲା । ତାଙ୍କ ଗାଁର ସମ୍ପର୍କୀୟ ଭାଇ ହିସାବ ହେବେ ସେ । ଚେୟାରଟିକୁ ତାଙ୍କ ନିକଟକୁ ବଢ଼ାଇ ଦେଇ ଖଟ ଉପରେ ବସିଲା ସେ ।

 

ଦାଦୀ ମୋତେ ତୋ’ ନିକଟକୁ ପଠାଇଛନ୍ତି । ବିଭାଘର ନେଇ ସେ ଭାରି ବ୍ୟସ୍ତ । ତୋର ପରୀକ୍ଷା କଥା ସେ କଅଣ ବୁଝି ନାହାଁନ୍ତି ହେଲେ ସେ ବିଭାଘର ପାଇଁ କାହିଁକି ଏତେ ବ୍ୟସ୍ତ ସେଇଟା ବୁଝିବା କଥା । ମୁଁ ଶୁଣିଲି ତୁ କାଳେ ବଉଦପୁର ପ୍ରସ୍ତାବରେ ରାଜି ନୁହେଁ । ମାତ୍ର ଦାଦୀ, ଖୁଡ଼ି ବିଭାଘର ପାଇଁ ଜବାବ ଦେଇ ସାରିଥିଲେ । ତାଙ୍କର ଯେବେ ସେଠାରେ ବିଭାଘର କରିବାକୁ ଇଚ୍ଛା ତୋର ମନା କରିବା ଉଚିତ ନୁହେଁ । ତୁ ଭାବୁଛୁ ଦାଦୀ କ’ଣ ତୋର କେବେ ଖରାପ ଜାଗାରେ ବିଭାଘର କରିବେ । ସେ କ’ଣ କୋଉ ଅବୁଝା ଲୋକ ହୋଇଛନ୍ତି । ତୋର ଅମଙ୍ଗ ହେବାର କାରଣ ଝିଅଟି ବେଶି ପାଠ ପଢ଼ିନି....ଏଇଆ ନା ।

 

ହଁ ସେଇଆ । ବର୍ତ୍ତମାନ ତ ଶିକ୍ଷିତା ଝିଅଙ୍କର ଅଭାବ ନାହିଁ । ତେବେ ମୁଁ ଜାଣିଶୁଣି ଗୋଟିଏ ଅଶିକ୍ଷିତା ଝିଅକୁ ବିବାହ କରି ପାରିବିନି ।

 

ଝିଅ ତ ମାଇନର ପାସ୍‌ କରିଛି । ସେ ତ ମୁର୍ଖ ନୁହେଁ । ତେବେ ଯାହାର ଯେଉଁଠି ବରାଦ ଥିବ ନିଶ୍ଚୟ ହେବ । ସମସ୍ତେ କ’ଣ ଖାଲି ଶିକ୍ଷିତା ଝିଅଙ୍କୁ ବିଭା ହେଉଛନ୍ତି । ତା’ ଛଡ଼ା ଗୋଟିଏ ଶିକ୍ଷିତା ଝିଅକୁ ବିଭା ହୋଇ ପଡ଼ିଲେ ଯେ ମଣିଷ ସୁଖୀ ହୋଇପାରିବ ସେ କଥା ବି ନୁହେଁ । ମଣିଷର ବ୍ୟବହାର ହିଁ ବଡ଼ କଥା । ବାପା ତୋର ସେଠାରେ ନିଶ୍ଚୟ କିଛି ଭଲ ଗୁଣ ଦେଖିଥିବା ହେତୁ ତୋତେ ନ ପଚାରି ବିବାହ ସ୍ଥିର କରି ସାରିଛନ୍ତି । ତୁ ଟିକେ ଚିନ୍ତା କରି ଦେଖ.....ଝିଅ ଟିକେ ବେଶି ପାଠ ପଢ଼ିନି ବୋଲି ମନା କରିଦେବା ଉଚିତ ନୁହେଁ । ତୁ ଘରକୁ ଚାଲ.....ଝିଅ ଦେଖି ଆସି ଯାହା କହିବୁ ।

 

ଅମର ନୀରବ ରହି ଚିନ୍ତା କଲା କିଛି ସମୟ । ତା’ପରେ କ’ଣ ଭାବି କହିଲା ହଁ ବାପାଙ୍କୁ କହିଦେବ ସେଇଠାରେ ବିଭାଘର ହେବ । ବିଭାଘରର ସମସ୍ତ ଆୟୋଜନ ସେ କରିନେବେ । ମୁଁ ବର୍ତ୍ତମାନ ଘରକୁ ଯାଇ ପାରିବିନି ।

 

ବାପା ତ କହିଥିଲେ ତୁ ଘରକୁ ଯିବୁ ବୋଲି । ତୁ ଝିଅ ଦେଖି ଯିବୁ ବୋଲି ସେ କହୁଥିଲେ । ଘରକୁ ଚାଲ ଦିନେ ଦୁଇ ଦିନ ରହି ଫେରି ଆସିବୁ ।

 

ନାଁ ମୋର ଘରକୁ ଯିବା ଦରକାର ନାହିଁ । ବାପା ତ ଝିଅ ଦେଖି ଆସିଛନ୍ତି । ସେ ଯେତେବେଳେ ଝିଅ ଦେଖି ରାଜି ମୁଁ ଆଉ ଝିଅ ଦେଖିଯିବାର କୌଣସି କାରଣ ନାହିଁ । ତା’ ଛଡ଼ା ପରୀକ୍ଷା ମୋର ନିକଟ ହୋଇ ଆସିଲାଣି । ଆଉ ମାତ୍ର ମାସେ କିମ୍ବା ତା’ଠାରୁ କମ୍‌ ଦିନ ଅଛି । ତେଣୁ ବର୍ତ୍ତମାନ ପଢ଼ା ଛାଡ଼ି ମୁଁ ଆଦୌ ଘରକୁ ଯାଇ ପାରିବିନି । ବିଭାଘର ପୂର୍ବଦିନ ମୁଁ ମୋର ସାଙ୍ଗ ପିଲାମାନଙ୍କ ସହ ଘରକୁ ଯିବି । ଏହା ପୂର୍ବରୁ ଯାଇ ପାରିବିନି । ଆଉ ବିଭାଘରର ବନ୍ଦୋବସ୍ତ ଠିକ୍‌ ରୂପେ ସବୁ କରିଥିବେ ।

 

ତା’ପରେ ଗିରିଧାରୀ ବାବୁ ସଙ୍ଗେ ସଙ୍ଗେ ଘରକୁ ଫେରି ଆସିଥିଲେ ! ଗିରିଧାରୀଠାରୁ ସବୁ କଥା ଶୁଣି ଖୁସି ହୋଇଗଲେ ଶାନ୍ତିଦେବୀ ଏବଂ ବିନୟବାବୁ । ବିନୟବାବୁ ଏହା ଶୁଣିବେ ବୋଲି କେବେ ଆଶା କରି ନଥିଲେ । ମନେ ମନେ ଖୁବ୍‌ ଖୁସି ହୋଇଥିଲେ ସେ । ତା’ପରଦିନ ସେ ନିଜେ ଧାଇଁ ଯାଇଥିଲେ ଅମର ନିକଟକୁ । ଅମରଠାରୁ ସବୁ ବୁଝି ସେ ଘରକୁ ଫେରି ଆସିଥିଲେ । ତା’ପରେ ହରି ସାମଲକୁ ଡ଼କାଇ ଆଣିଥିଲେ ନିଜ ଘରକୁ ।

 

ହରିବାବୁ ! ଯାହା ତ ହେବାର ହୋଇଗଲା । ଆମ ଉପରେ ତୁମେ ରାଗିଥିବ ନିଶ୍ଚୟ । କିନ୍ତୁ ମୁଁ ନିରୁପାୟ ଥିଲି । ଯାହା ସବୁ କାଣ୍ଡ ହୋଇଗଲା ସେଥିନେଇ ଆମେ ଦୁଃଖିତ । ଯାହା ସବୁ ହୋଇଗଲା ସବୁ ଦୋଷ ଆମର । ତେଣୁ ତମେ ଏସବୁକୁ ଭୁଲିଯାଇ ଆମକୁ କ୍ଷମା ଦେବ । ବର୍ତ୍ତମାନ ଡକାଇବାର କାରଣ କ’ଣ କି କାଲି ମହାପ୍ରସାଦ ନିର୍ବନ୍ଧ କରାଇ ଦେବା । ଆଉ ଏଇ ମାସ ଶେଷ ତିଥିରେ ବିଭାଘର ହେବ । ତୁମର ମତ କ’ଣ ।

 

ମହାପ୍ରସାଦ ନିର୍ବନ୍ଧ ଏବଂ ବାହାଘର କଥା ଶୁଣି ହରି ସାମଲ କମ୍ ଆଶ୍ଚର୍ଯ୍ୟ ହୋଇ ନ ଥିଲା । ବିନୟବାବୁ ତାଙ୍କୁ ଡକାଇ ପଠାଇବା ବେଳଠାରୁ ମନଟା ତାଙ୍କର ସନ୍ଦେହରେ ଉବୁଟୁବୁ ହେଉଥିଲା । ଅନେକ ଆଶା ତଥା ଶଙ୍କାକୁଳ ମନ ନେଇ ଖବର ପାଇଲା ମାତ୍ରକେ ସେ ଧାଇଁ ଆସିଥିଲେ ଏଠାକୁ । ବିନୟବାବୁଙ୍କ ମୁଖରୁ ମହାପ୍ରସାଦ ନିର୍ବନ୍ଧ କଥାଟା ଶୁଣି ନିଜକୁ ବିଶ୍ଵାସ କରିପାରିଲେନି ସେ ଆନନ୍ଦରେ ବିହ୍ଵଳ ହୋଇପଡ଼ିଲେ ସେ । କ’ଣ ବା ସେ ତାଙ୍କୁ କହିବେ କିଛି ଠିକ୍‌କରି ପାରିଲେନି ।

 

କ’ଣ ଭାବୁଛନ୍ତି, ଏ ମାସ ପରେ ତ ଆଉ ବିବାହ ନାହିଁ । ଶେଷ ତିଥି ଆଉ ମାତ୍ର ଛଅ ଦିନ ରହିଲା । ସେଥିନେଇ କାଲି ମହାପ୍ରସାଦ ନିର୍ବନ୍ଧ କରିବାକୁ କହୁଥିଲି ।

 

ମହାପ୍ରସାଦ ନିର୍ବନ୍ଧ କରିବାରେ ମୋର କିଛି କହିବାର ନାହିଁ । ହେଲେ ଏ ବର୍ଷ ବିଭାଘର କରିବେନି ବୋଲି ତ ମନା କରି ଦେଇଥିଲେ । ସେଥିପାଇଁ ମୁଁ ଟିକେ ପ୍ରସ୍ତୁତ ନୁହେଁ । ଟଙ୍କା ପଇସା ମୁଁ କିଛି ଯୋଗାଡ଼ କରିନି । ମହାପ୍ରସାଦ ନିର୍ବନ୍ଧ କରିଦେଇ ଆସନ୍ତା ବର୍ଷକୁ ବିଭାଘର ରଖିଦେଲେ କ’ଣ ହୁଅନ୍ତାନି ।

 

ଦେଖ ହରିବାବୁ ! ଏଇ ବର୍ଷ ବିଭାଘର କରିବାକୁ ମୋର ଇଚ୍ଛା । ଟଙ୍କା ପଇସାଠି କିଛି ଯା ଆସ ନାହିଁ । ମୋର ଆଦୌ ଯୌତୁକ ଦରକାର ନାହିଁ । ତୁମର ଇଚ୍ଛା ଅନୁସାରେ ତମେ ଯାହା ଦେବ । କିନ୍ତୁ ବିଭାଘର ଏଇ ବର୍ଷ କରିବାକୁ ପଡ଼ିବ ।

 

ହଉ ହେଲା, କାଲି ମହାପ୍ରସାଦ ନିର୍ବନ୍ଧ କରିନେବା । ବିଭାଘର ଆଉ ତ ମୋଟେ ଛଅ ଦିନ ରହିଲା । ଟିକେ ଲାଗି ପଡ଼ିବାକୁ ହେବ ।

 

ମନ ଖୁସିରେ ସେଦିନ ହରି ସାମଲ ଘରକୁ ଫେରି ଆସିଥିଲେ ।

 

ଯଥାବିଧି ବିବାହ କାର୍ଯ୍ୟ ସମାପନ ହେଲା । ଖିଆପିଆ ଭୋଜିଭାତର ସରଗରମ ଧିମେଇ ଆସିଲା । ବର ଲେଉଟାଣି ଆସିବା ପାଇଁ ଏକ ପ୍ରକାର ଅୟୋଜନ ଚାଲିଥାଏ । ଝିଅକୁ ଶାଶୁଘରକୁ ସବୁଦିନ ପାଇଁ ବିଦାୟ ଦେବାକୁ ଯାଇ ମା’ ତା’ର ଘଡ଼ିକୁ ଘଡ଼ି ମୂର୍ଚ୍ଛା ଯାଉଥାଏ । ଝିଅର ଅବସ୍ଥା କହିଲେ ନ ସରେ । କାନ୍ଦି କାନ୍ଦି ଆଖି ଦୂଇଟା ତା’ର ଫୁଲି ଗଲାଣି । କ୍ରମଶଃ ସାହିରେ ଗାଁ ଗୋଟାକର ମାଇପେ ଛୁଆ ଆସି ଜମି ଗଲେଣି । ପ୍ରତ୍ୟେକ ଅଶ୍ରୁଳ ନୟନରେ ଏକ ପ୍ରକାର ସମବେଦନା ଜଣାଉଥାନ୍ତି । କେତେକ ଲୁଗା କାନିରେ ଆଖିରୁ ଲୁହ ପୋଛି ପରସ୍ପର ମଧ୍ୟରେ ଝିଅର ଗୁଣ ତଥା ତା’ର ପାରିଲା ପଣିଆ ବର୍ଣ୍ଣନା କରୁଥାନ୍ତି ତ ଆଉ କେତେକ କାନ୍ଦ କାନ୍ଦ ହୋଇ ଝିଅ ତା’ର ମା’ ଏବଂ ତା’ର ସମ୍ପର୍କୀୟ ଲୋକମାନଙ୍କୁ ଆଉ ନ କାନ୍ଦିବା ପାଇଁ ବୋଧ ଦେଉଥାନ୍ତି । ସାହିଟାରେ ଏକ ରକମ କ୍ରନ୍ଦନର ରୋଳ ଛୁଟି ଚାଲିଥାଏ ।

 

ହେଲେ ଅମର ସେ ଆଡ଼କୁ ଟିକେ ହେଲେ ନଜର ନ ଥାଏ । କେମିତି ଏକ ଭାରାକ୍ରାନ୍ତ ମନ ନେଇ ସେ ଚୁପ୍‌ଚାପ ବସି ରହିଥାଏ । ପାଖରେ ଏତେ ସାଙ୍ଗ ପିଲାଥିଲେ ବି କାହାରି ସହିତ କିଛି ଆଳାପ ଆଲୋଚନା ନ କରି ତକିଆଟାରେ ଭରା ଦେଇ ମଥାନତ କରି ସେ ବସି ରହିଥାଏ । କେମିତି ଏକ ଶୁଖିଲା ଶୁଖିଲା ବିମର୍ଷ ଦିଶୁଥାଏ ସେ । ମନ ରାଜ୍ୟରେ ତା’ର ଅସରନ୍ତି ବୁଢ଼ିଆଣୀ ଜାଲର ଅଡ଼ୁଆ ତଡ଼ୁଆ ଝିଅଗୁଡ଼ିକ ଦୋହଲି ଉଠୁଥାଏ । ସାଙ୍ଗ ପିଲାମାନେ ଅନେକ ବୁଝାଇବା ସତ୍ତ୍ୱେ ନାନା ହସ କୌତୁକରେ ଭୁଲେଇବାକୁ ଚେଷ୍ଟା କଲେ ବି କିଛି ଫଳ ହେଲାନି । ବରଂ ଆଖି ଦୁଇଟି ତା’ର ଛଳ ଛଳ ହୋଇ ଆସିଲା । ନିଜକୁ ଲୁଚାଇବା ଲାଗି ସେ ବାରି ଆଡ଼କୁ ଉଠି ଆସିଲା-। ପଛେ ପଛେ ତା’ର ବିଦେଇ ବାରିକ ଆସୁଥିଲା ଢାଳଟିଏ ଆଣି । ଅମର ପରିସ୍ରା କରିସାରିଲା ପରେ ବିଦେଇ ବାରିକ ଢାଳଟିଏ ବଢ଼ାଇ ଦେଇ କହିଲା–

 

ବାବୁ ଏ ବାହାଘର ମୋର କାଇଁ ମନ ମାନିଲାନି । ଆଠୁ କେତେ ଭଲ ଜାଗାରେ ତମର ବାହାଘର ହୋଇଥାନ୍ତା । ବାପା ଏଠି କ’ଣ ଦେଖିଲେ ଯେ ବାହାଘର କରିବାକୁ ମାଡ଼ି ପଡ଼ିଲେ । ଝିଅଟି କାଇଁ ତ ମୋର ମନ ମାନୁନି । ତମ ସାଙ୍ଗରେ କିନ୍ତୁ ପଡ଼ିଲାନି ଝିଅଟି ଏକା । କାଇଁ ଦବା ନବାରେ ତ କିଛି ନାଇଁ । କେତେ କ’ଣ ତେମେ ପାଇଥାନ୍ତ । ମୁଁ ପରା ଯାଇଥିଲି ତମ ସଙ୍ଗାତ ବାହାଘରକୁ । କ’ଣ କହିବି ସେ କଥା ଆଖି ମୋର ଘୋରି ହୋଇ ପଡ଼ିଲା । ଯା ନ ଦବାର କଥା ସେ ତା’ ଦେଇଚି । ଝୁଅ ଟୁରୁଙ୍ଗରେ ତ ଖାଲି ନଗଦ ଦଶ ହଜାରେ ଟଙ୍କା ବାହାରି ପଡ଼ିଲା । ଆଉ ଯାହା ସେ ଦେଇଥିବ । ଝିଅ ଦେହ ତ ଖାଲି ସୁନା ଗହଣାରେ ଛାଇ ମରିଯାଇଚି । ଝିଅଟି ଟିକେ ନାପସନ୍ଦ ଯାହା । ବାପା ତ ତୁମର ସେଠାରେ ବାହାଘର କରିବାକୁ ମନା କରିଦେଲେ । ନଇଲେ ତୁମ ସଙ୍ଗାତକୁ ସେ କ’ଣ ଦେଇଚି ତା’ର ତିନି ଗୁଣ ସେ ତୁମକୁ ଦେଇଥାନ୍ତା । ଛାଡ଼ ଯାହା ଭାଗ୍ୟରେ ଥିଲା ତା’ ହୋଇଗଲା । ଡଗଡ଼ଗ କରି କହି ଯାଇଥିଲା ବିଦେଇ ବାରିକ ।

 

ଅମର ଆଶ୍ଚର୍ଯ୍ୟ ହୋଇଗଲା ବିଦେଇ ବାରିକ ମୁହଁରୁ ଏ କଥା ଗୁଡ଼ାକ ଶୁଣି । ସତରେ ସେ କ’ଣ ବଧିର ହୋଇଯାଇଛି । ନ ହେଲେ ଜମିଦାର ବିନୟ ପଟ୍ଟନାୟକର ପୁଅ ଅମର ପଟ୍ଟନାୟକ ସମ୍ମୁଖରେ ତୁଚ୍ଛ ବିଦେଇ ବାରିକଟା ଏତେ ବଡ଼ କଥା କହି ପାରିଥାନ୍ତା । ତା’ରି ସମ୍ମୁଖରେ ସେ ତା’ ସ୍ତ୍ରୀର ନିନ୍ଦା କରି ପାରିଥାନ୍ତା । ଅମର ନୀରବ ରହିଥିଲା । ଆଖିରୁ ଲୁହ ପୋଛି ସେ ତା’ର ପୂର୍ବସ୍ଥାନକୁ ଫେରି ଆସିଥିଲା ।

 

ଦୀର୍ଘଶ୍ଵାସ ପକାଇ ଥକ୍‍କା ମାରି ବସି ଯାଇଥିଲା ଅମର । ମୁଣ୍ଡଟା ଝାଇଁ ହୋଇ ଯାଉଥିଲା । ସେ ଚିନ୍ତା କରୁଥିଲା ବିଦେଇ ବାରିକର କଥା । ଆଉ ବିଶ୍ଳେଷଣ କରି ଚାଲିଥିଲା ତା’ର ସାଙ୍ଗ ପିଲା ଏବଂ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତିମାନଙ୍କର ମତିଗତିକୁ ବିଚରା ବିଦେଇ ବାରିକ ମୁର୍ଖ ସତ । କିନ୍ତୁ ତା’ର ମୁର୍ଖ ମୁଣ୍ଡରେ ସେ ଯେତିକି ବୁଝିଛି । ସେଇଟା ହିଁ ସେ ଖୋଲାଖୋଲି କହିଦେଲା ସିନା । ସେ ବୁଝି ପାରିଥିଲା ତା’ ସାଆନ୍ତଙ୍କ ମନ କଥା । ତେଣୁ ତା’ ପେଟ ଭିତରେ ଲୁଚି ରହିଥିବା ଶକ୍ତ ଅଭିମାନ ଆତ୍ମପ୍ରକାଶ କରିଥିଲା ଅମର ନିକଟରେ ।

 

ଅମର ମନେ ମନେ ତଉଲି ଦେଖୁଥିଲା ବାପା ତା’ର କିଲିପୁର ଗୋବିନ୍ଦ ସାହାଣୀ ଘରେ ବିବାହ କରିବାକୁ ରାଜି ହେଲେନି କାହିଁକି । ସେ ତ ଖୁବ୍‌ ଯୌତୁକ ଦେଇଛି ସଙ୍ଗାତଙ୍କୁ । ଝିଅଟି ମନ ମୁତାବକ ନୁହେଁ ଯାହା । କିନ୍ତୁ ଏଠାରେ ପୁଣି ସେ କିପରି ସମ୍ମତି ଜଣାଇଲେ । ଅମର ଦୁଃଖରେ ଭାଙ୍ଗି ପଡ଼ୁଥିଲା ଯେତିକି ଆଶ୍ଚର୍ଯ୍ୟ ବି ହେଉଥିଲା ସେତିକି । ଅଭିମାନର ପାହାଡ଼ ଭାଙ୍ଗି ପଡ଼ୁଥିଲା ତା’ର ବାପାଙ୍କର ଏଭଳି ଏକପାକ୍ଷିକ ବିଚାରକୁ ଲକ୍ଷ୍ୟ କରି ।

 

ମୁକ୍ତ ଆକାଶର ବିହଙ୍ଗ ଚାହେଁ ଉଡ଼ିଯିବାକୁ ଅନନ୍ତ ନୀଳିମା ଭେଦ କରି । ଉଡ଼ିବାରେ ଅଛି ଅନେକ ମୋହ । ଅନେକ ଉତ୍ତେଜନା । ଦୂରରୁ ଆହୁରି ଦୂରକୁ ଉଡ଼ିଯିବାକୁ ମନରେ ପ୍ରବଳ ବାସନା । ଆଖି ସାମନାରେ ଅନେକ ସବୁଜିମାର ଆସ୍ତରଣ । ଅଙ୍କାବଙ୍କା ସର୍ପିଳ ପାହାଡ଼ ଉପରକୁ ଓହ୍ଲାଇ ଆସେ ନୃତ୍ୟରତା ମେଘମହ୍ଲାର ତା’ର ଅପରୂପ ଅଭିସାରିକାର ଛଟା ଆଣି । ସତରେ କେତେ ଆନନ୍ଦ ସେଇ ସ୍ତର ଭେଦ କରି ଉଡ଼ିଯିବାକୁ ଖୁବ୍‌ ଦୂରକୁ । ଆହୁରି ଦୂରକୁ । ଉଡ଼ିବାର ଶେଷ ନ ଥାନ୍ତା କି ଜୀବନସାରା । କିନ୍ତୁ ଏଇ ପାହାଡ଼ର ଚୌହଦୀ ଭିତରେ ଅନେକ ଯନ୍ତ୍ରଣା । ଅନେକ କଣ୍ଟା ଗୁଳ୍ମରେ ଭରପୂର ଏଇ ପାହାଡ଼ଟା । ଉଡ଼ିବାକୁ ଚେଷ୍ଟା କଲେ କ୍ଷତ ବିକ୍ଷତ ରକ୍ତାକ୍ତ ହେବା ବ୍ୟତୀତ ଫଳ କିଛି ହୁଏନା ଏଠି ।

 

ଅମରର ମନ ଆକାଶରେ କଳାହାଣ୍ଡିଆ ଭସା ବାଦଲ ଛାଇ ହୋଇ ଯାଇଥିଲା ।

 

ପ୍ରତ୍ୟେକ ଅନୁ ତା’ ଜୀବନରେ ଆସେ ଗୋଟିଏ ଦିନ ଯେଉଁଦିନ ସାଇତି ରଖିଥିବା ଜୀବନରେ ସବୁ କିଛିକୁ ସେ ଆଗେଇ ଆସେ ବିନା ବାଧା ବିନା ଦ୍ଵିଧା ବିନା ଆଶଙ୍କାରେ ସମର୍ପି ଦେବାକୁ ଗୋଟିଏ ପରପୁରୁଷ ନିକଟରେ ଯାଦାକୁ ସେ ଚିହ୍ନେନି ଜାଣେନି ବି ସୁଦ୍ଧା ସତରେ ଅନ୍ୟ ନିକଟରେ ନିଜକୁ ହଜାଇ ଦେବାରେ ନିଜକୁ ସମର୍ପି ଦେବାରେ ହିଁ ତ ନାରୀ ଜୀବନର ପରମ ସାର୍ଥକତା, ପରମ ତୃପ୍ତି ଏବଂ ଆନନ୍ଦ । ଅନୁ ପାଇଁ ବି ଆସିଥିଲା ଆଜି ସେଇ ଦିନ । ଅନେକ ଦିନର ବାଞ୍ଛିତ ସେଇ ଦିନଟି । ଦାମ୍ପତ୍ୟ ଜୀବନର ମଧୁ ଆସ୍ଵାଦନାର ପ୍ରଥମ ଦିନ । କେତେ ଆଶା, କେତେ ସ୍ଵପ୍ନ, କେତେ କଳ୍ପନା ସତେ ଏଇ ଦିନଟି ପାଇଁ । ଅନୁର ଶିରା ପ୍ରଶିରାରେ କାମନାର ନିଆଁ ଜଳାଇ ଦେଇ ଚାଲି ଯାଇଥିଲେ ପାଖ ପଡ଼ିଶା ଘରର କେହି କଣେ ନୂଆ ବୋଉ ହିସାବ ହେବେ ବୋଧେ ।

 

ଅନୁ କାନରେ ବାରମ୍ବାର ଶୁଭି ଯାଉଥିଲା ତାଙ୍କରି କଥା–

 

ଆମ ରାଧିକାର ଆଜି ମାନଭଞ୍ଜନ ହେବ ଯେ..... ।

 

ଏକ ଅଜଣା ଭୟରେ ଶିହରୀ ଉଠିଥିଲା ଅନୁ । ନୂଆ ମଣିଷ । ଅଜଣା ଅଚିହ୍ନା ସେ । ତାଙ୍କର ମନ ନେଇ ଚଳିବାକୁ ପଡ଼ିବ । ତା’ ଛଡ଼ା ଶାଶୁ, ଶ୍ୱଶୁର, ନଣନ୍ଦେଇ ଆଉ ଏତେ ବଡ଼ ଘରଟାରେ ଚାକରବାକରଙ୍କ ହାନି ଲାଭ ସବୁକିଛିର ଦାୟିତ୍ଵ ହିଁ ନିଜ ଉପରେ । ସମସ୍ତଙ୍କ ମନ ଜାଣି ସମସ୍ତଙ୍କୁ ସୁହାଇଲା ଭଳି କାମ କରିବାକୁ ପଡ଼ିବ ।

 

ଅମର ବାବୁଙ୍କର ହାବଭାବକୁ ଲକ୍ଷ୍ୟ କରି ନାନା ଆଶଙ୍କା ଭିତରେ ସେ ଭାଙ୍ଗି ପଡ଼ୁଥିଲା-। ଭାବନାରେ ତା’ର ଶେଷ ନ ଥିଲା । ବିବାହ ପୂର୍ବର ସବୁକଛି ନିନ୍ଦା ଅପବାଦକୁ ମୁଣ୍ଡରେ ଲଦି ସୀମନ୍ତରେ ସିନ୍ଦୁର ନେଇ ଦୁଃଖ ଯନ୍ତ୍ରଣାକୁ ଦୂରେଇ ଦେଇ ଶାଶୁଘରକୁ ସେ ଆସିଥିଲା ନୂତନ ଜୀବନର ସନ୍ଧାନରେ । ହେଲେ ଏଠାରେ କିନ୍ତୁ ଏଇ କେଇଦିନ ଭିତରେ ସେ ଅନୁଭବ କରିଛି ବିବାହ ପୂର୍ବର ସେଇ ଘନଘଟା, ଆତ୍ମଦହନ ତଥା ଆତ୍ମଗ୍ଳାନି ।

 

ଏତେ ବଡ଼ ପରିବାରଟାରେ ସବୁବେଳ ପାଇଁ ଶୁନ୍‌ଶାନ୍‌ । କାହାରି ମୁହଁରେ ଭାଷା ନାହିଁ, ହସ ନାହିଁ । ସମସ୍ତେ ଚିନ୍ତିତ ଅନୁତପ୍ତ । ଏ ବିବାହରେ ଅମରବାବୁ ଦୁଃଖିତ । ସେଥିନେଇ ସେ ଉଦାସ ପୁଣି ଭୟଙ୍କର । ଖାଇବା ଶୋଇବାର ଠିକ୍‌ ଠିକଣା ନାହିଁ । ପୁଅ ପାଇଁ ଶାଶୁ, ଶଶୁର ମଧ୍ୟ ଖୁବ୍‌ ଚିନ୍ତିତ । ପୁଅର ଏଭଳି ଅବସ୍ଥା ଦେଖି ନୀରବରେ ଅଶ୍ରୁମୋଚନ କରୁଥିବେ ସେମାନେ ।

 

ଅନୁ ଭାବି ଚାଲିଥିଲା । ରାତି ପ୍ରାୟ ବାରଟା ସାଢ଼େ ବାରଟା ହେବ । ଜରିପକା ଓ ଜର୍ଜରେଟ୍‌ ଶାଢ଼ୀ ପିନ୍ଧି ସୀମନ୍ତରେ ସିନ୍ଦୂର ନେଇ ନାନା ରତ୍ନ ଅଳଙ୍କାରରେ ସୁଶୋଭିତା ଅନୁ ମୁଣ୍ଡରେ ଓଢ଼ଣା ଟାଣି ବସି ରହିଥିଲା । ପଛ ପଟକୁ ବୁଲିପଡ଼ି ଥରୁଟିଏ ପାଇଁ ନିଜକୁ ସେ ଅଇନାରେ ଦେଖିନେଲା । ହେଲେ ଆଖିରୁ ତା’ର ଥପ୍‌ଥପ୍‌ ହୋଇ ଲୁହ ଗଡ଼ି ପଡ଼ିଲା । ନିଜକୁ ସେ ଧିକ୍‌କାର କଲା । କେଉଁଥିପାଇଁ ତା’ର ଆଜି ଏ ଅଭିସାରିକାର ବେଶ ? କାହା ଲାଗି କାହା ପାଇଁ ? କିଏ ବୁଝିବ ତା’ର ମରମ ତଳର କାମନା ବାସନା.....କିଏ ତା’ର ମୂଲ୍ୟ ଦେବ....ଯାହାପାଇଁ ସେ ନିଜକୁ ସଜେଇ ହେଇଛି, ଯାହାକୁ ପାଇବାକୁ ସେ ଏତେ ଚଞ୍ଚଳ ବ୍ୟସ୍ତ, ସେ କିନ୍ତୁ ଅବୁଝା । ତାଙ୍କ ନିକଟରେ ସେ ଅଲୋଡ଼ା ଅଖୋଜା । ରାତି ଏତେହେଲେ ବି ତାଙ୍କର ଦେଖା ନାହିଁ । କିଏ ଡାକିବାକୁ ଯାଇଥିଲା ଯେ, ସେ ପଢ଼ୁଛନ୍ତି ଯାଇପାରିବେନି ବୋଲି ମନା କରିଦେଲେ ।

 

ହଁ ତା’ ହୋଇପାରିଥାଏ କାରଣ ଆଗକୁ ତାଙ୍କର ବି. ଏ. ପରୀକ୍ଷା । ସେଥିନେଇ ପଢ଼ାରେ ସେ ବ୍ୟସ୍ତ ଅଛନ୍ତି । ହେଲେ ଆଜି କ’ଣ ଟିକେ ଶୀଘ୍ର ପଢ଼ା ସାରିଥିଲେ ହୋଇ ନ ଥାନ୍ତା । ଅନ୍ୟ ଦିନ ଏବଂ ଆଜି ମଧ୍ୟରେ କ’ଣ କିଛି ତଫାତ୍‌ ନାହିଁ । ଜୀବନରେ କେତେ ଯେ ଦିନ ଆସିଛି ଏବଂ ଯାଇଛି ଏଇ ହିସାବ ନ ଥିବା ଦିନଗୁଡ଼ିକ ଭିତରୁ କେତେଟାକୁ ବା ସେ ମନେ ରଖିଛି । ହେଲେ ଆଜିର ଏ ଦିନ କ’ଣ ଅନ୍ୟ ଦିନମାନଙ୍କ ଭଳି ହିସାବ ତାଲିକାର ସୀମା ବାହାରେ ? ଜୀବନରେ ଆଜି ଦିନର ଗୁରୁତ୍ଵ କ’ଣ କିଛି ନାହିଁ ? ହୋଇପାରିଥାଏ ତାଙ୍କ ପାଇଁ ଏହା ମୂଲ୍ୟହୀନ ସ୍ଵାଦହୀନ କାରଣ ସେ ଅଶିକ୍ଷିତା ଅସୁନ୍ଦରୀ । ତେବେ କ’ଣ ନାରୀର ମନ ନାରୀର ହୃଦୟ ତା’ଠାରେ ଅଭାବ । ସ୍ଵାମୀ ସ୍ତ୍ରୀର ସଂସାର ଗଢ଼ିବାକୁ ସେ କ’ଣ ଅକ୍ଷମ ? ଥପ୍‌ଥପ୍‌ ହୋଇ ଲୁହଗୁଡ଼ାକ ତା’ର ଆଖିରୁ ଝରି ପଡ଼ୁଥିଲା ।

 

ରାତି ଅନେକ ହୋଇଯାଇଥିଲେ ବି ଅମରର ଦେଖା ନ ଥିଲା । ବିନୟବାବୁ ଏବଂ ଶାନ୍ତିଦେବୀଙ୍କ ମନରେ ଆଶଙ୍କାର କଳାବଉଦ ଛାଇ ହୋଇଯାଇଥିଲା । ପରସ୍ଥିତିକୁ ଲକ୍ଷ୍ୟ କରି ସେ ବିବ୍ରତ ହୋଇ ପଡ଼ୁଥିଲେ । ବିନୟବାବୁ ମୁଣ୍ଡରେ ହାତ ଦେଇ ଚୁପ୍‌ ହୋଇ ବସି ରହିଥାନ୍ତି । ଶାନ୍ତିଦେବୀ ପାଖରେ ବସି ଆଖିରୁ ଲୁହ ଗଡ଼ାଉଥାନ୍ତି ।

 

କାଇଁ ଅମର ତ ଏ ପର୍ଯ୍ୟନ୍ତ ଆସିଲାନି । କଅଣ ଆଉ ତା’ ମନରେ ଅଛି । ହାୟରେ କପାଳ ! ମୋ ଭାଗ୍ୟରେ କ’ଣ ଏଇଆ ଥିଲା । ତମେହେଲେ ଟିକେ ନିଜେ ଯାଅ ।

 

ଶାନ୍ତିଦେବୀ କାନ୍ଦ କାନ୍ଦ ହୋଇ କହିଲେ । ଏକ ଦୀର୍ଘନିଶ୍ଵାସ ପକାଇ ବସିବା ସ୍ଥାନରୁ ଉଠି ଆସିଲେ ବିନୟବାବୁ ।

 

ଅନ୍ଧାର ରାତି । ଗାଁଟାଯାକର ସମସ୍ତେ ଶୋଇ ଗଲେଣି । ଚାରିଆଡ଼ ଶୁନ୍‌ଶାନ୍‌ । ବିନୟବାବୁ ଘରୁ ବାହାରି ଆସି ଏକ ସତର୍କ ଦୃଷ୍ଟିରେ ଚାହିଁନେଲେ ଚାରିଆଡ଼ । ତା’ପରେ ପଦକ୍ଷେପରେ କ୍ଳବ୍‌ଘର ଆଡ଼କୁ ଆସିଲେ ସେ ।

 

ଅମର ମୁହଁ ମାଡ଼ି ଶୋଇଛି । ଆଖିରେ ଲୁହ । କବାଟ ଆଉଜା ହୋଇଛି । ଦରଲିଭା ଲଣ୍ଠନଟା କିଞ୍ଚିତ ଆଲୋକ ପ୍ରଦାନ କରୁଛି । ବିନୟ ବାବୁ ଘର ଭିତରକୁ ପଶି ଆସିଲେ ।

 

ବାପାଙ୍କ ଡାକରେ ଆଖିରୁ ଲୁହ ପୋଛି ଅମର ଉଠି ବସିଲା ।

 

ଘରକୁ ନ ଯାଇ ଏଠି କ’ଣ ଶୋଇଛୁ । ଆ.....ଘରକୁ ଆ.... ।

 

ନାଁ ମୁଁ ଆଉ ଘରକୁ ଯିବିନି । ଯେଉଁଠି ସୁଖ ନାହିଁ, ଶାନ୍ତି ନାହିଁ ସେଠାରେ ରହି ଲାଭ କ’ଣ । ମୁଁ ଘର ଛାଡ଼ି ଚାଲିଯିବି ସବୁଦିନ ପାଇଁ ।

 

କ’ଣ ତୁ କହିଯାଉଛୁ । ଟିକେ ଭାବି ଦେଖ ତ....ତୋର କିଛି ହୋଇନି । ଯାହା କିଛି ହୋଇଛି ତୋର ମଙ୍ଗଳ ପାଇଁ । ମଣିଷର ରୂପ ବଡ଼ ନୁହେଁ । ରୂପ ସବୁଦିନ ପାଇଁ ରହେନି । ତୁ ଏତେ ବ୍ୟସ୍ତ ହେଉଛୁ କାହିଁକି ଦେଖିବୁ ସବୁ ଠିକ୍‌ ହୋଇଯିବ ।

 

ନାଁ, ମୁଁ ଆଦୌ ଘରେ ରହିପାରିବିନି । ଯାହାକୁ ନେଇ ସବୁଦିନ ପାଇଁ ମୁଁ ଘର କରିବି ସେ ତ ମୋତେ ଶାନ୍ତି ଦେଇ ପାରିବନି । ମୁଁ କାଲି ଘର ଛାଡ଼ି ଚାଲିଯିବି । ଅମରର କଣ୍ଠ ବାସ୍ପରୁଦ୍ଧ ହୋଇ ଆସୁଥିଲା ।

 

ମୁଁ ତୋର ବାପା । ତୋର ମଙ୍ଗଳ ମୁଁ କ’ଣ ଚାହେଁନି । ମୁଁ ଯାହା ସହିତ ବିଭାଘର କରିଛି ସେ ଲକ୍ଷ୍ମୀବନ୍ତ ସୁଗୁଣା । ମୁଁ କହୁଛି ଜୀବନରେ ତୋର ନିଶ୍ଚୟ ଉନ୍ନତି ହେବ । ତୁ ସୁଖରେ ରହିବୁ । ମୁଣ୍ଡ ଟିକେ ସ୍ଥିର କର । ତୁ ଯଦି ଏପରି ହେବୁ ମୋତେ ଲୋକ କ’ଣ କହିବେ । ମୁଁ ଲୋକଙ୍କୁ ମୁହଁ ଦେଖାଇପାରିବି ତ ।

 

ହୃଦୟର କୋହ ହୃଦୟରେ ଚାପି ରଖି ବିନୟବାବୁ କହି ଚାଲିଥିଲେ । ଅମର ମୁହଁ ତଳକୁ କରି ବସି ରହିଥିଲା ।

 

ମୁଁ ଯାଉଛି ଆ ଘରକୁ ଆ... ।

 

ବିନୟବାବୁ ଘରକୁ ଚାଲି ଯାଇଥିଲେ । ତା’ର କିଛି ସମୟ ପରେ ଅନେକ ଚିନ୍ତା କରି ଅମର ଘରକୁ ଫେରି ଆସିଥିଲା ।

 

ନାନା କଳରୋଳ ଭିତରେ ସେ ରାତିଟି ବିଦାୟ ନେଇ ଯାଇଥିଲା । ନବ ଆଶା ନବ ଉନ୍ମାଦନାର ସଞ୍ଚାର ଖେଳାଇ ସବୁ ଦିନ ପରି ଆଜି ବି ରକ୍ତରଞ୍ଜିତ ଛଟାରେ ସୁରୁଜ ଦେବତାଙ୍କ ଆଗମନିର ବାର୍ତ୍ତା ଶୁଣାଇ ଯାଇଥିଲେ ନାନା ଜାତିର ବିହଙ୍ଗମ ଦଳ ।

 

ସମସ୍ତଙ୍କ ବାରଣ ସତ୍ଵେ ଅମର ନିଜକୁ ପ୍ରସ୍ତୁତ କରି ନଇଥିଲା କଟକ ଯିବାଲାଗି । ବୋଉ ତା’ର କାନ୍ଦ କାନ୍ଦ ହୋଇ ଅନେକ ବୁଝାଇଥିଲା ଆଉ କିଛି ଦିନ ରହିବା ପାଇଁ । ଅଷ୍ଟମଙ୍ଗଳା ବାସି ଯିବା ଲାଗି ବିନୟବାବୁ ବି ଅନେକ ବୁଝାଇଛନ୍ତି । ଭାଇଙ୍କର ଅଜାଣତରେ ମିଲି ବା ଆଟାଚିଟା ନେଇ ଲୁଚାଇ ଦେଇଥିଲା ଶାନ୍ତିଦେବୀଙ୍କ କହିବା ମୁତାବକେ । ହେଲେ ଅମରର ସେଇ ଗୋଟିଏ ଜିଦ୍‌ ସେ କଟକ ଯିବ । କାରଣ ପରୀକ୍ଷା ତା’ର ଖୁବ୍‌ କମ୍‌ଦିନ ରହିଲା । ଶେଷରେ ବାପା ବୋଉଙ୍କୁ ପ୍ରଣାମ କରି ସେ କଟକ ଚାଲି ଯାଇଥିଲା ।

 

ଅମର ମନରେ ଆଜି ଅନେକ ପ୍ରଶ୍ନବାଚୀର ଠେଲାପେଲା । ସେ ଚିନ୍ତା କରୁଥିଲା କେଉଁଟା ହିଁ ତା’ର କାମ୍ୟ । ଜୀବନ ଯାତ୍ରାରେ କେଉଁ ପଥଟିକୁ ହିଁ ସେ ବାଛିନେବ, ନିଜର କରିନେବ । ଆଉ କେଇଟି ଦିନ ପରେ ତା’ର ବି. ଏ. ପରୀକ୍ଷା । ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ ତାକୁ । ତା’ଛଡ଼ା ଘରୁ ଆସିବାର ଦିନ ଦୁଇଟା ନ ହେଉଣୁ ଉତ୍କଳ ଛାତ୍ର ସଂଘର୍ଷ ସମିତିର କାର୍ଯ୍ୟକାରୀ କମିଟି ଦ୍ଵାରା ପ୍ରେରିତ ଏକ ବାର୍ତ୍ତା ପାଇଥିଲା ସେ । କାର୍ଯ୍ୟକାରୀ କମିଟିର ସଭାପତି ସେ । ଦେଶର ଚାରିଆଡ଼େ ଜରୁରୀକାଳୀନ ପରିସ୍ଥିତିର ଅଧ୍ୟାଦେଶ ଜାରି ହୋଇଥିଲେ ବି ସେମାନଙ୍କୁ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେବାକୁ ପଡ଼ିବ । ଚାରିଆଡ଼େ ବିପ୍ଳବର ବହ୍ନି ଖେଳାଇ ଦେବାକୁ ହେବ । ସମସ୍ତ ଜନତାକୁ ବୁଝାଇ ଦେବାକୁ ହେବ ଏ ଦେଶ ସେମାନଙ୍କର । ଦୁଇଓଳି ଦୁଇ ମୁଠା ପେଟଭରି ଖାଇ, ଛାଇ ତଳେ ଟିକେ ଶାନ୍ତିରେ ନିଶ୍ଵାସ ମାରିବାର ନାର୍ଯ୍ୟ ଅଧିକାର ସେମାନଙ୍କର ଅଛି । ଆଉ ସେମାନଙ୍କର ବି ଅଧିକାର ଅଛି ଉତ୍ପୀଡ଼କ ଶାସକ ଗୋଷ୍ଠୀକୁ ଶାସନ ଗାଦିରୁ ଓହରାଇ ଦେଇ ଏକ ମନ ମୁତାବକ ସରକାର ବାଛି ପାରିବେ । ଇଂରେଜ ହାତରୁ ଛଡ଼ାଇ ଆଣିଥିବା ସେମାନଙ୍କର ସେଇ ସ୍ଵାଧୀନତାଟିକକୁ ସେମାନେ ଏତେ ଶୀଘ୍ର କାହାରି ହାତରେ ଟେକି ଦେଇ ପାରିବେନି । ତା’ଛଡ଼ା ଗାନ୍ଧିଜୀଙ୍କର ପରିକଳ୍ପିତ ରାମରାଜ୍ୟକୁ ବାସ୍ତବରେ ରୂପ ଦେବାକୁ ହେଲେ ସେମାନଙ୍କୁ ନିଜର ସମସ୍ତ ସ୍ଵାର୍ଥ ତ୍ୟାଗ କରିବାକୁ ହେବ । ନିଜର ସୁଖ ସ୍ଵାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେବାକୁ ପଡ଼ିବ ।

 

ଅମର ଚିନ୍ତା କରୁଥିଲା ବର୍ତ୍ତମାନ ପରିସ୍ଥିତିରେ ତା’ର କର୍ତ୍ତବ୍ୟ କ’ଣ ? ମୁଣ୍ଡଟା ତା’ର ଗୋଳମାଳ ହୋଇ ଯାଉଥିଲା । ନିଜକୁ ଟିକେ ମୁକ୍ତି ଦେବାଲାଗି, ପ୍ରକୃତି କୋଳରେ କିଛି ସମୟ ପାଇଁ ନିଜକୁ ହଜାଇ ଦେବାକୁ ସେ ଧାଇଁ ଆସିଥିଲା ଏଇ କାଠଯୋଡ଼ି କୂଳକୁ ।

 

ଏଠି କେତେଟା ଦେବଦାରୁ ଗଛ ବଢ଼ିଯାଇଛି ଅନେକ ଉଚ୍ଚକୁ । ପୁଣି କେତେଟା ଝଙ୍କାଳିଆ ବରଗଛ । ଏଇ ଗଛ ତଳେ କେତେ ଖଣ୍ଡି ନୁଆଁଣିଆ ଚାଳଘର ଭୂମି ସ୍ପର୍ଶ କରୁଛି । ମୁଣ୍ଡା ଭୁଆସୁଣୀ କେତେ ଜଣ କେତେ ଜାତିର ଫୁଲରେ ଗଭା ସଜାଇ ରାସ୍ତା ପାଖ ପାଣିକଳରୁ ଘାଘରାରେ ପାଣି ଭର୍ତ୍ତି କରି ବୋହି ଆଣୁଥିଲେ ନିଜ ନିଜର କୁଡ଼ିଆକୁ । ମୁଣ୍ଡା ଛୁଆ କେତେଟା କାଠଯୋଡ଼ିର ସେଇ ବାଲୁକା ରାଶିରେ ଖେଳି ଖେଳି ବେଦମ୍‌ ହୋଇ ଯାଉଥିଲେ । କ୍ରମେ କ୍ରମେ ଏଇ ଗଛଗୁଡ଼ିକରେ ନାନା ଜାତି ପକ୍ଷୀଙ୍କର ଆସର ଜମି ଯାଇଥିଲା । କେଁ କଟର ରାବରେ ସମସ୍ତ ସ୍ଥାନଟି ଉଛୁଳି ଉଠୁଥିଲା । ପ୍ରକୃତରେ ଏଇ ସହଜ ସୁନ୍ଦର ରୂପଛଟା ଭିତରେ ନିଜକୁ ଭୁଲେଇବାକୁ ଚେଷ୍ଟା କରି ସେ ବିଫଳ ହୋଇଥିଲା । ଏଠାରେ ବି ସେ ସ୍ଥିର ହୋଇ ବସି ପାରି ନ ଥିଲା । ବସିବା ସ୍ଥାନରୁ ଧୀରେ ଧୀରେ ଫେରି ଆସିଥିଲା ତା’ର ବସାଘରକୁ । ବସାରେ ପହଞ୍ଚିବାର ଅଳ୍ପ ସମୟ ପରେ ଗୋଟିଏ ପୋଲିସ ସବ୍‌-ଇନସ୍‌ପେକ୍‌ଟର ଦ୍ଵାରା ଡାକରା ହୋଇ ସେ ଥାନାକୁ ଯାଇଥିଲା । ଅମର ସନ୍ଦେହର ବୁଢ଼ୀଆଣୀ ଜାଲରେ ଛନ୍ଦି ହୋଇ ଯାଉଥିଲା । କେଉଁଥିପାଇଁ ସେ ଏଠାକୁ ଆସିଛି ଏବଂ ପରିଣାମ ତା’ର କ’ଣ ହେବ ସେ ବିଷୟରେ ସେ ଭାବି ଚାଲିଥାଏ । ଶେଷରେ ଥାନା ଅଫିସର ତା’କୁ ଜେରା କରିଥିଲେ । ଭବିଷ୍ୟତ ପାଇଁ ତା’ର କର୍ମପନ୍ଥା ଏବଂ ଉତ୍କଳ ଛାତ୍ର ସଂଘର୍ଷ ସମିତିର କାର୍ଯ୍ୟ କ’ଣ ସେ ବିଷୟରେ ଅକେନ ଶୁଣାଣି ପରେ ମିଶା ଆଇନ ବଳରେ ସେ ଗିରଫ ହୋଇଛି ବୋଲି ଅମର ଥାନା ଅଫିସରଙ୍କଠାରୁ ଜାଣିବାକୁ ପାଇଲା । ଏକଥା ଶୁଣି ସେ ଆବାକ୍‌ ହୋଇଯାଇଥିଲା ପ୍ରଥମେ । ଏକ ଦୀର୍ଘଶ୍ଵାସ ପକାଇ ମୁଣ୍ଡରେ ହାତ ଦେଇ ଚୁପ୍‌ହୋଇ ବସି ଯାଇଥିଲା ସେ ।

 

ଗୋଧୂଳି । ଅନୁ ରୋଷେଇ ଘରେ ଚୁଲି ଲଗାଉଥାଏ । ଶାନ୍ତିଦେବୀ ଦୁଆରେ ଏକାକୀ ବସି ପରିବା ବନାଉଥାନ୍ତି । ସାହିଟାରେ ଆଉ କେହି ନଥାନ୍ତି । ମିଲି ଧଇଁସଇଁ ହୋଇ ଦାଣ୍ଡରୁ ଦଉଡ଼ି ଆସିଲା ।

 

ବୋଉ ! ବୋଉ ! ପ୍ରଶାନ୍ତ ଭାଇ ଅଇଚ୍ଛା ଘରକୁ ଆଇଲେ । ଭାଇ କୋଉଦିନ ଆସିବେ-

 

ଶାନ୍ତିଦେବୀ ନୀରବରେ ପରିବା ବନାଉଥାନ୍ତି । ତୁ ଗଲୁ ପ୍ରଶାନ୍ତ ଭାଇଙ୍କୁ ପଚାରି ଆସିବୁ ଭାଇ କୋଉଦିନ ଆସିବେ ।

 

ସେ ବର୍ତ୍ତମାନ ଆସିବନି । ତା’ର ପରୀକ୍ଷା ସରି ନ ଥିବ କି କଅଣ । ସରିଥିଲେ ତ ସେ ଆସି ଯାଇଥାନ୍ତା । ତା’ର ପରୀକ୍ଷା ସରିଲେ ସେ ଯାଇଁ ଘରକୁ ଆସିବ ।

 

ପ୍ରଶାନ୍ତ ଭାଇ କେମିତି ଆଇଲେ । ତାଙ୍କର କ’ଣ ପରୀକ୍ଷା ନାହିଁ ?

 

ଶାନ୍ତିଦେବୀ ମନେ ମନେ ଚିନ୍ତା କରୁଥିଲେ–ସତେ ତ ପ୍ରଶାନ୍ତର ପରୀକ୍ଷା ସରି ଯାଇଥିବ । ଅମରର ବି ପରୀକ୍ଷା ସରିବା କଥା । ତେବେ ସେ ଏହା ଭିତରେ ନିଶ୍ଚୟ ଘରକୁ ଫେରି ଆସିବ ।

 

ଶାନ୍ତିଦେବୀ ପରିବା କଟା ଛାଡ଼ି ଦେଇ ଉଠି ଯାଇଥିଲେ ପ୍ରଶାନ୍ତଙ୍କ ଘରକୁ ପୁଅ କଥା ବୁଝି ଆସିବା ପାଇଁ ।

 

ଆରେ ମାଉସୀ କୁଆଡ଼େ ଆସିଛନ୍ତି..... ।

 

ପ୍ରଶାନ୍ତ ଛୋଟ ନମସ୍କାରଟିଏ ପକାଇ କହିଥିଲା । ଘରୁ ମିନର୍ଭାଦେବୀ ବାହାରି ଆସି ମୁଣ୍ଡ ନୁଆଁଇ ନମସ୍କାରଟିଏ ପକାଇ ଶାନ୍ତିଦେବୀଙ୍କୁ ଘରକୁ ଟାଣି ନେଇ ସୋଫାସେଟ୍ ଉପରେ ବସାଇ ଦେଇଥିଲା । ଆଉ ଶାନ୍ତିଦେବୀ ଉଭୟଙ୍କୁ ଆଶୀର୍ବାଦ କରିଥିଲେ ।

 

ମୁଁ କୁଆଡ଼େ ଆସିଥିଲି କି, ମିଲି ଆମର ତୋର ଆସିବା କଥା କହିବାରୁ ମୁଁ ପରିବା ଅଧା କଟା କରି ଚାଲି ଆସିଲି । ତୋର କଅଣ ପରୀକ୍ଷା ସରିଲା ।

 

ହଁ ମାଉସୀ ଆମର ଦୁଇ ଦିନ ହେବ ପରୀକ୍ଷା ସରିଗଲାଣି । ମୁଁ ଏମିତି ଟିକେ ରହି ଯାଇଥିଲି ।

 

ପରୀକ୍ଷା କେମିତି ଭଲ ହୋଇଛି ତ ? ଅମରର ଆମର କେମିତି ହୋଇଛି । ତା’ର କ’ଣ ପରୀକ୍ଷା ସରିନି, ସେ କୋଉଦିନ ଆସିବ ?

 

ପରୀକ୍ଷା ସେମିତି ଏକ ପ୍ରକାର ହୋଇଛି । ସଙ୍ଗାତଙ୍କର ମଧ୍ୟ ସରି ଯାଇଥିବ । ତେବେ ସେ କ’ଣ ଏ ପର୍ଯ୍ୟନ୍ତ ଆସି ନାହାଁନ୍ତି.....ମୁଁ ତାଙ୍କୁ ଏଥର ଆଦୌ ଦେଖିନି । ପରୀକ୍ଷା ହେତୁ କେତେବେଳେ ସମୟ ହୁଏନି ତାଙ୍କ ନିକଟକୁ ବୁଲିଯିବା ପାଇଁ । ସେ ବି ମୋ ନିକଟକୁ ଆଦୌ ଆସି ନାହାନ୍ତି ।

 

ଶାନ୍ତି ଦେବୀଙ୍କ ମନ ଫିକା ପଡ଼ିଯାଇଥିଲା । ନିରାଶ ମନରେ ସେ ଘରକୁ ଫେରି ଆସିଥିଲେ ।

 

ସୂର୍ଯ୍ୟଦେବ ଆକାଶରେ କିଛି ବାଟ ଉପରକୁ ଉଠି ଗଲେଣି । ଦେହକୁ ଖରା କାଟିଲାଣି-। ଅନୁ ହାଣ୍ଡିରେ ଚାଉଳ ପକାଇ ଦେଇସାରି କଣ ଘର ଖଟ ଉପରେ ପେଟେଇ ପଡ଼ିଥାଏ ।

 

ସାଇଟାରେ କ’ଣ କେହି ବୋଲି କେହି ନାହାନ୍ତି । କୁଆଡ଼େ ଯାଇଚନ୍ତି ସବୁ ବା । ସାଇଟା ଖାଁ ଖାଁ କରୁଚି । ଶାନ୍ତି.....ଶାନ୍ତି କିଲୋ ।

 

ରାଧି ଡାକି ଡାକି ସାହି ଭିତରକୁ ପଶି ଆସି କଣ ଘର ଦର ଆଉଜା କବାଟଟାକୁ ମେଲା କରିଦେଲା । ଅନୁ ଖଟ ଉପରୁ ଧଡ୍‌ କରି ଉଠି ଆସିଲା ।

 

କ’ଣ ଶୋଇଥିଲୁ କିଲୋ, ହଉ ଶୁଅ ଶୁଅ ମୁଁ ଯାଉଛି । ବୋଉ କୋଉଠିକି ଯାଇଚି କିଲୋ ।

 

ବୋଉ ଗାଧେଇ ଯାଇଛନ୍ତି । କୁଆଡ଼େ ଆସିଥିଲ କି ମା ।

 

ନାଇଲୋ ଝିଅ ଇଆଡ଼େ ଇମିତି ଟିକେ ବୁଲି ଆସିଲି । ମୁଁ ଯାଏଁ ଲୋ ସିଆଡ଼େ ପୁଣି ମୋର କେତେ କାମ ବାକି ଅଛି ।

 

ରାଧି ଚାଲି ଯାଉ ଯାଉ ପୁଣି ଫେରି ପଡ଼ିଲା । ଖାଲି ଚୂନପତର ଟିକେ ଦେଇ ଯା । ଗୁଣ୍ଡି ଦି’ଟା କାନିରେ ବାନ୍ଧିଛି ଯେ......ସକାକୁ ଏ ଯାଏ ଖାଲି ପାଟି କରିଚି ।

 

ଅନୁ ପାନ ବାଡ଼େ ବଢ଼ାଇ ଦେଉଥିଲା ।

 

ସେଥିରେ ଟିକେ ଚୂନ, ଧାପେ ଖଇର ପକାଇ ଦେ ମା’ ।

 

ଅନୁ, ପାନ ଖଣ୍ଡେ ଭାଙ୍ଗି ରାଧି ହାତକୁ ବଢ଼ାଇ ଦେଲା ।

 

ପାନ ଖଣ୍ଡେ ପାଟିରେ ପକାଇ ରାଧି ଚାଲି ଯାଇଥିଲା । ପୁଣି ଦାଣ୍ଡଦୁଆର ମୁହଁରୁ ଫେରି ପଡ଼ି ଅନୁ ନିକଟକୁ ଲାଗି ଆସିଲା ସେ ।

 

ଇଲୋ ସେ ଟୋକାଟା କ’ଣ ଆଜିଯାଏ ଘରକୁ ଆଇଲାନି । କେମିତିକା ଟୋକାଟା ସେ ବା.....ସେ କ’ଣ ଏ ଦୁନିଆଁରୁ ବାହାରେ । ଚଉଠି ବାସିଠଉଁ ଯାଇଚି ଯେ ସିଆଡ଼େ ଚାରି ପାଞ୍ଚ ମାସେ ହୋଇଗଲା ଦେଖା ନାଇଁ ନା ଦର୍ଶନ ନାଇଁ । ଚିଠି ଦଉଚିଟି ।

 

ଲଜ୍ଜା ଏବଂ ଅପମାନରେ ଅନୁ ଜଳିପୋଡ଼ି ଯାଉଥିଲା । ତା’ର ଇଚ୍ଛା ହେଉଥିଲା ସେ ମୁହଁ ମୁହେଁ ଜବାବ ଦେଇ ଦିଅନ୍ତା ତୁ କିଏ ? କେଉଁ ସାହାସରେ ତୁ ଏକଥା ପଚାରି ପାରିଲୁ ? ଗଳା ଧକ୍‌କା ଦେଇ ଘରୁ ବାହାର କରିଦେବାକୁ ତା’ର ଇଚ୍ଛା ହେଉଥିଲା । ହେଲେ ନିଜ ଭାଗ୍ୟକୁ ଦୋଷ ଦେଇ ସେ ନୀରବ ରହିଥିଲା । ସଜଫୁଟା ଫୁଲଟା ପରି ସେ ଝାଉଁଳି ପଡ଼ିଲା । ଗୋଟାଯାକ ଝାଳରେ ଜୁଡ଼ୁବୁଡ଼ୁ ହୋଇଗଲା ।

 

ଆଜିକାଲି ଯୁଗରେ ଚିଠି କିଏ ନ ଦଉଚି । ଚିଠି ଖଣ୍ଡେ ବି ଦେଲାନି । ଗୋଟିଏ ବୋଲି ପୁଅ । ପୁଅର ସୁଖ ଦେଖିବା ଲାଗି ବାପ ମା’ ସଅଳ ସଅଳ ବାହାଘର କରି ଦେଇଥିଲେ ସିନା । ଇଲୋ ! ତୋର ତା’ର ଭଲଟି । ତୋ କଥା କ’ଣ ତା’ର ଟିକେ ହେଲେ ମନେ ପଡ଼ୁନି ।

 

ଅନୁ କାନରେ ଫୁସ୍‌ଫୁସ୍‌ କରି କହିଯାଉଥିଲା ସେ । ଅନୁ (ସେମିତି ନୀରବରେ ପଥରଟି ପରି ଶୁଣି ଯାଉଥିଲା । ଆଖିରେ ତା’ର ଲୁହ ଜକେଇ ଆସିଲା । ହୃଦୟର କୋହକୁ ହୃଦୟରେ ଚାପି ରଖି ସେ ଚାଲିଗଲା ସେଠାରୁ ।

 

ମୁଁ ଯାଉଛି ମା’, ତେଣେ ଭାତ ଜାଉ ହୋଇ ଯିବଣି ।

 

ମୋ କଥାକୁ ଅଙ୍ଗୁଟ୍‍ କଲୁ କି ଝିଅ । ନାଇଁ ମା’ ମୁଁ ତୋ ଭଲକୁ କଉଥିଲି ପରା । ତୁ ସେମିତିକା ବୋଲି ଏତେ ସଇଚୁ । ଆଉ ଯିଏ ହେଇଥିଲେ ନା.....ଛାଡ଼ ତୁ ଥାଆଲୋ ଝିଅ ମୁଁ ଯାଉଚି । ମତେ ମରଣ ହେଲାନି ମୁଁ କେତେବେଳୁ ଅଇଲିଣିଟି ।

 

ରାଧି ଚାଲି ଯାଇଥିଲା ସତ ହେଲେ ଅନୁର କଲିଜାରେ କ୍ଷୁର ଲଗାଇ ଦେଇ ପାଇଥିଲା-। ନିଜ ଭାଗ୍ୟକୁ ଦୋଷ ଦେଇ ସେ କାମରେ ଲାଗି ପଡ଼ିଥିଲା ପୁଣି ।

 

ଅମର ଏକାକୀ ଘରର ଗୋଟିଏ କଣରେ ବସି ପଢ଼ୁଥିଲା ଟମ୍‍ କକାଙ୍କ କୁଟୀର (Uncle Tom's Cabin) ଉପନ୍ୟାସଟି ଅନେକ ରାତି ଯାଏ । ଅନ୍ୟମାନେ ଶୋଇଲେଣି । ଅଧ୍ୟାପକ ନଗେନ୍‌ବାବୁ କିନ୍ତୁ ଆଖି ବୁଜି ଚେଇଁ ରହି ଚଉକାତ ମେଲି ପଡ଼ି ରହିଥାନ୍ତି ଚଟାଣ ଉପରେ । ଆଖିରେ ତାଙ୍କର ନିଦ ନାହିଁ । ଏଇ ଅଳ୍ପ କେଇ ଦିନ ହେବ ସେ ଆସିଛନ୍ତି ଏଠାକୁ । ଜମାଟ ଅନ୍ଧକାରରେ ଭରପୂର ଏଇ ଚାରିକାନ୍ଥ ଭିତରକୁ । ସୂର୍ଯ୍ୟାଲୋକର ପ୍ରବେଶ ବି ନିଷେଧ ଏଠି । ଦିନତମାମ ଖାଲି ଲୁହା ଶିକୁଳିର ଠନ୍‌ଠନ୍‌ ଆୱାଜ । ଦରୱାନ୍‌ର ଲାଲ୍‌ ଲାଲ୍‌ ଆଖି, ଅଶ୍ରାବ୍ୟ ଗାଳି ବର୍ଷଣ ମୋଟା ମୋଟା ଲୁହା ଛଡ଼ର ଝରକା କବାଟ, ମେଘନାଦ ପ୍ରାଚୀର, ରୁକ୍ଷ କର୍କଶ ମଣିଷ ପୁଳିଏଙ୍କର ହଇଚଇ ତା’ଛଡ଼ା ଛୋଟ ଛୋଟ ଫୁଲ ଗଛ କେତୋଟିରେ ନାନା ଜାତି ଫୁଲମାନଙ୍କର ଖିଲ୍‌ ଖିଲ୍ ହସ ବ୍ୟତୀତ ଅନ୍ୟ କିଛି ଦେଖିବାକୁ ମିଳେନା ଏଠି ।

 

କାହିଁ କେତେ ଦୂର ଭବାନୀପାଟଣାର ଏଇ କଏଦୀଖାନା । ଚୋର, ତସ୍କର, ନରହନ୍ତାମାନଙ୍କର ଏହା ପୀଠସ୍ଥଳୀ ପୁଣି ଦେଶସେବୀ, ସମାଜସେବୀ ସଂଗ୍ରାମୀ ବୀରମାନଙ୍କର ଏହା କର୍ମଭୂମି । ଆଖି ବୁଜି ଶୋଇ ରହିଥିଲେ ବି ନଗେନ୍‌ବାବୁ ଭାବି ଚାଲିଥାନ୍ତି ଅନେକ କିଛି । ସେ ମନେ ମନେ ମାନଚିତ୍ର ଆଙ୍କି ନେଉଥିଲେ ଏଇ କଏଦୀଖାନାର । ତା’ ଭିତରେ ଛୋଟ ଏଇ କୋଠରୀ । ଦୁଇ ତିନି ଜଣଙ୍କ ପାଇଁ ଆବିଷ୍ଟ ଏଇ କୋଠରୀଟିରେ ରହୁଛନ୍ତି ସେମାନେ ଛଅ ଜଣ । ସେମାନଙ୍କ ଭିତରୁ ଏଇ ବଳିଷ୍ଠ ଯୁବକ ଜଣକ ମୌନ ତଥା ପଢ଼ାପଢ଼ିରେ ଅଧିକାଂଶ ସମୟ କଟାଇ ଦେଉଛନ୍ତି । ତାଙ୍କ ସହିତ ଏ ଯାଏ ଭଲ ଭାବେ କଥାଭାଷା ହୋଇପାରି ନାହାନ୍ତି ନଗେନ୍‌ବାବୁ । ଆଖି ଖୋଲି ଉଠି ବସିଲେ ସେ । ତା’ପରେ ସେ ଧୀରେ ଧୀରେ ଚାଲି ଆସିଲେ ଅମର ନିକଟକୁ ।

 

ଏତେ ରାତି ଯାଏ କ’ଣ ପଢ଼ୁଛ ଯୁବକ... ?

 

ପ୍ରଶ୍ନିଳ ଦୃଷ୍ଟିରେ ଚାହିଁ ରହିଥାନ୍ତି ଅଧ୍ୟାପକ ନଗେନ୍‌ରାୟ ।

 

ଏଇ (Unkle Tom's Cabin) ଟମ୍‍ କକାଙ୍କ କୁଟୀର ନଭେଲଟି ।

 

ବହିରୁ ଆଖି ଫେରାଇ ମୁହଁରେ ସାମାନ୍ୟ ହସ ଖେଳାଇ ନଗେନ୍‌ବାବୁଙ୍କ ମୁହଁକୁ ଚାହିଁ ଉତ୍ତର ଦେଲା ଅମର ।

 

ଖୁବ୍‌ ଭଲ ବହିଟି ପଢ଼ୁଛ ନା.....ଆଚ୍ଛା କହିଲ ଦେଖି ସମଗ୍ର ଆମେରିକାଟା ଯଦି ଅଙ୍କେଲ୍‌ ଟମ୍‌ଙ୍କର କ୍ୟାବିନ୍‌ ହୋଇଯାଇଥାନ୍ତା ।

 

ତେବେ ଆପଣଙ୍କ ସହିତ ମୋର ହୁଏତ ଜୀବନରେ ତେବେ ସାକ୍ଷାତ୍‍ ହୋଇଥାନ୍ତା ଏ ବିଶ୍ଵାସ ମୋର ନାହିଁ ।

 

ମାନେ..... ।

 

ମାନେ ଆଉ କ’ଣ । ସମଗ୍ର ଆମେରିକା ଯେବେ ଟମ୍‌ଙ୍କର କୁଟୀର ହୋଇପାରିଥାନ୍ତା ତେବେ ଆମେ ଏଠାକୁ ଆସି କଏଦୀମାନଙ୍କୁ ଗଣି ନଥାନ୍ତେ । ଆମେରିକାର ସେଇ କଳା କଳା ଲୋକଙ୍କ ଉପରେ ଧମକ ଚମକ, ଲାଲ ଆଖି ଏବଂ ନାନା ନିର୍ଯ୍ୟାତନାରେ ସଢ଼ାଇବା ହେଲା ସେଠାକାର ଗୋରା ଲୋକମାନଙ୍କର ରକ୍ତଗତ ଅଭ୍ୟାସ । ବହୁ ଆନ୍ଦୋଳନ ପରେ ବି ତାହା ସମ୍ପୂର୍ଣ୍ଣ ଲୋପ ପାଇ ପାରିଲାନି ଏ ପର୍ଯ୍ୟନ୍ତ ସେଠାରେ । ଗୋରାମାନେ ଭାରତ ଶାସନ କଲେ । ରାଜ୍ୟ ପରେ ରାଜ୍ୟ ନିଜର ଅକ୍ତିଆରକୁ ଆଣି ଆମକୁ ଶାସନ କଲେ ସେମାନେ । ଯେଉଁ କେତେ ଜଣ ବୀରପୁଙ୍ଗବ ନିଜର ସ୍ଵାଭିମାନ ବଜାଇ ରଖିବାକୁ ଯାଇ ଏ ଦେଶର କଲ୍ୟାଣ ପାଇଁ ଆତ୍ମୋସର୍ଗ କରିଗଲେ ତା’ ଫଳରେ ଦେଶ ସ୍ଵାଧୀନ ହେଲା । ଆମେ ନିଜକୁ ମୁକ୍ତ ସ୍ଵାଧୀନ ବୋଲାଇଲୁ । ଆମେ ଆମରି ଦେଶ ଶାସନ କରୁ କରୁ ପୂର୍ବଭଳି ପୁଣି ଆମେ ଆମକୁ ଶାସନ କରିବାକୁ ଶିଖିଲୁ । ଏଇ ହେଲା ଆମରି ତଥା ଏ ମଣିଷ ଜାତିର ଶିକ୍ଷା ତଥା ଦୀକ୍ଷା । ଦୁର୍ବଳ ଉପରେ ସବଳର ଯୁଗେ ଯୁଗେ ଅତ୍ୟାଚାର । ଶାସକ ଏବଂ ଶାସିତର ଏ ହୀନ ମନୋଭାବ ଏ ଯାଏ ବି ଏ ମଣିଷ ଜାତିର ହୃଦୟରୁ ଲୋପ ହୋଇ ପାରିଲାନି । ଯେଉଁଥିପାଇଁ ଏ ପୁଣ୍ୟ ଭାରତ ଭୂମିର ଏ ଦୁର୍ଦ୍ଦଶା ।

 

ଅମର ଉତ୍ତେଜିତ ହୋଇ ଅନେକ କିଛି କହି ଯାଇଥିଲା । ନଗେନ୍ ବାବୁ ଛୋଟ ଛୁଆଟି ଭଳି ସେ ସବୁକୁ ମନ ଦେଇ ଶୁଣି ଯାଉଥିଲେ ।

 

ତମେ ଠିକ୍‌ କହିଛ ଯୁବକ ଏ ମଣିଷ ଚାହେଁ ସବୁବେଳେ ନିଜର କର୍ତ୍ତୃତ୍ଵ ଅନ୍ୟ ଉପରେ ଲଦି ଦେବାକୁ । ଯାହା ଫଳରେ ଏ ପୃଥିବୀ ପୁଷ୍ଠରେ ଦେଖା ଦେଇଛି ଅନେକ ଯୁଦ୍ଧ ମହାଯୁଦ୍ଧ । ପରିଣାମରେ ଦୁଃଖ ଦୁର୍ଦ୍ଦଶା ଭୋଗ କରନ୍ତି ନିରୀହ ଦୁର୍ବଳ ଜନସାଧାରଣ ।

 

ଆଚ୍ଛା ଯୁବକ । କେଉଁ ଅପରାଧରେ ତମେ କଏଦୀ ଭାବେ ଜୀବନ କାଟୁଛ ? କଥାର ମୋଡ଼ ବୁଲାଇ ପଚାରିଥିଲେ ନରେନ୍‌ବାବୁ ।

 

ଅପରାଧ ମୋର ଏଇ ଯେ ଉତ୍କଳ ଛାତ୍ର ସଂଘର୍ଷ ସମିତିର ସଭାପତି ମୁଁ । ଉପସ୍ଥିତ ସରକାରର କାର୍ଯ୍ୟକଳାପକୁ ବିରୋଧ କରିଥିଲୁ ଆମେ । ସମ୍ପୂର୍ଣ୍ଣ ବିପ୍ଳବକୁ ସ୍ଵାଗତ ଜଣାଇ ଗାନ୍ଧିଜୀଙ୍କ କଳ୍ପନାକୁ ବାସ୍ତବ ରୂପରେଖ ଦେବାପାଇଁ ଆମେ ଆଗେଇ ଯାଇଥୁଲୁ ଅନେକ ବାଟ । ଯାହା ଫଳରେ ଉପସ୍ଥିତ କଂଗ୍ରେସ ସରକାରର ଦୋଷ ଦୁର୍ବଳତା ସମ୍ପୂର୍ଣ୍ଣ ପଦାରେ ପଡ଼ିଯିବା ଭୟରେ ସାରା ଦେଶରେ ମିଶା ନାମରେ ହାଜତକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଛୁଟିଛନ୍ତି ବିପ୍ଳବୀ, ଧର୍ମୀ ଏବଂ ନିରୀହ ଜନସାଧାରଣ । ସେଥିରୁ ମୁଁ ବା ବାଦ୍‌ ଯିବି କିପରି ।

 

ଅମର ଆଖିରେ ଲୁହ ଜକେଇ ଆସିଥିଲା ।

 

ଧୈର୍ଯ୍ୟ ଧର ଯୁବକ । ଈଶ୍ଵରଙ୍କ ନିର୍ଦ୍ଦେଶ ହିଁ ଆମକୁ ଅକ୍ଷରେ ଅକ୍ଷରେ ପାଳନ କରିବାରୁ ପଡ଼ିବ ।

 

ଆଚ୍ଛା ଅପଣଙ୍କ ବିଷୟରେ ତ ମୁଁ କିଛି ଜାଣି ପାରିଲିନି ।

 

ଜାଣିବାକୁ ଯେବେ ଚାହିଁଛ ତେବେ ଶୁଣ–

 

ମୁଁ ଜଣେ ଅଧ୍ୟାପକ । ଗୋଟିଏ ସନ୍ଧ୍ୟାରେ ମୁଁ ଏବଂ ମୋର ଜଣେ ଅଧ୍ୟାପକ ବନ୍ଧୁ ବଜାରକୁ ବୁଲି ବାହାରିଥାଉ । ଆମ ଦୁହିଁଙ୍କ ମଧ୍ୟରେ ଅନେକ ଆଡ଼ୁ ଅନେକ ବିଷୟ ନେଇ ଆଲୋଚନା ଚାଲିଥାଏ । ଜରୁରୀ ପରିସ୍ଥିତି ନେଇ ବି ଆମ ମଧ୍ୟରେ ଅନେକ ଯୁକ୍ତିତର୍କ ଚାଲିଥାଏ । ମୋର ବନ୍ଧୁ ଜଣକ ଜରୁରୀ ପରିସ୍ଥିତିର ସପକ୍ଷରେ କହୁଥିବାବେଳେ ମୁଁ ଜରୁରୀ ପରିସ୍ଥିତିର କୁଫଳ ଦର୍ଶାଇଥିଲି । ଯଦ୍ଵାରା ହଠାତ୍ ଏକ ପୋଲିସ ଅଫିସର ଆମ ପଛପଟୁ ଆସି ମୋତେ ଚାର୍ଜ କରିଥିଲେ ଏବଂ ସଙ୍ଗେ ସଙ୍ଗେ ମୋତେ ଗିରଫ କରି ନେଇଥିଲେ । ଘରେ ମୋର ସ୍ତ୍ରୀ ଏବଂ ଏକମାତ୍ର ଝିଅକୁ ମୁଁ ଏଠାକୁ ଆସିବା ପୂର୍ବରୁ ଖବର ବି ଦେଇପାରି ନଥିଲି ।

 

ରାତି ସେତେବେଳକୁ ଦୁଇଟା ହୋଇ ଯାଇଥିଲା । ଅମର ଏବଂ ନଗେନ୍‌ବାବୁ ନିଜ ନିଜର ଶୋଇବା ସ୍ଥାନକୁ ଫେରି ଆସିଥିଲେ ।

 

ଖରାବେଳ ବୁଲେଇ ମା’ ଏକାକୀ ବସି ରହିଥାଏ ଦୋକାନରେ । ପାନ ଗୁଆ ଗୁଣ୍ଡି ଦୋକାନ ତା’ର । ଅଣ୍ଟିରେ ଧାନ ଆଣି ଦୋକାନକୁ ଆସିଲା ସୁକି । କୁଲାରେ ଧାନ ଅଜାଡ଼ି ଦେଇ ଗୋଡ଼ ହାତ ଲମ୍ବାଇ ଦୋକାନ ଘରେ ବସି ପଡ଼ିଲା ସେ ।

 

କଅଣ ନେବୁ କିଲୋ ?

 

ପାନ, ଗୁଆ, ଗୁଣ୍ଡି ଆଉ ଖଇର ସବୁଥିରୁ ସବୁଥିରୁ ଦିଅ ।

 

ଧାନ ତ ମୋଟେ ଏତିକି ଆଣିଚୁ । ସେରେ ବି ପୁରିନି । ଆଉ ସବୁଥିରୁ କଅଣ ନବୁ । ପାନ ତ ଯୋଉ ମହରଗ ହେଲାଣି...ଆଉ ଗୁଆ ଗୁଣ୍ଡି କଥା ଛାଡ଼ ।

 

ସେମିତି ଅଳପ ଅଳପ କରି ଦବ ଆଉ ନ ହେଲେ ତ ନ ହୁଏ । ଆଉ ଏଣିକି ଏ ପାନ ଖାଇ ହବନି । ଏ ଯୋଉ ଯୁଗ ହେଲାଣି ଯାହାର ଏ ବଦଖୋଇ ନାହିଁ ସେଇ ଜାଣି ତରୁଛି ଏକା ।

 

ହଁ ସେଇଆ ନୁହଁ ଆଉ କଅଣ । ଧାନ ଗଅଣିଏ ତ ବିକିଦେଇ ସଉଦା ଆଣିଲେ କାନିରେ କାନିଏ ହବନି । ହେଲେ କୋଉ କଥା କୋଉଠି ରହୁଚି । ଯାହାର ତ ଯାହା ଅଭ୍ୟାସ ରହିଚି....ପଇସାକୁ ଡରି କଅଣ କିଏ କାହାରି ଅଭ୍ୟାସ ଛାଡ଼ିଲାଣି ନା ଛାଡ଼ିଦବ ।

 

ଯାହା କଇଲ ଅପା ଘଡ଼ିଏ ତ ଖାଲି ପାଟି କରି ହବନି । ଟିକେ ଖାଲି ପାଟି ହେଲେ ତ ମୁଣ୍ଡ ବୁଲାଇବ ଆଉ ।

 

ଇଲୋ ସୁକି । ଦାସ ଘଟକି କିଏ ଆଇଚି ପରା.....ତାଙ୍କର କଅଣ କୁକୁଡ଼ା ଖୋଜୁଥିଲେ-

 

ହଁ କାଲି ବେଳ ବୁଡ଼େ ପରା ସେ କିଲିପୁର ବୁଢ଼ା ଆଇଥିଲା । ସେ ଥିବ କି କଅଣ ଆଉ-। ବନ୍ଧୁଟାଏ କି ଏକା, ଆମ ଏ ଗାଁ ଭିତରେ ଏମିତିକା ବନ୍ଧୁ କେଇ ପାଇ ନଥିଲେ । ଯାହା ତ ଆଖିବୁଜା ଯାନି ଯଉତୁକ ଦେଲା.....ହେଲେ ପନ୍ଦର ଦିନକୁ ପନ୍ଦର ଦିନ ବୋଝ ବୋଝ ହେଇ ପନିପରିବା ଭଲ ମନ୍ଦ ବୁହା ହେବାରେ ଲାଗିଚି ।

 

ହେଲେ କଅଣ ହବ ଝିଅଟି କିନ୍ତୁ ଗୁଣର ନୁହଁ । କାମଧନ୍ଦା ତ କିଛି ନାହିଁ, ଖାଲି ଗଦି ଉପରେ ଗଡ଼ୁଛନ୍ତି ବାବୁଆଣୀ । କାହାକୁ ଖାତିର ଅଛି ନା ଭୟଭ୍ରାନ୍ତି ଅଛି । ଯେତେହେଲେ ନୂଆଭୂଆ । ତା’ ବାପଘରେ ଯେତେ ଅୟସରେ ବଢ଼ିଥାଉ ନା କାହିଁକି ଏଠି ଶାଶୁ ଶଶୁରଙ୍କ ସେବା କରିବନି.....ତାଙ୍କ ଭଲ ମନ୍ଦ ଦେହପା ଦେଖିବନି । ଖାଇବାକୁ ଦେବାକୁ ଗଣ୍ଡେ ତ ତା’ ଦିହାତି ହଉନି । ବୋକିଟାଏ ମ....ନା ଅଛି ବୁଦ୍ଧି ନା ଅଛି ସଣ୍ଠଣା । ହେଲେ ଯାହା କହ ବାବୁଘର ବୋହୂଟି ଭଲ ଗୁଣର ଏକା । ଭାରି ବୁଦ୍ଧିଆ । କାମଧନ୍ଦାକୁ ବି ଚଉହାତିଆ ।

 

କାହା କଥା କହୁଛୁ କି ବୁଲେଇ ମା । କିଏ କାମରେ ଚଉହାତିଆ ବା । ରାଧି ଦୋକାନକୁ ପଶି ଆସୁ ଆସୁ କହିଥିଲା ।

 

ସେଇ ବାବୁଘର ବୋହୂକଥା କହୁଥିଲି ! ଭଲ ପିଲାଟି । ଆଜିକାଲିକା ପିଲାଙ୍କ ପରି ମୁଖରା ନୁହଁ । କାମଧନ୍ଦାଠୁ ଆରମ୍ଭ କରି ଶାଶୁ ଶଶୁରଙ୍କ ସେବା ନେବା କେଉଁଥିରେ କେହି ବାରି ଦବନି ।

 

ଛିଃ.....ତାରି କଥା କଉନୁ । ଅଲକ୍ଷଣୀଟାଏ ମ । ଦେଖୁନୁ ଘରକୁ ବୋହୂ ହେଇ ଆସୁ ଆସୁ କେମିତିକା ଘର କଅଣ ହେଲାଣି । ତାରି ପାଇଁ ତ ପୁଅ ଘରଛାଡ଼ି କୁଆଡ଼େ ପଳାଇଗଲା । ଗୋଟିଏ ବୋଲି ପୁଅ ଆଗକୁ ଅଛି ନା ପଛକୁ ଅଛି । ସିଏତ କୁଆଡ଼େ ଗଲା ଆଉ ଏ ବୋହୂ କଅଣ ତା’ର ସ୍ଵା ସ୍ଵା କରିବ । ସେଇ ପୁଅ ଚିନ୍ତାରେ ତ ଏତେ ବଡ଼ ଘରଟା ଖିନଖରାପ ହେଇଗଲାଣି । ବାପ ମା’ ତାରି ଚିନ୍ତାରେ ଘରେ ବସିଲେ । ଆଉ ଧନ ଦରବ କୁଆଡ଼େ ସବୁ ତ ଶୂନ୍ୟ ହେଇଗଲାଣି । ଆଉ ତା’ କଥା କଅଣ କହୁଛୁ ବା ।

 

ରାଧି ଖୁଡ଼ି ଯାହା କହିଲେ ସେଇଆ ନୁହଁ ଆଉ କ’ଣ । ତା’ରି ଯୋଗୁ ତ ଏସବୁ ଘଟିଲା-। ଅମର ତ ମୂଳରୁ ତା’କୁ ବାହା ହେବାକୁ ମନା କରୁଥିଲା । ତା’ କଥା ନ ଶୁଣି ବାପ ମା’ ବାହାକରି ଦେଲେ ସିନା ହେଲେ ତା’ର ତ ମନ ମାନିଲାନି । ଆଜିକାଲିକା ଛୁଆଙ୍କୁ ଦେଖୁନ....ଚଉଠି ବାସି ଛୁ । ସେ କଅଣ ଆଉ ଆସିବ । କୁଆଡ଼େ ବୋଲି କୁଆଡ଼େ ଗଲା । ଆଉ ଏ ବୋହୂ ଶାଶୁ ଶଶୁରଙ୍କ ମନ ନ ନେଇ ଯିବ କୁଆଡ଼େ । ଭାରି ସିଆଣୀଟାଏ ସେ ନା.....ନା ହେଲେ ବାପଘରକୁ ଯିବାକୁ କିଏ ମନା କଲାଣି ନ କରିବ ।

 

ସତରେ କଅଣ ଆଉ ଅମର ଆସିବନି । ଆଉ ସେ କୁଆଡ଼େ ଯିବ ? ସୁକି କଥା ନ ସରୁଣୁ ପଚାରି ବସିଲା ବୁଲେଇ ମା ।

 

ଆଉ ତୁ କଅଣ କହୁଛୁ ସେ ଆସିବ । ଆସିବାର ହେଇଥିଲେ ସେ ଆସି ନଥାନ୍ତା ଆଜିଯାଏ । କେଜାଣି ବା ମୁଁ କିମିତି ଜାଣିଲି.....ତା’ ବୋଉ ତ କଉଥିଲା ତା’ର କୁଆଡ଼େ ପରୀକ୍ଷା । ପରୀକ୍ଷା ପାଇଁ ପଢ଼ାପଢ଼ି କରୁଥିବାରୁ ସେ କାଳେ ଘରକୁ ଆସୁନି । ଶୁଣିବା କଥା ତ......କାହା କଥା ଏବେ ସତ ବୁଝିବ ।

 

ରାଧି ପରେ ପରେ ବୁଲେଇ ମା କହିଲା ! ତମେ ଗୋଟିଏ ନିପଟ ବୋକି । ଆଲୋ ତା’ରି ସାଙ୍ଗରେ ପରା ପ୍ରଶାନ୍ତ ପଢ଼ୁଥିଲା । ତା’ର ତ ପୁଣି ପରୀକ୍ଷା ଥିଲା । ସିଏ କେମିତି ଆଠ ଦିନକୁ ଆଠ ଦିନ ଦଉଡ଼ୁଥିଲା ଘରକୁ । ତା’ର ତ ପୁଣି ଏବେ ପରୀଷା ସଇଲାଣି । ସେ ତ କୋଉ ଦିନରୁ ଘରକୁ ଆଇଲାଣି । ସେ ପରା କଉଥିଲା ଅମରର ପରୀକ୍ଷା ସଇଲାଣି ।

 

ହଁ ମ ପରୀକ୍ଷାଠେଇଁ କଅଣ ଅଛି । ଯେତେହେଲେ ନୂଆ ବାହା । ଘରେ ଭାରିଯାକୁ ଛାଡ଼ି କିଏ ଏତେ ଦିନ ବାହାରେ ରହିବ ମ । ତା’ର ତ ଏଠି ମନ ନାହିଁ । ସିଏ ସେଆଡ଼େ ରହିଲା । ସିଏ କଅଣ କୋଉ ଅଯୋଗ୍ୟ ହେଇଚି । ସେଆଡ଼େ ବାହା ସାହା ହେଇ ଘର କରିବ । ଏଠିକି କଅଣ ସେ ଆଉ ଆସିବ ।

 

ସୁକି କଥା ନ ସରୁଣୁ ରାଧି କଥାରେ ଜୋରଦେଇ କହି ଉଠିଥିଲା । ଛୁଆଟାଏ ବାହାହେଇ ଆଇଥିଲା ଯେ......ଛାଡ଼ ଯାହା ତା ଭାଗ୍ୟରେ ଥିବ ।

 

ବୁଲେଇ ମା କହିସାରି ଦୋକାନ କବାଟ ବନ୍ଦ କରି ଆଣିଥିଲା । ସୁକି ଆଉ ରାଧି ନିଜ ନିଜ ଘରକୁ ଫେରି ଯାଇଥିଲେ ।

 

ଶ୍ରାବଣର ଏକ ମେଘୁଆ ସକାଳ । ସମ୍ପୂର୍ଣ୍ଣ ଆକାଶଟା ବାଦଲରେ ଘୋଡ଼େଇ ହୋଇ ଯାଇଥାଏ । ପୃଥିବୀ ପୁଷ୍ଠରେ ବିନ୍ଦୁ ବିନ୍ଦୁ ବର୍ଷା ଝରିପଡ଼ୁଥାଏ । ସକାଳୁ ଗାଧୋଇ ସାରି ଅନୁ ଓଦା ଲୁଗାରେ ଭାଗବତ ଘର ଠାକୁର ସେବା କରୁଥାଏ । ଧୂପ ଦୀପର ନୈବେଦ୍ୟ ଭିତରେ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ହଜାଇ ଦେଇଥିଲା । ତା’ ମନଗହନରେ ସତେ କେତେ ଅକୁହା ବେଦନା । ସର୍ବ ଦୁଃଖହାରୀ ଏଇ ଭଗବାନ କ’ଣ ତା’ର ଦୁଃଖ ବୁଝନ୍ତିନି । ଏ ଜୀବନରେ କ’ଣ ସେ ସମସ୍ତ ସୁଖରୁ ବଞ୍ଚିତ । ସତରେ ଏ ଦୁନିଆରେ ସେ ଏକ ବ୍ୟତିକ୍ରମ ।

 

କେତେ ଆଶା କେତେ ଭରସା ନେଇ ସେ ଆସିଥିଲା ଶାଶୁଘରକୁ । ମନରେ ଥିଲା ତା’ର ଅସଂଖ୍ୟ ଇନ୍ଦ୍ରଧନୁର ରଙ୍ଗ । ହେଲେ ଦିନ କେଇଟାରେ ସବୁ କିଛି ଓଲଟ ପାଲଟ ହୋଇଗଲା । କାମନାର ରଙ୍ଗ ତା’ର ଫିକା ପଡ଼ିଗଲା । ସତରେ କେଡ଼େ ଅଭାଗିନିଟାଏ ସେ । ଏତେ ବଡ଼ ଦୁନିଆଁରେ କାହାକୁ ସେ ଆପଣାର କରି ପାରିଲାନି । କିଏ ବା ତା’ର ଆଉ ନିଜର ହୋଇ ଅଛି । ନିଜର ଜନ୍ମଭୂମି ଛାଡ଼ି, ବାପ ମା’ ଭାଇଭାଉଜ ସାଙ୍ଗସାଥୀ ସମସ୍ତଙ୍କୁ ପର କରି ନିଜର ଭାଗ୍ୟକୁ ଆଦରି ସାରା ଜୀବନଟାକୁ ଏଇଠି କଟାଇ ଦେବା ପାଇଁ ଆସିଥିଲା ସେ । ହେଲେ ଏଠି ଯାହାର ହାତ ଧରି ଏ ଘରକୁ ବୋହୂ ହୋଇ ଆସିଥିଲା ସେ ତାକୁ ସାତପର କଲେ । ଆଉ ଶାଶୁ ଯେତେହେଲେ ସେ ତାଙ୍କ ନିକଟରେ ପରଝିଅ । ପୁଅର ଅଶାନ୍ତିରେ ସେ ଅଶାନ୍ତି । ଏବେ ସମୟେ ସମୟେ ତା’ ଉପରେ ବିରକ୍ତ ହୋଇ ଉଠନ୍ତି ସେ । ଆଉ ଶ୍ୱଶୁରଙ୍କର ହୃଦୟଫଟା ଅନ୍ତରର ବେଦନା ସେଦିନ ସେ ଶୁଣିବାକୁ ପାଇଥିଲା ।

 

ରାତି ଖାଇଲା ପ୍ରହର । ଶ୍ଵଶୁର ତା’ର କହୁଥିଲେ–ବୁଝିଲ ମିଲିବୋଉ । ମଣିଷ କି ବାହାଘର କଲା ଯାହା ତ ଶୁଣିବାକୁ ପଡ଼ିଲା । ଶେଷରେ ପୁଅ ବି ଘର ଛାଡ଼ି ଚାଲିଗଲା । ଚିଠିଟାଏ ବି ଏ ପର୍ଯ୍ୟନ୍ତ ଦେଲାନି । ହାୟରେ ଭଗବାନ ଏହା ପୁଣି ଭୋଗିବାକୁ ଥିଲା ।

 

ଅନୁ ସେପାଖ ଘରେ ଥାଇ ତା’ର ଶ୍ଵଶୁରଙ୍କର ଅନ୍ତରର ଭାଷା ଶୁଣି ପାରିଥିଲା । ଜୀବନରେ ପ୍ରଥମ ଥର ପାଇଁ ସେ ତା’ର ଗାଁ, ବାପ ମା’ ଏବଂ ବନ୍ଧୁ ପରିଜନଙ୍କୁ ଛାଡ଼ି ଏଠାରେ ପଡ଼ି ରହିଛି ଆଜିଯାଏ । ଗାଁକୁ ଯିବାକୁ ତା’ର ମନ ଉଚ୍ଚାଟ ହୁଏ । ତା’ର ବାପା ବି ଅନେକ ଥର ଆସିଲେଣି ତା’କୁ ଘରକୁ ନେବାକୁ । ହେଲେ ମନର ବାସନାକୁ ମନରେ ଚାପି ରଖି ତା’ର ଶାଶୁ ଶ୍ଵଶୁରଙ୍କୁ ଏପରି ଦୟନୀୟ ଅବସ୍ଥାରେ ଛାଡ଼ି ଘରକୁ ଯିବାକୁ ସେ ମନା କରି ଦେଇଥିଲା । ବାପା ତା’ର ଆଉ ଏଠାକୁ ଆସି ନାହାଁନ୍ତି ଅନେକ ଦିନ ହେବ ।

 

ଆଖିରୁ ତା’ର ଲୁହ ଝରି ପଡ଼ୁଥିଲା । ଆଣ୍ଠୁ ମାଡ଼ି ମୁଣ୍ଡ ଲଗାଇ ସେ ପଡ଼ି ରହିଥିଲା ଅନେକ ବେଳଯାଏ ।

 

ନୂଆଉ, ଖାଇବାକୁ ଦବ ଆଇଲ ।

 

ହଠାତ୍‌ ମିଲି ଡାକରେ ସେ ଉଠି ପଡ଼ିଲା । ମିଲି ଅନେକବେଳୁ ଆସି ପଛରେ ଠିଆ ହୋଇ ରହିଥିଲେ ବି ସେ ଆଡ଼କୁ ତା’ର ଲକ୍ଷ୍ୟ ନଥିଲା ।

 

ନୂଆଉ ତେମେ କାନ୍ଦୁଚ କାହିଁକି କ’ଣ ତମର ହେଇଚି, ବୋଉ କଅଣ କହିଲା ?

 

ନାଇଁ ମୁଁ କାନ୍ଦିବି କାହିଁକି ମୋ ଆଖିରେ କ’ଣ ଗୋଟେ ପଡ଼ିଲା ଯେ ପାଣି ଗଡ଼ି ପଡ଼ିଲା-। ଚାଲ ଖାଇବାକୁ ଦେବି ପରା ।

 

ତେମେ ମିଛ କହୁଛ ନୂଆଉ । କ’ଣ ହେଇଚି ତମର ସତ କହ ।

 

ମିଲିକି କୋଳକୁ ଟାଣି ଆଣି ତା’ ଗଣ୍ଡସ୍ଥଳରେ ଏକ ଚୁମ୍ବନ ଦେଇଥିଲା ସେ । ଆଉ ଆଖିରୁ ତା’ର ଶ୍ରାବଣର ଧାରା ଝରି ପଡ଼ୁଥିଲା ।

 

ରାତିରେ ଖାଇସାରି ଶୋଇଗଲେଣି ବିନୟବାବୁ । ଅନ୍ୟମାନେ ଖିଆପିଆ କରୁଥାନ୍ତି ।

 

ସାଆନ୍ତେ ! ସାଆନ୍ତେ !

 

ଡ଼ାକି ଡ଼ାକି ସାହି ଭିତରକୁ ପଶି ଆସିଲା ମଙ୍ଗୁଳି ଦାସ ।

 

କିଏ ମଙ୍ଗୁଳି କିରେ । ଏତେବେଳେ କୁଆଡ଼େ ଆସିଥିଲୁ ।

 

ନାଇଁ ଆମେ ଇଆଡ଼େ ଆଇଥିଲୁ ଯେ ଆପଣେ ତ ଶୋଇଲେଣି ଆମେ ଯାଉଚୁ ।

 

ଆଉ କିଏ ଆସିଥିଲା କି ?

 

ହଁ, ଏଇ ଚେମେଇଁ ହେରିକା ଆମେ ଆଇଥିଲୁ ।

 

ହଉ ତେବେ ସେଇ ଦାଣ୍ଡ ଘରକୁ ଚାଲ ମୁଁ ଯାଉଛି ।

 

ଦାଣ୍ଡପଟ ବୈଠକଖାନା । ବିନୟବାବୁ ଘର ଖୋଲି ଗୋଟିଏ ଚୌକି ଉପରେ ବସିଲେ ଏବଂ ମଙ୍ଗୁଳି ଦାସ, ପଞ୍ଚୁ ପ୍ରଭୃତି ଚଟାଣ ଉପରେ ବସି ପଡ଼ିଲେ ।

 

ହଁ କୁଆଡ଼େ ଆସିଥିଲ କହିଲ ।

 

କଥା କ’ଣ କି ସାଆନ୍ତେ ଆମେ ବଡ଼ ଦହଗଞ୍ଜ ହେଲୁଣି । ଆମ ଅବସ୍ଥା ତ ଆପଣ ଜାଣନ୍ତି । ଦିନେ ଖାଇଲେ ଦିନେ ଉପାସ । କେତେ ଆଉ ଆପଣଙ୍କ ଘରୁ ମାଗି ଯାଚି ନେଇ ଚଳିବୁ-। ଯାହା ତ ଯେତେବେଳେ ଦରକାର ହେଲା ଏଇଠିକି ଦଉଡ଼ି ଆଉଚୁ । ଏଣେ ଗାଁଟା ଯାକ ତ ଆମ ବିରୋଧୀ । ସେଥିରେ ଆଉ କେତେ ଦିନ ଆମେ ପଇସା ଖରଚ କରି ଓକିଲ ମହକିଲଙ୍କୁ ପୋଷି ମକଦ୍ଦମାରେ ଲଢ଼ିବୁ ।

 

ଆମେ କହୁଚୁ ଯାହା ତ ହେବାର ହେଇଗଲା । ଏଥର ସେଇ ସାହୁକାର, ମଦନ ବେଉରା ଆଉ ଲିଙ୍ଗରାଜ ଶତପଥୀର ଗୋଡ଼ ହାତ ଧରି ଭୁଲ୍‌ କାଇଲ୍‌ ମାଗିନେବା । ସେ ତ ହେଲା କୋର୍ଟ କଚେରୀ କଥା । ପଇସାର ଖେଳ ସେଠି । ହାକିମ ହୁକୁମା କାମ । ଆମ ଭଳି ମଳିମୁଣ୍ଡିଆ ବା ସେଠି ଥଳ ଦେଉଚି କେଉଁଠି । ଏ ହେଲେ ବଡ଼ ଲୋକ । ଦରକାର ହେଲେ ପଇସା ବିଞ୍ଚି ଦେବେ । ଆମେ ବା ତାଙ୍କ ପାଖରେ କ’ଣ ଭଲରେ ଭଲରେ ମକଦ୍ଦମା ଉଠେଇ ଆଣିଲେ ସିଏ ଭଲ ତ ଆମେ ଭଲ । ଆମେ କାଇଁକି ତାଙ୍କର ଅପ୍ରିୟ ହେଉଚୁ ଭଲା ।

 

ମଙ୍ଗୁଳି ଦାସ କଥାର ପାଳି ଧରି ଚେମେଇଁ ସେଠୀ କହିଲା ।

 

ନା କ’ଣ କହୁନ ସାଆନ୍ତେ । ଏ ପିଲା ଆମ କଥାରେ ଆଦୌ ରାଜି ହେଉ ନାହାନ୍ତି । ଇରେ ତାଙ୍କ ଜମି ତାଙ୍କର ! ଆମେ ଆମର ଖଟିବା, ଯେତିକି ମିଳିଲା ସେତିକି ଖାଇବା ସେ କନ୍ଦଳ ଭିତରେ ପଶିବା କାଇଁକି । ଏ ହଇରାଣ ହରକତ ଭୋଗିଆ କାଇଁକି । ସାଆନ୍ତେ ତ ଚୁପ୍‌ ହେଇ ଘରେ ବସିଲେ ନହେଲେ ଏ କେଇଟା ହାଲି ମାମଲତକାର ହେଇଚନ୍ତି ଆଙ୍କୁ ପଚାରୁଥିଲା କିଏ ?

 

ହଁ ସେଇଆ ନୁହଁ ତ ଆଉ କ’ଣ । ଏ ନାରେଣାଟା ଏବକୁ ନାରାୟଣ ସାହୁ । ସାହୁକାର ବୋଲେଇ ହଉଚି । ବାପା ଅଜା କାଳେ କାଳେ ମୁଲ ଲାଗୁଥିଲେ । ଆର ତିନି ପୁରୁଷ ସାଆନ୍ତଙ୍କ ଘରେ ମୁଲ ଲାଗି ଲାଗି ଦିନ କାଟିଚନ୍ତି ଆଉ ଏ ଦେଖଉଚି ସାହୁକାର ! ଏଡ଼େ ଟିକିଏ ହେଇଥିଲା କି ନାଇଁ ଯାଇଁ କଲିକତାରେ ବଙ୍ଗାଳିଙ୍କ ଗୋଡ଼ ମୋଡ଼ି ଦଉଥିଲା । କୋଉ ଗୋଟାଏ ବଡ଼ ବଣିଆ ମହାଜନ ଘରେ ଚାକିରି ରହିଥିଲା । ଥରେ ତା’ ଘରୁ ସୁନା ଫୁଳାଏ ଧରି ରାତାରାତି ଘରକୁ ଛୁ । ଏଠି ଆସି ଜମିବାଡ଼ି କିଣି ବୁଢ଼ା ଦିନେ ବଡ଼ଲୋକି ଦେଖେଇ ହଉଚି । ଆଉ ଇଏ ମଦନ ବେଉରା, ଲିଙ୍ଗରାଜ ଶତପଥୀ ଗାଁରୁ ଗଲେ ବାହାରେ କଥା ପଦେ କହିବାକୁ ପାଟି ଫିଟିବନି । ଏମାନଙ୍କୁ ଚିହ୍ନିଛି କିଏ...ଏଠି କ’ଣ ନା ମାମଲତକାର ।

 

ଛାଡ଼ ପରକଥା ଆଲୋଚନା କରିବା ଭଲ ନୁହେଁ । ତାଙ୍କ କଥାରେ ଆମର ଯାଏ କେତେ ଆସେ କେତେ । ମୁଁ ଯାହା କହୁଛି ସେଇଆ କର । ତମେମାନେ ସେମାନଙ୍କୁ ଡାକି କୋର୍ଟରୁ ମୋକଦ୍ଦମା ଉଠାଇ ଆଣ । ତା’ପରେ ପୂର୍ବ ଭଳି ସବୁ ଠିକ୍‌ଠାକ୍‌ ହୋଇଯିବ । ସେଇ ଭାଗଚାଷୀ ଫର୍ମ ପୂରଣରୁ ହିଁ ଯେତେ ସବୁ ଗୋଳମାଳ । ତମେମାନେ ସେଇ ଫର୍ମ ଉଠାଇ ଆଣ ତା’ପରେ ଗାଁଟା ଶୃଙ୍ଖଳାରେ ଚାଲିବ ।

 

ଆପଣ ମଧ୍ୟ ସେଇଆ କହୁଛନ୍ତି ମଉସା । ଆମେ କ’ଣ ଭାଗଚାଷୀ ଫର୍ମ ପୂରଣ କରି ଅନ୍ୟାୟ କରିଛୁ । ଆମେ ବର୍ଷ ବର୍ଷ ଧରି ସେଇ ଜମିରେ ଖଟି ଆସିଛୁ । ସରକାରଙ୍କ ନିୟମ ଅନୁସାରେ ଆମେ ସେ ଜମି ପାଇବାକୁ ହକ୍‍ଦାର । ଆମେ ତ ମାଗଣାରେ ସେ ଜମି ନେଇ ଆସୁନୁ-। ସରକାରୀ ମୂଲ୍ୟ ଦେଇ ଆମେ ଜମି କିଣି ଆଣିବୁ । ଏଥିରେ ଆମର ବା ଦୋଷ କ’ଣ । ଏଇଥିପାଇଁ ଆମକୁ ଗାଁରେ ବାଛନ୍ଦ କରାଯାଇଛି । ଆପଣ ଯଦି ଟିକେ ଆମକୁ ସାହାଯ୍ୟ କରନ୍ତେ ଆମପାଇଁ ପଦେ କଥା କହନ୍ତେ ତେବେ ଗାଁ ଲୋକେ ପୁଣି ଆମ ପଟକୁ ଲେଉଟି ପଡ଼ନ୍ତେ । ଆପଣ ତ ଖାଲି ଚୁପ୍‌ ହୋଇ ବସିଛନ୍ତି । ଯାହା ଫଳରେ ତାଙ୍କ ମନ ଇଚ୍ଛା ସେ ଶାସନ କରି ଚାଲିଛନ୍ତି ।

 

ହଁ ମଉସା ! ଆପଣ ଅମରବାବୁଙ୍କ ପାଇଁ ଏତେ ଚିନ୍ତା କରୁଛନ୍ତି କାହିଁକି । ସେ କ’ଣ ଆଉ କେଉଁଭଳି ପିଲା ହୋଇଚନ୍ତି ଯେ ଏତେଟା ଅନ୍ୟାୟ କରିବେ । ସେ ନିଶ୍ଚୟ ଘରକୁ ଫେରି ଆସିବେ । ସେ ତ କଲେଜର ନେତା ହୋଇଥିଲେ । ବର୍ତ୍ତମାନ ଜରୁରୀ ଅବସ୍ଥାରେ ତ ସବୁ ନେତା ଆରେଷ୍ଟ ହୋଇ ଯାଉଛନ୍ତି । ମୋର କାହିଁକି ବିଶ୍ୱାସ ହେଉଛି ସେ ଆରେଷ୍ଟ ହୋଇଯାଇଥିବେ । ନ ହେଲେ ଘରକୁ ଥରଟିଏ ପାଇଁ ନ ଆସି ସେ ଏତେ ଦିନ କେବେହେଲେ ବାହାରେ ରହିପାରି ନଥାନ୍ତେ । ଆପଣ ଅମରବାବୁଙ୍କ ପାଇଁ ଏତେ ବ୍ୟସ୍ତ ହୁଅନ୍ତୁନି ମଉସା ଦେଖିବେ ସେ ନିଶ୍ଚୟ ଫେରି ଆସିବେ । ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ ନ ହେଲେ ଆପଣଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡ଼ୁଛି । ଆପଣ ଦୁର୍ବଳ ହୋଇ ପଡ଼ୁଛନ୍ତି ।

 

କାଳିଆ ପରେ ପରେ ମଥୁରା କହି ଉଠିଥିଲା ।

 

ହଁ ମୁଁ ବି ସେଇଆ ଅନୁମାନ କରୁଛି । ତା’ ନ ହୋଇଥିଲେ ଚିଠିଟିଏ ତ ଦେଇ ପାରିଥାନ୍ତା । ହେଉ ଭଗବାନଙ୍କ ଇଚ୍ଛା ।

 

ବିନୟବାବୁ ଏକ ଦୀର୍ଘଶ୍ଵାସ ଛାଡ଼ି କହିଲେ ।

 

ଆଚ୍ଛା ତମେ କ’ଣ ଭାବୁଛୁ ସେମାନଙ୍କ ସଙ୍ଗେ ତମେ କୋର୍ଟରେ ଲଢ଼େଇ କରିପାରିବ । ମୁଁ ଜାଣେ ସରକାରଙ୍କ ଆଇନ ଅନୁସାରେ ଭାଗଚାଷୀମାନେ ଚଷି ଆସୁଥିବା ଜମି ପାଇବାକୁ ହକ୍‌ଦାର । ତେବେ ସେମାନଙ୍କ ପାଖରେ ତ ପଇସା ଅଛି । ଆଜିକାଲି ତ ପଇସାର ଖେଳ । ପଇସା ବଳରେ ଆଇନ୍‌ ହିଁ ଆଇନରେ ରହିଯିବ । ପଇସା ଯୁଆଡ଼େ ଆଇନ୍‌ ସେଆଡ଼େ ।

 

ହଁ ତା’ ଅବଶ୍ୟ ସତ । ହେଲେ ଏ ଭାଗଚାଷୀ କେଶ୍‌ରେ ନ୍ୟାୟ ମିଳିବ । କାରଣ ଏଇ ପଦ୍ମପୁର ଘଟଣାରେ ଭାଗଚାଷୀମାନେ ଚାଷ କରିଥିବା ଜମିରୁ ପାଚିଲା ଧାନ ଜୋର କରି କାଟି ନେଇ ଆସିଥିଲେ । ଏଇଥିପାଇଁ ସେ ଜମି ଉପରେ ମାଡ଼ଗୋଳ ପିଟାପିଟି ବି ହୋଇ ଯାଇଥିଲା । ସେ କେଶ୍‌ ଏବେ କୋର୍ଟରେ ଫଇସଲା ହେଲା । ଭାଗଚାଷୀମାନେ ହିଁ ଡିଗ୍ରୀ ପାଇଲେ । ଆହୁରି ଅନେକ ଜାଗାରେ ତ ଭାଗଚାଷୀମାନେ ଡିଗ୍ରୀ ଆଣୁଛନ୍ତି ।

 

ଆଚ୍ଛା ହେଲା ବାବା ତେମେ କ’ଣ କରୁଛ କର । ଆମେ ତ ବୁଢ଼ା ହେଲୁ ଆମ କଥା ଶୁଣୁଛି କିଏ । ତେମେ ତ ଯୁଆନ ପଞ୍ଝାଏ ବାହାରିଛ ତମ ମନ ଇଚ୍ଛା ଯାହା କରୁଛ……କାହାକୁ ପଚରା ନାହିଁ କି ଉଚରା ନାହିଁ ହଉ ଆସ ବାବା ଆସ ।

 

ବେନୁଆ କଥାରେ ଉତ୍ତର ଦେଇ ମଙ୍ଗୁଳି ଦାସ ଉଠି ପଡ଼ିଲା । ହେଉ ଯାହା ତୁମ ଭାଗ୍ୟରେ ଥିବ ।

 

ସମସ୍ତଙ୍କୁ ବିଦାୟ ଦେଇ ବିନୟବାବୁ ଶୋଇବାକୁ ଆସିଲେ ।

 

ଛାଇ ଲେଉଟିଲାଣି । ନାରାୟଣ ସାହୁ ଘରର ଦାଣ୍ଡପଟକୁ ଲାଗି ଏକ ପକ୍‌କା ଚଉରା ନାରାୟଣ ସାହୁ, ଲିଙ୍ଗରାଜ ଶତପଥୀ ଓ ମଦନ ବେଉରା ବସି ଗପ କରୁଥିଲେ ଚଉରା ଚଉତରା ଉପରେ ।

 

ବୁଝିଲ ମଦନ ! ଏ କେଇଟା ତ ଏ ଯାଏ ଦବିଲେନି । ମୁଁ ଭାବୁଥିଲି ଗାଁରେ ବାଛନ୍ଦ ହେଇଗଲେଣି ଏଥର ଆପେ ଆପେ ଆମ ପାଖରେ ପଡ଼ିବେ । ହେଲେ ମୁଁ ଆସି ଦେଖୁଛି ତାଙ୍କର ତ ଭାରି ବହପ ।

 

ସେକଥା କାହିଁ କହୁଛ । ସେ ଟୋକା କେଇଟା ଅଛନ୍ତି ସେଇ ତ ସବୁ ମନ୍ଥୁଛନ୍ତି । ନ ହେଲେ ଏ ମଙ୍ଗୁଳି ଚେମେଇଁ ହେରିକା…ସେ ପରା ଆସି ଆମ ଗୋଡ଼ ଧରି ପକାନ୍ତେଣି । ଏ ଟୋକା କେଇଟା ଯାହା ହେଉଛନ୍ତି ତାଙ୍କୁ ପାନେ ନ ଦେଲେ ସେ ସହଜରେ ଖାଡ଼ିରେ ପଶିବେନି । ଛାତି ଫୁଲେଇ ପରା ଚାଲିଛନ୍ତି । କାହାକୁ ମାନ ଅଛି ନା ଖାତିରି ଅଛି ।

 

ହଁ ପରା । ସେ ଟୋକାଗୁଡ଼ାଙ୍କ କଥା କହନା କହନା । ମଣିଷ ଦେଖିଲେ ସେମାନେ ଆହୁରି ଫୁଲେଇ ହେଉଛନ୍ତି । ସେଦିନ ମୁଁ ବିଲରୁ ଘରକୁ ଫେରୁଛି ରାସ୍ତା ରାସ୍ତା । ଏ ଯେଉଁ ମଙ୍ଗୁଳି ବାଉରିଟା ତା’ର ସେ ଯେଉଁ ବଡ଼ ପୁଅ କାଳିଆ ଆଉ ଚେମେଇଁ ପୁଅ ମଥୁରା ଏ ଦିହେଁ କୁଆଡ଼େ ଧୋବ ଧାଉଲ ହେଇ ଧପାଳିଥାନ୍ତି । ଆରେ ବାବା ଯୋଡ଼ି ହେଇ ତ ଛୁଟିଛନ୍ତି ରାସ୍ତାରେ । ମୋତେ ଦେଖି ଟିକେ ଅଡ଼େଇ ହେଇ ଯାଇଥାନ୍ତେ ଭଲା । ନ ହେଲା...ମୁଁ ପୁଣି ଆଡ଼େଇ ହେଇ ଆସିଲି । ମୁଁ ଦିଖୋଜ ଆଗେଇ ଆସି ପଛକୁ ଚାହିଁଲାରୁ ସେ ଦିହେଁ ହସାହସି ହେଇ ଚାଲିଛନ୍ତି । ସତରେ ଯେମିତି ନାଟ୍‌ସାହେବ । ଏଣେ ପଛେ ଚୁଲିରେ ଜାଳ ନ ପଶୁ । ଏମାନଙ୍କୁ କେମିତି ଆଉ ପାରିହବ…

 

କ’ଣ କିଛି କହୁନ ଶତପଥୀଏ । ଚୁପ୍‌ ହୋଇ ବସିଛ ଯେ । ନାରଣ ସାହୁ ପଚାରିହେଲେ ।

 

ମୋ ମତରେ ଏମାନଙ୍କୁ ଜବତ କରିବାକୁ ହେଲେ ଘଣ୍ଟାଟିଏ ବି ଲାଗିବନି । ଏମାନଙ୍କର ପୁଣି ଏତେ ସାହସ ହେବ ସେ ଆମ ସାଙ୍ଗରେ ଟକର ଦେଇ ଚାଲିଥାନ୍ତେ । ଅସଲ ଖିଅ ହେଲା ବିନୟବାବୁ । ତା’ ବଳରେ ଏଗୁଡ଼ା ଫକର ଫକର ହେଇ ଡେଇଁଛନ୍ତି । ଟଙ୍କା ପଇସାଠୁ ଆରମ୍ଭ କରି ଭଲରେ ମନ୍ଦରେ ସେ ସବୁ ଚଳାଉଛି । ନ ହେଲେ ଏଗୁଡ଼ାଙ୍କ କଲିଜା କେତେ ମୁଁ ଦେଖିନି ।

 

ତେମେ ଠିକ କହିଛ ଶତପଥୀଏ । ଅସଲ ଖିଅ ଅଛି ସେଇଠି । ଆଚ୍ଛା ହେଉ ! ଘରେ ତ ଯାହା ଯେଉଁଠି ଗହଣାଗାଣ୍ଠି ଥିଲା ସବୁ ବିକି ସାରିଲେଣି । ଆଉ ଜମି କେଇ ଏକର ଅଛି ଯେ...ସେତିକି ଦେଖା ଚାହାଁ କରିବାକୁ କେହି ନାହାନ୍ତି । ଧାନ କେଇଟା ପାଉଥିବ ସେତିକ ଖୋରାକିରେ ଯାଉଥିବ । ଆଉ କେତେ ଦିନ ସେମାନଙ୍କୁ ପୋଷୁଛି ପୋଷୁ ଭଲା । କିରେ, ଚନା ଶୁଣୁ ଶୁଣୁ….. ।

 

ଦାଣ୍ଡରେ ଚନା ଯାଉଥିବାର ଦେଖି ଡାକ ପକାଇଲେ ନାରାୟଣ ସାହୁ । କିରେ ତୁ ପରା ଗୋଟେ ବଳଦ କିଣିଛୁ । କେତେ ଟଙ୍କା ଦେଇ କିଣିଲୁ ବା ଭଲ ବଳଦଟାଏ ତ ଆଣିଛୁ । ଏତେ ଟଙ୍କା ଆଣିଲୁ କେଉଁଠୁ ।

 

ଏଇ ଆଠୁ, ତା’ଠୁ ଧାର ଉଧାର ଆଣି ଆଉ କିଛି ହାତରୁ ଦେଇ ସେମିତି ଯାହି ତାହିରେ ଗୋଟିଏ ନେଇ ଆଇଲି ।

 

ହଉ ଭଲ ଭଲ । ଆଉ ସବୁ ଖବର କ’ଣ....ଇରେ ସେ ମଙ୍ଗୁଳିଆ ହେରିକା ଏତେ ପଇସା ପାଉଛନ୍ତି କେଉଁଠୁ ଓକିଲକୁ ପଇସା ଦେଇ କେଶ୍‌ରେ ଲଢ଼ୁଛନ୍ତି । ବିନୟବାବୁ ତାଙ୍କୁ ସାହାଯ୍ୟ କରୁଛି ପରା ।

 

ହେଇଥିବ, ସେ ତ ସେଇଭଳି ଲୋକ । ଯିଏ ଯାହା ମାଗିଲେ କାହାକୁ ଫେରେଇ ଦେବା କଥା ନାହିଁ । ସେଇଥିପାଇଁ ତ ତାଙ୍କର ଆଜି ଏ ଅବସ୍ଥା ସେ ମାଳିଆ ବଡ଼ କିଆରୀ ଖଣ୍ଡକ ବିକିବାକୁ ବାହାରିଲେଣି ପରା ।

 

ଏଁ, ସତରେ ନା କ’ଣମ । ସେ କାହିଁକି ବିଲ ବିକିବ….ତା’ର କ’ଣ ଅଭାବ ହେଇଛି ଯେ-। ତୁ କେମିତି ଜାଣିଲୁ ।

 

ହେଇଥିବ, ତୁମକୁ କ’ଣ ଏମିତି ଆଶ୍ଚର୍ଯ୍ୟ ଲାଗୁଛି । ସେ ଟୋକାଟା କୁଆଡ଼େ ଗଲା ସେ, ତା’ ପିଛା କୁଆଡ଼େ କ’ଣ ଟଙ୍କା ଖର୍ଚ୍ଚ ସରିଲାଣି । କାହିଁକି ମିଛଟାରେ ତା’ ପାଇଁ ଏତେ ଟଙ୍କା ଉଡ଼ାଇ ଦେଲା କେଜାଣି । ସେ ତ କୁଆଡ଼େ ଚାଲିଗଲା । ସେ କ’ଣ ଆଉ ଆସିବ । ତା’ ଚିନ୍ତାରେ ବାପଟା ଚୁପ୍‌ ହେଇ ଘରେ ବସିଛି । ଆଉ ପଇସା ଆସିବ କେଉଁଠୁ । ହଉ ତୁ ଯା....ଯା... ।

 

ନାରଣ ସାହୁ କଥା ନ ସରୁଣୁ ଲିଙ୍ଗରାଜ ଶତପଥୀ ବଡ଼ ପାଟିରେ କହି ପକାଇଲା ପୁଅ କ’ଣ ଜାଣିଥିଲା ଏମିତି ସବୁ କାଣ୍ଡ ହେଇଯିବ । ଯଉତୁକ ଲୋଭରେ ତରିବରିଆ ହେଇ ବାହାଘର କରି ଦେଇଥିଲା ସିନା ହେଲେ ମଜାଟା ପାଇଗଲା ଏବେ । ଛିଃ…ଛିଃ...ମଣିଷର ପୁଣି ଏତେ ଲୋଭ, ପିଲାଟାର ପାଠପଢ଼ା ନ ସରୁଣୁ ଉପରୁ ଉପରୁ କିଛି ଟଙ୍କା ହାତ ପଇଠି କରି ତା’କୁ ବାହା କରିଦେଲା । ସେ ଟୋକାଟା ଆଦୌ ରାଜି ନଥିଲା ହେ । ଖାଲି ଜୋର ଜବରଦସ୍ତ କାମଟା ହେଇଗଲା ସିନା ।

 

ଯାହା କହିଲ ମଦନ ! ଅତି ଲୋଭରୁ ସିନା ତନ୍ତି ମରେ । ପୁଅ ଭଳିଆ ଜିନିଷ ଏବେ ହାତରୁ ଗଲା । ଛାଡ଼....ଆଚ୍ଛା ଏ ଚନା ଯାହା କହିଗଲା କଥାଟା ଯଦି ସତ ହୋଇଥାଏ ତେବେ ସେ ଜମି ଆଉ ଏଠି ନେବ କିଏ ? ଆମକୁ–ଦେଇ ସେ ଆଉ ଯିବ କୁଆଡ଼େ । ଆମେ ଟିକେ ଖେଳିଲେ ସୁବିଧାରେ ସେତିକ ନେଇ ଆସନ୍ତେ ।

 

ତମେ ଠିକ୍‌ କହିଛ ସାହୁଏ । ଆମେ ଟିକେ ନାହିଁ ନାହିଁ ହେଲେ ସେତ ବଳେ ଗୁଞ୍ଜି କରି ଦେବ । ନ ଦେଇ ବା ଯିବ କୁଆଡ଼େ । ଜମି ସେତିକି ହାତରୁ ଗଲେ ପୁଅ ମନରେ ପଶିବ । ଏଣିକି ଆଉ ସେ କେତେ ଦାତା କର୍ଣ୍ଣ ଦେଖେଇ ହେବ ଆମେ ଦେଖିବାନି ।

 

ମଦନ ବେଉରା କଥାର ପାଳି ଧରି କହିଥିଲା ।

 

ନର୍ଧୂମ ଖରାବେଳ । ମଦନ ବେଉରା ଅନ୍ୟମାନଙ୍କ ଅଜାଣତରେ ଚନାକୁ ନିଜ ଘରକୁ ଡାକି ଆଣିଥିଲେ ।

 

ତୁ କ’ଣ ସଠିକ ଭାବେ ଜାଣିଛୁ ବିନୟବାବୁ ସେ ଜମି ବିକିବେ । ମୁଁ ପରା ତୋତେ କହିଥିଲି ତୁ ତାଙ୍କଠାରୁ ବୁଝିବୁ ବୋଲି । କ’ଣ ବୁଝିଲୁ ।

 

ହଁ ! ମୁଁ ପରା ସେଇଦିନ ଯାଇ ବୁଝିଥିଲି । ସେ ବଡ଼ କିଆରୀଟା ଦେବେ ବୋଲି ସେ କହିଲେ ।

 

ଆଚ୍ଛା ମୋତେ ଟିକେ ତୁ ସାହାଯ୍ୟ କର । ଅବି ଆସିଲୁ ମୋ ସାଙ୍ଗରେ ତାଙ୍କ ପାଖକୁ ଯିବା ।

 

ଚାଲୁନ ଅଇଚ୍ଛା ତ ନିରୋଳା ହବ । କଥାଭାଷା ହୋଇ ଠିକ୍‌ଠାକ୍‍ କରି ଆସିବା । ଦୁହେଁ ଆଗପଛ ଚାହିଁ ହପିଛପି ହୋଇ ବିନୟବାବୁଙ୍କ ଘରକୁ ପଶିଲେ ।

 

ବିନିୟବାବୁ ସାହିରେ ଏପଟ ସେପଟ ହେଉଥିଲେ । ମଦନ ବେଉରାଙ୍କୁ ଦେଖି ବୈଠକ ଘରକୁ ଡାକି ନେଇଗଲେ ।

 

କୁଆଡ଼େ କେମିତି ବୁଲି ଆସିଲ ଆଡ଼େ.... ।

 

ଏଇ ଚନା ତ ମୋ ପିଛା ଖାସ୍‌ ଲାଗିଛି । ଆପଣ କାଳେ ସେ ମାଳିଆ କିଆରୀଟା ଦେଇ ଦେଉଛନ୍ତି । କ’ଣ କି ମୋର ଖଣ୍ଡେ କିଆରୀ ଅଛି ସେଇଠି । ଏଇଟାକୁ ନେଇଗଲେ କିଆରୀକୁ କିଆରୀ ମିଶିଯିବ । ହେଲେ ପାଖରେ ପଇସା ଥିଲେ ତ ହବ । ଦେଖିବା ଯୁଆଡ଼ୁ ଯେମିତି ଯୋଗାଡ଼ କରିବା ପଛେ ଆଉ କ’ଣ କରିବା ।

 

ହଁ ମୁଁ ସେ ମାଳିଆ କିଆରୀଟା ଦେଇଦେବି ବୋଲି ଭାବୁଛି । ବହୁତ ଦୂର ପଡ଼ୁଛି କି ନା…… ।

 

ହଁ ! ଏକେ ତ ଦୂର ବାଟ, ତା’ପରେ ସେଗୁଡ଼ା ଖାଲି ପକେଇ ରଖିଲେ କୋଉ ଲାଭ ଅଛି ଯେ । ଚାଷବାସ କଥା । ସେଥିରେ ଯେତେ ଲାଗିବ ସେତେ ଫଳିବ । ଆପଣ ତ ଘରେ ରହିଲେ । ପରଲୋକରେ କାମ ହେଲା । ସେମାନଙ୍କର ନିହତ ଆସିବ କେଉଁଠୁ, ଫସଲ ଭଲ ଅମଳ ହେବ ବା କେମିତି । ସେଗୁଡ଼ା କାହିଁକି ବା ମିଛଟାରେ ରଖି ବସିବେ ।

 

ତମେ କ’ଣ ସେ ବଡ଼ କିଆରୀ ତିନିମାଣେ ଯାକ ସବୁ ନେବ ।

 

ହଁ ! ଆପଣ କ’ଣ ଦର୍ଶ ମନ କହୁ ନାହାନ୍ତି । ବର୍ତ୍ତମାନ ପରିସ୍ଥିତିରେ ଜମି କିଣୁଛି ବା କିଏ । ଆମ ଗାଁରେ ତ ବହୁଲୋକ ଜମି ବିକିବାକୁ କହୁଛନ୍ତି । ହେଲେ କିଣିବାକୁ ପ୍ରାର୍ଥୀ କାହାଁନ୍ତି କିଏ ? ଖାଲି ମୋ କିଆରୀ ସଙ୍ଗରେ ମିଶିଯିବ ବୋଲି.....ନ ହେଲେ ମୁଁ କିଏ ଜମି କିଏ ।

 

ଦର୍ଶ ମନ ମୁଁ କ’ଣ କହିବି । ତୁମ ବିଚାରରେ ଯାହା ହେବ ତା’ ଦେବ । ମାଳିଆ ଜମି ଦର କେତେ ହେବ ତୁମକୁ କ’ଣ ଅଛପା ଅଛି ।

 

ମୁଁ ଶର୍ବରୀ ଗୁଣ୍ଠ ସତୁରୀ ଟଙ୍କା ଦେବି । ସେଥିରୁ ବେଶି ହେଲେ ପାରିବନି ଆଜ୍ଞା ।

 

ହେଉ ତୁମ କଥା ହେଲା । ରେଜେଷ୍ଟ୍ରି କୁ କେଉଁ ଦିନ ଯିବା ଠିକ୍‌କରି କହିବ ।

 

ଟିକେ ରହି ଗୋଟିଏ ଦୀର୍ଘଶ୍ଵାସ ଛାଡ଼ି ବିନୟବାବୁ କହିଲେ ।

 

ଆଉ ଗୋଟିଏ କଥା ଆଜ୍ଞା...ମୋ ପାଖରେ ତ ବର୍ତ୍ତମାନ ଏକକାଳୀନ ଏତେ ଟଙ୍କା ହବନି । ଆଉ ଅଳ୍ପ କିଛି ଟଙ୍କା ମୋତେ ସମୟ ଦେଲେ ମୁଁ ପରେ ଦେବି ।

 

ହଉ ହେଲା, ତେବେ ଏହା ଭିତରେ ତମେ ପ୍ରସ୍ତୁତ ହୋଇ ମୋତେ ଜଣାଇଲେ ରେଜେଷ୍ଟ୍ରି କରିବାକୁ ଯିବା ।

 

ଆତ୍ମସନ୍ତୋଷରେ ଫୁଲି ଉଠି ମଦନ ବେଉରା ଖୁବ୍‌ ସନ୍ତର୍ପଣରେ ଫେରି ଆସିଥିଲା । ଆଉ ତା’କୁ ଅନୁସରଣ କରି ଚନା ମଧ୍ୟ ଚାଲି ଆସିଥିଲା । ଏକ ଦୀର୍ଘଶ୍ଵାସ ପକାଇ ବିନୟବାବୁ ତାଙ୍କ ଚଲାପଥକୁ ଚାହିଁ ରହିଥିଲେ ।

Unknown

 

ଦେଖିଲ ତ ସାହୁଏ….କଥାଟା କେମିତିକା ହେଲା । ଆମ ମୁହଁରେ ଗୋଟିଏ କଥା ପଛରେ ଗୋଟିଏ କଥା । ଏ ଯୁଗରେ ମଣିଷ ଆଉ କାହାକୁ ବିଶ୍ୱାସ କରିବ କହିଲ ।

 

ସେଇ ମଦନ ବେଉରା କଥା କହୁଛଟି । ସେଦିନ ତ ଭାରି ଗୋଟେ ବଡ଼ ପାଟିରେ କହି ଦେଉଥିଲା ତା’ଠାରୁ ଜମି କେହି ରଖିବାନି....ପୁଣି ରଖିଲା କିଏ ? ବଳେ ତା’ ପାଖକୁ ଯାଇ ତା’କୁ ପଟଳାପଟଳି କରି ନେଇଛୁ । କେତେବେଳେ ଏତେ କଥା ହୋଇଗଲା ଆମ କେହି ଜାଣି ପାରିଲୁନି-

 

କେମିତି ବା ଆମେ ଜାଣିଥାନ୍ତେ । ଆଗରୁ ତ ଗାଁରେ କେହି ହେଲେ ଜାଣି ନ ଥିଲେ । ସେଇ ଚନାକୁ ହାତେଇ ତା’କୁ କିଛି ପଇସା ପତର ଦେଇ ତାରି ଜରିଆରେ ଏତେ କଥା କରିନେଲା-। ତା’କୁ ପରା ମନା କରି ଦେଇଥିଲା କେଉଁଠି ପ୍ରଘଟ କରିବ ନାହିଁ ବୋଲି । କାଳେ କଥାଟା ପ୍ରଘଟ ହେଇଗଲେ ତା’କୁ କିଛି ଅସୁବିଧା ହେବ । ସେ କ’ଣ କମ୍‌ ଜନ୍ତୁ କି ।

 

ନାଇଁ ଏଗୁଡ଼ା ଭଲ କଥା ନୁହେଁ । ସେ କ’ଣ ଏତେ ସିଆଣିଆ ହେଇଛି ଆମକୁ ମନା କରିଦେଇ ଏକା ଏକା ମାରିନେବ l ନାଇଁ କଥାଟାକୁ ସହଜ ମନେ କଲେ ହେବନି ।

 

ତା’କୁ ପଚାରି ଦେବାନା …..ନ ହେଲେ ଅଣ୍ଟି ଛୁରି ଯେବେ ତଣ୍ଟି କାଟିବ ଆମର ଆଉ ଉପାୟ କ’ଣ । ତା’କୁ ଆଉ ବିଶ୍ଵାସ କ’ଣ କହୁନ । ସେ କେତେବେଳେ କ’ଣ କରି ବସିବ ଆମେ ହଇରାଣ ହେବା କଥା ସିନା ।

 

ନୁହଁ ଆଉ କ’ଣ । ଏ କୋଉ ଯୁଗର କଥା । ଚାହୁଁ ଚାହୁଁ ମଣିଷ ନିଆଁ ଗିଳି ପକାଉଛି । ଆସିଲ ଉଠି ଆସ....ତା’କୁ ଅବି ଯାଇଁ ପଚାରି ଦେବା । ଦେଖିବା ସେ କ’ଣ କହୁଛି ଭଲା ।

 

ନାରଣ ସାହୁ ଚଉରା ଚଉତରା ଉପରୁ ଉଠି ଆସିଲେ ଲିଙ୍ଗରାଜ ଶତପଥୀ ଓ ସେ । ଦୁହେଁ ମଦନ ବେଉରା ଘରଆଡ଼େ ଚାଲିଲେ ।

 

ମଦନ ଘରେ ଅଛ ମଦନ ।

 

ନାରଣ ସାହୁ ଦାଣ୍ଡରେ ଠିଆ ହୋଇ ଡାକ ପକାଇଲେ ।

 

ଆରେ ଘରକୁ ଆସୁନ.... ସେଠି ଠିଆ ହୋଇଛ କ’ଣ । ଘରକୁ ଡାକି ନେଇଗଲେ ମଦନ ବେଉରା ।

 

ହଁ ! କୁଆଡ଼େ କେମିତି ଆଡ଼େ ବୁଲି ଆସିଲ....ବସ ମ । ଦୁଆରେ ଗୋଟିଏ ଶଉପ ପକାଇ ବସିଗଲେ ମଦନ ବେଉରା । ପରେ ପରେ ଲିଙ୍ଗରାଜ ଶତପଥୀ ଓ ନାରଣ ସାହୁ ।

 

କଥା କ’ଣ କି ତମେ ଯେଉଁ କାମଟି କଲ କ’ଣ ଭଲ ହେଲା । ଆମକୁ ସେଦିନ ତମେ କ’ଣ କହିଥିଲ । ଆମକୁ ଜଣା ନାହିଁ ଶୁଣା ନାହିଁ ତୁମେ ଏକା ଏକା ସେଇଟାକୁ ନେଇଛୁ । ଖୁବ୍‌ ଗମ୍ଭୀର ହୋଇ ପଚାରିଲେ ନାରଣ ସାହୁ ।

 

ମୁଁ ଜାଣେ ତମେ ମୋ ଉପରେ ରାଗଥିବ । ହେଲେ ମୁଁ କ’ଣ କରିଥାନ୍ତି କହିଲ ଭଲା । ସେ ବିନୟବାବୁଟା ଯେଉଁଠୁ ଖୁବ୍‌ ନେହୁରା କରି କହିଲା, ମୁଁ କାଇଁ ତା’ କଥାଟା ଭାଙ୍ଗି ଦେବାକୁ ମନେ କଲିନି ।

 

ହଁ, ସେ ତ ତୁମ ଗୋଡ଼ ହାତ ଧରି ପକାଇଥିବ । କାହିଁକି ନା....ତୁମେ ଯେତେବେଳେ ଛାଏଁ ଛାଏଁ ତାଙ୍କ ଘରକୁ ଯାଇଁ ତା’କୁ ପଟେଇ ଜମି ନେଇ ଆଇଲ । ଛିଃ... ଛିଃ...ଜମି କ’ଣ ଆଉ କିଏ ନେଇ ଯାଉଥିଲା । ତମେ ଏତେ ବିକଳିଆ ହେଉଥିଲ କାହିଁକି ?

 

ତମେ ତ ଭଲ କଥା କହୁଛ ହୋ । ମୁଁ କାହିଁକି ତା’କୁ ପଟେଇବି ମ । ମୋର କ’ଣ ଜମି ନାହିଁ ମୁଁ ଏତେ ବିକଳ ହେଉଥିଲି । ଆରେ ବାବୁ ସେ ମୋତେ ତା’ ଘରକୁ ଡକାଇ ପଠାଇଲା । ମୁଁ ଗଲି ବୋଲି ମୋର ଦୋଷ । ତମେ ହୋଇଥିଲେ ମନା କରି ଦେଇଥାନ୍ତ ନା । ଆଉ କାହାକୁ କହିଲେ କିଏ ଶୁଣିବ ! ମଦନ ବେଉରା ଆଗରେ ସେ କଥା କହିବନି ବୁଝିଲ ।

 

ମଦନ ବେଉରାକୁ କହିବୁନି ତ, ସେଦିନ ତମେ ଆମ ଆଗରେ କ’ଣ କହୁଥିଲ । ତା’ ଜମି କେହି ରଖିବାନି ବୋଲି ପରା ବଡ଼ ପାଟିରେ କହି ପକାଉଥିଲ । ଆଉ କେଉଁ ମୁହଁରେ ପୁଣି ସେ ଜମି କବଲା କଲ । ଶସ୍ତାରେ ମଲିଗଲା ପରା । ଆମେ ଚାହିଁଥିଲେ କ’ଣ ରଖି ପାରିନଥାନ୍ତୁ ।

 

ଆରେ ମୋ ଇଚ୍ଛା ହେଲା ମୁଁ ରଖିଲି । ସେଥିରେ ତୁମର ଯାଏ କେତେ ଆସେ କେତେ-। ମୁଁ ରଖିଲି ବୋଲି ତୁମ ଦେହ ସହୁନି ପରା । ମୁଁ ତା’ଠୁ ଜମି ରଖିଛି ଭଲ କରିଛି । ତମେ କ’ଣ କରିବ କଲ ଭଲା । ଖୁବ୍‌ ରାଗି ଯାଇଥିଲେ ମଦନ ବେଉରା ।

 

ଶୁଣୁଚ । ଶୁଣୁଛ ଶତପଥୀଏ । ସେ କ’ଣ କହୁଛନ୍ତି । ତମେ କ’ଣ ବକ ବକ ହେଇ ଚାହିଁ ରହିଛ ମ ।

 

କ’ଣ ଆଉ କହିବି ସେ ତ ଏହା କହୁଛନ୍ତି....ଭୁଲ କରି ଓଲଟା ପାଟି କରୁଛନ୍ତି ତମେ ଏଇଟା ଠିକ୍‌ କରିନ ବୁଝିଲ । ତମେ ନିଜେ ଭାବିଲ ଦେଖି କେମିତିକା କାମଟି ତମେ କରିଛ । ଛାଡ଼....କଥା ମାଜିଲେ ମୋଟ । ଯାହା ତ ହେବାର ହେଇଚି । ଅବିକା ଆମ ଆମ ଭିତରେ ପାଟିହେଲେ କିଏ କାଳେ ଶୁଣି ପକାଇବ । ଆମ ଗୁମରଟା ପଦାରେ ପଡ଼ିଯିବ ପୁଣି । ଲୋକେ ଆମକୁ କ’ଣ କହିବେ ବୁଝୁଛଟି ।

 

ମୁଁ ତ ସେଇଆ କହୁଛି । ମୁଁ କ’ଣ କହୁଚି ମୁଁ ଠିକ୍‍ କରିଛି…ସେ ବିନୟ ବାବୁ କଥାରେ ଭଳି ଯାଇ ଏ କାମଟା କରି ପକାଇଲି । ଆଉ ଟିକେ ଡେରି ହୋଇଥିଲେ ଯାହା ହୋଇଥାନ୍ତା ଭଲା-। ଦିନକା ଦିନ ଏ କାମ ହୋଇଗଲା । ସେ ତ ଖାଲି ବ୍ୟସ୍ତ ହୋଇ ପଡ଼ିଲା ସାଙ୍ଗେ ସାଙ୍ଗେ ରେଜେଷ୍ଟ୍ରି କାମ ସାରିଦେବାକୁ । ମୋତେ ତୁମକୁ ପଚାରିବାକୁ ବେଳ କାଇଁ । ମୁଁ ବା କୋଉ ସବୁତକ ଟଙ୍କା ଦେଇଛି । ସେ ପରା କହିଲା ଯାହା କିଛି ଟଙ୍କା ଅଛି ସେତିକି ନେବାକୁ । ପଇସା ବିନା ଭାରି ହଇରାଣ ହେଉଥିଲା କି ନା.....ଏତେ ନେହୁରା କରି କହିଲା ଯେ ମୋର ଆଉ କିଛି ଉପାୟ ନଥିଲା । ତମେ ସେ କେହି ହୋଇଥିଲେ ବି ମୋରି ଅବସ୍ଥା ହୋଇଥାନ୍ତା ।

 

ଛାଡ଼ ! ଯାହା ତ ହେବାର ହେଇଗଲା । ମୋ ମତରେ ତା’କୁ ଦେବାକୁ ଥିବ ସେ ଟଙ୍କା ସେତକ ଅବି ଦିଅନା । ତା’କୁ କିଛିଦିନ ନ ଘଣେଇ ଦିଅନି । ସେଇ ଟଙ୍କାରେ ଅବି ଆମର କେଶ୍‍ ଖର୍ଚ୍ଚ ଚଳୁଥାଉ । ପରେ ଆମେ ଚାନ୍ଦା କରି ତା’ ଟଙ୍କାଟା ଦେଇଦେବା । ନା କଅଣ କହୁଛ...?

 

ତେମେ ଠିକ୍‌ କହୁଛ ସାହୁଏ । ମୁଁ ବି ସେଇଆ ଭାବୁଥିଲି । ତା’କୁ ଏଇ ଯଶା ସାଥି ।

 

ଲିଙ୍ଗରାଜ ଶତପଥୀ କଥାର ପାଳିଧରି କହିଥିଲା । ମଦନ ବେଉରା କିଛି ନ କହି ଚୁପ୍‌ ହୋଇ ରହିଥିଲା । ଆଉ ଗୋଟିଏ ଅଡ଼ୁଆରେ ପଡ଼ିଗଲା ବୋଲି ମନେ ମନେ ଭାବୁଥିଲା ସେ ।

 

ମଦବେଉରା ଉଠିଯାଇ ପାନ ଖଣ୍ଡେ ଖଣ୍ଡେ ଆଣି ସେ ଦୁହିଁଙ୍କ ହାତକୁ ବଢ଼ାଇ ଦେଇଥିଲା । ଲିଙ୍ଗରାଜ ଶତପଥୀ ଓ ନାରଣ ସାହୁ ଧୀରେ ଧୀରେ ଉଠି ଚାଲି ଯାଇଥିଲେ ।

 

ସବୁଦିନ ପରି ଆଜି ମଧ୍ୟ ବାରଲାଇଟ୍‌ଟା ଧପ୍‌ଧପ୍‌ ହୋଇ ଜଳି ଉଠିଥିଲା ସେଇ ଝଙ୍କାଳିଆ ବଉଳ ଗଛ ତଳେ । ଜମାଟ ଅନ୍ଧକାର ଘେରା ସେଇ କଏଦୀ ଖାନା ବିଜୁଳି ଆଲୁଅରେ ଚେଇଁ ଉଠିଥିଲା କିଛି ସମୟ ଭିତରେ । ଘଣ୍ଟାର ଠନ୍‌ଠନ୍‌ ଆୱାଜ୍‌ ଭିତରେ ପ୍ରତ୍ୟେକ କଏଦୀ ନିଜ ନିଜର ରୁମ୍‌ ଛାଡ଼ି ଆଗେଇ ଆସିଥିଲେ ଏଇ ବଉଳଗଛ ତଳକୁ । ତା’ପରେ ପ୍ରତ୍ୟେକ ଭକ୍ତିପୂତ ଚିତ୍ତରେ ସେଇ ପରମପିତା ଭଗବାନ୍‌ଙ୍କର ସ୍ତୁତି ଆବୃତି କରି ପୁଣି ନିଜ ନିଜ ସ୍ଥାନକୁ ଫେରି ଯାଇଥିଲେ ।

 

ଅମର ପଛେ ପଛେ ଜେଲ୍‌ର ୱାର୍ଡର ଜଣକ ତା’ ରୁମ୍‌କୁ ପଶି ଆସିଲା ଏବଂ ଖଣ୍ଡେ ଆଦେଶନାମା ଅମର ହାତକୁ ବଢ଼ାଇଦେଇ କହିଲା–

 

ବାବୁ । ତୁମର ଖଲାସ ମଞ୍ଜୁର ହୋଇଯାଇଛି । କାଲି ସକାଳୁ ତୁମେ ଏଠୁ ମୁକ୍ତି ପାଇବ-

 

ତା’ପରେ ସେ ରୁମ୍‍ ଛାଡ଼ି ଚାଲି ଯାଇଥିଲା । ଅମର କିନ୍ତୁ ବୋକାଙ୍କ ଭଳି ଚାହିଁ ରହିଥିଲା ତା’ର ଯିବା ପଥକୁ । କିଛି ସମୟ ପରେ ଆଦେଶନାମାଟିକୁ ଖୋଲି ଏକ ନିଶ୍ୱାସରେ ପଢ଼ିଗଲା ସେ । ହେଲେ ମନ ତା’ର ଆନନ୍ଦରେ ନାଚି ଉଠି ନ ଥିଲା ବରଂ କି ଏକ ଆଘାତରେ ଆଖିରୁ ତା’ର ଦୁଇଟୋପା ଲୁହ ଗଡ଼ିପଡ଼ିଲା ।

 

କାଲି ସକାଳୁ ସେ ଏଠାରୁ ବିଦାୟ ନେଇ ଫେରିଯିବ । କିନ୍ତୁ କେଉଁଠାକୁ ଯିବ ତା’ ସେ ଜାଣେନା । ଏଇ ଅନ୍ଧକାର ଘେରା ଚଉଦିଗ ଭିତରେ ଲୁଚି ରହିଥିବା କେତେକ ଦୁର୍ବଳ ମଣିଷଙ୍କ ସହିତ ସେ ନିଜକୁ ସାମିଲ କରି ଦେଇଥିଲା । କେତେ ଜୀବନର ଦୁଃଖଦ କାହାଣୀ ଶୁଣି ସେ ଦୁଃଖ ଭୁଲି ଯାଇଥିଲା । ସେମାନଙ୍କୁ ସେ ଆଶ୍ୱାସନା ଦେଉଥିଲା, ସତକ୍ଷଣି ଦେଉଥିଲା । ହେଲେ ପୁଣି ସେ ଅଲଗା ହୋଇଯିବ ଏମାନଙ୍କଠାରୁ । ଏଇ କେତେଦିନ ଭିତରେ ତା’ ସହିତ ଘନିଷ୍ଠ ହୋଇଯାଇଥିବା କେତେକ ବନ୍ଧୁ ଏବଂ ତା’ର ରୁମରେ ଥିବା ପିତୃତୁଲ୍ୟ ସେଇ ନଗେନ୍‌ବାବୁଙ୍କୁ ଛାଡ଼ି ଚାଲିଯିବାପାଇଁ ସେ ଆଦୌ ପ୍ରସ୍ତୁତ ନ ଥିଲା । ଘରକଥା ସେ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଥିଲା । ଏଠାରୁ ବିଦାୟ ନେଇ ଘରକୁ ଫେରିଯିବାକୁ ତା’ର ମନ ଆଦୌ ଉଚ୍ଚାଟ ହେଉ ନଥାଏ । ବରଂ ଘରକୁ ନ ଯାଇ କେଉଁଠାରେ ରହିବ ସେଥିନେଇ ସେ ଚିନ୍ତିତ ଥାଏ ।

 

ରୁମ୍‍ ଭିତରକୁ ପଶି ଆସିଲେ ଅଧ୍ୟାପକ ନଗେନବାବୁ ।

 

କଅଣ ହୋଇଛି ତୁମର ଅମର । ତୁମେ ଯେ ଚିନ୍ତିତ ଜଣାପଡ଼ୁଛ ।

 

ଅମରକୁ ଲକ୍ଷ୍ୟ କରି ପଚାରିଲେ ନଗେନ୍ ବାବୁ ।

 

ଅମର କିଛି ନ କହି ତଳେ ପଡ଼ିଥିବା ସେଇ ଆଦେଶନାମାଟିକୁ ନଗେନ୍‌ବାବୁଙ୍କ ହାତକୁ ବଢ଼ାଇ ଦେଲା ।

 

ବେଶ୍‌ ତ ଏଥିରେ ତୁମର ଆନନ୍ଦ ହେବାର କଥା । କାଲି ତୁମେ କଏଦୀର ଜୀବନ ପରିହାର କରି ଭାଦ୍ର ନାଗରିକ ବୋଲାଇବ ।

 

ମୋତେ କିନ୍ତୁ ଏଇ କଏଦୀର ଜୀବନ ବେଶ୍ ଭଲ ଲାଗୁଛି । ଆପଣମାନଙ୍କ ସହିତ ଯେଉଁ ମଧୁର ସମ୍ପର୍କ ଗଢ଼ି ଉଠିଛି ତା’କୁ ପରିହାର କରି ଏଠାରୁ ଚାଲିଯିବା ପାଇଁ ମୋର ଆଦୌ ଇଚ୍ଛା ହୁଏନା ।

 

ତମେ ଭୁଲ ବୁଝିଛ, ତମେ ଭାବପ୍ରବଣ ହୋଇ ପଡ଼ିଛ । ଉଦ୍ର ନାଗରିକ ଆଉ କଏଦୀ ଭିତରେ ରହିଛି ଅନେକ ତଫାତ୍‌ । ତୁମେ ଭାଗ୍ୟବାନ ଅମର । କାଲି ତମେ ମୁକ୍ତ ହୋଇ ଏଠାରୁ ବିଦାୟ ନେବ । ଆଉ ଦେଖିବ ତୁମ ଜୀବନ ଭିତରେ ତୁମେ କେତେ ସମ୍ପର୍କ ଗଢ଼ିପାରୁଛ । ତମେ ମଣିଷ । ମଣିଷ ମଣିଷକୁ ଭଲପାଏ । ସେ ସମ୍ପର୍କ ସ୍ଥାପନ କରେ । ଯେଉଁଠି ରହିଲେ ବି ସେଠିକାର ମଣିଷ ସହିତ ସମ୍ପର୍କ ଗଢ଼ିବାକୁ ସେ ଆଗେଇ ଆସେ । କ୍ରମଶଃ ତାହା ମଜଭୁତ ହୁଏ, ଦୃଢ଼ ରହେ । ଯେତେ ବାଧା ବିଘ୍ନ ଆସିଲେ ବି ସହଜରେ ତାହା ଭାଙ୍ଗିଯାଏନା ।

 

ଅଧ୍ୟାପକ ନଗେନ୍‌ରାୟଙ୍କ କଣ୍ଠ ରୁଦ୍ଧ ହୋଇ ଆସୁଥିଲା । ଆଖିରେ ତାଙ୍କର ଲୁହ ଜକେଇ ଆସିଥିଲା ।

 

ପରଦିନ ସକାଳ । ଅମର ଅନ୍ୟାନ୍ୟ କଏଦୀମାନଙ୍କଠାରୁ ବିଦାୟ ନେଇ ଆସିଲା । ଶେଷରେ ଅଧ୍ୟାପକ ନଗେନ୍‍ବାବୁଙ୍କ ପାଦଧୂଳି ଆଣି ମୁଣ୍ଡରେ ଲଗାଇଲା । ନଗେନ୍‌ବାବୁ ଅମରକୁ ବୁକୁରେ ଭିଡ଼ି ଧରି ଅନେକ ଆଶୀର୍ବାଦ କଲେ । ସମସ୍ତଙ୍କଠୁ ବିଦାୟ ନେଇ ଜେଲରୁ ମୁକ୍ତ ହୋଇ ଅମର ଭବାନୀପାଟଣାକୁ ପଛରେ ପକାଇ କଟକ ଅଭିମୁଖେ ଯାତ୍ରା କଲା ।

 

କଟକ ସହରରେ ପହଞ୍ଚି ନଗେନ୍‍ବାବୁଙ୍କ ଘର ଖୋଜି ପାଇବାକୁ ଅମରକୁ ବେଶି ସମୟ ଲାଗିଲାନି । ରାତି ସେତେବେଳକୁ ନଅଟା ହୋଇଯାଇଥିଲା । ସହର ଉପକଣ୍ଠରେ କାଠଯୋଡ଼ି କୂଳକୁ ଲାଗି ଏକ ଦୋମହଲା କୋଠାରେ ଅଧ୍ୟାପକ ନଗେନ୍‌ରାୟଙ୍କ ନାମଫଳକ ଝୁଲୁଥିଲା । ଆମର କଲିଂ ବେଲ୍‌ ଦେବାରୁ ଘର ଭିତରୁ କବାଟଟା ଧଡ୍‍ କରି ଖୋଲିଗଲା ।

 

ଭିତରକୁ ଯାଇପାରେ କି ?

 

ଅମର ମୁହଁକୁ କିଛି ସମୟ ଚାହିଁ ବିସ୍ମିତ ହୋଇଗଲା ସ୍ମିତା । ତା’ପରେ ଛୋଟ ନମସ୍କାରଟିଏ ପକାଇ ଅମରକୁ ସମ୍ବୋଧନ କରି ଘର ଭିତରକୁ ଡାକିନେଲା ସେ । ଅମର ମଧ୍ୟ କମ୍‍ ଆଶ୍ଚର୍ଯ୍ୟ ହୋଇ ନଥିଲା ।

 

ଏ ଅସମୟରେ କୁଆଡ଼େ ଆସିଲେ ଅମରବାବୁ.....

 

ଅମରକୁ ଖଣ୍ଡିଏ ଚେୟାର ବସିବାକୁ ଦେଇ ପଚାରିଲା ସ୍ମିତା ।

 

ଆପଣ ମୋତେ ଚିହ୍ନିଲେ କିପରି ? ମୋର ତ ଆପଣଙ୍କ ସହିତ କେବେ ପରିଚୟ ହୋଇନି ।

 

ପରିଚୟ ହୋଇ ନ ପାରିଥାଏ । ତେବେ ଆପଣଙ୍କୁ ତ ଅନେକ ଚିହ୍ନନ୍ତି । ସେଥିମଧ୍ୟରୁ ମୁଁ ଜଣେ । ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି । ଆପଣ ରେଭେନ୍‍ସା କଲେଜ ଛାତ୍ର ୟୁନିଅନର ସଭାପତି ଥିଲେ ନା ।

 

ଓ ! ଆପଣ ତା’ହେଲେ... ।

 

ଦ୍ଵିତୀୟ ବାର୍ଷିକ କଳାଛାତ୍ରୀ... ।

 

ବୁଝିଲି । ତେବେ ଆପଣଙ୍କ ବାପାଙ୍କର ଏଇ ଚିଠିଟି ନିଅନ୍ତୁ । ପକେଟରୁ ଚିଠି ଖଣ୍ଡିକ ବାହାର କରି ସ୍ମିତା ହାତକୁ ବଢ଼ାଇ ଦେଲା ଅମର ।

 

ଚିଠିଟି ପାଇ ଆନନ୍ଦରେ ବିଭୋର ହୋଇ ବୋଉ…ବୋଉ....ଡାକି ଉପରକୁ ଉଠିଗଲା ସ୍ମିତା । ଅମର ଏକାକୀ ବସି ରହି ଚାରିଆଡ଼କୁ ଲକ୍ଷ୍ୟ କରୁଥିଲା ।

 

ନମସ୍କାର.... ।

 

ସ୍ମିତା ଏବଂ ସୁଭଦ୍ରା ଦେବୀ ପାହାଚ ଉପରୁ ତଳକୁ ଓହ୍ଳାଇ ଆସୁଥିଲେ ।

 

ଭଗବାନ ତୁମର ମଙ୍ଗଳ କରନ୍ତୁ ପୁଅ । ବୁଢ଼ାଟିଏ ହୋଇଥାଅ । ତୁମେ କ’ଣ ଜେଲରେ ଥିଲ ପୁଅ.... ଆଜି ସେଠାରୁ ଆସିଲ...?

 

ହଁ ମାଉସୀ ମୁଁ ଜେଲରେ ଥିଲି । ଏଇ ତ ଷ୍ଟେସନରୁ ଓହ୍ଲାଇ ରିକ୍‌ସାଟିଏ ଧରି ଅବି ପହଞ୍ଚିଛି । ନଗେନ୍‍ବାବୁଙ୍କଠାରୁ ମୁଁ ଆଗରୁ ଜେଲରେ ଥିଲି । ଛଅ ମାସ ପରେ ମୁଁ ଯେଉଁ ରୁମରେ ଥିଲି ସେଇ ରୁମ୍‌ରେ ନଗେନ୍‌ବାବୁ ଯାଇ ରହିଲେ । ଅନେକ ଦିନ ଏକାଠି କଟାଇବା ପରେ ଏବେ ମୋର ରିଲିଜ୍‌ ଅର୍ଡର ହୋଇଯିବାରୁ ମୁଁ ଆସିଲି । ଭଗବାନ୍ ଜାଣନ୍ତି ନଗେନ୍‍ବାବୁ କେବେ ରିଲିଜ୍‌ ଅର୍ଡର ହେବ । ଆଚ୍ଛା ମାଉସୀ ମୁଁ ଆସୁଛି ପରେ କେବେ ସାକ୍ଷାତ ହେବ ।

 

ଚେୟାର ଉପରୁ ଉଠି ପଡ଼ିଲା ଅମର । ହେଲେ ସୁଭଦ୍ରା ଦେବୀଙ୍କ ମୁହଁକୁ ଚାହିଁ ଦେଖେ ଆଖି ଦୁଇଟି ତାଙ୍କର ଲୁହ ଛଳଛଳ ଦିଶୁଛି । ଆଉ ଝିଅ ତାଙ୍କର ବୋକିଙ୍କ ଭଳି ତା’କୁ ଚାହିଁ ରହିଛି । କଅଣ କରିବ କିଛି ଠିକ୍‌ କରି ପାରିଲାନି ସେ । ସେ ଚୁପ୍‌ ହୋଇ ସେଠାରେ ଠିଆ ହୋଇ ରହିଲା । ହଠାତ୍‌ ତା’ର ମନେ ପଡ଼ିଗଲା ଜେଲ୍‍ରୁ ବିଦାୟ ନେଇ ଫେରିବା ସମୟର କଥା । ନଗେନବାବୁଙ୍କଠାରୁ ବିଦାୟ ନେଇ ଆସିବା ବେଳେ ବିଷର୍ଣ୍ଣ ଦିଶୁଥିଲେ । ହୃଦୟରେ ଥିଲା ତାଙ୍କର ଅସୁମାରି ଅବ୍ୟକ୍ତ ଭାଷା । ଆଖିରେ ଅନେକ ବେଦନାର ଚିହ୍ନ । ଶେଷରେ ତା’କୁ ବୁକୁ ତଳେ ଚାପି ରଖି କହୁଥଲେ–“ମୋର ପରିବାର ତୁମକୁ ଲାଗିଲା ଅମର...ଏହା ଯେପରି ଭୁଲି ନ ଯାଅ । ” ଅମର ଭୁଲି ଯାଇଥିଲା କିନ୍ତୁ ତାଙ୍କର ସେଇ କଥା ପଦକ । ଏବେ ନିଜକୁ ଅପରାଧି ମନେକରି ପଛକୁ ଫେରି ପଡ଼ି ଚେୟାର ଉପରେ ବସିପଡ଼ିଲା ସେ ।

 

କଅଣ ହେଲା ମାଉସୀ….ଏପରି କାନ୍ଦି ଆସିଲ ଯେ ।

 

ଶୁଣିବ ଶୁଣିବ ତେବେ ପୁଅ । ସଞ୍ଜ ହେବାକୁ ଆଉ କିଛି ବେଳ ବାକିଥାଏ ସେଦିନ । ବଜାରକୁ ବାହାରିଗଲେ ସେ । ସଞ୍ଜ ଯାଇ ରାତି ବି ଅନେକ ହୋଇଗଲା । ତଥାପି ସେ ଘରକୁ ଫେରିଲେନି । ସେଦିନ ଗଲା....ଆହୁରି ବି ଅନେକ ଦିନ ବିତିଗଲା । ହେଲେ ସନ୍ଧାନ ପାଇଲୁନି ଆମେ ? ଶେଷରେ ଅନେକ ଡେରିରେ ଜାଣିବାକୁ ପାଇଲୁ ଯେ ସେ ମିଶାରେ ଗିରଫ ହୋଇଛନ୍ତି-। ତମେ ତ ଦେଖୁଛ ଏତେ ବଡ଼ ଘରଟାରେ ଆମେ ମା’ ଝିଅ ଦୁଇ ଜଣ । ଆଉ ଛୋଟ ଚାକର ପିଲାଟିଏ । ନିଛାଟିଆ ଏଇ ଜୀବନରେ ନାନା ଦୁଶ୍ଚିନ୍ତା ଭିତରେ ଦିନଗୁଡ଼ାକ କଟି ଯାଉଥିଲା-। କିନ୍ତୁ ତା’ ବାପାଙ୍କର ଏଇ ଚିଠି ଖଣ୍ଡିକ ପଢ଼ିବା ପରେ ମୋର ଏଇ ଶୂନ୍ୟ ହୃଦୟ କି ଏକ ଆଶାରେ ପୂରି ଉଠିଥିଲା । ହେଲେ ସେ ଆଶା ମୋର ଖୁବ୍‌ କମ୍‌ ସମୟ ଭିତରେ ମିଳାଇଗଲା-

 

ସତରେ କ’ଣ ଆପଣ ଚାଲିଯିବେ ଅମରବାବୁ ।

 

ନାଁ, ମୁଁ ଯିବିନି । ଆପଣଙ୍କ ବାପାଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁଁ ଭୂଲି ଯାଇଥିଲି । ମୋତେ କ୍ଷମା ଦେବେ ମାଉସୀ ମୁଁ ନିଜେ ଲଜ୍ଜିତ ।

 

ନାଁ ବାପ ! ତମେ ସେମିତି କୁହନି । ବରଂ ଆମେ ତୁମର ଇଚ୍ଛା ଉପରେ ହସ୍ତକ୍ଷେପ କରିଛୁ । ଆଚ୍ଛା ମୁଁ ଆସୁଛି ତୁ ଅମର ସହିତ ଗପ କରୁଥାଆ । ଝିଅକୁ ତାଙ୍କର କହିଦେଇ ଭିତରକୁ ଚାଲିଗଲେ ସୁଭଦ୍ରା ଦେବୀ ।

 

ଆପଣ ଠିଆ ହୋଇ ରହିଲେ ଯେ...ଆଚ୍ଛା ଆପଣଙ୍କର ନାଁ ଏଯାଏ ତ ଜାଣି ପାରିଲିନି-

 

ଜାଣିବାଟା ହୁଏତ ଆପଣଙ୍କର ଦରକାର ନଥିଲା । ସେଥିନେଇ ଏ ପର୍ଯ୍ୟନ୍ତ ଜାଣିପାରିଲେନି । ଏଇ ତ ଆପଣ ଚାଲି ଯାଉଥିଲେ ନା.... ।

 

ନାଁ, ତା ଅବଶ୍ୟ ଠିକ୍‌ ନୁହେଁ । ତଥାପି ମୋ ଆଡ଼େ ଟିକେ ଦୋଷ ରହିଗଲା । ମୋ ନାଁ ସ୍ମିତା ରାୟ । ଆଚ୍ଛା ମୋର ଗୋଟିଏ କଥା କହିବାର ଅଛି । ଆପଣ ଯଦି କିଛି ନ ଭାବିବେ.... ।

 

କ’ଣ କୁହନ୍ତୁନା ଭାବିବି ପୁଣି କଅଣ ।

 

ଆପଣ, ପରିବର୍ତ୍ତେ ମୋତେ ‘ତମେ’ ସମ୍ବୋଧନ କଲେ କଅଣ କିଛି ଖରାପ ହୁଅନ୍ତା ।

 

ନା, ଏଥିରେ ଖରାପ ଆଉ ଭଲର ପ୍ରଶ୍ନ ବା ଉଠୁଛି କାହିଁକି । ନିଜ ରୁଚି ଉପରେ ସବୁ କିଛି ନିର୍ଭର କରେ । ଆଚ୍ଛା ହେଲା ମୁଁ ଏଥର ତମେ ସମ୍ବୋଧନ କରିବି ।

 

ଆପଣ ତ ବି.ଏ. ପରୀକ୍ଷା ଦେଇ ପାରି ନଥିବେ ।

 

ନା କେମିତି ବା ଦେବି | ପରୀକ୍ଷା ପୂର୍ବରୁ ମୁଁ ଯେ ମିଶାରେ ଗିରଫ ହୋଇଗଲି ।

 

ଆପଣଙ୍କ ଭଳି ତ ଆହୁରି ଅନେକ ଛାତ୍ର ଗିରଫ ହୋଇଛନ୍ତି । ତେବେ ସେମାନଙ୍କ ପାଇଁ କଅଣ କିନ୍ତୁ ବିଚାର କରାଯିବନି ।

 

କେବଳ ଛାତ୍ର ନୁହନ୍ତି ଯେଉଁମାନେ ବିପ୍ଳବୀ, ଯେଉଁମାନେ ଏ କଳୁଷିତ ସମାଜର ପରିବର୍ତ୍ତନ ଚାହୁଁଥିଲେ ସେ ଛାତ୍ର ହୁଅନ୍ତୁ, ଅଧ୍ୟାପକ ହୁଅନ୍ତୁ ବା ଦେଶର ଯେ କୌଣସି ସ୍ତରର ଲୋକ ହୁଅନ୍ତୁ ସେମାନେ ଅନ୍ୟାୟର ପ୍ରତିବାଦ କରିଥିଲେ । ଯାହା ଫଳରେ ବହୁ ସଂଖ୍ୟାରେ ସେମାନେ ମିଶା ନାମରେ ଅଟକବନ୍ଦୀ ଅଛନ୍ତି । ଏପରିକି ଜେଲରେ ସ୍ଥାନ ଅଭାବରୁ ଅନେକଙ୍କୁ ଆରେଷ୍ଟ କରିନେଇ ସେମାନଙ୍କ ଉପରେ ନିର୍ମମ ଆତ୍ୟାଚାର କରି ଛାଡ଼ି ଦିଆଯାଇଛି । ଏ ସରକାର ତ ଏଥିପାଇଁ ଦାୟୀ । ତେବେ ଯେଉଁମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ବିଚାର ଆଉ କରିବ କିଏ ? ତେଣୁ ସର୍ବପ୍ରଥମେ ଦେଶରେ ସରକାରର ପରିବର୍ତ୍ତନ ହେଲେ ଯେଉଁମାନେ ଅତ୍ୟାଚାରର ଶୀକାର ହୋଇଛନ୍ତି ସେମାନଙ୍କ କଥା ହୁଏତ ବିଚାର ହୋଇପାରେ ।

 

ଆରେ ମା’ ! ଅମରକୁ ଡାକି ଆଣିବୁଟି । ଭୋକ ଲାଗିବଣି.... । ଭିତରେ ଥାଇ ଡାକ ଦେଲେ ସୁଭଦ୍ରା ଦେବୀ ।

 

ଆପଣ ଅନେକ ବାଟରୁ ଆସିଲେଣି । ଖୁବ୍ ଟାଏଡ୍ tired ହୋଇଥିବେ ନିଶ୍ଚୟ । ମୁଁ କିନ୍ତୁ ଆପଣଙ୍କ ସହିତ ଗପି ଚାଲିଛି ଏତେବେଳଯାଏ । ଆସନ୍ତୁ ଆପଣଙ୍କର ଶୀଘ୍ର ବିଶ୍ରାମ ନେବା ଦରକାର ।

 

ନା–ସେମିତି କିଛି ଟାଏଡ୍ tired ଲାଗୁନି ତ । ତେବେ ଚାଲ ।

 

ଆଗରେ ସ୍ମିତା ଏବଂ ପଛେ ପଛେ ଅମର ଭିତର ଘରକୁ ଚାଲିଗଲେ ।

 

ରିମ୍‌ଝିମ୍‌ ବର୍ଷା । ଅସରାଏ ଅସରାଏ ହୋଇ ଦିନତମାମ ଲାଗି ରହିଥାଏ ବର୍ଷାଟା । ପୁର୍ବେଇ ପବନଟା ବି ବହୁଥାଏ ଖୁବ୍‌ ଜୋରରେ । ଘର ଝରକା କବାଟ ବନ୍ଦ କରି ବେଡ୍‍ ଉପରେ ଶୋଇଥିଲା ଅମର ପଟ୍ଟନାୟକ । ଶୁଭ୍ର ନୀଳ ଆଲୋକରେ ଘରଟା ସୁସଜ୍ଜିତ । ବେଡ୍‌ ଉପରେ ଚିତ୍‌ ହୋଇ ଶୋଇ ରହି ଗୋଟିଏ ଉପନ୍ୟାସ ବହୁ ପଢ଼ୁଥିଲେ ସେ । ଚାରିଟା ବାଜିବାରୁ କଲେଜରୁ ବିଦାୟ ନେଇ ଘରକୁ ଆସିଲା ସ୍ମିତା । ଅମର ଶୋଇଥିବା ଘର ଭିତରକୁ ପଶିଆସିଲା ସେ । ଟେବୁଲ ଉପରେ ବହିତକ ରଖିଦେଇ ଅମର ଶୋଇଥିବା ବେଡ୍‌ ଉପରେ ବସି ପଡ଼ିଲା ସେ । ତା’ପରେ ଖୁବ୍‌ ସନ୍ତର୍ପଣରେ ଅମର ପଢ଼ୁଥିବା ବହିଟିକୁ ନେଇ ଆସିଲା ସେ । ଅମର ଅଳସ ଭାଙ୍ଗି ଦୁଇ ହାତରେ ମୁଣ୍ଡଟାକୁ ଭିଡ଼ିଧରି ବେଡ୍‌ ଉପରେ ପେଟେଇ ପଡ଼ିଲା । ଅମରର ଦୁଇ ମାଂସଳ ବାହୁକୁ ଜାବୁଡ଼ି ହାତରେ ଧରି ନିଜ ଆଡ଼କୁ ଲେଉଟାଇ ଆଣିଲା ସ୍ମିତା ।

 

କଅଣ ହୋଇଛି ଆପଣଙ୍କର... ?

 

ମୁଣ୍ଡଟା ବିନ୍ଧୁଛି ଖୁବ୍‌ ଜୋରରେ....ଭାରି ବୋର୍‌ bore ଲାଗୁଛି ।

 

ସେଇଥିନେଇ ଚୁପ୍ ହୋଇ ଶୋଇ ରହିଛନ୍ତି ନା । ଆଚ୍ଛା ମୁଁ ଅମୃତାଞ୍ଜନଟା ନେଇ ଆସୁଛି ।

 

ଅମୃତାଞ୍ଜନ ଶିଶିଟା ନେଇ ଆସିଲା ସେ ।

 

ମୋତେ ଦିଅ ମୁଁ ମାଲିସ କରିଦେବି ।

 

କାହିଁକି ମୋତେ କ’ଣ ଆସେନା ।

 

ତା’ପରେ ଅମର କପାଳରେ ଅମୃତାଞ୍ଜନ ମାଲିସ କରିଦେଇଥିଲା ସ୍ମିତା । ଅମରର ଦୁଇ ଆଖିପତା କ୍ରମେ ବୁଜି ହୋଇ ଆସିଲା ।

 

ସେ ଶୋଇ ପଡ଼ିଲେ । ସତରେ କେଡ଼େ ଶାନ୍ତ, ସୁବୋଧ ଯୁବକ ଏ । କେଡ଼େ ନିଃସ୍ଵାର୍ଥପର ସତେ । ପରପାଇଁ ନିଜର ସବୁକିଛି ତ୍ୟାଗ କରିପାରନ୍ତି ସେ । ପର ଆପଣାର ଭେଦଭାବ ତାଙ୍କ ନିକଟରେ ନାହିଁ ? ସତରେ ପରକୁ ସେ ପୁଣି ଏତେ ଶୀଘ୍ର ନିଜର କରିପାରନ୍ତି । ବେଡ୍ ଉପରେ ବସି ରହି ଅମର ମୁହଁକୁ ଅପଲକ ନୟନରେ ଚାହିଁ ରହିଥିଲା ସ୍ମିତା । ଧୀରେ ଉଠିଯାଇ ଗୋଟିଏ ସରୁ ଚଦର ଆଣି ଅମରକୁ ଘୋଡ଼େଇ ଦେଇଥିଲା ସେ । ତା’ପରେ କବାଟଟା ଆଉଜାଇ ଦେଇ ଧୀର ପଦକ୍ଷେପରେ ଚାଲି ଯାଇଥିଲା ସ୍ମିତା ।

 

ସନ୍ଧ୍ୟା କ୍ରମେ ଓହ୍ଳାଇ ଆସିଲା ପୃଥିବୀ ପୃଷ୍ଠକୁ । ସହରର ପ୍ରତି ଗଳିକନ୍ଦି, ପାର୍କ, ରେସ୍ତରାଁରେ ବିଜୁଳି ଆଲୁଅ ଜଳି ଉଠିଲା ଅନ୍ଧାରକୁ ପ୍ରତିହତ କରି । ଶଙ୍ଖ, ଘଣ୍ଟି ଆଉ ତୁରୀନାଦରେ ଦେବ ମନ୍ଦିର ସବୁ ଉଛୁଳି ଉଠିଲା । ସନ୍ଧ୍ୟାର ଆଳତି ଦେବା ପାଇଁ ପ୍ରସ୍ତୁତ ହୋଇଯାଇଥିଲା ସ୍ମିତା । ହଠାତ୍‌ ତା’ର ମନ ପଡ଼ିଗଲା ଅମର ଶୋଇଥିବା କଥା । ଅମର ଶୋଇଥିବା ଘରକୁ ଛୁଟିଗଲା ସେ ।

 

ଉଠିବେନି ନା କ’ଣମ । ସନ୍ଧ୍ୟା ହେଲାଣି ପରା... ।

 

ଅମରକୁ ହଲାଇ ଦେଲା ସ୍ମିତା । ଅଳସ ଭାଙ୍ଗି ଧୀରେ ଉଠି ପଡ଼ିଲା ସେ ।

 

ଆରେ ସାଢ଼େ ଛଅ ହେବ...କେତେବେଳେ ନିଦ ଲାଗିଗଲା ମୋର ଆଦୌ ଖିଆଲ ନାହିଁ । କାନ୍ଥଘଡ଼ିକୁ ଚାହଁ କହିଲା ଅମର ।

 

ହଉ ଆପଣ ମୁହଁ ଧୋଇ ହୁଅନ୍ତୁ ମୁଁ ଆସୁଛି ।

 

ଧୂପ ଦୀପର ନୈବେଦ୍ୟ ଭିତରେ ସ୍ମିତା ନିଜକୁ ଭୁଲିଯାଇଥିଲା କିଛିକ୍ଷଣ ପାଇଁ । ତା’ପରେ ପୁଣି ସେ ଫେରି ଆସିଥିଲା ସବୁଦିନିଆ ସେଇ କର୍ମରତ ଜୀବନ ଭିତରକୁ ।

 

ଆରେ ମା’ ତୁ ଟିକେ ଚା’ କରିବୁଟି, ଅମରର ମୁଣ୍ଡ ବିନ୍ଧୁଥିଲା ପରା । ମୁଁ ଜଳଖିଆ ନେଇ ଆସେ ।

 

ଅମରକୁ ଧୋଇ ହେବାକୁ କହି ଜଳଖିଆ ନେଇ ଆସିଲେ ସୁଭଦ୍ରା ଦେବୀ । ନା ମାଉସୀ ମୁଁ ଖାଇବିନି । ମୋର ଆଦୌ ଇଚ୍ଛା ନାହିଁ ।

 

ତମେ ପରା ଗାଧୁଆବେଳେ ଅଳ୍ପ ଦି’ଟା କ’ଣ ଖାଇଥିଲ । ଏତେବେଳ ଯାଏ କ’ଣ ହୋଇନି । ଧୋଇହେଲ ମୋ ବାପ ପରା ଜଳଖିଆ ଗଣ୍ଡା ଖାଇଦେବ ।

 

ସ୍ମିତା ଚା’ ଆଣି ପହଞ୍ଚିଗଲା ।

 

କଅଣ ବୋଉ ! ଖାଉ ନାହାନ୍ତି....ତାଙ୍କୁ ତ ଆଦୌ ଭୋକ ହେଉନି ସେ ଖାଇବେ ବା କେମିତି ! ତୁ ଖାଲି ତାଙ୍କୁ ବାଧ୍ୟ କରୁଛୁ । ଦେଉନୁ ମୁଁ ଖାଇଦେବି...ସେ ନ ଖାଅନ୍ତୁ ।

 

ଚୁପ୍ ! ତୋତେ କିଏ ଭଲଲୋକି କରୁଛି କହିଲୁ । ଦେହଟା ଭଲ ନଥିଲା ତ...ଖାଇବାକୁ କେମିତି ଇଚ୍ଛା ହେବ । ହଉ ବାପ ଉଠିଲ ମୋ’ରାଣ ଦି’ଟା କ’ଣ ଖାଇଦେବ ।

 

ଅମରର ହାତ ଧରି ଉଠାଇ ଆଣିଲା ସ୍ମିତା । ଅମର ଧୋଇ ହୋଇ ଚେୟାର ଉପରେ ବସି ପଡ଼ିଲା ।

 

ମୁଁ ତ ଏଡ଼େ ଗୁଡ଼ା ଖାଇ ପାରିବିନି...ତମେ ଆସ । ସ୍ମିତାକୁ ଚାହିଁ କହିଲା ଅମର ।

 

ନାଁ । ମୁଁ ଖାଇବିନି । ବଳିବ ବୋଲି ଡ଼ାକିଲା ନା । ସ୍ମିତା ଚାଲି ଯାଉଥିଲା ।

 

ହଉ ଧୋଇ ହୋଇ ଯା...ଯା.... । ତୋର ତ ଆଦୌ ଇଚ୍ଛା ନ ଥିବ.... ।

 

ନାଁ । ମୁଁ ଯିବନି । ମୁଁ ତ ଖାଲି ସବୁ ଖାଇଯାଉଛି ।

 

ଆରେ । ଆସ ମ.... ।

 

ଯାଉନୁ ଅମର ବସିଲେ ପରା.... ।

 

ସୁଭଦ୍ରା ଦେବୀ ଘରୁ ଚାଲିଗଲେ ଆଉ ସ୍ମିତା ମୁରୁକି ହସି ଅନ୍ୟ ଏକ ଚେୟାରରେ ବସି ଉଭୟେ ଜଳଖିଆ ଖାଇଲେ ।

 

ଆରେ । ଆପଣ ଖାଉ ନାହାନ୍ତି ଯେ....ଚୁପ୍ ହୋଇ ବସି ରହିଛନ୍ତି । କାଇଁ ନାଇଁ ତ, ମୁଁ ଖାଉଛି ପରା ।

 

ନାଇଁ ଆପଣ ଆଦୌ ଖାଉ ନାହାନ୍ତି । ବୋଉକୁ ଡାକିବି । ବୋଉ ! ବୋଉ ! ସୁଭଦ୍ରା ଦେବୀ ପଶି ଆସିଲେ ଘର ଭିତରକୁ ।

 

ବୋଉ ! ଅମରବାବୁ ଆଦୌ ଖାଉ ନାହାନ୍ତି ।

 

ଏଁ ! ଆଉ କେମିତି ଖାଇବି । ମୁଁ ଖାଉଛି ତ.... ।

 

ତୁ ତ ସବୁ ଖାଇ ଦେଉଛୁ ଆଉ ସେ ଖାଇବେ କ’ଣ ।

 

ମୁଁ ଆଉ ଖାଇବିନି । ସେଇଥିପାଇଁ ମୁଁ ଖାଉ ନଥିଲି ପରା.... । କୃତ୍ରିମ ଭାବେ ରାଗି ଉଠିଲା ସ୍ମିତା ।

 

ଆଚ୍ଛା ମୁଁ ତ ଖାଉନି ? ତମେ ବି ଖାଇଲନି । ତେବେ ଏତେଗୁଡ଼ାକ ସବୁ ଖାଇଲା କିଏ-?

 

ଆମର ହସି ଉଠିଲା । ସୁଭଦ୍ରା ଦେବୀ ମୁରୁକି ହସି ଘରୁ ବାହାରିଗଲେ ଆଉ ସ୍ମିତା ଖୁବ୍ ଜୋରରେ ହସି ଉଠିଲା ।

 

ଅମର ତା’ର ନିତ୍ୟକର୍ମ ସାରି ଗାଧୋଇ ଆସିଲା । ସୁଭଦ୍ରା ଦେବୀ ଜଳଖିଆ ପ୍ରସ୍ତୁତ କରି ଆଣି ଦେଇଗଲେ । ଅମର ଖାଉଥାଏ । ସୁଭଦ୍ରା ଦେବୀ ଠିଆହୋଇ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁ ରହିଥାନ୍ତି ।

 

ମାଉସୀ କିଛି ଦିନ ପାଇଁ ମୁଁ ଏଠି ରହି ପାରୁନି ।

 

କେଉଁଠାରୁ ଯିବ ପୁଅ.... ଆଗରୁ ତ ଏ ବିଷୟରେ କିଛି କହୁ ନଥିଲ ।

 

ନା.. । କାଲି ରାତିରେ ହଠାତ୍ ଏ କାର୍ଯ୍ୟକ୍ରମ ଆମେ ସ୍ଥିର କଲୁ । ଭୀଷଣ ବର୍ଷା ହେତୁ ନଦୀ ଗୁଡ଼ିକରେ ପାଣି ବଢ଼ିଯାଇଛି । ଯାହା ଫଳରେ ଅନେକ ଗାଁ ଗଣ୍ଡା ଭାସି ଛାରଖାର ହୋଇଯାଇଛି ଏଇ ବଢ଼ିରେ । ତେଣୁ କାଲି ରାତିରେ ଆମେ ସ୍ଥିର କଲୁ ବନ୍ୟାଞ୍ଚଳ ବୁଲିଯିବା ପାଇଁ-। ମୁଁ ବର୍ତ୍ତମାନ ବାହାରି ଯିବି । ସ୍ମିତା କ’ଣ ଉଠି ନାହିଁ ଏ ଯାଏ । ଟିକେ ଡାକି ଦେବେ-

 

ସ୍ମିତା । ସ୍ମିତା ।

 

ଉଁ ।

 

ଆରେ ଏତେବେଳଯାଏ ଉଠିନୁ କ’ଣ ମ ।

 

ଅଳସ ଭାଙ୍ଗି ଆଖି ଖୋଲିଲା ସ୍ମିତା । ଏତେ ସକାଳଟାରୁ ଉଠି କଅଣ କରିବି କହିଲୁ ।

 

ମୋର କିଛି କରିବୁନି ମ.….ଅମର ଅପେକ୍ଷା କରିଛନ୍ତି କୁଆଡ଼େ ଯିବେ ପରା ।

 

ଧୀରେ ଉଠି ମୁହଁଟା ଧୋଇ ପକାଇ ଆଇନାରେ ନିଜକୁ ସଜାଡ଼ି ନେଲା ସେ । ତା’ପରେ ଅମର ଥିବା ଘରକୁ ଗଲା ସେ ! ଅମର ପ୍ୟାଣ୍ଟ ସାର୍ଟ ପିନ୍ଧି ଅପେକ୍ଷା କରିଥିଲେ । ସ୍ମିତା ତଳକୁ ମୁହଁ କରି ଗୋଟିଏ ଚେୟାରରେ ବସି ପଡ଼ିଲା ।

 

କଅଣ ହେଲା ତୁମର ସ୍ମିତା...ଏମିତି ମନ ଦୁଃଖ କରିଛ ଯେ ।

 

ସ୍ମିତା ନୀରବ ରହିଥିଲା ।

 

କଅଣ କିଛି କହିବନି । ମୋ ଉପରେ ରାଗିଛ ନା…. । ସ୍ମିତ ହସି ଦୁଇ ପାପୁଲିରେ ସ୍ମିତାର ମୁହଁକୁ ତୋଳି ଧରିଲେ ଅମର ।

 

ନାଁ ! ଆପଣଙ୍କ ଉପରେ ରାଗିବାର ମୋର କି ଅଧିକାର ଅଛି । ଆପଣ କୁଆଡ଼େ ଯିବେନା... ।

 

ହଁ ! କିଛି ଦିନ ପାଇଁ ମୁଁ ବାହାରକୁ ଯାଉଛି ।

 

କିଛିଦିନ ପାଇଁ…. ।

 

ସ୍ମିତାର ପାଟିରୁ କଥା ବାହାରିଲାନି ଆଉ ! ମୁହଁ ଓହଳାଇ ଚୁପ୍‌ ହୋଇ ବସି ରହିଲା ସେ ।

 

ଚୁପ୍ ରହିଲ ଯେ...କଅଣ କିଛି ଅସୁବିଧା ହେବ ।

 

ମୋତେ ପଚାରି ବା ଲାଭ କ’ଣ ? ଅଯଥା ଆପଣଙ୍କର ମୂଲ୍ୟବାନ୍‌ ସମୟ ନଷ୍ଟ କରିବା କଥା । ଆପଣ ମୋ ପାଇଁ ଏତେ ସମୟ ବିଳମ୍ବ କଲେ କାହିଁକି ?

 

କଅଣ ତମେ କହିଯାଉଛ ସ୍ମିତା ମୁଁ କିଛି ବୁଝିପାରୁନି ।

 

ଆପଣ ବୁଝି ପାରିବେନି । ଏକଥା ଆମକୁ ଆଗରୁ କହିଥିଲେ.... ।

 

ହଁ ! ମୁଁ ଠିକ୍ ବୁଝିପାରିଛି । ମୁଁ ଜାଣେ ତମେ ଏଇଥିନେଇ ଅଭିମାନ କରିଛ । କିନ୍ତୁ ତମେ ମୋତେ ଭୁଲ୍‍ ବୁଝିଛ ସ୍ମିତା । ମୁଁ ଜାଣିଶୁଣି ଏପରି କରିନାହିଁ । ତମେ ତ ଜାଣ ପ୍ରବଳ ବର୍ଷା ହେତୁ ନଈରେ ପାଣି ବଢ଼ି ଚାଲିଛି । ଅନେକ ସ୍ଥାନରେ ବନ୍ୟା ହୋଇ ଘରଦ୍ଵାର ଭାଙ୍ଗି ରୁଜି ଯାଇଛି-। ମଣିଷ ଗାଈ ଗୋରୁ ଆଦି ପ୍ରାଣ ହରାଇଛନ୍ତି । ତେଣୁ କାଲି ଦିନସାରା ଆମେ ଚାନ୍ଦା ସଂଗ୍ରହରେ ଲାଗି ପଡ଼ିଥିଲୁ । ପନ୍ଦର ହଜାର ଟଙ୍କା ସଂଗ୍ରହ କରି ଜିନିଷପତ୍ର କାଲି କିଣି ନେଇଛୁ । ଆମ ଛାତ୍ର ସଂଘର୍ଷ ସମିତି ଏଇ ଦାୟିତ୍ଵ ବହନ କରିଛି । ହଠାତ କାଲି ରାତିରେ ସ୍ଥିର କଲୁ ଆଜି ସକାଳୁ ବନ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ସାହାଯ୍ୟ ଦେବାପାଇଁ ଯିବାକୁ । ସେଥିନେଇ କାଲି ମୁଁ ଅନେକ ରାତିରେ ଆସିଥିଲି । ତମେ ତ ଜାଣିନ ମୁଁ କେତେ ରାତିରେ ଆସିଛି । ତେବେ ମୋର ଏଥିରେ ଦୋଷ ରହିଲା କେଉଁଠି ?

 

ଆପଣ ତା’ହେଲେ ବର୍ତ୍ତମାନ ଯିବେ... ।

 

ହଁ... ।

 

ମୁଁ ମଧ୍ୟ ଆପଣଙ୍କ ସଙ୍ଗରେ ଯିବି ।

 

ଏହା କଅଣ ସମ୍ଭବ.... । ମୁହଁରେ ସାମାନ୍ୟ ହସ ଖେଳାଇ କହିଲେ ଅମର ।

 

ଏ ଯୁଗରେ ପୁଣି ଅସମ୍ଭବ କଣ ? ଝିଅମାନଙ୍କଦ୍ଵାରା ଅନେକ କିଛି କାର୍ଯ୍ୟ ସମ୍ଭବ ହେଉଛି । ତେବେ ମୁଁ କ’ଣ କିଛି ସାହାଯ୍ୟ କରି ପାରିବିନି ।

 

ମୁଁ ସେକଥା କହୁନି । ବନ୍ୟାରେ ତ ଘରଦ୍ଵାର ସବୁକିଛି ବୁଡ଼ି ଯାଇଥିବ । କେଉଁ ସ୍ଥାନେ ସ୍ଥାନେ ଉଚ୍ଚ ଜାଗାରେ ଲୋକମାନେ ଆଶ୍ରୟ ନେଇଥିବେ । ସେଠାରେ ବୁଲିବାକୁ ଆମ୍ଭମାନଙ୍କୁ ପଡ଼ିବ । ଦିନରାତି ସବୁବେଳେ ଆମକୁ ଡ଼ଙ୍ଗାରେ କଟାଇବାକୁ ପଡ଼ିବ । ଡଙ୍ଗା ବ୍ୟତୀତ ଅନ୍ୟ କେଉଁଠାରେ ସ୍ଥାନ ମିଳିବନି ତୁମକୁ ବିଶ୍ରାମ ନେବାକୁ । ତା’ଛଡ଼ା ଆମ ସହିତ କୌଣସି ଝିଅ ବି ଯାଉ ନାହାଁନ୍ତି । ତମେ ବା ଯିବ କିପରି... ।

 

କେତେ ଦିନ ଅନ୍ତତଃ ସେଠାରେ ରହିବ ।

 

କିଛି ଠିକ୍ ନାହିଁ । ପରିସ୍ଥିତି ଦେଖି ଆମ୍ଭମାନଙ୍କୁ ଆସିବାକୁ ପଡ଼ିବ । ତଥାପି ତିନି ଚାରି ଦିନ ତ ରହିବାକୁ ପଡ଼ିବ ।

 

ଆପଣ ଏତେ ଦିନ ବାହାରେ ରହିଲେ ଘରଟା ଖାଁ ଖାଁ ଲାଗିବ । ମୋତେ ଏକୁଟିଆ ଆଦୌ ଭଲ ଲାଗିବନି ।

 

ଅମର କୋଳକୁ ଆଉଜି ପଡ଼ିଥିଲା ସ୍ମିତା ।

 

କୁହ ତ ଦେଖି ବନ୍ୟା ଘେରିରେ ଥିବା ଲୋକମାନେ କିଭଳି ଅବସ୍ଥାରେ ଥିବେ । କାହାର ବିୟୋଗରେ କେହି ମୁଣ୍ଡ ପିଟୁଥିବ ତ ଅନ୍ୟ କେହି ଭୋକର ଜ୍ଵାଳା ସହି ନପାରି ଚିତ୍କାର କରୁଥିବ । ଏପରି ଅବସ୍ଥାରେ ସେମାନଙ୍କୁ ସାନ୍ତ୍ୱନା ଦେବା ଆମର କ’ଣ କର୍ତ୍ତବ୍ୟ ନୁହେଁ ।

 

ସ୍ମିତାର ଆଲୁକାୟିତ ଚୂର୍ଣ୍ଣକୁନ୍ତଳକୁ ସଜାଡ଼ୁ ସଜାଡ଼ୁ କହି ଚାଲିଥିଲା ଅମର । ତା’ପରେ ସୁଭଦ୍ରା ଦେବୀଙ୍କୁ ଭୂମିଷ୍ଠ ପ୍ରଣାମ କରି ସ୍ମିତାଠାରୁ ବିଦାୟ ନେଇ ଚାଲି ଯାଇଥିଲା ।

 

ମହାନଦୀରେ ତିନୋଟି ଡଙ୍ଗା ଆଗେଇ ଚାଲିଥିଲା ଆଗପଛ ହୋଇ । ପ୍ରତି ଡଙ୍ଗାରେ ସାତ ଆଠ ଜଣ ଲେଖାଏଁ ସ୍ୱେଚ୍ଛାସେବୀ । ଅନାବିଳ ନିସ୍ଵାର୍ଥ ହୃଦୟ ନେଇ ଏମାନେ ଯାତ୍ରା କରୁଥିଲେ ଗୋଟିଏ ଲକ୍ଷ୍ୟରେ । ଗୋଟିଏ ଉଦ୍ଦେଶ୍ୟରେ । ଶତ ଶତ ନରନାରୀଙ୍କ ଅନ୍ଧାରୀ ମନରେ ଆଲୋକର ସଞ୍ଚାର ପାଇଁ ଏମାନେ ନିଜ ଜୀବନକୁ ଭ୍ରୁକ୍ଷେପ ନକରି ମହାନଦୀର ଏଇ ବିଶାଳ ଜଳରାଶିରେ ଭାସି ଚାଲିଥିଲେ ଆଗକୁ ଆଗକୁ । ଅଖଣ୍ଡ ଜଳରାଶି । ଯେଉଁଆଡ଼େ ଚାହିଁଲେ ବି ସେଆଡ଼େ ଖାଲି ଜଳ ଜଳ । ଅକାତକାତ ପାଣି । କେଉଁଠି ଆହୁଲା ପକାଇ ତ ଆଉ କେଉଁଠି କାତ ମାରି ନାଉରିଆ ନାଆ ବୋହି ନେଉଛି ଗର୍ବରେ ଛାତି ଫୁଲାଇ । ଝିପିଝିପି ବର୍ଷା ସାଙ୍ଗକୁ ପ୍ରଳୟଙ୍କରୀ ସ୍ରୋତର ଗର୍ଜନରେ ଚାରିଆଡ଼ କମ୍ପି ଉଠୁଥାଏ । ସମୟେ ସମୟେ କାଠି କୁଟା ସାଙ୍ଗକୁ ବିଶାଳକାୟ ଦ୍ରୁମ ଆଦି ଭାସି ଯାଉଥାନ୍ତି ନିଜକୁ ଖୁବ୍‌ ଅସହାୟ ମନେକରି । ଦିନ ଦୁଇଟା ବାଜିଲାଣି । ସକାଳୁ ଏ ଯାଏ ଡଙ୍ଗା ଚାଲିଛି । ତଥାପି ଆଖପାଖରେ କୌଣସି ଗାଁ ଗଣ୍ଡାର ଚିହ୍ନବର୍ଣ୍ଣ ବି ଦିଶୁନି । ନାଉରିଆ ନାଆ ପେଲି ପେଲି ହାଲିଆ ହୋଇ ପଡ଼ିଲେଣି । ଡଙ୍ଗାରେ ଥିବା ପ୍ରତ୍ୟେକ ଯୁବକଙ୍କର ମନ ଆଶଙ୍କାରେ ବୁଡ଼ି ରହିଥାଏ । କାହାରି ପାଟିରୁ କଥା ବାହାରୁ ନଥାଏ । ଅନୁସନ୍ଦିତ୍ସୁ, ଆଖି ସମସ୍ତଙ୍କର ଲମ୍ବି ଯାଉଥାଏ ଦୂରକୁ ଦୂରକୁ । ହେଲେ ଚତୁଃପାର୍ଶ୍ଵରେ ଧବଳ ଜଳରାଶି ବ୍ୟତୀତ ଅନ୍ୟ କିଛି ଦିଶୁ ନଥାଏ କାହାରିକୁ । ସମସ୍ତେ କ୍ଳାନ୍ତ, ନିରୁପାୟ । ଡଙ୍ଗା ଆଉ କିଛି ବାଟ ଚାଲିଲା ଆଗକୁ । ହଠାତ୍‍ ଜଣଙ୍କର ଦୃଷ୍ଟି ଲାଖି ରହିଲା ସେଇ ଧବଳ ଜଳରାଶି ଭିତରେ ଉପରକୁ ଉଠି ଯାଇଥିବା ଏକ ସାବ୍‍ଜା ଘେରି ଉପରେ । ଯୁବକଟି ଚିତ୍କାର କରି ଉଠିଲା ସ୍ଥାନଟିକୁ ଦେଖାଇ ଦେଇ । ସମସ୍ତଙ୍କ ଚକ୍ଷୁ ଲମ୍ବିଗଲା ସେଆଡ଼କୁ । ହୃଦୟରେ ଦମ୍ଭ ନେଇ ନାଉରିଆ ନାଆ ଛାଡ଼ିଲେ ଖୁବ୍ ଜୋରରେ କ୍ରମଶଃ ସ୍ପଷ୍ଟ ପ୍ରତ୍ୟୟ ହେଲା ସେଇଗାଁ । ତା’ପରେ ପାଣି ଘେରିରେ ବୁଡ଼ି ରହିଥିବା ପାଖ ଗାଁଗୁଡ଼ିକ ମଧ୍ୟ ସ୍ପଷ୍ଟ ହୋଇ ଉଠିଲା । ଡଙ୍ଗା ତିନୋଟି ଅଲଗା ହୋଇ ତିନି ଆଡ଼କୁ ଆଗେଇ ଚାଲିଲା ।

 

ଏଇ ସେଇ ଗାଁ । । ଚାରିପଟ ପାଣି ପୁରି ରହିଛି । ବିଲବାଡ଼ି ବନ୍ଧବାଡ଼ କେଉଁଠି କିଛି ଦିଶୁନି । ଗାଁ ଭିତରକୁ ଡ଼ଙ୍ଗା ଚାଲିଲା । ଗାଁ ଭିତରେ ପାଣି ଲହଡ଼ି ଖାଉଛି । ଗାଁ ଗୋଟାକାର ଘର ଭୁଷୁଡ଼ି ପଡ଼ିଛି । ଗଛଗୁଡ଼ିକ ସବୁ ଉପୁଡ଼ି ପଡ଼ିଛନ୍ତି । ଆଉ କେଉଁଠି ବା ଗୋଟା ଗୋଟା ଗଛ ଠିଆ ହୋଇ ବିକଳାଙ୍ଗ ଦିଶୁଛନ୍ତି । ଝାଉଁଳି ପଡ଼ିଛନ୍ତି ନିଜର ବନ୍ଧୁ ପରିଜନଙ୍କ ବିୟୋଗରେ । ଗାଁ ଦାଣ୍ଡରେ ଡଙ୍ଗା ଭିଡ଼ି ଓହ୍ଲାଇ ପଡ଼ିଲେ ଅମର, ଶ୍ୟାମବନ୍ଧୁ ପ୍ରଭୃତି ଯୁବକମାନେ । କାଳ ବିଳମ୍ବ ନକରି ସେମାନେ ଗାଁଟା ଯାକ ଧୂନ୍ଦି ପକାଇଲେ । ଗୋଟି ଗୋଟି କରି ପ୍ରତ୍ୟେକ ଘର ସେମାନେ ଖୋଜି ଆସିଲେ କାହାରି କିଛି ସନ୍ଧାନ ପାଇବେ ବୋଲି । ହେଲେ କାହାର ସନ୍ଧାନ ମିଳିଲାନି କେଉଁଠି । ପ୍ରତ୍ୟେକ ଘରର କାନ୍ଥ ପଟାଳି ଭାବେ ପଡ଼ିଯାଇଛି । କେଉଁଠି କେମିତି ଗୋଟେ ଗୋଟେ ଗୋରୁଗାଈ ପ୍ରାଣ ହରାଇଛନ୍ତି କାନ୍ଥ ପଡ଼ିବାରୁ ସେମାନଙ୍କ ଉପରେ । ହେଲେ ମଣିଷର ସନ୍ଧାନ ପାଇଲେନି କେଉଁଠି ସେମାନେ । ଗାଁ ସେମୁଣ୍ଡ ଗୋଟିକିଆ ଛୋଟ ଏକ ଚାଳିଘର । ଚାଳଟି ତଳେ ଲାଗି ଜଳସ୍ପର୍ଶ କରୁଛି । ଅକ୍ଷତ ରହିଛି ଚାଳଟି । କେଉଁଠି କେମିତି ଛପର ଉଡ଼ିଯାଇଛି ଚାଳ ଉପରୁ-। ଅମର, ଶ୍ୟାମବନ୍ଧୁ, ପୂର୍ଣ୍ଣଚନ୍ଦ୍ର, ପ୍ରଭୃତି ପହଞ୍ଚିଲେ ସେଠାରେ । କ୍ଷୀଣ ଆଶା ନେଇ ଚାଳଟିକୁ ଓଲଟାଇ ପକାଇଲେ ସେମାନେ । ତା’ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯାହା ଦେଖିଲେ । ଓଦା ଜୁଡ଼ୁବୁଡ଼ୁ ହୋଇ ଥରୁଥିବା ଗୋଟିଏ ବୃଦ୍ଧାକୁ ଦେଖିଲେ ସେମାନେ । ଏମାନଙ୍କୁ ଦେଖି ବୃଦ୍ଧାଟିର ଆଖିରୁ ଲୋତକ ଝରି ପଡ଼ିଲା । କିଛି କହିବାକୁ ଚାହୁଁଥିଲା ସେ । ହେଲେ ପାଟି ତା’ର ଖନି ମାରି ଯାଉଥିଲା । ସଙ୍ଗେ ସଙ୍ଗେ ତା’କୁ ଟେକି ନେଇଗଲେ ଡଙ୍ଗା ଭିତରକୁ । ବୃଦ୍ଧାଟିକୁ ଚିକ୍‌କଣ ଭାବେ ପୋଛି ଦେଇ ନୂଆ ଲୁଗା ଖଣ୍ଡେ ପିନ୍ଧାଇ ଦେଲେ । ପାଉଁରୁଟି କିଛି ଖାଇବାରୁ ନିଜକୁ ସୁସ୍ଥ ଅନୁଭବ କଲା ସେ । ତା’ପରେ ବୃଦ୍ଧାଟିକୁ ପଚାରି ବୁଝିଲେ ସେ ଗାଁ ଲୋକେ ସମସ୍ତେ ନଈବନ୍ଧ ଉପରକୁ ପଳାଇଛନ୍ତି । ସେଦିନ ରାତି ପାହାନ୍ତା ନଈବନ୍ଧ ଭାଙ୍ଗିବାରୁ ପାଣି ପଶି ଆସିଲା । ଅଳ୍ପ ସମୟ ଭିତରେ ପାଣି ଘେରିଗଲା ଚାରିଆଡ଼ । ପାଣି ଆସିଛି ବୋଲି ଚହଳ ପଡ଼ିଗଲା । ରାତାରାତି ଯେ ଯୁଆଡ଼େ ଚାହିଁଲା ପଳାଇଗଲା । ଆଉ କିଏ କେମିତି ଥିଲେ ସକାଳୁ ସକାଳୁ ଛାତିଏ ପାଣିରେ ପଶି ଗାଁ ଛାଡ଼ି ଚାଲିଗଲେ । ବୃଦ୍ଧାଟିର ଅଣ୍ଟା ଭାଙ୍ଗି ପଡ଼ିଛି ବିଚରା । ନଇଁ ନଇଁକା ବା ସେ ଯିବ କୁଆଡ଼େ ? ନିଜ ନିଜର ଛୁଆ ପିଲାଙ୍କୁ ଧରି ଯେ ଯୁଆଡ଼େ ଚାଲି ଯାଇଛନ୍ତି । ତା’ର କିନ୍ତୁ ନିଜର ହୋଇ କେହି ନ ଥିଲେ ଏଇ ଗାଁରେ । ଗୋଟିଏ ବୋଲି ପୁଅ କାହିଁ କେତେ ଦୂର କାଳିମାଟିରେ ମୁହଁମାଡ଼ି ପଡ଼ି ରହିଛି ପିଲାଟି ଦିନରୁ ଦି’ ପଇସା ରୋଜଗାର ପାଇଁ । ତା’ କଥା ବା ବୁଝୁଛି କିଏ.... । ବିଚରା ଏକୁଟିଆ ସେ ରହିଯାଇଛି ଏଇ ଗାଁରେ ।

 

ବୃଦ୍ଧାଟିକୁ ନେଇ ନାଆ ନଈଯୁଦ୍ଧ ଆଡ଼କୁ ଆଗେଇ ଚାଲିଲା । ପାଞ୍ଚ ଛଅ ମାଇଲ ଦୂର ନଈବନ୍ଧ ଏଠାରୁ । ପାଣି ସୁଅ କାଟି ନାଆ ମନ୍ଥର ଗତିରେ ଚାଲିଛି । ପଵନ ସୁ ସୁ ବହୁଛି । ହଠାତ୍ ସୁ ସୁ ଗର୍ଜନଟା ବଢ଼ିଗଲା । ଯାହା ଫଳରେ ଡଙ୍ଗାରେ ଥିବା ପ୍ରତ୍ୟେକ ଯୁବକ ଶଙ୍କିଗଲେ । ସେମାନଙ୍କର ସତର୍କ ଦୃଷ୍ଟି ଚାରିଆଡ଼କୁ ଲମ୍ବିଗଲା । ପାଣି ସୁଅରେ ଭାସି ଆସୁଥିଲା ଗୋଟିଏ ଭୟଙ୍କର ସାପ । ଫଣା ବିସ୍ତାର କରି ଫଁ ଫଁ ଗର୍ଜନ ଛାଡ଼ି ଡଙ୍ଗା ଆଡ଼କୁ ଛୁଟି ଆସୁଥିଲା ସେ । ଡଙ୍ଗା ଭିତରେ ଥିବା ପ୍ରତ୍ୟେକ ଚିତ୍କାର କରି ଉଠିଲେ । ନାଉରିଆ କାତ ପାଣିରେ ପିଟିବାକୁ ଲଗିଲା । ପଣି ସୁଅରେ ହାଲିଆ ହୋଇ ସର୍ପଟି କିଛି ଆଶ୍ରୟ ଖୋଜୁଥିଲା । ହେଲେ ପ୍ରାଣ ଭୟରେ ଆଡ଼ ହୋଇ ପୁଣି ସେ ଭାସିଗଲା ପାଣି ସ୍ରୋତରେ । ନଈବନ୍ଧ ନିକଟ ହୋଇଗଲା । ଦିନ ବି ସରି ଆସିଲାଣି । ଡ଼ଙ୍ଗାଟିକୁ ଆସୁଥିବାର ଦେଖି ବନ୍ଧ ଉପରେ ଥିବା ଲୋକମାନେ ପାଟି କରି ଉଠିଲେ । ମନରେ ଅନେକ ସାହସ ବାନ୍ଧି ଭୋକ ଜ୍ଵାଳାରେ କାନ୍ଦୁଥିବା ଛୋଟ ଛୁଆମାନଙ୍କୁ ବୋଧ ଦେଲେ ବାପ ମା’ । ଡଙ୍ଗା ଆସି ଲାଗିଗଲା ବନ୍ଧ ତଳେ । ଡଙ୍ଗା ପାଖରେ ଭିଡ଼ ଜମିଗଲା । ଡଙ୍ଗାରୁ ଓହ୍ଲାଇ ଯୁବକମାନେ ଲୋକଙ୍କୁ ବୁଝାଇ ଧାଡ଼ି କରିଦେଲେ । ସମସ୍ତଙ୍କୁ ନୂଆ ବସ୍ତ୍ର ପିନ୍ଧିବାକୁ ଦେଇ ଖାଇବାକୁ ଦେବା ଆରମ୍ଭ କରିଦେଲେ । ମେଘ ମେଦୁରିତ ଅନ୍ଧତ୍‍କାର ଖୋଲା ଆକାଶ ତଳେ ସାତ ଆଠଟି ଲଣ୍ଡନ ଧିକ୍‌ଧିକ୍ ହୋଇ ଜଳି ଉଠିଲା । ତା’ପରେ ଏଇ ବନ୍ଧୁପୁର ଓ ରାହଁସ ଗାଁର କେତେକ ଯୁବକ ଅମର ଶ୍ୟାମବନ୍ଧୁ ପ୍ରଭୃତିଙ୍କ ସହ ମିଶି ତାରପୋଲିନ ଯୋଗେ ତମ୍ବୁମାନ ତିଆରି କରିବାରେ ଲାଗିପଡ଼ିଲେ । ରାତି ଅନେକ ହୋଇ ଯାଇଥିଲା ସେତେବେଳକୁ । ବନ୍ଧୁପୁର ଓ ନଈବନ୍ଧକୁ ଲାଗିଥିବା ଏଇ ରାହଁସ ଗାଁର କେତେକ ଗ୍ରାମବାସୀ ଏଇ ତମ୍ବୁତଳେ ନିଜ ନିଜର କ୍ଳାନ୍ତ ଶରୀରକୁ ବିଛାଡ଼ି ଦେଇ ଶୋଇ ପଡ଼ିଲେ । ଶେଷରେ ଅମର, ଶ୍ୟାମବନ୍ଧୁ, ପୂର୍ଣ୍ଣଚନ୍ଦ୍ର ପ୍ରଭୃତି କିଛି କିଛି ଖାଇ ଡଙ୍ଗା ଉପରେ ନିଘୋଡ଼ ନିଦ୍ରାରେ ଶୋଇଗଲେ ।

 

ପରଦିନ ସକାଳ । ମେଘ ସମ୍ପୂର୍ଣ୍ଣ ଭାବେ ପରିଷ୍କାର ହୋଇଯାଇଥିଲା ଆକାଶରୁ । ରକ୍ତରଞ୍ଜିତ ଦିଶୁଥିଲା ପୂର୍ବାକାଶ । ବିଷାଦଗ୍ରସ୍ତ ମନ ନେଇ ପ୍ରତ୍ୟେକ ନିଜ ନିଜର ଶଯ୍ୟା ପରିତ୍ୟାଗ କଲେଣି ବନ୍ଧ ଉପରେ ତମ୍ବୁ ତଳେ ମୁଣ୍ଡ ଗୁଞ୍ଜିଥିବା କେତୋଟି ଅଶାନ୍ତ ଆତ୍ମା । ଛୋଟ ଛୋଟ ପିଲାମାନେ ଭେଁ ଭେଁ କନ୍ଦାକଟା ଆରମ୍ଭ କରି ଦେଲେଣି । ବନ୍ଧ ଉପରେ ଥିବା ଗୋରୁ ଗାଈ ବୋବାଳି ଛାଡ଼ିଛନ୍ତି । ଅମର, ପୂର୍ଣ୍ଣଚନ୍ଦ୍ର ପ୍ରଭୃତି ନିଜ ନିଜର ନିତ୍ୟ କର୍ମ ଶେଷ କରି କର୍ତ୍ତବ୍ୟ କ୍ଷେତ୍ରରେ ଆଗେଇ ପଡ଼ିଲେ । କ୍ରମଶଃ ସ୍ଥାନଟି କର୍ମମୁଖତ ହୋଇଉଠିଲା । ବନ୍ଧ ଉପରେ ଥିବା ଲୋକମାନଙ୍କ ଭିତରେ ଆବଶ୍ୟକୀୟ ସାମଗ୍ରୀ ଓ ଖାଦ୍ୟ ପାନୀୟ ଯୋଗାଇଦେଇ ରାହଁସ ଗାଁ ଅଭିମୁଖେ ଯାତ୍ରା କଲେ ସେମାନେ । ଗାଁ ଭିତରେ ପାଣି ପଶିଥିଲେ ବି ଘରଦ୍ଵାର ବିଶେଷ କିଛି କ୍ଷତି ହୋଇ ନ ଥିଲା । ଅଧିକାଂଶ ଲୋକ ନିଜ ନିଜ ଘରେ ରହିଥିଲେ । ଗାଁରେ ଥିବା ଧନୀକ ଶ୍ରେଣୀର ଲୋକଙ୍କ ପାଖରୁ କିଛି କିଛି ସାହାଯ୍ୟ ନେଇ ସେମାନେ ଯାତ୍ରା କଲେ ଦୂର ଗାଁ ଗୁଡ଼ିକୁ । ଡଙ୍ଗା ଚାଲିଲା ନଈ ସେପଟ ଗାଁଗୁଡ଼ିକୁ । କଅଁଳ ସୂର୍ଯ୍ୟକିରଣ ପାଣି ଉପରେ ପଡ଼ି ଚିକ୍‌ଚିକ୍ କରୁଥାଏ । ସୁଅ କାଟି ଡଙ୍ଗା ଆଗେଇ ଚାଲିଥାଏ ।

 

ଦିନ ଦ୍ଵିପ୍ରହର । ମେଘୁଆ ଖରାଟା ଚାଇଁ ଚାଇଁ କାଟୁଥାଏ ଦେହକୁ । ଡଙ୍ଗା ଲାଗିଲା ଗାଁ ମୁଣ୍ଡରେ ଡଙ୍ଗାରୁ ଓହ୍ଲାଇ ପଡ଼ି ଗାଁ ଭିତରକୁ ପଶିଗଲେ ଅମର ଶ୍ୟାମବନ୍ଧୁ ପ୍ରଭୃତି । ଗାଁ ଭିତରେ ପାଣି ଠିଆ ହୋଇ ରହିଥାଏ । ଅଧିକାଂଶ ଘର ଭାଙ୍ଗି ରୁଜି ଯାଇଛି । ଆଉ କେତେକ ଦରଭଙ୍ଗା ହୋଇ ପଡ଼ି ରହିଛି । ଘରଗୁଡ଼ିକ ଗୋଟି ଗୋଟି ହୋଇ ଲମ୍ବିଯାଇଛି ଗାଁଟା । ଗାଁ ସେ ମୁଣ୍ଡ କୁଦ ଉପରେ ଘର କେତୋଟି ଅକ୍ଷତ ରହିଛି । ଅଳ୍ପ ଦୂରରେ ଗାଁ ସ୍କୁଲ । ଇଟା କାନ୍ଥ ଉପରେ ଛଣ ଛପର ସ୍କୁଲ ଘର । ଗାଁ ଗୋଟିକର ସମସ୍ତେ ଏଇ କୁଦ ଉପରେ ଥିବା ଘର ଓ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ।

 

ଅମର ଶ୍ୟାମବନ୍ଧୁ ପ୍ରଭୃତି ପହଞ୍ଚିବା ପୂର୍ବରୁ ଅନ୍ୟ ଗୋଟିଏ ଡଙ୍ଗାରେ ସେମାନଙ୍କ ସହ ଆସିଥିବା ଆଦିକନ୍ଦ, ବିଜୟ ପ୍ରଭୃତି ଏଠାରେ ପହଞ୍ଚି ସାରିଥିଲେ । ନଈ ସେପଟ ପାଣି ଘେରିରେ ଥିବା ଗାଁ ଗୁଡ଼ିକୁ ଯାଇ ସେଠାର ଲୋକମାନଙ୍କୁ ସାହାଯ୍ୟ ଦେଇ ଫେରୁଥିଲେ ଏମାନେ । ଅନ୍ୟ ଗୋଟିଏ ଡଙ୍ଗା ଯାଇଥିଲା ଉପରକୁ । ଏ ପର୍ଯ୍ୟନ୍ତ ଫେରିନି ସେ । ଅମର ପ୍ରଭୃତି ଆସିଥିବା ଡଙ୍ଗାରେ ଯାହା କିଛି ଖାଦ୍ୟ ସମାଗ୍ରୀ ଥିଲା ସେତକ ସେଠାର ଲୋକମାନଙ୍କୁ ସାହାଯ୍ୟ ଦେଇ ଆସି ନଥିବା ଡଙ୍ଗାର ଅପେକ୍ଷାରେ ରହିଲେ ସେମାନେ ।

 

କିଛି ସମୟ ପରେ ଦୂରରୁ ଗୋଟିଏ ଲଞ୍ଚ ଆସୁଥିବାର ଦେଖାଗଲା । କ୍ରମେ ଗାଁ ପାଖକୁ ଲାଗି ଆସିଲା ଲଞ୍ଚଟି । ସରକାରୀ ରିଲିଫ୍‍ ବାଣ୍ଟିବାକୁ ଆସିଥିଲା ଲଞ୍ଚଟି । ସରକାରୀ କର୍ମଚାରୀ କେତେ ଜଣ ଲଞ୍ଚରୁ ଓହ୍ଲାଇ ଗାଁକୁ ଆସି ରିଲିଫ୍ ବାଣ୍ଟିବାର ବ୍ୟବସ୍ଥା କଲେ । ତା’ପରେ ଅମର ପ୍ରଭୃତିଙ୍କ ସହ ଉକ୍ତ ପରିସ୍ଥିତି ନେଇ ଆଲୋଚନା କରି ସନ୍ଧ୍ୟା ସୁଦ୍ଧା ଗାଁ ଛାଡ଼ି ନଈ ସେପଟ ଅଞ୍ଚଳରୁ ଲଞ୍ଚ ଛାଡ଼ିଲେ ।

 

ଅନ୍ଧାର କ୍ରମଶଃ ଧିମେଇ ଆସିଲା ପୃଥିବୀ ପୃଷ୍ଠକୁ । ଭୋକର ଦାଉ ସହି ନ ପାରି ଶିଶୁର କରୁଣ ଚିତ୍କାର, ମା’ର ବୁକୁଫଟା କୋହ, ଭଙ୍ଗାରୁଜା ଘରଦ୍ଵାର ଆଉ ଶସ୍ୟ କ୍ଷେତ୍ରରେ ଆକାଶସ୍ପର୍ଶୀ ଜଳରାଶିକୁ ଲୋତକ ଶୂନ୍ୟ ଢେବା ଢେବା ଦୁଇ ଆଖିରେ ଚାହିଁ ରହିଥିବା ଦରିଦ୍ର ପିତାର କରୁଣ ଦୃଶ୍ୟ କ୍ରମେ ହଜିଗଲା ରାତ୍ରିର ନିବିଡ଼ ଅନ୍ଧାର ଭିତରେ ନିଃସ୍ଵ ଯନ୍ତ୍ରଣା ଜର୍ଜରିତ ଦୁଃଖଦ ଆତ୍ମାର ଚୌହଦୀ ପରେ ବୁଢ଼ୀଆଣୀ ଜାଲର ଆସ୍ତରଣ ବିଛାଇ ପ୍ରତ୍ୟେକ ନିଜ ନିଜର ବିଶ୍ରାମ ପାଇଁ ସ୍ଥାନ ଠିକ୍‌ କରି ସାରିବେଣି । ଡଙ୍ଗା ଭିତରେ ଥିବା ପ୍ରତ୍ୟେକ ଯୁବକ ରାତ୍ରି ଭୋଜନ ଶେଷ କରି ଶୋଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଦିକ୍ ଦିକ୍‌ ହୋଇ ଲଣ୍ଠନ କେତୋଟି ଜଳୁଛି ଡଙ୍ଗାରେ ଇତ୍ୟବସରରେ ଅପେକ୍ଷିତ ଡଙ୍ଗାଟି ଆସି ପହଞ୍ଚିଗଲା । ତା’ପରେ ସମସ୍ତେ ଏକଜୁଟ ହୋଇ ଆଲୋଚନା କଲେ ଅନେକ ରାତିଯାଏ । ପରଦିନ ସକାଳୁ ଗୃହାଭିମୁଖେ ଯାତ୍ରା ପାଇଁ ଠିକ୍ କରି ନିଜ ନିଜର କ୍ଳାନ୍ତ ଶରୀରରୁ ବିଛାଡ଼ି ଦେଲେ ସେମାନେ ସେଇ ଡଙ୍ଗା ଉପରେ ।

 

ବନ୍ୟାଯୋଗୁ ଓଡ଼ିଶାରେ ଅଶିଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବାର ସରକାର ସୂତ୍ରରୁ ଜଣାପଡ଼େ । ବହୁଲୋକ ମଧ୍ୟ ପ୍ରାଣ ହରାଇଥିବାର ଜଣା ପଡ଼ିଛି । ଦାଣ୍ଡ ବାରଣ୍ଡାରେ ଖବରକାଗଜ ପଢ଼ୁଥିଲେ ବିନୟବାବୁ । ଆଉ କେତେ ଜଣ ଗାଁ ଲୋକ ବିନୟବାବୁଙ୍କୁ ଘେରି ବସି ରହିଥିଲେ । ବନ୍ୟା କେଉଁଠି ହେଲା, କେତେ ଲୋକ ମଲେ, କେତେ ଗାଁ ଗଣ୍ଡା ଭାଙ୍ଗିଗଲା ଏସବୁ ଟିକିନିକି ସେମାନେ ପଚାରନ୍ତି ବିନୟବାବୁଙ୍କୁ । ସୂର୍ଯ୍ୟ ଅସ୍ତ ହେବା ଉପରେ । କିଏ କେମିତି ବିଲରୁ ଫେରି ବାରଣ୍ଡାରେ ବସି ବିନୟବାବୁଙ୍କ ମୁହଁକୁ ଚାହିଁ ରହିଥାନ୍ତି । ବିନୟବାବୁ ପଢ଼ି ଚାଲିଥାନ୍ତି ଏକ ଲକ୍ଷ୍ୟରେ । ହଠାତ୍‌ ତାଙ୍କର ଆଖି ଝଲସି ଉଠିଲା । ଆନନ୍ଦରେ ବିହ୍ଵଳ ହୋଇ ପଡ଼ିଲେ ସେ ।

 

କିରେ ସନିଆ ଅମର ମୋର କଟକରେ ଅଛିରେ କଟକରେ ଅଛି ।

 

ଆବାକାବା ହୋଇ ବିନୟବାବୁଙ୍କୁ ଚାହିଁ ରହିଥିଲେ ସନିଆ, ମଙ୍ଗୁଳିଆ, ଉଦିଆ ଆଦି ।

 

କ’ଣ ହେଲା ବାବୁ...ସାନବାବୁ ଆମର କଟକରେ ଅଛନ୍ତି । ଆପଣେ କେମିତି ଜାଣିଲେ-। ସେଥିରେ କଅଣ ଲେଖା ହେଇଚି ।

 

ସନିଆ ପଚାରିଲା ।

 

ହଁ ରେ, ଏଇପରା ଲେଖା ହୋଇଛି । ଯୁବନେତା ଅମର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସ୍ୱେଚ୍ଛାସେବୀ ଦଳ ବନ୍ୟାଞ୍ଚଳକୁ ସାହାଯ୍ୟ ଦେବାଲାଗି ଗତ ତିନି ଦିନ ହେବ ବୁଲି ଯାଇଥିଲେ-। କାଲି ଏଇ ସ୍ୱେଚ୍ଛାସେବୀ ଦଳ କଟକ ଫେରିଆସିଛନ୍ତି । ଖବରକାଗଜରେ ଲେଖା ହୋଇଥିବା ଏଇ ଅଂଶତକ ପଢ଼ି ବିନୟବାବୁ ଖୁସି ହୋଇ ଘର ଭିତରକୁ ଚାଲିଗଲେ ।

 

ମିଲି ! ମିଲି । ଘର ଭିତରକୁ ଡାକି ଡାକି ପଶି ଆସିଲେ ବିନୟବାବୁ । କଅଣ କି କାହିଁ ଡାକୁଛ... ।

 

ଶାନ୍ତିଦେବୀ ଆସି ଠିଆ ହୋଇଗଲେ ।

 

ଶୁଣିଲଣି ନା....ଅମର ଆମର କଟକରେ ଅଛି ।

 

ଶାନ୍ତିଦେବୀ ଆଶ୍ଚର୍ଯ୍ୟ ହୋଇଗଲେ । ବିନୟବାବୁଙ୍କ ନିକଟରେ ବସିଯାଇ ପଚାରିଲେ–

 

ତେମେ କିମିତି ଜାଣିଲ ଅମର କଟକରେ ଅଛି ବୋଲି ।

 

ଏଇପରା ଖବରକାଗଜରେ ବାହାରିଛି । ବନ୍ୟାଞ୍ଚଳରେ ଲୋକମାନଙ୍କୁ ସାହାଯ୍ୟ ଦେବାପାଇଁ ଯାଇଥିଲା ସେ । କାଲି କଟକ ଫେରି ଆସିଛି ।

 

ଆନନ୍ଦରେ ବିହ୍ଵଳ ହୋଇପଡ଼ିଲେ ବିନୟବାବୁ ଏବଂ ତାଙ୍କର ସ୍ତ୍ରୀ ଶାନ୍ତିଦେବୀ । ଅନେକ ଦିନ ପରେ ପୁଅର ସନ୍ଧାନ ପାଇଛନ୍ତି ସେମାନେ । ଅନୁ । ଅନୁ । ଡାକି ଡାକିକା ଶାନ୍ତିଦେବୀ ଉଠି ଯାଉଥିଲେ । ଅନୁକୁ ଖବରଟା ଜଣାଇ ଦେବାପାଇଁ ସେ ବ୍ୟସ୍ତ ହୋଇପଡ଼ୁଥିଲେ-

 

ହଁ ଶୁଣ ମିଲି ବୋଉ । ବର୍ତ୍ତମାନ ପରିସ୍ଥିତିରେ କ’ଣ କରିବା, ମୁଁ କିଛି ଠିକ୍‌ କରିପାରୁନି-। ମୋ ଦେହର ଅବସ୍ଥା ତ ଏମିତି । ଚାଲିବାକୁ ବି ବଳ ପାଉନି । ଇଚ୍ଛା ହେଉଥିଲା କାଲି କଟକ ଯାଇ ଅମରକୁ ଦେଖି ଆସିଥାନ୍ତି ।

 

ହଁ, ଦୁଇଦିନ ହେବ ତ ଜର ଛାଡ଼ିଛି । ଆଜି ଜାଣି ଗଣ୍ଡେ ଭାତ ଖାଇଛି । ଏଭଳି ଅବସ୍ଥାରେ କଟକ ଗଲେ ଜର ଯେବେ ପୁଣି ଲେଉଟିବ....ତେଣୁ ମୁଁ କହୁଛି ନିଜେ ନ ଯାଇ ଅନ୍ୟ କାହାରିକୁ ପଠାଇଲେ କ’ଣ ହୁଅନ୍ତାନି... ।

 

ନାଁ, ଅନ୍ୟ କାହାରିକୁ ପଠାଇ କିଛି ଲାଭ ହେବନି । ମୋ ଦେହ ଭଲ ହୋଇଗଲେ ମୁଁ ନିଜେ ଯିବି । ତା’ଛଡ଼ା ତା’ ନିକଟକୁ ଖଣ୍ଡେ ଚିଠି ପଠାଇଲେ ଭଲ ହୁଅନ୍ତା । ଆଚ୍ଛା । ଅନୁକୁ ଟିକେ ଡାକିଦେବଟି ।

 

କିଛି ସମୟ ଚିନ୍ତା କରି ବିନୟବାବୁ କହିଲେ ।

 

ଅନୁ ଅନୁ ଡାକି ଡାକି ଆରପଟ ଘରକୁ ଚାଲିଗଲେ ଶାନ୍ତିଦେବୀ । ଅନୁ ଦୂଆରବନ୍ଧକୁ ଆଉଜି ଠିଆହୋଇ ସବୁକିଛି ଶୁଣୁଥିଲା ।

 

ଶୁଣିଲୁ ତ....ଅମର ମୋର କଟକରେ ଅଛି । ବାପା କାହିଁକି ଡାକୁଛନ୍ତି ଶୁଣି ଆସିବୁଟି ।

 

ଆଗରେ ଶାନ୍ତିଦେବୀ ଏବଂ ପଛେ ପଛେ ଅନୁ ଯାଇ ଠିଆହେଲା ବିନୟବାବୁଙ୍କଠାରୁ କିଛି ଦୂରରେ । ଲାଜୁଆ ଲାଜୁଆ ହୋଇ ଠିଆ ହୋଇଥିଲା ସେ । ବାପା ବୋଧେ ତା’କୁ ଏଇ ବିଷୟରେ କିଛି କହିବେ ।

 

ହଁ ଅନୁ । ଅମର ମୋର କଟକରେ ଅଛି । ତା’ ନିକଟକୁ ତୁ ଖଣ୍ଡେ ଚିଠି ଦେଲେ କେମିତି ହୁଅନ୍ତା... ।

 

ଦୁଃଖ ଆଉ ଲାଜରେ ଅନୁର ମୁହଁ ଲାଲ ପଡ଼ିଗଲା । ଆଜିଯାଏ ସେ ଶ୍ୱଶୁରଙ୍କ ସାମନାରେ ଠିଆହୋଇ କେବେ କଥା କହି ନ ଥିଲା, କିନ୍ତୁ ଆଜି ଶ୍ୱଶୁରଙ୍କର ଏଭଳି ପ୍ରଶ୍ନର ସେ ବା କି ଉତ୍ତର ଦେବେ ।

 

ତାଙ୍କର ଠିକଣା ଯେ ଜଣାନାହିଁ ।

 

ଧୀର କଣ୍ଠରେ କହିଲା ସେ ।

 

ସତେ ତ ତା’ର ଠିକଣା ଜଣାନାହିଁ ନା । ତା’ହେଲେ... ।

 

ଭାଇ କହୁଥିଲେ ସେ କାଳେ ଉତ୍କଳ ଛାତ୍ର ସଂଘର୍ଷ ସମିତିର ସଭାପତି ଥିଲେ । ଆମ ଗାଁରେ ଜଣେ କଟକରେ ପଢ଼ୁଛି । ତା’ଠୁ କାଳେ ଭାଇ ଶୁଣିଥିଲେ ।

 

ହଁ, ହୋଇଥିବ....ସେ ବର୍ତ୍ତମାନ ଯୁବନେତା । କଟକରେ ତା’କୁ ସମସ୍ତେ ଜାଣନ୍ତି । ତୁ ସେଇ ଠିକଣାରେ ଚିଠି ଦେ । ମୋ ଦେହ ଟିକେ ଭଲ ହୋଇଗଲେ ମୁଁ କଟକ ଯିବି ।

 

ତା’ ସ୍ଵାମୀଙ୍କୁ ତା’ କୋଳକୁ ଫେରାଇ ଦେବାଲାଗି ମନେ ମନେ ଭଗବାନଙ୍କୁ ସ୍ମରଣ କରି ଅନେକ ଆଶା ଆଉ ନିରାଶାର ହୃଦୟ ନେଇ ସେଠାରୁ ଚାଲିଗଲା ଅନୁ । ଶାନ୍ତିଦେବୀ ଆଉ ବିନୟବାବୁ ଚାହିଁ ରହିଥିଲେ ତା’ର ଚଲାପଥକୁ ଆଉ ମନେ ମନେ ଭାବୁଥିଲେ ସତରେ କେଡ଼େ ହୀନିମାନୀଟାଏ । ବର୍ଷେ ହେବ ବାପଘର ଛାଡ଼ି ପଡ଼ି ରହିଛି ଏଇଠି । ଦିନତମାମ ଗଧ ଖଟଣି ଖଟିବାରେ ଅଛି । ସ୍ଵାମୀ ବିଚ୍ଛେଦ ତା’ଛଡ଼ା ଅନେକ ପରିଶ୍ରମ ସତ୍ତ୍ୱେ ବି ତା’ ମନରେ ଦ୍ଵିଧା ଆସେନା । ବରଂ ଶାନ୍ତିଦେବୀ କେବେ ଯଦି ମନଦୁଃଖ କରିଥାନ୍ତି ସେ ତାଙ୍କୁ ବୁଝାଇ ଦିଏ, ଭୁଲେଇ ଦିଏ । କେଡ଼େ ପାଷାଣୀଟାଏ ମ.....କି ଧୈର୍ଯ୍ୟ ସତେ । ବାପ ଘରକୁ ଅନେକବାର ମନା କରିଦେଇଛି । କେଡ଼େ ଉଦାର ସର୍ବସହା ସେ ।

 

ସେଦିନ ସନ୍ଧ୍ୟାରେ ଅମର ଗୋଟିଏ ପତ୍ରିକା ପଢ଼ୁଥିଲା ଛାତ୍ର ସଂଘର୍ଷ ସମିତିର ଅଫିସ ଗୃହରେ । ହଠାତ୍‌ ଟେବୁଲ ଉପରେ ଗୋଟିଏ ଲଫାଫା ପଡ଼ିଥିବାର ଦେଖିଲା ସେ । ଲଫାଫାଟିକୁ ଉଠାଇଆଣି ଦେଖେ ତ ନିଜ ନାମରେ ଚିଠିଟି ଆସିଛି । ଲଫାଫାଟିକୁ ଚିରି ଚିଠି ଖାଲି ପଢ଼ିବାକୁ ଆରମ୍ଭ କଲା ସେ ।

 

ଆରାଧ୍ୟ ଦେବତା ମୋର,

 

ଅଭାଗିନୀ ଦାସୀର ପ୍ରଣାମ ନେବେ । ଚିଠିଟି ଆପଣଙ୍କ ହସ୍ତଗତ ହେବ କି ନାହିଁ ତା’ ମୁଁ ଜାଣେନା । କାରଣ ଆପଣଙ୍କ ସମ୍ପୂର୍ଣ୍ଣ ଠିକଣା ତ ଜଣାନାହିଁ । ତେବେ ମନରେ ଅନେକ ଆଶା ଆଉ ବିଶ୍ଵାସ ନେଇ ଏଇ ଠିକଣାରେ ପାଇବେ ବୋଲି ପଠାଉଛି । ଆପଣଙ୍କ ବାପାଙ୍କର ହିଁ ଏହା ଥିଲା ଆଦେଶ ।

 

ଦୀର୍ଘ ବର୍ଷେ ହେବ ଆପଣ ଘରଛାଡ଼ି ବାହାରକୁ ଯାଇଛନ୍ତି । ଘରକଥା କ’ଣ ଆପଣଙ୍କର ଟିକେ ମନେ ପଡ଼େନି । ଘରକୁ ଆସିବା ଦୂରର କଥା ଖଣ୍ଡେ ଚଠି ଦେଇଥିଲେ କ’ଣ କିଛି ଅସୁବିଧା ହୋଇଥାନ୍ତା । ମୁଁ ସିନା ଆପଣଙ୍କର କେହି ନୁହେଁ । ପରଝିଅ । ଆପଣଙ୍କ ପାଇଁ ଅନୁପଯୁକ୍ତା କାରଣ ଅଶିକ୍ଷିତା, ଅସୁନ୍ଦରୀ, ମଫସଲି । ମୁଁ ଆପଣଙ୍କ ପାଇଁ କାଳକଣ୍ଟକ ହୋଇପାରିଥାଏ କିନ୍ତୁ ବାପ, ମା’, ଭଉଣୀ ଘରଦ୍ଵାର ଏସବୁ କ’ଣ ଆପଣଙ୍କର ଆପଣାର ନୁହନ୍ତି । ଦଶ ମାସ ଗର୍ଭରେ ଧାରଣ କରି ମା’ ଜନ୍ମ ଦେଇଥିଲେ । ରକ୍ତ ଦେଇ ଛୋଟରୁ ବଡ଼ କରିଥିଲେ । ଆପଣଙ୍କୁ ମଣିଷ କରି କେତେ ଭରସା ସେ କରି ନ ଥିବେ । ଆପଣ ଘରଛାଡ଼ି ଗଲାଦିନଠୁ ତାଙ୍କ ଅବସ୍ଥା କ’ଣ ଟିକେ ବୁଝିଛନ୍ତି । ଦିନ ରାତି ସବୁବେଳେ କାନ୍ଦି ହେଉଛନ୍ତି ଝୁରି ହେଉଛନ୍ତି ସେ । ଶୁଖିଗଲେଣି ଦିନକୁ ଦିନ ।

 

ଆଉ ବାପା ତାଙ୍କ ଅବସ୍ଥା କହିଲେ ନ ସରେ । ସଦାବେଳେ ଏକୁଟିଆ ବସି ତୁମରି କଥା ଭାବୁଥାନ୍ତି । ପୂର୍ବସ୍ଵାସ୍ଥ୍ୟ ଆଉ ନାହିଁ । କ୍ଷୀଣ ସ୍ଵାସ୍ଥ୍ୟ ନେଇ ଘରଛାଡ଼ି ବାହାରକୁ ଯିବାକୁ ଡାକ୍ତର ମନା କରିଛନ୍ତି । ଆପଣ ଗଲା ଦିନଠୁ ଅନେକ ଆଡ଼ ଖୋଜି ଖୋଜି ନିରାଶ ହୋଇଛନ୍ତି । ଅନେକ ବୁଲାବୁଲି କରିବାରୁ ବାରମ୍ବାର ଦେହ ଖରାପ ହୋଇ ରୋଗିଣା ହୋଇ ଯାଇଛନ୍ତି । ବାପାଙ୍କ ଦେହ ଭଲ ଥିଲେ ସେ କଟକ ଯାଇ ଆପଣଙ୍କୁ ଦେଖା କରିଥାନ୍ତେ । ଏଇ ଦୁଇ ଦିନ ହେବ ବାପାଙ୍କୁ ଜର ଛାଡ଼ିଛି । ନିଜେ ଯାଇ ନ ପାରିବାରୁ ମୋତେ ଚିଠିଦେବା ପାଇଁ କହିଲେ ।

 

ଆଉ ମିଲି ! ବିଚାରୀ ଛୋଟ ହେଲେ ବି ସେ କ’ଣ ବୁଝନ୍ତି କେଜାଣି ବାରମ୍ବାର ଆପଣଙ୍କ କଥା ପଚାରି ପଚାରି ପୁଣି ତାଙ୍କ ବାଟରେ ସେ ଚାଲିଯାଆନ୍ତି–“ଭାଇ କେବେ ଆସିବେ.....କାହିଁକ ଆସୁ ନାହାନ୍ତି....ଏମିତି କେତେଆଡ଼ୁ କେତେ କଥା । ମୁଁ ହତଭାଗୀ କି ଉତ୍ତର ଦେଇ ବା ତାଙ୍କୁ ବୁଝାଇବି । ”

 

ଶେଷରେ ମୋର ଏତିକି ଅନୁରୋଧ ବାପା ବୋଉଙ୍କ ମୁହଁରେ ଟିକେ ହସ ଦେଖିବା ପାଇଁ ଆପଣ ଆପଣଙ୍କ ଘରକୁ ଫେରି ଆସନ୍ତୁ । ଆଉ ମୁଁ ଯେବେ ଆପଣଙ୍କ ଚଲାପଥରେ କଣ୍ଟକ ଭଳି ଛିଡ଼ା ହୋଇଥାଏ ତେବେ ଆପଣଙ୍କ ପାଦରେ ମୋତେ ଠେଲି ଦେଇ ନିଜ ମନ ମୁତାବକ ପୁଣି ଏକ ସୁନାର ସଂସାର ଗଢ଼ି ତୋଳନ୍ତୁ । ଆଶାକରେ ଭଗବାନଙ୍କ କୃପାରୁ ଆପଣ ଭଲରେ ଥିବେ ।

 

। ଇତି ।

ଆପଣଙ୍କର ସେବାଦାସୀ ଅନୁ

 

ଚିଠିଟା ଏକ ନିଶ୍ଵାସରେ ପଢ଼ିଗଲା ଅମର । ମୁଣ୍ଡଟି ତା’ର ଗୋଳମାଳ ହୋଇଗଲା କେମିତି । ଏ ଚିଠି ଦେଇଛି ତା’ର ସ୍ତ୍ରୀ । ଯାହା ସହିତ ଅଳ୍ପ କେତେ ଘଣ୍ଟାର ପରିଚୟ । ଭଲ ହୋଇ ମନେ ପଡ଼ୁନି ମୁହଁଟା । ଅବଗୁଣ୍ଠନ ତଳେ ଝାପ୍‌ସା ହେଇ ଦିଶୁଥିଲା ଚକିତ, ଭୟଭୀତ, ଅବହେଳିତ ତା’ର ସେଇ ମୁହଁଟି । ଆଉ ଅଳ୍ପ କେଇପଦ କଥାଭାଷା । ବେଶ୍‌‌ ସେତିକି । ସେଇ ଲଜ୍ଜାବତୀ ଗାଉଁଲୀ ଝିଅଟିର କାଗଜ କଲମରେ ରୂପ ନେଇଥିବା ମନର କଥା କେଇପଦ ତା’ର ଏତେ ବଡ଼ ବ୍ୟକ୍ତିତ୍ଵଟାକୁ ଉପହାସ କରୁଥିଲା । ତା’ର ମୁଣ୍ଡ ନଇଁ ଯାଉଥିଲା । ଆଖିରେ ଲୁହ ଜକେଇ ଆସିଥିଲା ତା’ର ଅଜାଣତରେ । ଘରେ ରୁଗ୍‍ଣ ପିତା ମାତା ଆଉ ନିରପରାଧିନୀ ନିରୀହା ନବବିବାହିତା ପତ୍ନୀ । କଅଣ ନେଇ ସେ ବଞ୍ଚିଛି....ତା’ର କ’ଣ ମନ ନାହିଁ, ହୃଦୟ ନାହିଁ...ସେ କ’ଣ ଆଉ ଏକ ମନ ଖୋଜେନା, ହୃଦୟ ଖୋଜେନା ? ତେବେ କିଏ ବା ତା’ର ପାଥେୟ..... ।

 

ଅମର ଚିନ୍ତା କରିପାରୁ ନ ଥିଲା ଦେହଟା ତା’ର ଶୀତେଇ ଉଠିଲା ।

 

ରବିବାର । ରବିବାର ଦିନଗୁଡ଼ାକ କିମିତି ଅଳସୁଆ ଲାଗେ । ଘର ଭିତରେ ବସି ବସି ଦିନ କଟିଯାଏ । ସ୍ମିତାକୁ ଖୁବ୍‌ ବିରକ୍ତ ଲାଗୁଥିଲା ଆଜି ଦିନଟା । ସକାଳୁ ଏ ଯାଏ ଘରଟା ଭିତରେ ଖାଲି ଏପଟ ସେପଟ ହେଉଥିଲା ସେ । ଆଉ ମନେ ମନେ ଅମର ଉପରେ ଚିଡ଼ି ଉଠୁଥିଲା ମଧ୍ୟ । ସକାଳୁ ଜଳଖିଆ ଖାଇ କୁଆଡ଼େ ଯାଇଛନ୍ତି ଯେ ଏଯାଏ ଫେରିନାହାନ୍ତି ସେ । ଦିନ ଆସି ଗୋଟାଏ ହେଲାଣି । ଏଇ କେଇଦିନ ହେବ ଅମରବାବୁଙ୍କ ଢଙ୍ଗଢାଙ୍ଗରେ କିଛି ଗୋଟାଏ ବ୍ୟତିକ୍ରମ ଘଟିଥିବାର ଲକ୍ଷ୍ୟ କରୁଥିଲା ସେ । ଅଧିକାଂଶ ସମୟ ଏଣିକି ବାହାରେ ବାହାରେ କଟାଇ ଦେଉଛନ୍ତି । କେତେବେଳେ କେମିତି ସେଆଡ଼େ ବି ଖାଇଦେଇ ଆସୁଛନ୍ତି । ସଦାବେଳେ ଗମ୍ଭୀର । ଦରକାର ହେଲେ କାହା ସହିତ କେମିତି ବା କେଇପଦ କଥାଭାଷା । ବେଶ୍ ସେତିକି । ସବୁବେଳେ ଅନ୍ୟମନସ୍କ ରହୁଛନ୍ତି ସେ । ଉପରେ ପଡ଼ି କିଛି କଥାଭାଷା ହେଲେ ଛୋଟ ‘ହଁ’ ଟିଏ ବା ‘ନାଇଁ’ ଏହାଛଡ଼ା ପୂର୍ବଭଳି ହସଖୁସି ବା ଘଣ୍ଟା ଘଣ୍ଟା ଧରି ଆଳାପ ଆଲୋଚନା ଏସବୁ କିଛି ନାହିଁ । ହଠାତ୍‌ ଅମରବାବୁଙ୍କର ଏଭଳି ପରିବର୍ତ୍ତନର କିଛି କାରଣ ଖୋଜି ପାଉ ନ ଥିଲା ସ୍ମିତା ।

 

ଅମରବାବୁ ଶୋଉଥିବା ବିଛଣା ଚଦରଟା ମଇଳା ଦିଶୁଥିଲା । ସେଇଟାକୁ ଉଠାଇ ଆଣୁ ଆଣୁ ତକିଆ ତଳେ ପଡିଥିବା ଲଫାପାଟିର ସାମାନ୍ୟ ଅଂଶ ଦେଖିନେଲା ସ୍ମିତା । ଲଫାପା ଭିତରୁ କାଗଜ ଖଣ୍ଡ କାଢ଼ି ଆଣି ଆଖିପିଛୁଳାକେ ପଢ଼ିଗଲା ସେ । ଯାହା ପଢ଼ିଲା ନିଜ ଆଖିରୁ ପ୍ରଥମେ ବିଶ୍ୱାସ କରି ପାରିଲାନି ସେ । ପୁଣି ଥରେ ପଢ଼ିଗଲା ଚିଠିଟାକୁ । ଦେହଟା ତା’ର ଝିମ୍‌ଝିମ୍ ହୋଇଗଲା । ଏକ ଅପ୍ରତ୍ୟାଶିତ ଚମକ ଖେଳିଗଲା ତା’ ଦେହରେ । ଅମରବାବୁ ବିବାହିତ । ଘରେ ତାଙ୍କର ନବବିବାହିତ ପତ୍ନୀ ଅନୁ । ଏ ସମ୍ପର୍କରେ ସାମାନ୍ୟ ଧାରଣା ସୁଦ୍ଧା ବି ପାଇନି ସେ ଅମରବାବୁଙ୍କଠୁ । ତାଙ୍କୁ ସେ ଭଲପାଏ.....ଜୀବନ ଦେଇ ଭଲପାଏ.... । ତାଙ୍କୁ ନେଇ ସେ କେତେ ସ୍ଵପ୍ନ ଦେଖିଛି । କେତେ କଳ୍ପନା ଜଳ୍ପନା ଭିତରେ ହଜିଯାଇଛି । ଏସବୁ ସତ୍ତ୍ୱେ ଅମରବାବୁ କ’ଣ ତା’କୁ ଭଲ ପାଇ ନାହାନ୍ତି ? ତା’ ପ୍ରତି ତାଙ୍କର ସାମାନ୍ୟ ଦୂର୍ବଳତା ବି ପ୍ରକାଶ ପାଇନି...?

 

ରାଗ ଆଉ ଅଭିମାନରେ ଜଳିପୋଡ଼ି ଯାଉଥିଲା ସେ । ତା’ର ଶିରା, ପ୍ରଶିରାଗୁଡ଼ିକ ଯନ୍ତ୍ରଣାରେ ଫାଟି ପଡ଼ୁଥିଲା । ଖୁବ୍‌ବ୍ୟସ୍ତ ହୋଇପଡ଼ିଲା ସେ । ନିଜକୁ ସମ୍ଭାଳି ନ ପାରି ଅମର ବେଡ୍ ଉପରେ ମୁହଁମାଡ଼ି ପଡ଼ିଗଲା ସେ । ଆଖିରୁ ତା’ର ଶ୍ରାବଣର ଧାରା ଛୁଟି ଚାଲୁଥିଲା ।

 

ନାନା ଚିନ୍ତା ଆଉ ଦୁଶ୍ଚିନ୍ତା ଭିତରେ ନିଦରେ ଶୋଇଯାଇଥିଲା ସ୍ମିତା । ସନ୍ଧ୍ୟା ହେବା ଉପରେ । ଏହା ଭିତରେ ଦୁଇ ତିନି ଥର ଡାକିଗଲେଣି ସୁଭଦ୍ରା ଦେବୀ । ନିଦ ଭାଙ୍ଗି ଯାଇଥିଲେ ବି ବିଛଣାରୁ ଉଠିବାପାଇଁ ଦେହରେ ଶକ୍ତି ନ ଥିଲା ସ୍ମିତାର । ଦୁର୍ବଳ ଲାଗୁଥିଲା ଦେହଟା । ଅବଶ ଶରୀର ନେଇ ସେମିତି ସେ ଗଡ଼ପଡ଼ ହେଉଥିଲା ବିଛଣା ଉପରେ ।

 

ଅମର ଘର ଭିତରକୁ ଆସି କିଛି ସମୟ ବସିବା ପରେ ସ୍ମିତାକୁ ଡାକିଥିଲା । ସ୍ମିତା କିନ୍ତୁ ଶୋଇ ରହିଥିଲା ସେମିତି । ତା’ପରେ ଅମର ଉଠିଯାଇ ସ୍ମିତାକୁ ଉଠାଇ ଆଣି ବେଡ୍ ଉପରେ ବସାଇ ଦେଇଥିଲା । ମୁହଁ ଫଣଫଣ ଦିଶୁଥିଲା ସ୍ମିତାର । ଆଖି ଦୁଇଟି ନାଲି ପଡ଼ି ଯାଇଥିଲା ।

 

ସ୍ମିତା ! ତମେ ଏମିତି ଉଦାସିଆ ଦିଶୁଛ ଯେ ।

 

ଅମର କଣ୍ଠରେ ଭରି ରହିଥିଲା ଅନୁନୟର ସ୍ଵଷ୍ଟି ଆଲେଖ୍ୟ । ସ୍ମିତା ନୀରବ ଥିଲା । ଅମର କଥାରେ ଗୁରୁତ୍ଵ ନ ଦେଇ ନିର୍ବାକ ଭାବେ ଝରକା ଦେଇ ବାହାରକୁ ଚାହିଁ ରହିଥିଲା । କିଛି ସମୟ ପରେ ଅମର ଚେୟାରରୁ ଉଠିଯାଇ ସ୍ମିତା ପାଖରେ ବସି ଦୁଇ ହାତରେ ସ୍ମିତାକୁ ଆଉଜାଇ ଆଣିଲା ନିଜ କୋଳକୁ । ଆଉ ବିନା ଦ୍ୱିଧାରେ ଛୋଟ ଛୁଆଟି ଭଳି ସ୍ମିତା ମୁହଁ ଜାକି ଆଉଜି ପଡ଼ିଥିଲା ଅମରର ଉଷୁମ ଛାତିରେ । ସତରେ ଅମରର ଏଇ ଓସାରିଆ ଛାତିଟା ତା’ପାଇଁ ଖୁବ୍ ଆକର୍ଷଣୀୟ । ଖୋଲା ଦେହରେ ଅମର ଶୋଇଥିବା ବେଳେ ଅନେକ ଥର କେମିତି ଏକ ଲୋଭିଲା ଆଖି ନେଇ ସେ ଏକ ଲକ୍ଷରେ ଚାହିଁ ରହେ ତାଙ୍କର ସେଇ ଲୋମଷ ଉତ୍‌ଥିତ ବକ୍ଷସ୍ଥଳକୁ । ସ୍ମିତାକୁ ଏଇ ଛାତିଟା ଅଭୟ ଦିଏ । ମନରେ ଅନେକ ଇନ୍ଦ୍ରଧନୁର ରଙ୍ଗ ଆଣି ବୋଳିଦିଏ । ସେ ଏତେଟା ରାଗିଥିଲେ ବି ଏକ କାଉଁରୀ ସ୍ପର୍ଶରେ ତା’ର ସବୁତକ ରାଗ ଉଭାଇଗଲା କେଉଁଆଡ଼େ । ଅମର ଛାତିରୁ ଓହରିଯିବା ପାଇଁ ତା’ର ଆଦୌ ଇଚ୍ଛା ନଥିଲା । ତା’ର ଦୁଇ ଆଖିରୁ ଦୁଇ ଟୋପା ଗଡ଼ି ପଡ଼ିଲା । ସ୍ମିତାର ଆଖିରେ ଲୁହ ଦେଖି ବ୍ୟସ୍ତ ହୋଇ ପଡ଼ିଲା ଅମର । ନିଜ ହାତରେ ଲୁହ ପୋଛି ଦେଇଥିଲା ସେ ।

 

ସ୍ମିତା ! ତମେ କାନ୍ଦୁଛ ସ୍ମିତା....କ’ଣ ହୋଇଛି ତୁମର ?

 

ସ୍ମିତା ନୀରବରେ ଅମର କୋଳରୁ ଉଠି ଚାଲି ଯାଉଥିଲା । ଅମର ଉଠିଯାଇ ସ୍ମିତାର ଦୁଇ ହାତ ଧରି ଭିଡ଼ି ଆଣିଲେ ନିଜ ଆଡ଼କୁ ।

 

ଇସ୍‌ ଆପଣ ଛାଡ଼ି ଦିଅନ୍ତୁ ନା...ମୋର କିଛି ହୋଇନି ।

 

ତମେ ଅଧର୍ଯ୍ୟ ହୋଇ ପଡ଼ିଛ ସ୍ମିତା, ତମର ମନଟା କୌଣସି ନା କୌଣସି କାରଣରୁ ବିଷେଇ ଉଠିଛି । ତେବେ ଆସ…ଗୁରୁଗମ୍ଭୀର ଏଇ କାଠଯୋଡ଼ିର କୂଳ ଆଡ଼େ ଟିକେ ବୁଲି ଆସିଲେ ହୁଏତ ତମ ମନରେ ସାମାନ୍ୟ ପରିବର୍ତ୍ତନ ଆସିପାରେ ।

 

ସ୍ମିତା ଆଦୌ ରାଜି ନଥିଲା । ଅମର କିନ୍ତୁ ବହୁ ଅନୁନୟ ପରେ ସ୍ମିତାର ହାତ ଧରି ନେଇ ଯାଇଥିଲା ।

 

ଗୁରୁଗମ୍ଭୀର ଏଇ କାଠଯୋଡ଼ି । ନିହାତି ଉଦାସିଆ । ଛାତିରେ ଛାତିଏ ପାଣି ଧରି ସାମାନ୍ୟ ଘୁମେଇ ପଡ଼ିଛି ସେ । କଳ କଳ ହୋଇ ପାଣି ବହି ଚାଲିଛି ଅବିରାମ ଗତିରେ । ତା’ରି କୂଳରେ ଅନେକ ଚିନ୍ତାର ବୋଝ ମୁଣ୍ଡାଇ ଆଗପଛ ହୋଇ ଚାଲିଥିଲେ ଅମର ଆଉ ସ୍ମିତା । ନିଛାଟିଆ ଏଇ ବନ୍ଧ ଉପରେ ବସି ପଡ଼ିଲା ଅମର । ସ୍ମିତା ଠିଆ ହୋଇ ରହିଥିଲା ଅମର ପାଖକୁ ଲାଗି । ସ୍ମିତାର ହାତ ଧରି ନିଜ ପାଖକୁ ଲାଗି ବସାଇଦେଲା ଅମର ।

 

କିଛି ସମୟ ନୀରବରେ କଟିଗଲା । ତା’ପରେ ପ୍ରଥମେ ତୁଣ୍ଡ ଖୋଲିଲା ଅମର । ସ୍ମିତା-! ତମ ମନ ଉପତ୍ୟକାରେ ଆଜି ଏ ଝଡ଼ର ସୃଷ୍ଟି କାହିଁକି... ?

 

ତା’ ପୂର୍ବରୁ ଆପଣ କୁହନ୍ତୁ ଆପଣଙ୍କ ମନଆକାଶରେ ଏଇ କେଇଦିନ ହେବ ବିଷାଦର ଭସା ବାଦଲ ଛାଇ ହୋଇ ରହିଛି କାହିଁକି... ?

 

ଅମର ମନରେ ଚମକ ଲାଗିଲା । କିଛି ସମୟ ଭାବିବା ପରେ ସେ ମନେ ମନେ ସ୍ଥିର କଲା ଆଜି ସ୍ମିତା ଆଗରେ ତା’ ଅନ୍ତରର କଥା ଖୋଲାଖୋଲି କହିଦେବ । ତା’ପରେ ସେ ତୁଣ୍ଡ ଖୋଲିଲା–

 

ଶୁଣିବ ତେବେ ସ୍ମିତା....ବେଶ୍‌ ଶୁଣ । ଆଜି ପର୍ଯ୍ୟନ୍ତ ମୁଁ ତୁମ ନିକଟରେ ଅଛପା ଥିଲି । କାରଣ ତମେ ମୋତେ ବୁଝିବାକୁ ଚେଷ୍ଟା କରି ନ ଥିଲ । ମୁଁ କିନ୍ତୁ ଉପରେ ପଡ଼ି ମୋର ସାମାନ୍ୟ କଥନ ଦେବାପାଇଁ ଭଲ ମନେ କଲିନି । ଆଜି ହୁଏତ ତମେ ମୋ’ଠାରୁ ମୋ ବିଷୟରେ ଶୁଣି ସାରି ମୋତେ ଘୃଣା କରିପାର । ମୋର ଅସଲି ଆବରଣ ଭିତରେ ନକଲିର ସନ୍ଧାନ ପାଇଲେ ତମେ ତାଚ୍ଛଲ୍ୟ କରିପାର ।

 

ଜମିଦାର ବିନୟ ପଟ୍ଟନାୟକର ଏକମାତ୍ର ପୁଅ ମୁଁ । ଆଉ ମୁଁ ବିବାହିତ । ବି: ଏ ପରୀକ୍ଷା ଥାଏ ଆଉ ଅଳ୍ପ କିଛି ଦିନ । ମୋର ଅନିଚ୍ଛା ସତ୍ତ୍ୱେ କି ଏକ ଅଶୁଭ ମୁହୁର୍ତ୍ତରେ ମୋର ବିବାହ ହୁଏ ଏକ ଗାଉଁଲୀ ଅଶିକ୍ଷିତା କନ୍ୟା ସହ । ତା’ପରେ ମିଳନ । ଗୋଟିଏ ଦିନ ପରେ ତିକ୍ତ ମନ ନେଇ ମୁଁ ଚାଲିଆସେ କଟକ ପରୀକ୍ଷାର ଆଳରେ । ବେଶ୍ ସେତିକି । ତା’ପରେ ମୁଁ ଆଉ ଘରକୁ ଯାଇନି କି ଯିବାକୁ ଇଚ୍ଛା ମଧ୍ୟ କରିନି । ପରୀକ୍ଷା ଦେବା ପୂର୍ବରୁ ଜେଲ୍‌କୁ ଯାଏ ଏବଂ ସେଠାରେ ତୁମ ବାପାଙ୍କ ସହିତ ମୋର ଘନିଷ୍ଠତା ବଢ଼ିଯାଏ । ଫଳରେ ତୁମ ବାପାଙ୍କ ଇଚ୍ଛାନୁସାରେ ଏଠାରେ ରହିଯାଇଛି ଆଜିଯାଏ । ତା’ଛଡ଼ା ତୁମର ଆକର୍ଷଣ ହିଁ ମୋତେ ନିବିଡ଼ ଭାବେ ବାନ୍ଧି ରଖିଛି ଏଠାରେ ।

 

କିନ୍ତୁ କାହିଁକି...?

 

ମୁଁ ମଣିଷ ।

 

ଆପଣ ମୋତେ ଭଲପାଆନ୍ତି... ?

 

ପାଏ ।

 

ପରିଣତି ବିଷୟରେ ଚିନ୍ତା କରିଛନ୍ତି... ?

 

କରିଛି । କିନ୍ତୁ ସେଇଟା ଏକାନ୍ତ ନିଜସ୍ଵ । ତା’ଛଡ଼ା ତୁମର ମୋ ପ୍ରତି ଧାରଣା କ’ଣ ତା’ ତ ମୁଁ ଜାଣେନା..... ।

 

ମୁଁ ଆପଣଙ୍କୁ ଭଲପାଏ......ମନରେ ଆଉ ପ୍ରାଣରେ ବି !

 

କୋଏକ୍‍ଜିଷ୍ଟେନ୍‌ସି (Co-existence) ସମ୍ଭବ ।

 

ନାଁ... ।

 

କାରଣ ମୁଁ ବିବାହିତ... ?

 

ନାଁ

 

କାରଣ ତୁମେ ତୁମର ବାପା ମା’ ଙ୍କର ବାଧ୍ୟ ସନ୍ତାନ.... ?

 

ତା’ ବି ନୁହେଁ ।

 

ତେବେ ଭଲପାଇବାର ରୁପାନ୍ତର ତମେ ଚାହଁନି.... ?

 

ଚାହେଁ.... ।

 

ତା’ହେଲେ.... ।

 

ଆପଣ ମୋତେ ଭୁଲ ବୁଝନ୍ତୁନି ଅମର ବାବୁ....ମୁଁ ଆପଣଙ୍କୁ ଭଲପାଏ । ଆପଣଙ୍କ ପ୍ରଶଂସା ଶୁଣିଲେ ମୋର ଛାତି ଫୁଲି ଉଠେ । ଆପଣ ଆଦର୍ଶବାଦୀ । ମୋର ସ୍ଵାର୍ଥପାଇଁ ମୁଁ ବା କିମିତ ଆପଣଙ୍କର ଏତେବଡ଼ ଆଦର୍ଶରେ କଳଙ୍କ ବୋଳିଦେବି ମୋତେ କ୍ଷମା ଦେବେ ଅମର ବାବୁ....ମୁଁ ଆପଣଙ୍କ ସହ ଏକମତ ନୁହେଁ ।

 

ତମେ ତା’ହେଲେ ଏ ସମାଜକୁ ଭୟ କର.... ।

 

ଭୟ କରିନଥାନ୍ତି, କିନ୍ତୁ ଭୟ କରୁଛି ଆପଣଙ୍କ ପାଇଁ ।

 

ମୁଁ କିନ୍ତୁ ଏଇ ସମାଜର ନିଷ୍ଠୁର ଅବାନ୍ତର ଟ୍ରାଡିସନ (tradition) କୁ ଭୀଷଣ ଘୃଣା କରେ । ତା’ଛଡ଼ା ଏଇ ସମାଜର ଲାଲ ଆଖି ଦେଖି ନିଜକୁ ସଫେଇ ଦେବାକୁ ଯାଇ ବିକୃତ ମନ ନେଇ ଏଠି ବଞ୍ଚି ରହିବା ଅର୍ଥ ନିଜର ବ୍ୟକ୍ତିତ୍ଵକୁ ହିଁ ବଳିଦେବା ।

 

ତା’ ଅବଶ୍ୟ ଠିକ୍‌ । ତେବେ ଏ ବିଶ୍ଵରେ ଏକ ଶକ୍ତି ବିଦ୍ୟମାନ ରହିଛି ଯାହାର ଇଙ୍ଗିତରେ ଆମେ ପରିଚାଳିତ.....ସେ ଶକ୍ତିକୁ ଆପଣ ବିଶ୍ୱାସ କରନ୍ତି ?

 

ହଁ, ବିଶ୍ୱାସ କରେ ।

 

ସେଇଥିପାଇଁ ତ ଆମେ ଯାହାସବୁ ଚାହୁଁ ତା’ ପାଇ ପାରୁନା । ଏ ଦୁନିଆର ନିୟମ ବଡ଼ ବିଚିତ୍ର ଅମରବାବୁ । ସେ ଚାହେଁ ଯାହାକୁ, ଏ ପୁଣି ଚାହେଁ ଆଉ କାହାକୁ । ସେ ପୁଣି ଚାହେଁ ଅନ୍ୟ ଜଣକୁ । ଆଉ କିଏ ହୁଏତ ପୁଣି ଚାହେଁ ତା’କୁ । ଏମିତି ଏ ଦୁନିଆଁଟା ନା । ଆପଣ ଭୁଲ କରିଛନ୍ତି ଅମରବାବୁ । ଜଣେ ଆପଣଙ୍କୁ ପାଇଛି । ଆପଣ ଜାଣିଶୁଣି ପୁଣି ଥରେ ହଜି ଯାଇ ତା’ ମନରେ ଦୁଃଖ ଦିଅନ୍ତୁନି । ତା’କୁ ଧରା ଦିଅନ୍ତୁ । ଆପଣ ଆପଣଙ୍କର ଟିକେ ସ୍ଵାର୍ଥ ତ୍ୟାଗ କରି ତା’ ସହିତ ଆଡଜଷ୍ଟ (adjust) କରି ନିଅନ୍ତୁ । ଦେଖିବେ ପୁଣି ସବୁ ଠିକ୍ ଠାକ୍ ହୋଇଯିବ ।

 

ସେ କିନ୍ତୁ ।

 

ଜାଣେ, ମୁହଁରେ ସମ୍ମତି ଜଣାଇ ପାରନ୍ତି । କିନ୍ତୁ ଆପଣ ନାରୀମାନଙ୍କର ହୃଦୟ କଥା ଜାଣନ୍ତିନି ଅମରବାବୁ...ସେମାନେ ବଡ଼ ସ୍ଵାର୍ଥପର । ବିଶେଷ କରି ନିଜର ପ୍ରିୟ ବସ୍ତୁ ଉପରେ ଅନ୍ୟ କାହାରି ଲୋଭିଲା ଆଖି ଦେଖିଲେ ସେ ଆଦୌ ସହି ପାରେନା....ଭୀଷଣ ହୋଇଉଠେ ।

 

ତା’ହେଲେ ।

 

ଆପଣ ମୋତେ ବୁଝିବାକୁ ଚେଷ୍ଟା କରନ୍ତୁ ଅମରବାବୁ । ମନ୍ଦିରକୁ ଅନେକ ଯାଆନ୍ତି । ଇଷ୍ଟଦେବଙ୍କ ଉଦ୍ଦେଶ୍ୟରେ ହାତ ପତାଇ ବର ମାଗନ୍ତି । କିନ୍ତୁ ସମସ୍ତେ କ’ଣ ପୂର୍ଣ୍ଣ ହସ୍ତରେ ଲେଉଟି ଆସନ୍ତି ? ରିକ୍ତ ହସ୍ତରେ ଲେଉଟି ଆସିଥିବା ଯାତ୍ରୀଙ୍କ ମଧ୍ୟରୁ ମୁଁ ମଧ୍ୟ ଜଣେ । ଶୂନ୍ୟ ହୃଦୟ ନେଇ ମୁଁ ମଧ୍ୟ ଅପେକ୍ଷା କରିବି ଆମର ସେଇ ମିଳନର ଦିନଟିକୁ ।

 

ତା’ ହେଲେ ତମେ.... ।

 

ଭୁଲ ବୁଝିଛନ୍ତି ଅମରବାବୁ ! ମୁଁ ବିବାହ କରିବି ଯାହାକୁ କି ମୁଁ ଚାହିଁ ନଥିଲି । କିନ୍ତୁ ମୋର ଆତ୍ମାର ପୂର୍ଣ୍ଣତା ଆସିବନି ଅମରବାବୁ । ମୋର ଅତୃପ୍ତ ଆତ୍ମା ଅପେକ୍ଷା କରିବ ଆମ ଦୁହିଁଙ୍କର ପୁଣି ସେଇ ମିଳନର ଦିନଟିକୁ ।

 

କଇଁ କଇଁ ହୋଇ କାନ୍ଦୁଥିଲା ସ୍ମିତା । ଆଉ ଅମର ମଧ୍ୟ ।

 

ଆପଣ ଆଉ ବିଳମ୍ବ କରିନ୍ତୁନି ଅମରବାବୁ । ଶୀଘ୍ର ଆପଣଙ୍କ ଘରକୁ ଫେରିଯାଆନ୍ତୁ । ଘରେ ଆପଣଙ୍କର ରୁଗ୍‌ଣ ପିତାମାତା ଆଉ ଚାତକ ପରି ତୃଷାତୁର ନୟନରେ ଆପଣଙ୍କ ପଥକୁ ଚାହିଁ ରହିଥିବେ ବିଚାରୀ ନିରୀହା ନବବିବାହିତା ପତ୍ନୀ ଅନୁଦେବୀ ।

 

ଚମକି ପଡ଼ିଲା ଅମର ।

 

ତମେ କିପରି... ।

 

ଆପଣଙ୍କ ପାଖକୁ ଆସିଥିବା ଚିଠିଟି ତକିଆ ତଳୁ ପାଇଥିଲି ମୁଁ ।

 

ସତରେ ! ସ୍ମିତା ବାପା ମୋତେ କେତେ ଭଲ ପାଆନ୍ତି....ଆଉ ବିଚାରୀ ବୋଉ ସବୁଦିନେ ଝୁରି ହେଉଥିବ ସେ ! ମୋରି ପାଇଁ ସେମାନେ ରୁଗ୍‌ଣ ଦୁର୍ବଳ । ଆଉ ବିଚାରୀ ଅନୁ….ତା’ର ବା ଦୋଷ କ’ଣ । ମୁଁ ଘୋର ଅନ୍ୟାୟ କରିଛି ସ୍ମିତା, ତମେ ହିଁ ମୋର ଆଖି ଖୋଲି ଦେଇଛ । ମୁଁ ମୋର କର୍ତ୍ତବ୍ୟ ଭୁଲି ଅନ୍ଧାରରେ ଧାଇଁଥିଲି ଆଜିଯାଏ । ତମେ ମୋତେ ଠିକ୍‌ ବାଟକୁ ନେଇ ଆସିଛ ସ୍ମିତା....ମୋତେ ପ୍ରଥମେ ମୋର ଘର ସଜାଡ଼ି ତା’ପରେ ଅନ୍ୟର ଘର ସଜାଡ଼ିବାକୁ ପଡ଼ିବ । ସତରେ ସ୍ମିତା ଘରକୁ ଯିବାକୁ ମନ ମୋର ବ୍ୟସ୍ତ ହେଉଛି । ହେଲେ କି ଗୋଧାଏ ଦୁର୍ବଳତା ନେଇ ମୁଁ ପୁଣି ପଛାଇ ଯାଉଛି ।

 

ସେ କିଛି ନୁହେଁ ଅମରବାବୁ । ଆପଣଙ୍କ ପଛ କଥା ଆପଣ ଭୁଲି ଯାଆନ୍ତୁ । ଆପଣଙ୍କ ସାଥିରେ ମୁଁ ମଧ୍ୟ ଆପଣଙ୍କ ଘରକୁ ଯିବି ।

 

ସତେ ନା କ’ଣ... ?

 

ହଁ ଅମରବାବୁ ମୁଁ ଆପଣଙ୍କ ସାଥିରେ ଯିବି ।

 

ତେବେ ତୁମର ମୁଁ କି ପରିଚୟ ଦେବି ।

 

ପରିଚୟ… । ଆମ ଦୁହିଁଙ୍କର ନିବିଡ଼ ଭଲପାଇବାର ରୂପାନ୍ତର ହିଁ ଆଜିଠାରୁ ହେବ ପବିତ୍ର ଭାଇ ଓ ଭଉଣୀର ପରିଚୟ ।

 

ସ୍ମିତା !

 

ଭାଇ !

 

ସ୍ମିତା ଢଳି ପଡ଼ିଲା ଅମରର କୋଳକୁ । ଅମର ମୁକପ୍ରାୟ ସ୍ମିତାକୁ ଚାହିଁ ରହିଥିଲା । ଦୁହିଁଙ୍କ ଆଖିରୁ ଲୁହ ବହି ଯାଉଥିଲା ଧାର ଧାର ହୋଇ ।

 

କାଠଯୋଡ଼ି ପୋଲ ଉପରେ ଟ୍ରେନଟି ଦମ୍ ଦମ୍ କରି କରି ଚାଲିଗଲା । ସ୍ମିତା ଆଉ ଅମର ଧିରେ ଧିରେ ଘରକୁ ଫେରି ଆସିଲେ ।

 

ଏକମାତ୍ର ଅଲିଅଳୀ ଝିଅ ସ୍ମିତାର ଅନ୍ତର ବେଦନା ମର୍ମେ ମର୍ମେ ଅନୁଭବ କରିଥିଲେ ସୁଭଦ୍ରାଦେବୀ । ସ୍ମିତାଠାରୁ ସବୁକଥା ଶୁଣି ଖୁବ୍‌ ଗୋଟେ ଅଘାତ ପାଇଥିଲେ ସେ । ସ୍ମିତା ଅମରକୁ ଅନ୍ତର ଦେଇ ଭଲପାଏ ଆଉ ଅମର ବି, ଏକଥା ଭଲଭାବେ ଜାଣିଥଲେ ସୁଭଦ୍ରାଦେବୀ । ଆଉ ସେ ନିଜେ ଅମରର ପ୍ରଥମ ସାକ୍ଷାତରେ ହିଁ ମନେ ମନେ କେତେ ଜଣ ଭାବି ନେଇଥିଲେ । ଆଉ ପରେ ପରେ କମ୍ ଖୁସି ହୋଇ ନଥିଲେ ସୌମ୍ୟଦର୍ଶନ ଯୁବକ ଅମରର ଆମୟିକ ବ୍ୟବହାର ଆଉ ତା’ଭଳି ଜଣେ ଆଦର୍ଶ ନୀତିବାନ ଯୁବକର କାର୍ଯ୍ୟକଳାପରେ ମୁଗ୍‍ଧ ହୋଇ । ଶେଷରେ ଅମର ଆଉ ସ୍ମିତାର ପରସ୍ପର ପ୍ରତି ନିବିଡ଼ ଆକର୍ଷଣ ଲକ୍ଷ୍ୟ କରି ମନେ ମନେ ସେ ସ୍ଥିର ନିଶ୍ଚିତ ହୋଇ ସାରିଥିଲେ ଏକମାତ୍ର ଝିଅ ସ୍ମିତାକୁ ଅମର ପରି ଏକ ଯୋଗ୍ୟ ପାତ୍ର ହସ୍ତରେ ସମର୍ପି ଦେଇ ଅବଶିଷ୍ଟ ଜୀବନ ବେଶ୍ ଶାନ୍ତିରେ ସେ କଟାଇ ଦେବେ । ହେଲେ ବଡ଼ ବିଚିତ୍ର ଭଗବାନ୍‌ଙ୍କର ନିର୍ଦ୍ଦେଶ ସିନା । କିଏ ଜାଣିଥିଲା ଅମର ବିବାହିତ ବୋଲି....କେଇଟି ଦିନ ପାଇଁ ସେ ଏଇ ଅସଜଡ଼ା ଘରକୁ ଆସି ଶୁଷ୍କ ଆଉ ନିରସ ପ୍ରାଣରେ ଆଶା ଆଉ ବିଶ୍ଵାସର ସଞ୍ଚାର ଖେଳାଇ ପୁଣି ଫେରିଯିବେ ନିଜର ଗୋତ୍ର ସ୍ମରି.... ।

 

ହସକୁଡ଼ି ସ୍ମିତାର ଉଦାସିଆ ମୁହଁଟି ଦେଖିଲେ ସୁଭଦ୍ରାଦେବୀଙ୍କର ହୃଦୟତନ୍ତ୍ରୀଗୁଡ଼ିକ ଗୁମୁରି ଗୁମୁରି ବିଳପି ଉଠନ୍ତି କି ଏକ ଅବ୍ୟକ୍ତ ଯନ୍ତ୍ରଣାରେ । କ’ଣ ବା କହି ସେ ମୁଁ ସ୍ମିତାର ଭାରୀ ମନଟାକୁ ହାଲୁକା କରିବେ...କି ଆଶ୍ୱାସନା ସେ ଦେବେ....ଆଖିରୁ ଲୁହ ଝରି ପଡ଼େ ମା’ର, ଝିଅ ମନର ଭାଷା ବୁଝିପାରି ।

 

ସ୍ମିତା ନିଜକୁ ଭୁଲେଇବାକୁ ଚେଷ୍ଟା କରେ । ମନରେ ଦମ୍ଭ ନେଇ ନିଜକୁ ସଫେଇ ଦେବାଲାଗି ମା’ ଆଗରେ ଆସି ଉଭାହୁଏ ସେ । ମା ମନରେ ବିଶ୍ଵାସ ଆଣିବା ପାଇଁ ଖୁବ୍ ଚେଷ୍ଟା କରେ ସେ । ହେଲେ ସବୁ ଚେଷ୍ଟା ତା’ର ବିଫଳ ହୁଏ । ମୁହଁଟା ଶୁଖି ଆସେ ଏବଂ ଢଳଢଳ ତା’ର ଦୁଇ ଆଖିରେ ଲୁହ ଜକେଇ ଆସେ ।

 

କଅଁଳ ସକାଳ । ପରାଜିତ ପ୍ରାଣରେ ବିଜୟର ଆଶା ତୋଳି ରକ୍ତ ସୂର୍ଯ୍ୟ ଧବଳ ବର୍ଣ୍ଣ ଧାରଣ କଲେଣି । ପରାଜୟର ଗ୍ଳାନିରେ ମର୍ମାହତ ସ୍ମିତା ଏବଂ ଅମର ଅତୀତର ସ୍ମୃତି ମଧୁର ଦିନଗୁଡ଼ିକୁ ପାଶୋରି ବର୍ତ୍ତମାନର ପଟ୍ଟଭୂମି ଉପରେ ଛିଡ଼ା ହୋଇ ଭବିଷ୍ୟତର ଅନ୍ଧାରୀ ଦିନଗୁଡ଼ିକ ପାଇଁ ନିଜକୁ ସଜାଡ଼ି ନେଉଥିଲେ । ଅମର ତା’ର ଘରକୁ ଯିବାପାଇଁ ନିଜକୁ ପ୍ରସ୍ତୁତ କରୁଥିଲା ଆଉ ସ୍ମିତା ମଧ୍ୟ । ଛାତିରେ ଛାତିଏ ଦୁଃଖର ବୋଝ ଧରି ସୁଭଦ୍ରା ଦେବୀ ଠିଆହୋଇ ଚାହିଁ ରହିଥିଲେ ବୋକାଙ୍କ ଭଳି ନିଜର ଜିନିଷପତ୍ର ସଜାଡ଼ି ନେଇ ବେଦନାସିକ୍ତ ହୃଦୟରେ ସୁଭଦ୍ରାଦେବୀଙ୍କଠାରୁ ବିଦାୟ ନେଇ ସ୍ମିତା ଆଉ ଅମର ଘରୁ ବାହାରି ଗଲେ ।

 

ଉଭୟଙ୍କ ମନରେ କେତେଆଡ଼ୁ କେତେ ପ୍ରଶ୍ନ ଆସି ଜମି ଯାଉଥାଏ । ଗୋଟି ଗୋଟି ହୋଇ ଅନେକ ପ୍ରଶ୍ନ । ସେଗୁଡ଼ିକୁ ସଜାଡ଼ି ନେଇ ଉତ୍ତର ଖୋଜି ବସିଲା ବେଳକୁ ସେଗୁଡ଼ିକ ପୁଣି ଅଡ଼ୁଆ ତଡ଼ୁଆ ହୋଇ ଯାଉଥାଏ, ଠିକ୍ ବୁଢ଼ିଆଣୀ ଜାଲ ପରି ଛନ୍ଦାଛନ୍ଦି ହୋଇ । ନିଜ ନିଜର ଭାବନାରେ ଦୁହେଁ ଆଗେଇ ଚାଲିଥାନ୍ତି । କାହାରି ତୁଣ୍ଡରେ କଥା ନାହିଁ କି ଭାଷା ନାହିଁ । ଅମର ଭାବୁଥାଏ ତା’ର ଘରକଥା । ଅନେକ ଦିନ ହେଲା ସେ ତା’ର ଘରଛାଡ଼ି ଆସିଲାଣି । ମନରେ କେମିତି ଏକ ଅଜଣା ଭୟ ସୃଷ୍ଟି ହେଉଥିଲା ତା’ର । ସେ ତା’ର ବାପା ବୋଉଙ୍କୁ ମୁହଁ ଦେଖାଇ ପାରିବ ତ ? ତା’ ସ୍ତ୍ରୀ କ’ଣ ତା’କୁ ଚିହ୍ନିପାରିବ.....ନାଁ, ତା’ ସ୍ତ୍ରୀର ମୁହଁ ତା’ର ବି ମନେ ପଡ଼ୁନି । ତା’ଛଡ଼ା ଗାଁର କେତେ ଲୋକଙ୍କର ମୁହଁ ଜଳଜଳ ହୋଇ ଦିଶି ଯାଉଥିଲା ତା’କୁ । କେମିତି ବା ସେ ସେମାନଙ୍କୁ ମୁହଁ ଦେଖାଇବ । ତା’ଛଡ଼ା ସଙ୍ଗରେ ତା’ର ସ୍ମିତା....ପ୍ରତି ଅଙ୍ଗରେ ଯାହାର ଯୌବନର ମାଦକତା ଖେଳି ବୁଲେ । ଅନେକଙ୍କ ସନ୍ଦେହୀ ଚକ୍ଷୁରେ ଖୋରାକ ଯୋଗାଇ ଦେବ ସେ ନିଶ୍ଚୟ । ଏମିତି କେତେଆଡ଼ୁ କେତେ କଥା ଭାବି ଚାଲିଥିଲା ସେ । ହଠାତ୍ ତା’ର ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣି ବସ୍‍ଟି ହର୍ଣ୍ଣ ଦେଇ ଅଟକିଗଲା ଷ୍ଟାଣ୍ଡରେ । ବସ୍‌ରୁ ଧିରେ ଓହ୍ଲାଇ କିଛି ବାଟ ଚାଲି ଆସିଲେ ସ୍ମିତା ଆଉ ଅମର । ଏଇ ଅଙ୍କାବଙ୍କା ଅଣଓସାରିଆ, ଧୂସରିତ ରାସ୍ତା, ଗାଁ ଗୋହିରୀ ଗାଁ ଦାଣ୍ଡ ଦେଇ ଅମର ତା’ର ଘର ଭିତରକୁ ଧିରେ ପାଦ ପକାଇଲା । ପଛେ ପଛେ ସ୍ମିତା ।

 

ସୂର୍ଯ୍ୟ ସେତେବେଳକୁ ମଥାନ ଧରି ଗଲେଣି । ବିନୟବାବୁ ଚେୟାରଟି ପକାଇ ଦାଣ୍ଡ ବାଟଘରେ ବସିଥିଲେ । ଅମରକୁ ଘର ଭିତରକୁ ପଶି ଆସିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସେ-। ଖୁବ୍ ଆନନ୍ଦରେ ହଠାତ୍‌ ଆଖିରୁ ତାଙ୍କର ଦୁଇ ଟୋପା ଲୁହ ଗଡ଼ି ପଡ଼ିଲା । ‘ଅମର’ ! ଖୁବ୍ ବଡ଼ ପାଟିରେ ଗୋଟେ ଚିତ୍କାର କରି ଚେୟାରରୁ ଉଠି ଅମର ଆଡ଼କୁ ଆଗେଇ ଆସିଲେ ସେ । ଅମର ବିନୟବାବୁଙ୍କ ପାଦରେ ମୁଣ୍ଡ ରଖି ତା’ ଜୀବନର ସମସ୍ତ ପାପର କଳଙ୍କଗୁଡ଼ିକ ଆଖି ଲୁହରେ ଧୋଇ ଦେଇ ପାଦ ପ୍ରକ୍ଷାଳନ କରିଥିଲା । ଶାନ୍ତିଦେବୀ ଅମର ଅମର ଡାକି ଘର ଭିତରୁ ଧାଇଁ ଆସିଥିଲେ ଆଉ ଅମରକୁ କୋଳକୁ ଟାଣି ନେଇ ଖୁବ୍ ଜୋରରେ ଭିଡ଼ି ଧରିଥିଲେ । ମା’ର ଚରଣଧୂଳି ନେଇ ମୁଣ୍ଡରେ ବୋଳି ହୋଇଥିଲା ଆଶ୍ଵସ୍ତିରେ ଅମର । ଭାଇ....ଭାଇ....ଡାକ ଛାଡ଼ି ଦାଣ୍ଡରୁ ଧାଇଁ ଆସିଥିଲା ମିଲି । ଆଉ ନଇଁପଡ଼ି ମିଲିକୁ କାଖେଇ ନେଇଥିଲା ଅମର । ହାତଗୋଡ଼ ହଲାଇ ଖୁବ୍ ଖୁସି ହେଉଥିଲା ମିଲି ।

 

ରୋଷେଇ ଘରେ ରୋଷେଇ ଛାଡ଼ି ଦୁଆରମୁହଁରେ ଅମରକୁ ଏକ ଲକ୍ଷ୍ୟରେ ଚାହିଁ ଓଢ଼ଣା ପକାଇ ଠିଆହୋଇ ରହିଥିଲା ଅନୁ । ଆଖିରେ ସହସ୍ର ଯୁଗର ପ୍ରତୀକ୍ଷା ଆଉ ମନରେ କୋଟି କାମନାର ଇନ୍ଦ୍ରଧନୁ ଉଙ୍କି ମାରୁଥିଲା ତା’ର । ଇଚ୍ଛା ହେଉଥିଲା ଅମର ନିକଟକୁ ଧାଇଁ ଯାଇ ତା’ର ସେଇ ଜ୍ଵଳନ୍ତ ଶରୀରଟାକୁ ତା’ ସ୍ଵାମୀଙ୍କର ପ୍ରଶାନ୍ତ ବକ୍ଷରେ ଅଜାଡ଼ି ଦେଇ ଟିକେ ଶାନ୍ତିରେ ନିଶ୍ୱାସ ମାରନ୍ତା ।

 

ଆରେ ଆ ମା’ ! ସେଠି ଠିଆ ହୋଇଛୁ କ’ଣ....ଏତେ ଦିନେ ଭଗବାନ ତୋର ଡାକ ଶୁଣିଛନ୍ତି ପରା । ଏଇ ଅମର ମୋର ପୁଣି ଫେରି ଆସିଛି ତୋର କୋଳକୁ ନା । ଆ ! ଆ ମା’...

 

ଥରିଲା ଥରିଲା କଣ୍ଠରେ ଅନୁ ଆଡ଼େ ଲକ୍ଷ୍ୟ କରି କହୁଥିଲେ ବିନୟବାବୁ । ଆଖିରୁ ତାଙ୍କର ଲୋତକ ଝରି ପଡ଼ୁଥିଲା ।

 

ଧୀର ପଦକ୍ଷେପ ନେଇ ଅନୁ ଆଗେଇ ଆସି ଅମର ପାଦ ତଳେ ସାଷ୍ଟାଙ୍ଗ ପ୍ରଣାମ ଜଣାଇଥିଲା ଆଉ ଅମର ନିଜ କୋଳକୁ ତୋଳି ନେଇଥିଲା ଅନୁକୁ ।

 

ସମସ୍ତକ ଚକ୍ଷୁ ଭିଜି ଯାଇଥିଲା ଲୋତକରେ । କାନ୍ଥକୁ ଆଉଜି ପଥର ଭଳି ଛିଡ଼ା ହୋଇ ଏସବୁକୁ ଲକ୍ଷ୍ୟ କରୁଥିଲା ସ୍ମିତା । ଆଖିରୁ ତା’ର ଲୋତକ ଝରି ପକ୍‌କା ଚଟାଣ ଉପରେ ବିନ୍ଦୁ ବିନ୍ଦୁ ମୁକ୍ତାର ଝଲକ ସୃଷ୍ଟି କରୁଥିଲା ।

 

ଏ ହେଉଛି ସ୍ମିତା ମୋର ଭଉଣୀ, ଅଧ୍ୟାପକ ନଗେନ୍‍ରାୟଙ୍କର ଏକମାତ୍ର ସନ୍ତାନ । (Emergency Period) ଜରୁରୀ ପରସ୍ଥିତିରେ ଜେଲରେ ଥିବାବେଳେ ନଗେନ୍‍ବାବୁଙ୍କ ସହିତ ମୋର ପରିଚୟ ଘନିଷ୍ଠ ହୋଇଥିଲା । ଦୀର୍ଘ ଆଠ ମାସ ଜେଲରେ ରହିବା ପରେ ମୁକ୍ତ ହୋଇ କଟକରେ ଆଜିଯାଏ ଏହାଙ୍କ ଘରେ ଥିଲି ।

 

ଅମର ସ୍ମିତାର ପରିଚୟ ଦେଇସାରିଲା ପରେ ବିନୟବାବୁ, ଆଉ ଶାନ୍ତିଦେବୀଙ୍କ ଚରଣ ତଳେ ପ୍ରଣାମ କରି ଅନୁକୁ ପ୍ରଣାମ କରିବାକୁ ଯାଉଥିଲା ସ୍ମିତା । ହେଲେ ସ୍ମିତାକୁ ନିଜ କୋଳକୁ ଆଉଜାଇ ନେଇଥିଲା ଅନୁ । ତା’ପରେ ସ୍ମିତାକୁ ସଙ୍ଗରେ ନେଇ ଘର ଭିତରକୁ ଚାଲି ଯାଇଥିଲା ସେ ।

 

ଆରେ ଭାଉଜ ! ମୋତେ ଛାଡ଼ି ଭାଇଙ୍କୁ ଧରି ଆଣନା । ସେ ପରା ଅଭିମାନ କରି ସେଠି ଠିଆ ହୋଇ ରହିଲେ । ତମେ ନ ଡାକିଲେ ସେ ଆଦୌ ଆସିବେନି । ଯାଅ ତମେ ଡାକି ଆଣନା ।

 

ହଉ ତମେ ଆଗେ ଚାଲ, ସେ ବଳେ ବଳେ ଆସିଯିବେ ଯେ ।

 

ଆଚ୍ଛା ଭାଇ ତମେ ଆଜିଯାଏ କେଉଁଠି ଥିଲ କହିଲ । ଏତେ ଦିନଯାଏ ତମର କ’ଣ ଆମ କଥା ମନେ ପଡ଼ୁ ନ ଥିଲା । ମୋତେ ଛାଡ଼ିଦିଅ....ତେମେ ଭଲ ନୁହେଁ । ମୁଁ ତମ ପାଖକୁ ଆଉ ଜମା ଯିବିନି । ମୁଁ ମୋ ନୂଆବୋଉଙ୍କ ପାଖକୁ ଯିବି । ସେ କେତେ ଭଲ ନା…ତେମେ ନ ଆସିବାରୁ ତମ କଥା ପଚାରିଲେ ସେ ଖାଲି କାନ୍ଦନ୍ତି । ତମ ପାଇଁ ସେ ଯେତେ କାନ୍ଦିଛନ୍ତି ନା....ଆଚ୍ଛା ସତ କହିଲ ଭାଇ ତେମେ ଆଉ କୁଆଡ଼େ ଯିବନି ତ । ସତ ସତ କୁହ...ନ ହେଲେ ମୁଁ ତମ ପାଖକୁ ଜମା ଯିବିନି ।

ଆଚ୍ଛା ବାବା ହେଲା ମୁଁ ଆଉ କୁଆଡ଼େ ଯିବିନି । ଏଥର ତୁ ମୋ ପାଖକୁ ଆସିବୁ ତ । କିରିକିରି ହୋଇ ହସି ଉଠିଲା ମିଲି ।

ଅମର ଏକାକୀ ବସିଥିଲା ଦାଣ୍ଡ ବାରଣ୍ଡାରେ । ନୂଆ ନୂଆ ଲାଗୁଥିଲା ତା’କୁ ଏଇ ଗାଁ ଟା । ଏଇ ମାଟିରେ ତା’ର ଜନ୍ମ ଆଉ ଏଇ ପାଣି ପବନରେ ହିଁ ସେ ମଣିଷ । ଏଡ଼େ ଟିକେରୁ ଏତେ ବଡ଼ ସେ ହୋଇଛି ଏଇଠି । ସତରେ କେତେ ପରିଚୟ ଥିଲା ତା’ର ଏଇ ଗାଁର ଗୋଡ଼ିମାଟି, ପାଣିପବନ, ବିଲବାଡ଼ି, କିଆଗୋହିରୀ, ତୋଟାବଣ, ଗଡ଼ିଆ, ପାଟ ଇତ୍ୟାଦି ସହିତ । ଆଜି କିନ୍ତୁ ଏମାନେ ତା’କୁ ଚିହ୍ନିପାରନ୍ତିନି । ଚିହ୍ନି ଅଚିହ୍ନା ହେଲା ଭଳି ମୁହଁ ମୋଡ଼ି ତା’ଠୁ ଦୂରେଇ ଯାଆନ୍ତି ଏଇ କେଇଟା ଦିନ ଭିତରେ ।

ନିଜ ନିଜ କାମରୁ ଫେରି ମଥୁରା, କାଳିଆ, ବେନୁଆ ପ୍ରଭୃତି ଅମରକୁ ଦେଖା କରିବାକୁ ଆସିଥିଲେ । ଅମର ଘରକୁ ଆସିଥିବାର ଜାଣି ସେମାନେ ଖୁବ୍ ଖୁସି ହୋଇଥିଲେ । ଅମରକୁ ସେମାନେ ଭଲପାଆନ୍ତି ଆଉ ଭକ୍ତି ବି କରନ୍ତି । ସେ ବଡ଼ଲୋକର ପିଲା ଆଉ କଟକରେ ରହି ବି ବହୁତ ପାଠ ପଢ଼ିଛି । ତଥାପି ତା’ ମନରେ ଟିକେ ଗର୍ବ ନଥାଏ । ସେମାନଙ୍କୁ ସେ ବେଖାତିର କରେନା । ହେୟ ମନେ କରେନା । ସବୁଥର କଟକରୁ ଫେରିଲେ ସେମାନଙ୍କ ଭଲମନ୍ଦ ପଚାରି ବୁଝେ । ଉପଦେଶ ଦିଏ ଆଉ ସେମାନଙ୍କ ମଙ୍ଗଳ କାମନା କରେ ।

ଆସ ଆସ କେମିତି ଅଛ ସବୁ ତମେମାନେ... ?

ମଥୁରା, କାଳିଆ ପ୍ରଭୃତି ତା’ ଆଡ଼କୁ ଆସୁଥିବାର ଦେଖି ଡାକିଲା ସେମାନଙ୍କୁ ।

ଆମ କଥା କ’ଣ ଆଉ ମନେଅଛି ବାବୁଙ୍କର । ତେମେ ତ କଟକରେ ରହିଲ, ନେତା ହେଲ ଆଉ ଏ ଗରିବ ଗୁରୁବାଙ୍କ କଥା ପଚାରେ କିଏ.... । ହେଲେ ଏତେ ଦିନ ସିଆଡ଼େ ରହିଗଲ, ମଝିରେ ଥରେ ଅଧେ କ’ଣ ଘରକୁ ଆସିଥିଲେ ହୋଇ ନଥାନ୍ତା ।

ଘରକୁ ଆସିବା ଦୂରେ ଥାଉ ଖଣ୍ଡେ ଭାଷା ତ ଦେବା କଥା ନାହିଁ । ହେଲେ ବାବୁ ତୁମ ପାଇଁ ଘରେ ସମସ୍ତେ ଖିଆପିଆ ଭୁଲି ଯାଇଥିଲେ । କାହାରି ମନରେ ଟିକେ ଶାନ୍ତି ନଥିଲା । ତୁମକୁ ଖୋଜି ଖୋଜି ବାପା ତୁମର ଅନେକ ପଇସା ଉଡ଼ାଇ ଦେଇଛନ୍ତି । ଶେଷରେ ନିରାଶ ହୋଇ ଚିନ୍ତାରେ ରୋଗିଣା ହୋଇ ପଡ଼ିଲେ ।

କାଳିଆ ପରେ ପରେ ମଥୁରା କହିଥିଲା ।

ହେଲେ ମୁଁ ବା କଅଣ କରିପାରିଥାନ୍ତି । ଏ ଜରୁରୀ ପରିସ୍ଥିତି ନାମରେ ଦେଶରେ ଚାଲିଥିବା ଅନ୍ୟାୟ ବିରୁଦ୍ଧରେ ଆମ୍ଭେମାନେ ସ୍ଵର ତୋଳିଥିଲୁ । ଯାହା ଫଳରେ ଆମକୁ ଜେଲରେ ଦିନ କାଟିବାକୁ ପଡ଼ିଲା ।

ଆଚ୍ଛା ବାବୁ ଏ ଜରୁରୀ ପରିସ୍ଥିତି କଅଣ ତା’ ହେଲେ ଖରାପ...? କାଇଁ ଆମେ ତ କିଛି ଜାଣି ପାରୁନୁ । ବରଂ ଆମ ମତରେ ଏହା ଭଲ କାହିଁକି ନା ଆମେ ଗରିବଗୁରୁବା କମ ଦାମ୍‌ରେ ତେଲ, ଚାଉଳ, ଅଟା ଆଦି ପାଇ ପାରୁଛୁ । ଚୋରାବଜାରୀ ଆଉ ଜିନିଷପତ୍ର ମହଜୁଦ ରଖିଥିବା ବଡ଼ ବଡ଼ ବ୍ୟବସାୟୀମାନେ ଗିରଫ ହେଉଛନ୍ତି । ସେମାନେ ରଖିଥିବା ଜିନିଷଗୁଡ଼ିକୁ ସରକାର ନେଇ ଆସୁଛି । ଏଥିରେ ଆମର କ’ଣ ଅଛି । ଆମେ ତ ଶସ୍ତାରେ ଜିନିଷପତ୍ର ପାଇ ପାରୁଛୁ ।

 

ତା’ ଅବଶ୍ୟ ଠିକ୍‌, ଏଥିପାଇଁ ଆମେ ଉପକୃତ । କିନ୍ତୁ ଏସବୁ ଭିତରେ ଆହୁରି ଅନେକ ଦୁର୍ନୀତି ସରକାର କରିଚାଲିଛି । ଯାହାକି ସାଧାରଣ ଲୋକଙ୍କ ଦୃଷ୍ଟିକୁ ଆସି ପାରୁନି । ତା’ଛଡ଼ା ଗାନ୍ଧୀ, ନେହେରୁ, ସୁବାସ ପ୍ରଭୃତି ମହାତ୍ମାମାନଙ୍କର କଷ୍ଟୋପାର୍ଜିତ ସ୍ଵାଧୀନତା ଟିକକ ଯାହାକୁ କି ସେମାନେ ଇଂରେଜମାନଙ୍କଠୁ ଛଡ଼ାଇ ଆଣି ଆମକୁ ଦେଇଥିଲେ ସେ ଅମୂଲ୍ୟ ରତ୍ନ ଟିକକ ମଧ୍ୟ ଆମେ ହରାଇ ବସିଛେ । ଯାହା ଫଳରେ ସ୍ଵାଧୀନ ଭାବେ କିଛି କହିବା ବା ସ୍ଵାଧୀନ ଭାବେ କିଛି କରିବା ସେ ଅଧିକାରରୁ ଆମେ ବଞ୍ଚିତ ।

 

ବେନୁଆ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏକ ଲମ୍ବା ଚଉଡ଼ା ଭାଷଣ ଶୁଣାଇ ଦେଇଥିଲା ଅମର ।

 

ଆଚ୍ଛା ସେସବୁ କଥା ଛାଡ଼...ବର୍ତ୍ତମାନ ଗାଁ ପରିସ୍ଥିତି କଅଣ ।

 

ସେକଥା କ’ଣ ଆଉ କହିବୁ.....ତୁମେ ତ ଯାଇ ସିଆଡ଼େ ରହିଲ ଯେ ଯାହା ଫଳରେ ଚିନ୍ତା କରି କରି ବାପା ତ ତୁମର ରୋଗିଣା ହୋଇ ଘରେ ଚୁପ୍ ହୋଇ ବସିଲେ ଆଉ ଆମକୁ ବା କିଏ ସାହା ଭରସା ହେବ । ନାରଣ ସାହୁ, ମଦନ ବେଉରା ଆଉ ଲିଙ୍ଗରାଜ ଶତପଥୀ ଏ ତିନି ଜଣ ମାମଲତକାର ଆମ କେଇଘରକୁ ନାନା ହଇରାଣ ହରକତ କରୁଛନ୍ତି । ଆମକୁ ବାଛନ୍ଦ କରି ନିଆଁ ପାଣି ଅଟକାଇଛନ୍ତି ।

 

କାହିଁକି, ତୁମେ କି ଦୋଷ କରିଥିଲ ?

 

ଦୋଷ କ’ଣ ବାବୁ...ଆମେ କେବଳ ସେମାନଙ୍କ ଜମିରେ ଭାଗଚାଷୀ ଫର୍ମ ପୁରଣ କରିଛୁ । ଆମେ ତ ସେମାନଙ୍କ ଜମି ଚାଷ କରୁଥିଲୁ । ସରକାରଙ୍କ ନିୟମ ଅନୁସାରେ ଫର୍ମ ପୂରଣ କଲୁ । ତା’ଛଡ଼ା ଏ ଆଖପାଖରେ ତ ଅନେକଙ୍କ ଜମିରେ ଫର୍ମ ପୂରଣ କରିଛନ୍ତି ଭାଗଚାଷୀମାନେ-। ଏଇଥିପାଇଁ ଆମେ ଗାଁରେ ବାଛନ୍ଦ ।

 

ଏହାର କ’ଣ କେହି ପ୍ରତିବାଦ କଲେନି....?

 

ସେମାନଙ୍କ କଥାରେ ପ୍ରତିବାଦ କରିବ କିଏ ? ସେମାନେ ତ ହେଲେ ବଡ଼ଲୋକ । ସେମାନଙ୍କର ପଇସା ଅଛି । ପଇସା ବଳରେ ସେମାନେ ଏ ଗରିବଗୁଡ଼ାଙ୍କ ଉପରେ ଲାଲ ଆଖି ଦେଖାନ୍ତି । ନ୍ୟାୟ ହେଉ ବା ଅନ୍ୟାୟ ହେଉ ସେମାନଙ୍କ କଥାରେ ଜବାବ ଦେଲା ଭଳି ପୁଅ ପୁଣି ଏ ଗାଁରେ କିଏ ଅଛି.... ।

 

ଏ ଗାଁର ଯୁବକମାନେ କ’ଣ ତେବେ ନୀରବ....ସେମାନେ କ’ଣ ଏ ଅନ୍ୟାୟର ପ୍ରତିବାଦ କଲେନି ? ଆଉ ସଙ୍ଗାତ... ।

 

ସମସ୍ତେ ନୀରବ କିନ୍ତୁ ମୁହଁରେ । ଏ ଗାଁର ସମସ୍ତେ ମୁହଁରେ ଡରିଥାନ୍ତି । ସେମାନଙ୍କୁ କିନ୍ତୁ ପେଟରେ ନୁହେଁ । କେହି ଜଣେ ହେଲେ ବି ସେମାନଙ୍କ କଥା ମାନିବାକୁ ନାରାଜ କିନ୍ତୁ କାହାର ସାହସ ନାହିଁ କି ସାହସ ଦେବାକୁ କେହି କେଣେ ହେଲେ ବି ଏ ଗାଁରେ ନାହିଁ । କିନ୍ତୁ ପ୍ରଶାନ୍ତ ବାବୁଙ୍କ କଥା ଭିନ୍ନ । ସେ ତ ଆମକୁ ଘୃଣା କରନ୍ତି । ଗରିବ ଆଉ ମୂର୍ଖ ବୋଲି ଆମ ପାଖରୁ ସେ ଦୂରେଇ ରହନ୍ତି । ଅଥଚ ଆମ ବିରୁଦ୍ଧରେ କୋର୍ଟରେ ଲଢ଼ିବା ପାଇଁ ସେ ସେମାନଙ୍କୁ ଉତ୍ସାହିତ କରି ଅନେକ ସାହାଯ୍ୟ କରୁଛନ୍ତି ମଧ୍ୟ ।

 

କେବଳ ତୁମରି ଘର ଯୋଗୁ ଆମେ ଚଳି ଯାଉଛୁ । ଯାହା ଯେତେବେଳେ ଭଲମନ୍ଦ ଦରକାର ଆମେ ଦଉଡ଼ିଯାଉ ସେଇଠାକୁ ଆଉ ବାପା ତୁମର ଅକୁଣ୍ଠିତ ଚିତ୍ତରେ ନିଜର ଚେଷ୍ଟା ମତେ ସାହାଯ୍ୟ କରନ୍ତି । ତା’ ନ ହୋଇଥିଲେ...... ।

 

ବେଶ୍ ତମେ ଟିକେ ଧୈର୍ଯ୍ୟ ଧର ମୁଁ ନିଶ୍ଚିତ ଏହାର ଗୋଟେ ସମାଧାନ କରିବି । ହୁଏତ କିଛି ସମୟ ବିଳମ୍ବ ହୋଇପାରେ ।

 

ତେମେ ତା’ହେଲେ ବାବୁ...

 

ବାବୁ କିଏରେ ବେନୁଆ ! ମୁଁ ପରା ତୁମ ସାଙ୍ଗ । ଆରେ ତୁମର କ’ଣ ମନେ ନାହିଁ ମଥୁରା, ଦାସିଆ....ମୋର କିନ୍ତୁ ମନେ ଅଛି, ଜଳ ଜଳ ହୋଇ ମୋ ଆଖି ଆଗରେ ଭାସି ଉଠୁଛି ସେ ଦିନଗୁଡ଼ାକ । ଗିଲେଇ ଖେଳ, କିଆ ଗୋହରୀରେ ବିଲୁଆ ଗୋଡ଼ାଇବା, ଗଡ଼ିଆ ପୋଖରୀରେ ପାଣି ଦି’ଭାଗ କରି ଚିରା ମାରିବା, ଆମ୍ବତୋଟାରେ ନାଚଗୀତ, ଲୁଚକାଳି, ଡୁ ଡୁ ଆଉ ମାଡ଼ଗୋଳ କରି କେତେ ରୁଷା, ଅଭିମାନ, ହସ କାନ୍ଦ ଭିତରେ ସେ ଦିନଗୁଡ଼ାକ କଟାଇ ଦେଇଥିଲେ ସତେ । ମଝିରେ ବା କେତେଟା ଦିନ ଆମକୁ ଛୋଟ ବଡ଼ କରି ଦେଇଛି । ଆମ ମନରେ ଉଚ୍ଚ ନୀଚର ଧାରଣା ପାଇଁ ଖୋରାକ ଯୋଗାଇଛି । ଆଜି କିନ୍ତୁ ସେଦିନ ଅପସରି ଯାଇଛି-। ଆମେ ଭୁଲିଯିବା ଆତ୍ମାଭିମାନ ଓ ଆତ୍ମଗ୍ଳାନିର ସେଇ ଦିନଗୁଡ଼ିକୁ । ଆମେ ହୋଇଯିବା ଏକାକାର । ସମସ୍ତେ ସମାନ । ମୁଁ ପୁଣି ଫେରି ଆସିଛି ତୁମର ନିକଟକୁ । ଏଇ ଧୁସରିତ ଗାଁ ମାଟିକୁ । ଆମେ ସମସ୍ତେ ମାଟି ମା’ର ସେବା କରିବା…..ସମସ୍ତଙ୍କ ପରିଶ୍ରମରେ ଏଇ ଧୂସରିତ ମାଟି ହେବ ସବୁଜ ଶ୍ୟାମଳ ଆଉ ଧବଳ ।

 

କିଛି ସମୟ ପରେ ନିଜ ନିଜ ଘରକୁ ଫେରିଗଲେ କାଳିଆ, ବେନୁଆ ଆଉ ମଥୁରା । ଅମର ମଧ୍ୟ ଫେରି ଆସିଥିଲା ନିଜ ଘରକୁ । ତା’ପରେ ଏକ ଚିନ୍ତିତ ମନ ନେଇ ସେ ଶୋଇଯାଇଥିଲା ନିଜ ବେଡ୍ ଉପରେ । ବାହାରର ରଜତ୍‌ ଜ୍ୟୋସ୍ନା ଝର୍କା ଦେଇ ମୁଠା ମୁଠା ବିଛାଡ଼ି ହୋଇ ପଡ଼ିଥିଲା ତା’ର ବେଡ୍ ଉପରେ । ଅଳ୍ପ କେଇଟି ତାରା ମିଟି ମିଟି ହେଇ ହସୁଥିଲେ ବାରିପଟ ଚାକୁଣ୍ଡା ଗଛ ଉପରେ ।

 

ଅମର କିନ୍ତୁ ବିଛଣା ଉପରେ ଏପଟ ସେପଟ ହୋଇ ଭାବି ଚାଲିଥିଲା ତା’ର ସଙ୍ଗାତର କଥା । ପ୍ରଶାନ୍ତର କଥା । ଏତେଟା ସ୍ଵାର୍ଥପର, ପରଶ୍ରୀକାତରତା ପୁଣି ଏ ମଣିଷ । ଅନ୍ୟର ସୁଖ ସ୍ଵାଚ୍ଛନ୍ଦ୍ୟ ଦେଖି ଖୁସି ହେବା ପରିବର୍ତ୍ତେ ହିଂସୁକ ହୋଇଉଠେ ସେ । ସତରେ କି ଆଶ୍ଚର୍ଯ୍ୟ ଏ ମଣିଷର ପ୍ରକୃତି । ଅନ୍ୟର ଦୁଃଖକଷ୍ଟ ଦେଖିଲେ ସେ ଖୁସି ହୁଏ । ଆତ୍ମସନ୍ତୋଷ ଲାଭ କରେ । ହଜିଯାଇଥିବା ଅତୀତଟା ପୁଣି ଚେଇଁ ଉଠିଥିଲା ତା’ର ମନଗହନ ତଳେ । ସେତେବେଳକୁ ଅନୁ ସହିତ ତା’ର ବିବାହ ହୋଇ ନଥାଏ, ପ୍ରସ୍ତାବ ପଡ଼ିଥାଏ ମାତ୍ର । ପ୍ରଶାନ୍ତ ଘରୁ ଫେରି ତା’ ନିକଟକୁ ଯାଇ ଏ ପ୍ରସ୍ତାବ ନେଇ ଖୁବ୍ ପ୍ରଲୋଭିତ କରିଥିଲା ତା’କୁ । ତା’ ମତରେ କମ୍‍ ପାଠ ପଢ଼ିଲେ ବି ଅନୁ ଥିଲା କାଳେ ଖୁବ୍‍ ସୁନ୍ଦରୀ । ଅମର ସେଠାରେ ବିବାହ କଲେ ଭଲ ଯୋଡ଼ିଟାଏ ହୁଅନ୍ତା ବୋଲି ମତ ଦେଇଥିଲା ସେ । ମକର ଯାତ୍ରାରେ ଅନୁକୁ ଦେଖିଥିଲା ସେ । ଅମର ଭାବୁଥିଲା ଆଜି ସେଦିନ କ’ଣ ତା’ହେଲେ ପ୍ରଶାନ୍ତ ତା’ ନିକଟରେ ପ୍ରତାରଣା କରିଥିଲା.....ହୋଇ ପାରିଥାଏ କାରଣ ପ୍ରଶାନ୍ତ ନିଜେ ନିଜେ ଠକି ଯାଇଥିଲା ଅର୍ଥ ଲୋଭରେ । ତା’ଛଡ଼ା ନିଜକୁ କିଛିଟା ମିଛ ସାନ୍ତ୍ୱନା ଦେବାପାଇଁ ଅନ୍ୟକୁ ଠକେଇ ଦେବାର ପରିକଳ୍ପନା ହୁଏତ କରିଥିଲା ସେ ।

 

ଅମର ଥିଲା ସଂଗ୍ରାମୀ ଛାତ୍ର ନେତା ଏକଥା ପ୍ରଶାନ୍ତ ଭଲ ଭାବେ ଜାଣେ । (Emergency) ଜରୁରୀ ପରିସ୍ଥିତି ତଥା ସରକାର ବିରୁଦ୍ଧରେ ଆନ୍ଦୋଳନ କରି ଅନେକ ଛାତ୍ର ଆରେଷ୍ଟ ହୋଇ ଜେଲକୁ ଯାଇଥିଲେ ଓ ସେମାନଙ୍କ ଭିତରେ ସେ ମଧ୍ୟ ଥାଇପାରେ ଏ ପ୍ରଶ୍ନ କ’ଣ ପ୍ରଶାନ୍ତ ମନରେ ଉଠି ନ ଥିବ ? ତେବେ ଏକଥା ଜାଣିଶୁଣି ହୁଏତ ଅମରଙ୍କ ଘରେ ପ୍ରଶାନ୍ତ ଜଣାଇ ନଥିଲା । କାଳିଆ ମଥୁରା ପ୍ରଭୃତିଙ୍କଠାରୁ ପ୍ରଶାନ୍ତ ବିଷୟରେ ଜାଣି ତା’ର ଏ ହୀନ କଦର୍ଯ୍ୟ ମନୋଭାବ ପାଇଁ କ୍ଷୁବ୍‍ଧ ହୋଇ ପଡ଼ୁଥିଲା ସେ ।

 

ରୋଷେଇ ସାରି ଅନେକବେଳୁ ଅନୁ ଆସି ଅମର ଶୋଇଥିବା ଖଟକୁ ଆଉଜି ଠିଆ ହୋଇଥିଲା । ଅମରର କିନ୍ତୁ ସେଆଡ଼କୁ ଆଦୌ ଲକ୍ଷ୍ୟ ନ ଥିଲା । ହଠାତ୍ ଅନୁର କୋମଳ ସ୍ପର୍ଶରେ ଅମର ଦେହରେ ଏକ ଶିହରଣ ଖେଳି ଯାଇଥିଲା ।

 

କ’ଣ ଭାବୁଥିଲ ?

 

ନାଇଁ ସେମିତି କିଛି ନାହିଁ...ଏମିତି ଟିକେ ଅନ୍ୟମନସ୍କ ହୋଇ ଯାଇଥିଲି । ତମେ ଆସି କେତେବେଳୁ... ।

 

ମୁଁ ତ ଅନେକବେଳୁ ଆସିଲିଣି । ତୁମକୁ ଭଲ ଲାଗୁନି ବୋଧେ.....ହଁ ଏଠି ବା ତୁମକୁ କେମିତି ଭଲ ଲାଗିବ ।

 

ଅଭିମାନ ଭରା କଣ୍ଠରେ କହିଲା ଅନୁ ।

 

ନା ତା’ ଠିକ୍ ନୁହେଁ । ମୋତେ ଏଠାରେ ଖୁବ୍ ଭଲ ଲାଗୁଛି । ତମେ କିନ୍ତୁ ମୋ ଉପରେ ଖୁବ୍ ଅଭିମାନ କରିଛ ନା । ତା’ ସ୍ଵାଭାବିକ....କିନ୍ତୁ ଅନୁ ତୁମ ନିକଟରେ ମୋର ଗୋଟିଏ ମାତ୍ର ଅନୁରୋଧ । ସେ ଅନୁରୋଧ ତମେ ମୋର ରକ୍ଷା କରିପାରିବ ?

 

ଛୋଟ ଛୁଆଙ୍କ ଭଳି ଅନୁ ନିକଟରେ ଅଳି କରିଥିଲା ଅମର ।

 

ମୋ ଭଳି ଜଣେ ଅଯୋଗ୍ୟା, ଅଶିକ୍ଷିତା, ଅସୁନ୍ଦରୀ ସ୍ତ୍ରୀ ନିକଟରେ ତୁମର ବା ଅନୁରୋଧ କ’ଣ....ବରଂ ତୁମ ଆଦେଶ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି ।

 

ଜମାଟବନ୍ଧା ରୁଦ୍ଧ ଅଭିମାନ ତା’ର ଲୋତକ ହୋଇ ଝରି ପଡ଼ୁଥିଲା ଦୁଇ ଆଖିରୁ । ଅମର ଆଉ ସହ୍ୟ କରିପାରିଲାନି । ନିଜ କୋଳକୁ ଟାଣି ଆଣି ଅନୁର ଦୁଇ ଆଖିରୁ ଧାର ଧାର ଲୋତକ ପୋଛି ଦେଇଥିଲା ସେ ନିଜ ହାତରେ ।

 

ତମେ ମୋତେ କ୍ଷମା ଦେବନି ଅନୁ ! ତା’ ନ ହେଲେ ଭଗବାନଙ୍କ ଦରବାରରେ ମୁଁ ଦୋଷୀ ହୋଇ ରହିଯିବି ସବୁଦିନ ପାଇଁ । ମୁଁ ତୁମକୁ ଅନେକ ଦୁଃଖ ଦେଇଛି । ଅପମାନ ଦେଇଛି । ନିର୍ଯାତନା, ଯନ୍ତ୍ରଣା ଆଉ ଦୁଃଖର କଷାଘାତ ଭିତରେ ବି ତୁମେ ତୁମର କର୍ତ୍ତବ୍ୟରେ ଅଟଳ ରହିଛ । ଛାତିକୁ ପଥର କରି ସବୁ ବାଦ ଅପବାଦ ଆଉ ସାହିପଡ଼ିଶାଙ୍କର କଟୁ ମନ୍ତବ୍ୟକୁ ମୁଣ୍ଡପାତି ସହି ନେଇଛ ! ମୋ ପାଇଁ, ତମେ ଅନେକ କିଛି ସହିଛ ନା... ।

 

ନା ତମେ ଏଥିରୁ କଅଣ କହୁଛ । ତୁମର ବା ଦୋଷ କ’ଣ...ସବୁ ଦୋଷ ମୋର, ମୋ ଭାଗ୍ୟର ।

 

ତୁମେ ସେଇ ଦୁଃଖଦ, ଅତୀତର ଦିନଗୁଡ଼ିକୁ ଭୁଲିବାକୁ ଚେଷ୍ଟା କର ଅନୁ । ତୁମର ସେଇ ଯନ୍ତ୍ରଣା ବିଦଗ୍‍ଧ ଦିନଗୁଡ଼ିକ ପାଇଁ ହିଁ ମୁଁ କେବଳ ଦାୟୀ । ତୁମେ ସେଗୁଡ଼ିକ ଭୁଲିଯାଅ ଅନୁ...ମୁଁ ମୋର ଭୁଲ ବୁଝି ପାରି ପୁଣି ଫେରି ଆସିଛି ତୁମରି ବାହୁ ବନ୍ଧନରେ ସାରା ଜୀବନଟା କଟାଇ ଦେବାକୁ । ଅତୀତକୁ ଭୁଲି ଆମେ ପୁଣି ଆଗେଇ ଚାଲିବା । ଆମର ଭବିଷ୍ୟତ ଦାମ୍ପତ୍ୟ ଜୀବନକୁ ସରସ ସୁନ୍ଦର ମଧୁମୟ କରି ଗଢ଼ି ତୋଳିବାକୁ ।

 

ଉଭୟଙ୍କ ଆଖିରୁ ଲୋତକ ଗଡ଼ି ଚାଲିଥିଲା ଧାର ଧାର ହୋଇ । ଅମର ଖଟ ଉପରେ ଚିତ୍‌ ହୋଇ ପଡ଼ିଯାଇ ଅନୁକୁ ଟାଣି ନେଇଥିଲା ନିଜ ଉପରକୁ । ଅନୁ ଆଖି ବୁଜି ଶୋଇରହି ଅମର ଦେହର ଉଷ୍ଣତା ମାପୁଥିଲା ଆଉ ଅମର ଚୂନା ଚୂନା ଜ୍ୟୋସ୍ନାଲୋକରେ ଝଲସି ଉଠୁଥିବା ଅନୁର ଆଲୁକାୟିତ ଆଜାନୁଲମ୍ବିତ କାକକୃଷ୍ଣ ଘନକେଶରାଶିରେ ବିଭୋର ହେଇ ନିଜକୁ ସମ୍ପୂର୍ଣ୍ଣ ରୂପେ ହଜାଇ ଦେଇଥିଲା ।

 

ଫାଳିକିଆ ଜହ୍ନଟା ଓହଳି ପଡ଼ିଥିଲା ଗାଁ ମୁଣ୍ଡ ଏଇ ଝଙ୍କାଳିଆ ବରଗଛ ଉପରେ । ଛୋଟ ଛୋଟ ପିଲାଗୁଡ଼ିକ ଡିଆଁ ଡେଇଁ କରୁଥିଲେ ଗାଁ ଏମୁଣ୍ଡ ସେମୁଣ୍ଡ । ଗାଁ ମଝି ଠାକୁରାଣୀ ବାରଣ୍ଡାରେ ପୁରାଣ ପାଠ ଚାଲିଥାଏ ଆଉ ବାରଣ୍ଡା ସାରା ଘେରି ରହିଥାନ୍ତି ଅନେକ ସ୍ରୋତା । ଚାଟଚାଳୀରେ ବୁଢ଼ା ଅବଧାନଙ୍କର ଛାଟ ଗର୍ଜି ଉଠୁଥାଏ ଅମାନିଆଁ ଚାଟଙ୍କ ପିଠି ଉପରେ । ଗପର ଆସର ଜମେଇ ବସିଥାନ୍ତି ମଦନ ବେଉରା, ଲିଙ୍ଗରାଜ ଶତପଥୀ ଆଉ ନାରାୟଣ ସାହୁ ତାଙ୍କର ସେଇ ଚଉରା ଚଉତରା ଉପରେ ।

 

ଜାଣିଲଣି ମଦନ ! ଏ ଗାଁରେ, ଆଉ ଏଣିକି ରହି ହେବନି । କି ଲଜ୍ଜ୍ୟାର କଥା–ଲାଜ ସରମ ସବୁ ପୋଡ଼ି ଖାଇଲେ ଏଗୁଡ଼ାକ । କି ଟୋକା ଟୋକି ହେଇଛନ୍ତି ଏମାନେ ଯେ ଚନ୍ଦ୍ର, ସୂର୍ଯ୍ୟ ବି ଭୂଲିଗଲେଣି । କେଉଁ କଥାକୁ ପରୁଆ ଅଛି ନା କାହାକୁ ଖାତିର ଅଛି । ଛିଃ.....ଛିଃ....ଛିଃ.....l

 

କି କଥା ସାହୁଏ ! କ’ଣ କିଛି ହେଇଛି ପରା…. ।

 

ତମେ ଆଦୌ ଜାଣି ନ ଥିବ ଆଉ । ତମେ ଏ ଗାଁରେ ଥିଲ ନା ବିଲାତରୁ ଫେରିଛ ମ । ବୁଝିଲ ଶତପଥୀଏ କିଛି ଜଣା ନ ଥିବ ଆଙ୍କୁ....

 

ଆରେ କଥାଟା କ’ଣ ଖୋଲାଖୋଲି କହୁନ....ଏତେ ଲୁଚାଛପା ଗୋଟେ କ’ଣ । ଲୁଚାଛପା କାହିଁକି ଆମେ କ’ଣ କାହାକୁ ଡରିଛୁ ନା କ’ଣ । କଥାଟା କ’ଣ କି ଏ ଯୋଉ ବିନୟ ପଟ୍ଟନାୟକ ପୁଅ ମ....ଜେଲ୍‌ରେ ତ ଥିଲା । ଘଣା ପେଲି ପେଲି ଏବେ ଘରକୁ ଆସିଛି । ଆଇଲା ବେଳେ ସେଆଡ଼ୁ ଗୋଟେ ଟୋକିଟାକୁ ଘିନି ଆଇଥିଲା ଯେ, ଦିନାକେତେ ଚାଲିଲା କୃଷ୍ଣଲୀଳା ଏ ଗାଁରେ । ତା’ ବାପ ମା’ କେମିତି ଜାଣିଲେ ନା କ’ଣ, ସେ ଟୋକିଟାକୁ ପୁଣି ନେଇଗଲେ ଏଠିକି ଆସି । ଛିଃ....ଛି.....ଛି….ଯୁଗ ହେଲା ଏ ।

 

ମୁଁ କିନ୍ତୁ ଏ କଥାର ରହସ୍ୟ କିଛି ବୁଝିପାରୁନି । ତା’ ଯଦି ହୋଇଥାନ୍ତା ତା’ହେଲେ ତା’ର ବାପ ମା’ ଏଠି ଆସି କାହିଁକି କିଛି ଦିନ ରହିଥାନ୍ତେ । ତା’ଛଡ଼ା କିଛିଟା ଅନର୍ଥ ତ ହୋଇଥାନ୍ତା ।

ହଁ ! ମୁଁ ତ ସେଇଆ କହୁଛି । ଏତେ ବଡ଼ କଥାଟା ଯେତେବେଳେ ହେଇଯାଇଛି ଏତେ ସହଜରେ କ’ଣ ଫଇସଲା ହୋଇ ଯାଇଥାନ୍ତା ।

ଲିଙ୍ଗରାଜ ଶତପଥୀ କଥାରେ ସମ୍ମତ ଜଣାଇଲେ ମଦନ ବେଉରା ।

ଆରେ ତମେ ଓଲୁ ନା ତମଠାରୁ ଆଉ କିଏ ଓଲୁ ଅଛି ମ । ଆରେ ଏ ହେଲା ଗୁମର କଥା ବୁଝିଲ । ନିଜ ଗୁମରକୁ ସେ ନିଜେ ନିଜେ କେମିତି ଖୋଲି ଦିଅନ୍ତେ ଭଲା । କଥାଟାକୁ ସେମାନେ ଚାପି ଦେଲେ । ବୁଝିଲ.... ।

ହେଇଥିବ....ନର କଥା ନାରାୟଣ ଜାଣନ୍ତି । ହେଲେ ଆଉ ଗୋଟିଏ କଥା ଜାଣିଛ ନା, ଏ ଗାଁର ସବୁ ଟୋକାଙ୍କୁ ମେଳି କରି ସେମାନଙ୍କୁ ଉସକେଇ ହାତକୁ ନେଇଯାଇଛି ସେ । ତା’ଛଡ଼ା ସେ ଗାଁକୁ ଆସିଲା ଦିନରୁ ଦେଖୁନ...ଏ ଲୋକଗୁଡ଼ାକ କେମିତି ଅଶାସନିଆ ହେଇ ଗଲେଣି । ହବା କଥା....ସେ ପରା ସେମାନଙ୍କୁ ମତେଇ ଦେଇଛି । କି ଗୋଟାଏ ଭୂତ ସେମାନଙ୍କ ମୁଣ୍ଡରେ ପୂରାଇ ଦେଇଛି ଯେ କୋଠଚାଷ ହେବ...ଏକାଠି ଗାଁର ସବୁଯାକ ଜମି ଚାଷ ହେବ । ଆଉ କୁଟୁମ୍ବ ଅନୁସାରେ ପ୍ରତ୍ୟେକ ଫସଲ ବାଣ୍ଟି ନେବେ ସେ ପରା ରୀତିମତ ତା’ କାମରେ ଲାଗି ପଡ଼ିଛି । ଏଇ ଦେଖୁନ ମୂର୍ଖଗୁଡ଼ାଙ୍କୁ କେମିତି ରାତିଦିନ ପଢ଼ାଉଛି । କ’ଣ ନା ପ୍ରୌଢ଼ ଶିକ୍ଷା । ସମସ୍ତେ ଲେଖା ପଢ଼ା ଜାଣିବା ଉଚିତ । ଛିଃ ଛିଃ କି ଯୁଗ ହେଲା ଏ । ଆଜି ଯାଏ ଯେଉଁମାନେ ସବୁ ଲେଖାପଢ଼ା ଜାଣି ନ ଥିଲେ ସେମାନେ ଆଉ ସେମାନଙ୍କ ଘର କରୁ ନ ଥିଲେ ନା ଚଳୁ ନ ଥିଲେ । ରୀତିମତ ଗୋଟେ ଫାର୍ସ ଚାଲିଛି ସିନା ।

ମଦନ ବେଉରା କଥାରେ ପାଳି ଧରି କହିଲା ଲିଙ୍ଗରାଜ ଶତପଥୀ ।

ଆଚ୍ଛା ଦେଖାଯାଉ କେତେ ଦିନ ଏ ଫାର୍ସ ଚାଲିଛି । କୋଠଚାଷ ହେବ କି ମଠଚାଷ ଦେବ ପୁଅ ବଳେ ବୁଝିଯିବନି ଯେ । ଏ ଲୋକଗୁଡ଼ାଙ୍କୁ ମେଳି କରି ସେ ପୁଣି ଆମ ବିରୁଦ୍ଧରେ ମତେଇବ ନା । ଆରେ ଏ ଟୋକା ଆମକୁ ଚିହ୍ନିନି । ବଳେ ଚିହ୍ନିଯିବ ଯେ । ଟିକେ ଆଖି ଦେଖାଇ ଦେଲେ ଏ ଲୋକେ ଯାଇ ଘରେ ପଶିବେ । ସେ ପୁଣି ଆମ ବିରୁଦ୍ଧରେ ମତାଇବ ନା ।

କଥା କହିସାରି ଖେଁ ଖେଁ ହୋଇ ହସି ଉଠିଲା ନାରାୟଣ ସାହୁ ଆଉ ପରେ ପରେ ମଦନ ବେଉରା ଏବଂ ଲିଙ୍ଗରାଜ ଶତପଥୀ ମଧ୍ୟ ।

ଏଇ କ୍ଳବ ଘର । ଏଠାରେ ଆଜି ଗାଁର ଗରିବ ଅଶିକ୍ଷିତ ଲୋକମାନଙ୍କୁ ଶିକ୍ଷା ଦିଆଯାଉଛି । ଗ୍ରାମର ପ୍ରତ୍ୟେକ ଲୋକ ଲେଖା ପଢ଼ା ଜାଣିବେ । ନିଜର ଆବଶ୍ୟକତା ହୁଏତ ନିଜେ ମେଣ୍ଟାଇ ପାରିବେ । ଟିପଚିହ୍ନ ବଦଳରେ ହୁଏତ ଦସ୍ତଖତ ଦେଇ ପାରିବେ । ମିଶାଣ ଫେଡ଼ାଣ ଜାଣି ନିଜର ଆବଶ୍ୟକୀୟ ହିସାବପତ୍ର ନିଜେ ଠିକ୍ କରିପାରିବେ । ଯାହା ଫଳରେ ସାହୁକାରର ଆଖିବୁଜା ଅମୁହାଁ ହିସାବ କବଳରୁ ନିଜକୁ ରକ୍ଷା କରିପାରିବେ ଆଉ ନିଜର ଖଣ୍ଡେ ଚିଠି ଲେଖିବା ଆଉ ପଢ଼ିବା ପାଇଁ ଅନ୍ୟର ମର୍ଜି ଉପରେ ନିର୍ଭର କରିବେ ନାହିଁ । ଅମର ଉଦ୍ୟମରେ ନିରକ୍ଷରତା ଦୂରୀକରଣ ସମ୍ଭବ ହୋଇପାରିଛି ଏଇ ଗାଁରେ । ଗ୍ରାମର ଅଧିକାଂଶ ଯୁବକ ଆଉ ପୌଢ଼ ଶିକ୍ଷା ନେଉଥିଲେ ଏଠାରେ । ରାତି ନଅଟା ହେବାରୁ ପଢ଼ାପଢ଼ି ବନ୍ଦ କଲେ ସମସ୍ତେ ।

ଆଚ୍ଛା ବାବୁ ଆପଣ କହୁଥିଲେ ନା କଂଗ୍ରେସ ସରକାର ଦେଶରେ ଅନ୍ୟାୟ କରୁଛି । ଇମରଜେନ୍‌ସି ଭଲ ନୁହେଁ ବୋଲି । କିନ୍ତୁ କାହିଁ, କଂଗ୍ରେସ ସରକାର ତ ଶାସନରୁ ଗଲା । ଇମରଜେନ୍‌ସି ତ ଦେଶରୁ ଉଠିଲା । ହେଲେ ଗରିବମାନଙ୍କର ତ ଦୁଃଖ ଗଲାନି । ଏ ନୂଆ ସରକାର ତ ଗରିବମାନଙ୍କ ପାଇଁ କିଛି କରୁନି । ବରଂ ଦିନକୁ ଦିନ ତେଲ ଲୁଣ, ଅଟା ଚାଉଳର ଦର ବଢ଼ି ଚାଲିଛି । ଇମରଜେନ୍‌ସିରେ ଆମେ କିନ୍ତୁ ଶସ୍ତାରେ ଏସବୁ ପାଉଥିଲୁ ।

କେବଳ ସେତିକି ନୁହେଁ, କଂଗ୍ରେସ ସରକାର ଥିବାବେଳେ ଭାଗଚାଷୀମାନେ ଭାଗ କରୁଥିବା ଜମି ମାଲିକମାନଙ୍କର ଜମି ପାଇ ପାରୁଥିଲେ । କିନ୍ତୁ ଏ ନୂଆ ସରକାର ଶାସନକୁ ଆସିଲା ଦିନୁ ସେ ନିୟମ ଆଉ ନାହିଁ ।

ଶୁକୁଟା ପରେ ପରେ କାଳିଆ କହି ଉଠିଲା ।

ନାଁ ତା’ ଠିକ୍ ନୁହେଁ । ପୂର୍ବ କଂଗ୍ରେସ ସରକାରର ସେଇ ନିୟମ ଏବେ ବି ବଳବତ୍ତର ରହିଛି ।

ତା’ହେଲେ ଆମେ କାହିଁକି ଭାଗ କରୁଥିବା ସେଇ ଜମିକୁ ପାଇ ପାରିଲୁନି । କୋର୍ଟରେ ସେମାନଙ୍କର ଡିଗ୍ରୀ ହେଲା ଅଥଚ ଆମେ ଏତେ ପଇସା ଖର୍ଚ୍ଚ କରି ନିରାଶ ହେଲୁ । ଆମକୁ ତ ପୁଣି ସେତେବେଳେ କମ୍ୟୁନିଷ୍ଟ କର୍ମୀମାନେ ଜବାବ ଦେଇଥିଲେ ସେ ଜମି ଆମେ ନିଶ୍ଚିତ ପାଇବୁ ବୋଲି ।

ଅମର କଥାରେ ଜବାବ ଦେଇଥିଲା ବେନୁଆ ।

ମୁଁ ତ ଆସିଲା ଦିନୁ ତୁମକୁ କହିଥିଲି ଏ କେଶ୍‌ରେ ସେମାନଙ୍କର ଡିଗ୍ରୀ ହେବ ବୋଲି । କାରଣ ସରକାରଙ୍କର ନିୟମ ଥିଲା ଯେଉଁମାନଙ୍କର ଶିଲିଂ ବର୍ହିଃଭୂତ ଜମି ଅଛି, ସେଇମାନଙ୍କର ଜମିକୁ ହିଁ ଭାଗଚାଷୀମାନେ ପାଇ ପାରିବେ । କିନ୍ତୁ ଏମାନଙ୍କର ତ ଶିଲିଂ ବହିଃଭୂତ ଜମି ନୁହେଁ, ତୁମେ ବା ପାଇବ କିପରି ? ତା’ଛଡ଼ା ସେତେବେଳେ କେତେକ ଅସାଧୁ କମ୍ୟୁନିଷ୍ଟ କର୍ମୀ ଗରିବ ଭାଗଚାଷୀମାନଙ୍କଠାରୁ ଅସତ୍‌ ଉପାୟରେ ପଇସା ନେଇ ଜମି ମାଲିକଙ୍କ ବିରୁଦ୍ଧରେ ଭାଗଚାଷ ଫର୍ମ ପୂରଣ କରି ଦେଉଥିଲେ । ପ୍ରକୃତରେ କେଉଁ ଭାଗଚାଷୀ ଜମି ପାଇ ପାରିବେ ଓ କେଉଁ ଜମି ମାଲିକଙ୍କ ବିରୁଦ୍ଧରେ ଭାଗଚାଷୀ ଫର୍ମ ପୂରଣ ହେବ ତା’ ସେମାନେ ଦେଖୁ ନ ଥିଲେ । କେବଳ ଗରିବ ଭାଗଷୀମାନଙ୍କଠାରୁ ଅସତ୍‌ ଉପାୟରେ ପଇସା ଆତ୍ମସାତ୍‌ କରି ଗ୍ରାମେ ଗ୍ରାମେ ଗଣ୍ଡଗୋଳ ସୃଷ୍ଟି କରି ଫାଇଦା ଉଠାଉଥିଲେ ସେମାନେ ।

ଅମରବାବୁ ଯାହା କହିଲେ ଠିକ୍‌ କହିଲେ । ବହୁତ ଅନ୍ୟାୟ କରିଛନ୍ତି ସେମାନେ ମନଇଚ୍ଛା ପଇସା ମାରି ଦେଇଛନ୍ତି । ଏମାନେ କିନ୍ତୁ ନବୁଝି ନଶୁଝି ସେମାନଙ୍କ କଥାରେ ମାତିଗଲେ । ଅଯଥା ପଇସା ଖର୍ଚ୍ଚ ଆଉ ଯେତେ ସବୁ ଗଣ୍ଡଗୋଳ ଗାଁ, ଗାଁରେ ।

ଚନା ବଡ଼ ପାଟିରେ କହି ଉଠିଲା ।

ଏ କଥା କିନ୍ତୁ ସତ କୌଣସି ସରକାର ଗରିବମାନଙ୍କର ଉନ୍ନତି ପାଇଁ କିଛି କରିନି କିମ୍ବା ଏ ସରକାର କିଛି କରିବ ସେ ବିଶ୍ଵାସ ମୋର ନାହିଁ । ଦୀର୍ଘ ତିରିଶ ବର୍ଷରୁ ଉର୍ଦ୍ଧ୍ୱ ହେବ ଭାରତ ସ୍ଵାଧୀନ ହୋଇଛି ସତ କିନ୍ତୁ ତା’ର ଅନ୍ତରାତ୍ମାକୁ ବି ଏ ଯାଏଁ ସ୍ୱାଧୀନତାର ଆଲୋକ ସ୍ପର୍ଶ କରିନି । ଭାରତ ତା’ର ଅର୍ଥନୈତିକ ସ୍ୱାଧୀନତା ପାଇବ ସେଇଦିନ ଯେଉଁଦିନ ଏ ଦେଶର ଅଗଣିତ ଗରିବ ଜନସାଧାରଣ ଦୁଇଓଳି ଦୁଇମୁଠା ଦାନା ଖଣ୍ଡେ କନା ଆଉ ନିଜର ମୁଣ୍ଡ ଗୁଞ୍ଜିବାକୁ ଚାରିକାନ୍ଥର ଖଣ୍ଡେ ଘର ପାଇପାରିବ । ସେଇଦିନ ହିଁ ଭାରତ ତା’ର ପ୍ରକୃତ ସ୍ଵାଧୀନତା ହାସଲ କରିବ ।

ତା’ହେଲେ ଏ ସରକାର କ’ଣ ଦେଶର ଅବସ୍ଥା ବଦଳାଇ ଦେଇ ପାରିବନି ? ଉତ୍ସୁକ ନୟନରେ ଚାହିଁ ରହିଥିଲା ମଥୁରା ।

ନାଁ... ! କ୍ଷମତାକୁ ଯାଆନ୍ତି ସେମାନେ ପଇସା ବଳରେ । କ୍ଷମତାକୁ ଗଲା ପରେ ଏ ଦେଶର ଶିଳ୍ପପତି, ମିଲ୍‌ ମାଲିକ ଆଉ ପୁଞ୍ଜିପତିମାନଙ୍କ ହାତର ଖେଳଣା ହୋଇ ରହିଯାଆନ୍ତି ସେମାନେ । ସେମାନେ ଭୁଲି ଯାଆନ୍ତି ଏ ଦେଶର ଅଗଣିତ ଗରିବମାନଙ୍କର କଥା ଆଉ ଏ ଦେଶ ଗରିବର ଦେଶ ବୋଲି ।

ତା’ହେଲେ ଏ ଦେଶରେ ଗରିବମାନଙ୍କର ଅବସ୍ଥା କ’ଣ ସୁଧୁରିବନି ?

କାଳିଆ ପଚାରି ବସିଲା ।

ସୁଧୁରିବ, ନିଶ୍ଚୟ ସୁଧୁରିବ । ମହାମାନବ ମହାତ୍ମାଗାନ୍ଧୀଙ୍କର ସେଇ ରାମରାଜ୍ୟର ପରିକଳ୍ପନା ହିଁ ସମ୍ଭବ ହେବ ଆମ୍ଭରିମାନଙ୍କ ଚେଷ୍ଟାରେ । ତାଙ୍କ ମତରେ ଗାଁର ଉନ୍ନତି ହଁ ଦେଶର ଉନ୍ନତି । ପ୍ରକୃତରେ ଗ୍ରାମ୍ୟ ଅର୍ଥନୀତିରେ ଉନ୍ନତି ହେଲେ ଦେଶରେ ଦାରିଦ୍ର୍ୟ ଦୂର ହେବ ।

ତା’ କିମିତି ସମ୍ଭବ ହେବ... ।

ପଚାରିଲା ବେନୁଆ ।

ସମ୍ଭବ ହେବ ଯଦି ଗାଁ କୃଷିରେ ବୈପ୍ଳବିକ ପରିବର୍ତ୍ତନ ହୁଏ । ପ୍ରତି ଗାଁରେ କୁଟୀର ଶିଳ୍ପ ଗଢ଼ି ଉଠେ ଆଉ ସରକାରଙ୍କର ବିଭିନ୍ନ ଗ୍ରାମ୍ୟାଭିମୁଖୀ ଯୋଜନାଗୁଡ଼ିକୁ ସଫଳ ରୂପାୟନ କରାଯାଇ ଗ୍ରାମ୍ୟ ଅର୍ଥନୀତିରେ ଉନ୍ନତି ଅଣାଯାଇପାରେ ।

ଆଚ୍ଛା ବାବୁ କୋଠଚାଷ ପାଇଁ ଆମେ ତ ସବୁ ରାଜି ଅଛୁ । ହେଲେ ଏ ଗାଁରେ ଯେଉଁମାନଙ୍କର ଅଧିକ ଜମିଅଛି ସେମାନେ ରାଜିହେଲେ ତ ହେବ ?

 

ନିଶ୍ଚୟ ରାଜି ହେବେ । ତମେମାନେ ସବୁ ଏକାଠି ହୋଇ ନିଜ ନିଜର ସାମାନ୍ୟ ସ୍ୱାର୍ଥ ତ୍ୟାଗ କଲେ ସବୁକିଛି ସମ୍ଭବ ହୋଇପାରିବ ।

 

ଶୁକୁଟା କଥାର ଉତ୍ତର ଦେଲା ଅମର ।

 

ଆଚ୍ଛା ହେଲା ତୁମେ ସେମାନଙ୍କଠାରୁ ଏ ବିଷୟରେ ପଚାରି ବୁଝ.....ସେମାନେ କି ମତ ଦେଉଛନ୍ତି ।

 

ଶୁକୁଟା କଥାରେ ସମ୍ମତ ଜଣାଇ ସମସ୍ତେ ନିଜ ନିଜର ଘରକୁ ଫେରି ଯାଇଥିଲେ ।

 

ରାସଲୀଳାର ମହୋତ୍ସବ ଚାଲିଥାଏ ପ୍ରତି ଗାଁ ଗାଁରେ । ନନ୍ଦସୁତ କୃଷ୍ଣ, ରାଧା ଆଉ ସହସ୍ର ଗୋପାଙ୍ଗନାମାନଙ୍କର ସେଇ ଅକ୍ଷୟ ପବିତ୍ର ରାସଲୀଳା । “ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ” ତାନରେ କମ୍ପି ଉଠୁଥାଏ ଗଗନ ପବନ । ସେଇ ପରମପିତା ସୃଷ୍ଟିକର୍ତ୍ତାଙ୍କର ପଦତଳେ ବିନମ୍ର ପ୍ରଣତି ଜଣାଇ ଅସ୍ତସୂର୍ଯ୍ୟ ଲୁଚି ଯାଉଥିଲା ଦୂର ଦିଗ୍‌ବଳୟରେ ଆଉ ପୂର୍ବାକାଶରେ ପୂଜାର ଅର୍ଘ୍ୟ ତୋଳି ବନ୍ଦନା ଗାଇ ଗାଇ ଧୀର ପଦରେ ଆଗେଇ ଆସୁଥିଲା ଶରତ ଜ୍ୟୋସ୍ନା ।

 

ରାସଲୀଳା ସାଙ୍ଗକୁ ଗଜଭୋଗର ଆୟୋଜନ ବି ଚାଲିଥାଏ ସବୁ ବର୍ଷ ଭଳି ଆଜି ଏଇ ଗାଁରେ । ଆଜି କିନ୍ତୁ ପୁରୋଧା ଭାବେ ଉପସ୍ଥିତ ନ ଥିଲେ ଗାଁ ମାମଲତ୍‍କାର ନାରାୟଣ ସାହୁ, ମଦନ ବେଉରା ଆଉ ଲିଙ୍ଗରାଜ ଶତପଥୀ । ଗାଁର କେତେକ ଯୁବକ ଆଉ କେଇ ଜଣ ବୃଦ୍ଧଙ୍କ ସହଯୋଗରେ ଆଜିର ଏଇ ଗଜଭୋଗର ଆୟୋଜନ ଚାଲିଥାଏ । ଗାଁର ପ୍ରତ୍ୟେକ ଉପସ୍ଥିତ ଥିଲେ ଏଠି କିନ୍ତୁ ଅଳ୍ପ କେତେ ଘର ଏଠାରେ ଯୋଗ ନ ଦେଇ ଆଉ ଏକ ଗଜଭୋଗର ଆୟୋଜନ କରିଥିଲେ ସେମାନେ । ଆଜି ଏଇଭଳି ଗାଁର ସବୁଲୋକଙ୍କ ଉପସ୍ଥିତିର ସୁଯୋଗ ନେଇ ଅମର ଗୋଟିଏ ସଭା ଡକାଇ ଥିଲା ଠାକୁରାଣୀ ଦାଣ୍ଡରେ । ବୃଦ୍ଧଠାରୁ ଯୁବକ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ଥିଲେ ଏଇ ସଭାରେ ।

 

ଆପଣମାନେ ସମସ୍ତେ ଅଳ୍ପ ବହୁତେ ଜାଣନ୍ତି ଏ ଗାଁରେ କୋଠଚାଷ କରିବାପାଇଁ ମୁଁ ଉଦ୍ୟମ କରୁଛି । କୋଠଚାଷ ହେଲେ ଗାଁର ପ୍ରତ୍ୟେକଙ୍କ ଅବସ୍ଥାର ଅଳ୍ପ ବହୁତେ ଉନ୍ନତି ଘଟିବ । କିନ୍ତୁ ଏଥିରେ ପ୍ରତ୍ୟେକଙ୍କୁ ନିଜ ନିଜର ସାମାନ୍ୟ ସ୍ଵାର୍ଥ ତ୍ୟାଗ କରିବାକୁ ପଡ଼ିବ । ପ୍ରତ୍ୟେକ ନିଜ ନିଜର ସବୁତକ ଜମି କୋଠକୁ ଦେବେ ଆଉ ନିଜ ନିଜ ଶକ୍ତି ଅନୁସାରେ ପ୍ରତ୍ୟେକ ପରିଶ୍ରମ କରିବେ ଏବଂ ଶେଷରେ ସମସ୍ତ ଉପାର୍ଜନକୁ ପରିବାର ଅନୁଯାୟୀ ବଣ୍ଟନ କରାଯିବ । ଏହା ଫଳରେ ଗାଁର ଅକାମି ହୋଇ ପଡ଼ି ରହିଥିବା ଅନାବାଦୀ ସବୁକୁ ଚାଷ ଜମିରେ ପରିଣତ କରାଯିବ ଆଉ ଗୋଚର ଗୁଡ଼ିକରେ ଉନ୍ନତ ଧରଣର ଘାସ ଚାଷ କରାଯାଇ ଗୋରୁଗାଈମାନଙ୍କୁ ଯଥେଷ୍ଟ ଘାସ ଯୋଗାଇ ଦିଆଯିବ । ତା’ଛଡ଼ା ଗାଁରେ କୁଟୀର ଶିଳ୍ପ ପ୍ରତିଷ୍ଠା କରି ଯେଉଁମାନେ ଜମିରେ ଖଟି ନ ପାରିବେ ସେମାନେ ଏଠାରେ ଅଳ୍ପ ପରିଶ୍ରମରେ ଉପାର୍ଜନକ୍ଷମ ହୋଇପାରିବେ । କାମ ନ ଥିବା ସମୟରେ ମଧ୍ୟ ଉଭୟ ସ୍ତ୍ରୀ ପୁରୁଷ ଏଇ ଶିଳ୍ପ ମାଧ୍ୟମରେ କିଛି କିଛି ରୋଜଗାର କରିପାରିବେ । ଯାହା ଫଳରେ ଗାଁର ଅର୍ଥନୀତିରେ ଯଥେଷ୍ଟ ଉନ୍ନତି ଘଟିବ । ତେଣୁ ଆଜି ସମସ୍ତଙ୍କ ଉପସ୍ଥିତିରେ ପ୍ରତ୍ୟେକ ଏ ବିଷୟରେ ନିଜ ନିଜର ମତ ଦେବା ଆବଶ୍ୟକ ।

 

ଅମର କୋଠଚାଷର ଉପକାରିତା ସମ୍ବନ୍ଧରେ ସମ୍ୟକ ଧାରଣା ଦେଇଥିଲା ଆଉ ପ୍ରତ୍ୟେକ ଅମର କଥାରେ ସମ୍ମତି ଜଣାଇ ନିଜ ନିଜର ମତବ୍ୟକ୍ତ କରିଥିଲେ ।

 

ଆମେ ସିନା ସମସ୍ତେ କୋଠଚାଷ ପାଇଁ ରାଜି କିନ୍ତୁ ଏଠାରେ ଯେଉଁ କେତେ ଘର ଉପସ୍ଥିତ ନାହାନ୍ତି ଯେଉଁମାନଙ୍କର କି ଅଧିକ ଜମି ସେମାନେ ଏଥିରେ ରାଜି ହେବେ ତ ?

 

ଗାଁ ର ଜଣେ ବୃଦ୍ଧ ଅମରକୁ ପଚାରିଲା ।

 

ନାଁ । ସେମାନେ ଏଥିରେ ରାଜି ନାହାନ୍ତି । ମୁଁ ସେମାନଙ୍କୁ ପଚାରିଥିଲି । ମାତ୍ର ମୋ କଥା ସେମାନେ ହସରେ ହସରେ ଉଡ଼ାଇ ଦେଇଥିଲେ ।

 

ତା’ହେଲେ କୋଠଚାଷ ହେଇପାରିବ ତ ?

 

ନିରାଶ ମନ ନେଇ ପଚାରିଥିଲା ବୃଦ୍ଧ ମଙ୍ଗୁଳି ଦାସ ।

 

ହଁ । କୋଠଚାଷ ନିଶ୍ଚୟ ହେବ । ଆପଣମାନେ ଏକାଠି ହେଲେ ସବୁ ସମ୍ଭବ ହେବ । ଆମେ ଆମ ବାଟରେ ଆଗେଇ ଯିବା ।

 

ମୋ ମତରେ ଆମେ ସେମାନଙ୍କ ଜମି ଜବରଦସ୍ତ ଚାଷ କରିବା । ସେମାନେ ଆମର କ’ଣ କରିବେ । ଆମ ଶହେ ଘରଙ୍କର ଯେଉଁଠି ଗୋଟିଏ କଥା ସେ ଛଅ ସାତ ଘର କିଆଁ ଆମ କଥାରେ ଏକମତ ହେବେନି ।

 

ହଁ, ମୁଁ ବି ସେଇଆ କହୁଛି, ତା’ ନହେଲେ ସେମାନଙ୍କୁ ପାରିହେବନି । ଆମ ଗରିବ ଗୁରୁବାମାନଙ୍କଠୁ ଠକିଠାକି ଭସୁଆଁକିରିଆ ରେଜେଷ୍ଟିରି କରି ସବୁଯାକ ଜମି ନେଇଛନ୍ତି ସେମାନେ-। ନ ହେଲେ ସେମାନଙ୍କର କୋଉଠୁ ଏତେ ଜମି ଆସିଲା । ଅଇଚ୍ଛା କୋଠଚାଷ ହେଲେ ବାବୁଙ୍କ ସ୍ଵାର୍ଥରେ ଆଞ୍ଚ ଆସୁଛି ।

 

କାଳିଆ ପରେ ପରେ ପ୍ରୌଢ଼ ଚନେଇ ବାରିକ କହି ଉଠିଥିଲା ।

 

କାଶିଆ, ମଠୁରା, ଅଭିନା, ବେନୁଆ ପ୍ରଭୃତି ଗାଁର ଯୁବକମାନେ କାଳିଆ କଥାର ସମର୍ଥନ କରି ପାଟି କରି ଉଠିଲେ ।

 

ଏହା କ’ଣ ଭଲ ହେବ ବାପ... ?

 

ଅମରକୁ ପଚାରିଥିଲା ଚେମେଇଁ ସେଠି ।

 

ନାଁ । ଏହାଦ୍ଵାରା ଆମ ଆମ ଭିତରେ ଈକ୍ତର ତିକ୍ତତା ବଢ଼ି ଚାଲିବ । ନାନା ଗଣ୍ଡଗୋଳରେ ହେବ ଆଉ ଗାଁରେ ଅଶାନ୍ତି ଦେଖାଦେବ ।

 

ତା’ହେଲେ କଣ କରାଯିବ... ?

 

ଶୁକୁଟା ପଚାରିଥିଲା ।

 

ଆମେ କେହି ସେମାନଙ୍କୁ ସହଯୋଗ କରିବା ନାହିଁ । ଆମରି ପରିଶ୍ରମରେ ସେମାନେ ଭରଣ ଭରଣ ଫସଲ ଉତ୍ପାଦନ କରୁଛନ୍ତି । ସାମାନ୍ୟ କେତେଟା ଟଙ୍କା ବଦଳରେ ଆମରିମାନଙ୍କ ଭିତରୁ କେତେକଙ୍କୁ ମଜୁରି ଲଗାଇ ସେମାନେ ନିଜର ପୁଞ୍ଜି କରାଇବାରେ ଲାଗିଛନ୍ତି । ଆମରିମାନଙ୍କ ଭିତରୁ ଯେବେ କେହି ସେମାନଙ୍କର କୌଣସି କାମ ନ କରିବେ ତେବେ ସେମାନଙ୍କର ଜମି ଅକାମି ହୋଇ ପଡ଼ି ରହିବ । ତା’ଛଡ଼ା ପାଖ ଗାଁର ମୁଲିଆ ଭାଇମାନଙ୍କୁ ଆମେ ବୁଝାଇ ଦେବା ସେମାନେ ଯେପରି ଏମାନଙ୍କୁ ସାହାଯ୍ୟ ନ କରନ୍ତି । ତା’ପରେ ଦେଖିବ ସେମାନେ କିପରି ଆପେ ଆପେ ଆମର ସାହାଯ୍ୟ ଲୋଡ଼ିବେ ।

 

ଠିକ୍‌ କହିଛ ବାପ, କଥାଟା ଏକା ମନକୁ ପାଇଛି । ବିନା ଗଣ୍ଡଗୋଳରେ ସବୁ ଠିକ୍‌ଠାକ୍‌ ହୋଇଯିବ ।

 

ଆମର କଥାରେ ସମ୍ମତି ଜଣାଇଥିଲା ଚେମେଇଁ । ସମସ୍ତଙ୍କ ମନକୁ ପାଇଥିଲା ମଧ୍ୟ ଅମରର କଥା । ତା’ପରେ ସଭା ଭାଙ୍ଗି ସମସ୍ତେ ଉଠି ଯାଇଥିଲେ ।

 

ଟାଇଁ ଟାଇଁ ଖରା । ଝାଞ୍ଜି ପବନ ବହୁଥାଏ ସୁ ସୁ ହୋଇ । ତଣ୍ଟି ଶୁଖି ଯାଉଥାଏ । ଅଠା ଅଠା ହୋଇ ଯାଉଥାଏ । ମାଠିଆରୁ ପାଣି ଅଜାଡ଼ି ଢୋକ ଢୋକ ପେଟେ ପେଟେ ପାଣି ପିଇ, ଦେହରୁ ରକ୍ତ ନିଗାଡ଼ି ମୁଣ୍ଡରେ ମାଟି ଲଦି ଚାଲିଥାନ୍ତି ସେମାନେ । ମନରେ ସେମାନଙ୍କର ନଥିଲା ଦ୍ଵିଧା,ଗ୍ଳାନି । ଫୂର୍ତ୍ତି ଆଉ ଆଗ୍ରହରେ ସେମାନେ କାମ କରି ଚାଲିଥିଲେ । ମାଟି ହାଣି ବୋହି ନେଉଥିଲେ ନିଜର ସମସ୍ତ ଶକ୍ତି ଦେଇ । ଅକାମି ହୋଇ କାହିଁ କେତେ ପୁରୁଷରୁ ଢିପ ଖାଲ ହୋଇ ପଡ଼ି ରହିଥିବା ସେଇ ଅନାବାଦୀ ସବୁକୁ ସମତୁଲ କରି ଚାଷ ଜମିରେ ପରିଣତ କରୁଥିଲେ ସେମାନେ ।

 

ଆରେ ମୋତେ ଦେ, ଏ ଛୋଟ ଛୋଟ ଶୂଳାଗୁଡ଼ା ଉଠାଉଛୁ କ’ଣ । ବିକଳି ହାତରୁ ଶାବଳ ନେଇ କାଳିଆ ତା’ର ଦୁଇ ଶକ୍ତ ବାହୁ ପେଣ୍ଡାର ସମସ୍ତ ଶକ୍ତି ଦେଇ ବଡ଼ ବଡ଼ ଶୂଳାମାନ ତାଡ଼ି ଦେଇଗଲା । କାଶିଆ, ମଥୁରା, ଅଭିନା ପ୍ରଭୃତି ଯୁବକମାନେ ଶୂଳାମାନ ମୁଣ୍ଡରେ ଲଦି ଖନ୍ଦଗୁଡ଼ାକ ସବୁ ପୋତି ପକାଉଥିଲେ । ଆଉ କେତେକ ଢିପଗୁଡ଼ାକୁ କୋଦାଳରେ ହାଣି ସମତୁଲ କରୁଥିଲେ । ବେନୁଆ, ଅମର ପ୍ରଭୃତି ଛୋଟ ଛୋଟ ବୁଦାଗୁଡ଼ିକୁ ହଣାମରା କରୁଥିଲେ ।

 

ଭାରି ଖରାଟା ହେଉଛି । ତମେ ଘରକୁ ଯାଅ ବାବୁ ଖରାଟା କାଟୁଥିବ ଦେହକୁ ।

 

ଅମର ହାତରୁ କୋଦାଳ ନେଇ ହଣାମରା କରିଥିଲା ଶୁକୁଟା ।

 

ନାଁ, ଆମେ ଯୁବକ । ବର୍ତ୍ତମାନ ହିଁ ଆମର କାମ କରିବାର ବେଳ । ଖରା ବର୍ଷାକୁ ଡରି ପରିଶ୍ରମ ନ କଲେ ଫଳ ମିଳିବ କେଉଁଠୁ । ପ୍ରଥମେ ପ୍ରଥମେ ଟିକେ ଅଡ଼ୁଆ ଲାଗିବ,କଷ୍ଟ ହେବ । ତା’ପରେ ପୁଣି ଦେହସୁହା ହୋଇଯିବ ଯେ । ଆଚ୍ଛା ଏହାର ଚାରିପଟ ମାଟି ପକାଇ ମଜଭୂତ ଭେଡ଼ା କରିବାକୁ ପଡ଼ିବ । ତା’ ନହେଲେ ବର୍ଷାପାଣି ସବୁ ତଳକୁ ଗଡ଼ିଯିବ ।

 

ଅମର ମାଟି ପଳାଇବାକୁ କହି ଶଗଡ଼ି ଅଭିମୁଖେ ଚାଲିଲା । କାଳିଆ ବେନୁଆ ପ୍ରଭୃତି ଯୁବକମାନେ ଉତ୍ସାହର ସହିତ ହୋ ହା ପାଟିତୁଣ୍ଡ କରି ନିଜ ନିଜ କାମରେ ଆଗେଇ ଚାଲିଥିଲେ । ଶଗଡ଼ିରେ ତିରିଶି ଚାଳିଶଟି ଯାଏ ହଳ ବୁଲୁଥିଲା । ଏତେ ବଡ଼ ଚକଟାରେ ସବୁ କିଆରୀରୁ ହିଡ଼ ଉଠି ଖାଲ ଉଚ୍ଚ ସବୁ ସମାନ ହେଉଥିଲା । ଶହକରୁ ଉର୍ଦ୍ଧ୍ୱ ଲୋକ ଏକମନ ନେଇ ନିଜର ଶକ୍ତି ମୁତାବକ କାମ କରି ଚାଲିଥିଲେ । ଅମର ଚାରିଆଡ଼ ବୁଲି କାମ ଦେଖୁଥିଲା । ଦରକାର ପଡ଼ିଲେ ନିଜେ କାମ କରି ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଉଥିଲା । ଛାତି ତା’ର ଗର୍ବରେ ଫୁଲି ଉଠୁଥିଲା । ଆଜି ଏତେ ବଡ଼ କାମ ସମ୍ଭବ ହୋଇପାଛି ଆଉ ଗାଁର ପ୍ରତ୍ୟେକ ଏକ ମନ ନେଇ ଭାଇ ଭାଇ ଭଳି କାମ କରି ଚାଲିଛନ୍ତି ।

 

ପଦ୍ମପୁର ଗାଁ । ଆଜି ବିକାଶର ଚରମ ସୀମାରେ ପହଞ୍ଚି ପାରିଛି । ଅମର ଉଦ୍ୟମରେ ଉଠା ଜଳସେଚନ ପାଇଁ ସରକାରଙ୍କ ତରଫରୁ ଉତ୍ସକୂପ ଖୋଳା ଚାଲିଛି । ଗାଁ ମୁଣ୍ଡରେ ପୋତି ହୋଇଯାଉଥିବା ପୋଖ‍ରୀକୁ ଖୋଳି ଚାରିପଟ ହୁଢ଼ା ରଖି ବିରାଟ ଏକ ପୁଷ୍କରିଣୀରେ ପରିଣତ କରାଯାଇଛି । ହୁଡ଼ା ଚାରିପଟ ନଡ଼ିଆ ଗଛ ପଡ଼ିବ ବୋଲି ଖାତମାନ ଖୋଳାଯାଇ କମ୍ପୋଷ୍ଟ ପଡ଼ିଛି-

 

ତା’ଛଡ଼ା ଗାଁର ଆହୁରି ଅନେକ ଉନ୍ନତି ହୋଇପାରିଛି । ଗାଁରେ ଗୋଟିଏ ମହିଳା ସମିତି ଗଢ଼ାଯାଇ ମହିଳାମାନଙ୍କୁ ସିଲାଇ ଓ ଘରକରଣା ବିଷୟରେ ଶିକ୍ଷା ଦିଆଯାଉଛି । କୁଟୀର ଶିଳ୍ପ ଗଢ଼ାଯାଇ ଝୋଟ, ନଡ଼ିଆକତା, ବେତ, କାଇଞ୍ଚ ପ୍ରଭୃତିରେ ସୁନ୍ଦର ସୁନ୍ଦର ଜିନିଷମାନ ତିଆରି କରି ପ୍ରଚୁର ଅର୍ଥ ଉପାର୍ଜନ କରାଯାଇ ପାରୁଛି ।

 

ପଦ୍ମପୁର ଗାଁ । ଆଜି ସମସ୍ତଙ୍କ ତୁଣ୍ଡରେ ଉଦାହରଣ ହୋଇଯାଇଛି । ସମସ୍ତଙ୍କ ମୁଣ୍ଡରେ ଅମରର ପ୍ରଶଂସା । ତା’ର ତାରିଫ୍‍ । ତା’ର ବାହାଦୂରୀ । ଏଇ ଗାଁର ପ୍ରଭାବ ପଡ଼ିଛି ପାଖ ଗାଁମାନଙ୍କ ଉପରେ । ସେମାନେ କୋଠଚାଷ ପାଇଁ ଉଦ୍ୟମ ଚଳାଇଛନ୍ତି । ଆଜି ଅମର ପାଖକୁ ଆସିଥିଲେ ପାଟଣା ଗାଁର କେତେକ ଭଦ୍ରଲୋକ । ସେମାନେ ଅମରକୁ ନିଜ ଗାଁକୁ ନେଇ ଏଇ କୋଠଚାଷର ଉପକାରିତା ସମ୍ବନ୍ଧରେ ସାଧାରଣ ଲୋକଙ୍କୁ ବୁଝାଇ ଦେବାପାଇଁ ଅନୁରୋଧ କରିଥିଲେ । ଅମର ଖୁସି ହୋଇ ସେମାନଙ୍କ କଥାରେ ସମ୍ମତି ଜଣାଇ ସନ୍ଧ୍ୟାବେଳେ ଗାଁ ଛାଡ଼ି ପାଟଣା ଅଭିମୁଖେ ଚାଲିଥିଲା ସେମାନଙ୍କ ସହିତ ।

 

ଛାଇ ଲେଉଟିଲାଣି । ଗାଁ ମୁଣ୍ଡ ତୋଟା ଦେଇ ଅମର ଚାଲିଥିଲା ବେଣାପଡ଼ିଆ ଆଡ଼େ-। ଗାଁ ସାରା ଆଜି ହଳ ବୁଲାଉଥିଲେ । ବେଣାପଡ଼ିଆ ଚକରେ । ହଠାତ୍‌ ଅମର ଅଟକିଗଲା କାହାର ଡାକରେ । ଚାରିଆଡ଼ ଚାହିଁ ଦେଖିଲା କେଉଁଆଡ଼େ କେହି ନ ଥିଲେ । ତୋଟା ଭିତରେ ବସି ଡାକୁଥିଲେ ନାରାୟଣ ସାହୁ । ଲିଙ୍ଗରାଜ ଶତପଥୀ ଓ ମଦନ ବେଉରା ତାଙ୍କ ପାଖରେ ବସିଥିଲେ । ଅମର ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବି ପଛକୁ ଫେରି ତୋଟା ଆଡ଼େ ଚାଲିଲା ।

 

ମୋତେ ଡାକୁଥିଲେ ଅଜା ।

 

ହଁ, ତୋତେ ଡାକୁଥିଲି । ଟିକେ ଶୁଣିବୁ ନା କେଉଁଆଡ଼େ ଯାଉଛୁ କାମ ଅଛି ।

 

ନାଁ, କାମ କିଛି ନାହିଁ, ତେବେ ଏଇ ବେଣାପଡ଼ିଆ ଆଡ଼େ ହଳ ବୁଲୁଥିଲା ଯେ ଦେଖିବାକୁ ଯାଉଥିଲି । କ’ଣ କହିବାର ଅଛି କହୁନ ?

 

ତେବେ ଏଇଠି ବସ । ତୁ ତ ଜାଣୁ ଗୋଟିଏ ଭୁଲ ବୁଝାମଣା ନେଇ ପ୍ରଥମେ ମୁଁ ତୋ କଥାରେ ରାଜି ନ ଥିଲି । ବର୍ତ୍ତମାନ କିନ୍ତୁ ସେଥିପାଇଁ ମୁଁ ଅନୁତାପ କରୁଛି । ତେବେ ମୋର ଗୋଟିଏ କଥା ତୁ ରଖିପାରିବୁ ।

 

କ’ଣ କୁହ । ଯଦି ସମ୍ଭବ ହୋଇଥିବ ତେବେ ନିଶ୍ଚୟ ରଖିବି ।

 

ତୁମେ ତ ଗାଁ ସାରା ଏକାଠି ହୋଇ ଗୋଟିଏ ପରିବାର ଭଳି ଚଳୁଛ । ମୁଁ ବା ସେଥିରୁ କାହିଁକି ବାଦ୍‌ ଯିବି । ମୋତେ କ’ଣ ତୁମ ପରିବାର ଭିତରେ ଜଣେ କରିପାରିବ ?

 

ଅମର ଅଶ୍ଚର୍ଯ୍ୟ ହୋଇଯାଇଥିଲା ।

 

ଏ ତ ଖୁବ୍‌ ଆନନ୍ଦର କଥା । ଏଥିରେ ପୁଣି ମୋତେ ପଚାରିବାର କ’ଣ ଅଛି । ଏ କଥା ଜାଣିଲେ ଗାଁ ସାରା ସମସ୍ତେ ଖୁସି ହେବେ । ତୁମର ଭୁରି ଭୁରି ପ୍ରଶଂସା କରିବେ । ତୁମ ନିକଟରେ ସବୁଦିନ ପାଇଁ ଋଣୀ ହୋଇ ରହିବେ । ଏଇଥିପାଇଁ ତ ଆମେ ତୁମକୁ ପ୍ରଥମେ ଅନୁରୋଧ କରିଥିଲୁ । ଅନେକ ଅନୁନୟ ସତ୍ତ୍ୱେ ବି ତୁମେ ଏଥିରେ ରାଜି ହେଲନି । ବର୍ତ୍ତମାନ କିନ୍ତୁ ତମେ ରାଜି ହୋଇଛ । ଏଥିରେ ତ ସମସ୍ତେ ଖୁସି ହେବାର କଥା ।

 

ଆଉ ମୋର ବି ସେଇ ଆପତ୍ତି । ମୋ କଥା କ’ଣ ରଖିବୁନି ।

ହସି ହସି କହିଲା ଲିଙ୍ଗରାଜ ଶତପଥୀ ।

ବାକି ତମେ ରହିଗଲ ଯେ... ।

ମଦନ ବେଉରାକୁ ଲକ୍ଷ୍ୟକରି ନାରାୟଣ ସାହୁ କହିଥିଲା ।

ମୁଁ ଆଉ ଯିବି କୁଆଡ଼େ । ମୋତେ ମଧ୍ୟ ତୁମ ସାଙ୍ଗରେ ରଖିବାକୁ ପଡ଼ିବ ।

ଠୋ ଠୋ ହୋଇ ହସି ଉଠିଥିଲେ ସମସ୍ତେ । ତା’ପରେ ଅମର ସହିତ ସେମାନେ ବେଣାପଡ଼ିଆ ଆଡ଼େ ଯାଇଥିଲେ ।

ଧୂଳି ଉଡ଼ାଇ, ଲଙ୍ଗଳ ମୁନରେ ସିଆର କାଟି, ବଳଦ ଅଡ଼ାଇ ଅଡ଼ାଇ ଚାଲିଥିଲେ ସେମାନେ । ଆଉ କେତେ ଜଣ କିଆରୀକୁ କିଆରୀ ସମାନ କରୁଥିଲେ । ଆଶ୍ଚର୍ଯ୍ୟ ହୋଇ ପରସ୍ପର ଫୁସୁର ଫାସର ହେଉଥିଲେ ଅମର ସହିତ ନାରାୟଣ ସାହୁ, ଲିଙ୍ଗରାଜ ଶତପଥୀ ଓ ମଦନ ବେଉରାକୁ ଦେଖି । ସହେଦ ମନରେ ନିଜ ନିଜ କାମ କରି ଚାଲିଥିଲେ ସେମାନେ ।

ଆରେ କାଶିଆ ! ମଝିରେ ଏ ହିଡ଼ଟା ରହି ଅସୁନ୍ଦର ଦିଶୁଛି....ଏ ହିଡ଼ଟାକୁ ଉଠାଇ ଦିଅ ତ !

ମଦନ ବେଉରା କଥା ଶୁଣି ନିଜ ନିଜ କାମ ବନ୍ଦ କରି ସମସ୍ତେ ସେ ଆଡ଼କୁ ଚାହିଁ ରହିଥିଲେ ।

ଚାହିଁ ରହିଛ କ’ଣ ଆଗ ହିଡ଼ ଉଠାଇ ଦିଅନା । ସେମାନେ ପୁଣି ଫେରି ଆସିଛନ୍ତି ଆମରି ପାଖକୁ । ଆମରି ପରିବାରକୁ । ଆମ ପରିବାର ଭିତରେ ଜଣେ ହେବାକୁ ।

ହଁରେ ପିଲେ ଆମେ ଆମର ଭୁଲ ବୁଝିପାରିଛୁ । ଆଜି ତମେ ଆମର ଆଖି ଖୋଲି ଦେଇଛ । ଏଇ ମିଛ ଧନ ଲୋଭରେ ଆମେ ଅନେକ କିଛି ପାପ କରିଛୁ । ତମେ ଆମକୁ କ୍ଷମା ଦିଅ ପିଲେ...ତୁମରିମାନଙ୍କ ଯୋଗୁ ହିଁ ଆମେ ଅମାର ଅମାର କରି ଫସଲ ସାଇତ ରଖିଛୁ । ସେଇ ପାପ ଧନଗୁଡ଼ିକ ଆମର ନୁହେଁ, ଆଜିଠୁ ସେଗୁଡ଼ିକ ସବୁ ତୁମର ତୁମେମାନେ ହିଁ ଆମର ପୁଅ ଝିଅ ଭଳି । ଆଜିଠୁ ଏ ସମ୍ପତ୍ତି ସବୁ ତୁମର...ଏ ଗାଁର ।

ପ୍ରତ୍ୟେକ ନିଜ ନିଜର କାମଛାଡ଼ି ଏକାଠି ଜମିଯାଇ ଆବାକାବା ହୋଇ ଚାହିଁ ରହିଥିଲେ ପୂର୍ବର ସେଇ ପାଷାଣ୍ଡ ନିର୍ମମ ନାରାୟଣ ସାହୁର ମୁହଁକୁ ।

ଆଜି ଆମର ଆନନ୍ଦର ଦିନ, ଆମେ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ । ଆମେ ସମସ୍ତେ ସମାନ । ଆମ ଭିତରେ କେହି ଉଚ୍ଚ ନୀଚ, ବଡ଼ସାନ ନାହାନ୍ତି । ଆମେ ସମସ୍ତେ ଗୋଟିଏ ଜାତି । ସେଇ ମଣିଷ ଜାତି । ଆମେ ସମସ୍ତେ ମଣିଷ । ଏଇ ମାଟି ମା’ର ସନ୍ତାନ । ଆମେ ସମସ୍ତେ ଏକାଠି ହୋଇଯିବା । ଏକାକାର ହୋଇଯିବା । ହସି ହସି ଜୀବନସାରା ଏଇ ମାଟି ମା’ର ସେବା କରିଯିବା ।

ଆନନ୍ଦରେ ପାଟି କରି ଉଠିଥିଲା ଅମର । ଆନନ୍ଦରେ ବିହ୍ୱଳ ହୋଇଯାଇଥିଲେ ପଦ୍ମପୁର ଗାଁର ସମସ୍ତେ ଯୁବକଠୁ ବୃଦ୍ଧ ପର୍ଯ୍ୟନ୍ତ ।

ଅମର ଏ ଯାଏ ଆସିନି ?

ନାଁ, ସକାଳୁ କଅଣ ଦି’ଟା ନାକରେ କାନରେ ପୁରାଇଦେଇ ଯାଇଛି ଯେ ଏ ଯାଏ ଆସିଲାନି । ସୂର୍ଯ୍ୟ ଆସି ମଥା ଉପରୁ ତଳକୁ ଗଡ଼ିଲେଣି ତା’କୁ ବେଳ ଜଣାଯାଉନି । ଅଇଚ୍ଛା ଜଳାକାଠ ପଡ଼ି ଘରକୁ ଆସିବ, ପୁଣି କ’ଣ ଦି’ଟା ଖାଇଦେଇ ଛୁ । ଘରେ କ’ଣ ତା’ର ଦେଖା ଦର୍ଶନ ଅଛି ।

କି କୋଠଚାଷ ମୁଣ୍ଡରେ ପୁରାଇଛି ଯେ ସବୁବେଳେ ଖାଲି ସେଇଥିରେ ଲାଗିଛି । ଖାଇବା ପିଇବାରେ କ’ଣ ତା’ର ଠିକ୍‌ ଠିକଣା ଅଛି । ଏଇ ଦେଖୁନ ଏତେବେଳ ଯାଏ ତା’ର ଦେଖା ନାହିଁ । କେଉଁଠି ଅଇଚ୍ଛା ଏ ଖରାରେ ସିଝୁଥିବ ।

ମୁଁ ତା’କୁ ଏବେ କେତେ ମନା କରିବି । ଆଜିଯାଏ କୁଟାଖଣ୍ଡକୁ ଦି’ଖଣ୍ଡ କରି ନ ଥିଲା । କି ନିଶା ଲାଗିଛି କେଜାଣି ଖରା ନାହିଁ, ତରା ନାହିଁ, ସବୁବେଳେ ସେଇ ବିଲରେ । ଶୁଖି ଶୁଖି ସଳିତା ପରି ହେଲାଣି । ଆଜି ସେ ଆସିଯାଉ ତା’କୁ ଭଲ କରି ଦି’ପଦ ଶୁଣାଇ ନ ଦେଲେ ତା’ ମନରେ ପଶିବନି.... ।

ଅନୁ ଖାଇଲାଣି...?

ନାଁ । ସେ କେତେବେଳେ ଆସି ଖାଇଲେ ଏ ଯାଏଁ ଖାଇବ ।

ଅମର ପାଇଁ ରଖିଦେଇ ସେ ଖାଉନି... ।

ସେ ଖାଇବନି, ଅମର ନ ଖାଇଲେ ସେ ଆଦୌ ଖାଇବନି । କାଇଁ ଏତେବେଳେଯାଏ କାମ କରିବାକୁ ତା’କୁ କିଏ କହୁଛି । ଏ ଯେଉଁ ଖରା ହେଉଛି....କୋଠଚାଷ କରୁଛନ୍ତି ବସି ।

ତମେ ଯାହା କୁହ ମିଲିବୋଉ ! ଅମର ଦ୍ଵାରା ହିଁ ଏତେ ବଡ କାମ ସମ୍ଭବ ହୋଇପାରିଛି । ମୋର ଆଦୌ ବିଶ୍ୱାସ ନ ଥିଲା ଗାଁରେ ସମସ୍ତେ ମିଶି କୋଠଚାଷ କରିବେ ବୋଲି-। ଯାହାହେଉ ଏ ଗାଁର ଗରିବ ଗୁରୁବା ଗୁଡ଼ିକ ରକ୍ଷା ପାଇଗଲେ । ବଡ଼ ହଇରାଣ ହରକତ ହେଉଥିଲେ ବିଚରା ।

ତା’ ନୁହେଁ ଆଉ କ’ଣ । ବରଷକ ବାରମାସେ ଖଟି ଖଟି, ମୁଲ ଲାଗି ଲାଗି ପେଟକୁ ମୁଠେ ଦାନା କି ପିଠିକୁ ଖଣ୍ଡେ କନା ଅଣ୍ଟୁ ନ ଥିଲା । ଯା’ ହେଉ ଏଥର ଅଭାବ ଅନାଟନରୁ ସୁଧୁରିଯିବେ ଏମାନେ ।

ଖରାବେଳେ ଖାଇସାରି ବିଶ୍ରାମ ନେଉଥିଲେ ବିନୟବାବୁ ଏବଂ ଶାନ୍ତିଦେବୀ ।

ଅନୁ ! ଅନୁ !

ଝାପ୍‌ସା ନିଦ ଲାଗି ଆସୁଥିଲା ତା’କୁ । ଅମରର ଡାକରେ ନିଦ ଭାଙ୍ଗିଗଲା ତା’ର । ଦୁଇ ଆଖି ଖୋଲି ଶୋଇ ରହିଥିଲା ସେ ସେମିତି ।

ଖାଇବାକୁ ଦେବ ଆସନା... ।

ନାଁ, ମୁଁ ଦେଇ ପାରିବିନି । କଡ଼ ଲେଉଟାଇ ଶୋଇ ପଡ଼ିଲା ସେ ।

ତମେ ଦେବନି ତ ଆଉ କିଏ ଦେବ କହିଲ... ।

ଅନୁର ଦୁଇ ହାତ ଧରି ଉଠାଇ ଆଣିଥିଲା ସେ ।

ସେ କଥା ତମେ ଜାଣ... । ଅଭିମାନ ଭରା କଣ୍ଠରେ କହି ଅମର ପାଖରୁ ଉଠିଯାଇ ଗୋଟିଏ ଆରାମ ଚେୟାରରେ ବସି ପଡ଼ିଲା ସେ ।

ସତରେ ଅନୁ, ମୋତେ ଖୁବ୍‌ ଭୋକ ହେଲାଣି । ଖାଇବାକୁ ଦିଅନା... ।

ଅନୁନୟ ଭରା କଣ୍ଠରେ ଜଣାଉଥିଲା ଅମର ।

ବର୍ତ୍ତମାନ ଆସୁ ଆସୁ ଖୁବ୍‌ ଭୋକ ହୋଇଗଲା । ଆଚ୍ଛା ଏତେବେଳଯାଏ ଥିଲ କେଉଁଠି-? କାମ ହେଉଥିଲା ପରା... ।

ସବୁବେଳେ ଖାଲି କାମ....କାମ.....କାମ.... । ସମୟ ଅସମୟ ସବୁବେଳେ ଖାଲି କାମ ଚାଲିଛି ନା । ଏ ଯେଉଁ ଖରା ହେଉଛି, ଝାଞ୍ଜି ପବନ ବହୁଛି, ଏଥିରେ କେମିତି ଏତେବେଳ ଯାଏ ବିଲରେ ଥିଲ କହିଲ । କେଇଟା ଦିନ ବିଲକୁ ଯାଉ ଯାଉ କଳା ପଡ଼ିଗଲଣି ।

ମେହନତି ନ କଲେ ଖାଇବା କ’ଣ.....ବଞ୍ଚିବା ବା କେମିତି.... ।

ତୁମର ଖାଲି ସବୁବେଳେ ସେଇ କଥା । ମେହନତି, ପରିଶ୍ରମ, ତା’ଛଡ଼ା ଆଉ କିଛି ନାହିଁ । ଆଚ୍ଛା କୁହ ତ ଦେଖି ତୁମରି ଭଳି କେଇ ଜଣ ଏତେ ପାଠ ପଢ଼ି ଖରା ବର୍ଷା ନ ମାନି ବିଲରେ ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି । ଯେଉଁମାନେ ଚାକିରି କରି ଫ୍ୟାନ୍ ତଳେ ବସି ଦିନ କାଟୁଛନ୍ତି ସେମାନେ କ’ଣ ବଞ୍ଚିନାହାନ୍ତି ନା ଏ ଦୁନିଆଁରେ ଘରକରି ରହି ନାହାନ୍ତି ।

ତମେ କିଛି ମିଛ କହିନ ଅନୁ । ସେମାନେ ମଧ୍ୟ ଆମରି ଭଳି ମଣିଷ । ସେମାନେ କିନ୍ତୁ ଆମ ଠାରୁ ଅଧିକ ରୋଜଗାର କରନ୍ତି । ଛାଇ ତଳେ ରହି ଟିକିଏ କଲମ ଗାର ମାରିଦେଲେ ଶହ ଶହ, ହଜାର ହଜାର ଟଙ୍କାରେ ସେମାନଙ୍କ ପକେଟ ଗରମ ହୋଇ ଉଠେ । ସେମାନେ ଆମ ଭଳି ଖାଇବାକୁ ବଞ୍ଚି ନାହାନ୍ତି । ସେମାନେ ବଞ୍ଚିଛନ୍ତି ଖାଇବାକୁ । ଜୀବନକୁ ଉପଭୋଗ କରିବାକୁ । ମଉଜମଜଲିସ୍‌, ଫୁର୍ତ୍ତି ଜୀବନଟା ବିତାଇ ଦେବାକୁ । କିନ୍ତୁ କୁହ ତ ଦେଖି ଅନୁ....ସମସ୍ତେ ଯଦି ଏମିତି ନିଜପାଇଁ ଭାବିବେ ତା’ହେଲେ ଏ ଗରିବ ଗୁଡ଼ାକ, ଯେଉଁମାନେ ପେଟଭରି ଦୁଇ ମୁଠା ଖାଇବାକୁ ପାଆନ୍ତିନି, କି ନିଜର ଦେହକୁ ଲୁଚାଇବା ପାଇଁ ଖଣ୍ଡେ କନା ପାଆନ୍ତିନି, ସେମାନଙ୍କ କଥା ଭାବିବ କିଏ ?

ଅନୁ ଚେୟାର ଉପରୁ ଉଠିଆସି ନିଜ ପଣତ କାନିରେ ଅମର ଦେହରୁ ଝାଳ ପୋଛି ଦେଉଥିଲା । ତା’ପରେ ଅମର ଗଣ୍ଡଦେଶରେ ଏକ ଗାଢ଼ ଚୁମ୍ବନ ଆଙ୍କି ଦେଇଥିଲା ।

ସଙ୍ଗାତ ! ସଙ୍ଗାତ ! ଡାକି ଘର ଭିତରକୁ ପଶି ଆସିଥିଲା ପ୍ରଶାନ୍ତ । ଅପ୍ରସ୍ତୁତ ହୋଇ ପଡ଼ିଥିଲେ ଅମର ଏବଂ ଅନୁ ।

ଆରେ ସଙ୍ଗାତ କେତେବେଳେ କଟକରୁ ଆସିଲ ଯେ… । ’

ମୁଁ କାଲିଠାରୁ ଆସିଲିଣି । କିନ୍ତୁ ଏଠିକି ଆସିବି ଆସିବି ବୋଲି ଏଯାଏ ଆସିପାରି ନ ଥିଲି ।

ଯା’ ହେଉ ଅନେକ ଦିନ ପରେ ଆମ ଘରେ ତୁମର ପାଦ ପଡ଼ିଲା । ଆଉ ସବୁ ଭଲ ତ.... ।

ଭଲ ଆଉ କଅଣ । ଅବଶ୍ୟ ଆମ ଜୀବନରେ ଆଉ ସେ ଦିନ ଆସିବନି, ଆମେ ଦୁହେଁ ପରସ୍ପର ଏକାଠି ଘଣ୍ଟା ଘଣ୍ଟା ବସି ନିଜ ନିଜର ସୁଖ ଦୁଃଖ, ଭଲ ମନ୍ଦ ଅନ୍ତର ଖୋଲି ପ୍ରକାଶ କରିବା । ତେବେ ତମେ ଏତିକି ଜାଣିଥାଅ...ମୋ ଜୀବନରେ ମୁଁ କେବେ ଶାନ୍ତି ପାଇ ପାରିବିନି । ସାରା ଜୀବନଟା ହିଁ ମୋତେ ଅଶାନ୍ତି ଭିତରେ କାଟାଇବାକୁ ପଡ଼ିବ । ତା’ଛଡ଼ା ସଙ୍ଗାତ....ଏବେ ମୁଁ ନିଜେ ନିଜକୁ ଚିହ୍ନିଲେ, ନିଜକୁ ଘୃଣା କରିବାକୁ ବି ଇଚ୍ଛା ହୁଏ ମୋର । ଆମେ ଦୁହେଁ ଏଇଠି ବଢ଼ିଲେ.....ଏକାଠି ଏତେ ପାଠ ପଢ଼ିଲେ ମଣିଷ ହେବା ପାଇଁ । କିନ୍ତୁ ତା’ ହେଲାନି...ମଣିଷ ହେବାକୁ ଯାଇ ମୁଁ ଅମଣିଷ ହୋଇଗଲି । ଅନେକ ତଳକୁ ଖସିଗଲି । ସତରେ ସଙ୍ଗାତ ତମେ କେତେ ଉଦାର, କେତେ ମହାନ୍‌ । ତମେ କେତେ ଉଚ୍ଚରେ ଆଉ ମୁଁ ତୁମଠାରୁ ଅନେକ ପଛରେ ପଡ଼ିଗଲି ନା । ଏଇ କେତେଟା ବର୍ଷ ଭିତରେ ମୁଁ ତୁମ ନିକଟରେ ଅନେକ କିଛି ଅପରାଧ କରିଛି । ଏବେ ମୁଁ ମୋର କୃତକର୍ମ ପାଇଁ ଅନୁତାପ କରୁଛି । ତମେ ମୋତେ କ୍ଷମା ଦିଅ ସଙ୍ଗାତ ତମେ ମୋତେ କ୍ଷମା ଦିଅ ।

ପଛକଥା ଭୁଲିଯାଅ ସଙ୍ଗାତ...ତମେ ଅନୁତାପ କରିଛ ଏହା ହିଁ ଯଥେଷ୍ଟ । ଯାହା ହେବାର ଥିଲା ତାହା ହୋଇଯାଇଛି । ତମେ, ମୁଁ ଏବଂ ଆମ୍ଭେମାନେ ସମସ୍ତେ ମଣିଷ । ରକ୍ତ ମାଂସର ମଣିଷ । କେହି ଦେବତା ନୁହଁନ୍ତି । ଏଇ ମଣିଷ କେତେବେଳେ କ’ଣ କରି ବସେ ତାହା ତା’ର ଆୟତ ଭିତରେ ନ ଥାଏ । ଏଇ ମଣିଷ କେତେବେଳେ ନୃଶଂସ ହୋଇଉଠେ ତ ପୁଣି କେତେବେଳେ ମହାମାନବ ରୂପେ ପରିଚିତ ହୁଏ । ଏଣିକି ତମେ ତୁମର କର୍ତ୍ତବ୍ୟ ପଥରେ ଆଗେଇ ଚାଲ.....ଭଗବାନ୍‌ ତୁମକୁ ନିଶ୍ଚୟ ସାହାଯ୍ୟ କରିବେ ।

ଅନୁ ଭାତ ଥାଳି ବାଢ଼ି ନେଇ ଆସିଥିଲା ଏବଂ ପ୍ରଶାନ୍ତର ହାତ ଧରି ଖାଇବାକୁ ଅନୁରୋଧ କରିଥିଲା । ଦୁଇ ସଙ୍ଗାତ ଧୋଇ ହୋଇ ଆସି ଏକାଠି ଖାଇ ବସିଥିଲେ ।

ଆଚ୍ଛା ସଙ୍ଗାତ । ଆମ ଗାଁର ସମସ୍ତଙ୍କ ଜମି ବୋଧେ କୋଠଚାଷ ହୋଇଛି ।

ହଁ ସମସ୍ତଙ୍କ ଜମି, ମଉସାଙ୍କୁ କହିବାରୁ ସେ କିନ୍ତୁ କୋଠଚାଷ ପାଇଁ ରାଜି ହେଲେନି । ଯାହା ଫଳରେ ତୁମ ଜମି କୋଠଚାଷ ହୋଇନି ।

ତା’ହେଲେ ଏବେ କ’ଣ ଆମ ଜମି କୋଠଚାଷ ହେଇ ପାରିବନି ? ଆମେ ଏମିତି ସବୁଦିନେ ଏକୁଟିଆ ହୋଇଥିବୁ ନା ଆମପ୍ରତି କିଛି ବିଚାର କରି ତୁମ ପରିବାର ଭିତରେ ଆମକୁ ଗ୍ରହଣ କରିବ... ?

ହସି ଉଠିଥିଲେ ଅମର ପ୍ରଶାନ୍ତ ଆଉ ଅନୁ ମଧ୍ୟ ।

Image